ବାକି ‘ବାର’କୁ ନଜର

କଟକ : ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମୁଖ୍ୟତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୯ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୬୩ ବିଧାନସଭା ଆସନରେ ପ୍ରାର୍ଥୀମାନଙ୍କ ଭାଗ୍ୟ ଜଉମୁଦ ଇଭିଏମ୍‍ ଭିତରେ। ମାତ୍ର ଅସଲ ଖେଳ ଆରମ୍ଭ ହୋଇଛି ତୃତୀୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି। ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଲୋକସଭା ଆସନ ସହ କେନ୍ଦୁଝର, ଢ଼େଙ୍କାନାଳ, କଟକ, ଭୁବନେଶ୍ୱର ଓ ପୁରୀ ପରି ହାଇପ୍ରୋଫାଇଲ୍‍ ନିର୍ବାଚନମଣ୍ଡଳୀରେ ମତଦାନ ହେବ। ସେହିପରି ଶେଷ ପର୍ଯ୍ୟାୟରେ ଉପକୂଳବର୍ତ୍ତୀ ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ସହ ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ନିମନ୍ତେ ଭୋଟଗ୍ରହଣ ହେବ। ଏହି ନିର୍ବାଚନ ଶାସକ ବିଜେଡି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କ୍ଷମତା ଦଖଲ ପାଇଁ ଆଶାବାନ୍ଧିଥିବା ବିଜେପି ଏବଂ ନିଜର ସ୍ଥିତି ଓ ସମ୍ମାନ ରକ୍ଷା ନିମନ୍ତେ କଂଗ୍ରେସ ପାଇଁ ତତୋଧିକ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଇଛି ବାକିଥିବା ୧୨ ଲୋକସଭା ଆସନ ମଧ୍ୟରୁ ଆଙ୍ଗୁଳିଗଣତି ଦୁଇ
ତିନିଟି ଆସନକୁ ବାଦ ଦେଲେ ଅନ୍ୟାନ୍ୟ ସ୍ଥାନରେ ପ୍ରସଙ୍ଗ ଅପେକ୍ଷା ବ୍ୟକ୍ତି ହିଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ ବୋଲି ଆକଳନ କରାଯାଉଛି। ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରାଣକର୍ତ୍ତା ଓ ବିଜୟ ନିମନ୍ତେ ଆଶା ପାଲଟିଥିବାବେଳେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଏକମାତ୍ର ଭରସା। ତେବେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଜାତୀୟ ବା ରାଜ୍ୟ ସଭାପତି ନୁହନ୍ତି; ନିଜ ଦମ୍‍ ଓ ଲୋକସମ୍ପର୍କ ହିଁ ଏକମାତ୍ର ସମ୍ବଳ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟର ୬ଟି ଆସନ ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ଭୁବନେଶ୍ୱର ଓ ପୁରୀ ଲୋକସଭା ଆସନ ମଧ୍ୟରୁ ବିଜେଡ଼ି ୪ଟି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। କଟକରେ ଭର୍ତ୍ତୃହରି ମହତାବ ଓ ପୁରୀରେ ପିନାକୀ ମିଶ୍ରଙ୍କ ଭିନ୍ନ ଅନ୍ୟ ସମସ୍ତେ ବିଜେଡ଼ି ରାଜନୀତିରେ ନବାଗତ। ଭୁବନେଶ୍ୱରରେ ଅରୂପ ପଟ୍ଟନାୟକ, ସମ୍ବଲପୁରରେ ନଳିନୀ ପ୍ରଧାନ, କେନ୍ଦୁଝରରେ ଚନ୍ଦ୍ରାଣୀ ମୁର୍ମୁ ରାଜନୀତି ପୃଷ୍ଠଭୂମିରେ ସମ୍ପୂର୍ଣ୍ଣ ନବାଗତ। ନବୀନଙ୍କ ଛବି ଓ ବିଜେଡି ଭୋଟବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଢ଼େଙ୍କାନାଳରେ ନିଧି ସାମଲ ପୂର୍ବରୁ କଂଗ୍ରେସରେ ଥିଲେ ଓ ତାଙ୍କର କିଛିଟା ରାଜନୈତିକ ଅଭିଜ୍ଞତା ରହିଛି। ମାତ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କର ପୁରୁଣା ସଙ୍ଗଠନ ତାଙ୍କ ପାଇଁ ଉପଯୋଗୀ ହୋଇପାରିବ ତାହା ଉପରେ ଗ୍ୟାରେଣ୍ଟି ଦେଇ ହେବ ନାହିଁ। ପୂର୍ବରୁ ଏହି ଆସନଗୁଡ଼ିକ ବିଜେଡ଼ି ଦଖଲରେ ଥିଲା ଏବଂ ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭାଗୁଡ଼ିକରେ ବିଜେଡ଼ି ବିଜୟୀ ହୋଇଥିବାରୁ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଦୃଢ଼ ଭିତ୍ତିଭୂମି ରହିଛି। ଲୋକସଭା କ୍ଷେତ୍ରରେ ବିଶେଷ ବିବାଦ ନାହିଁ କିମ୍ବା ନବୀନଙ୍କ ନିଷ୍ପତ୍ତି ଉପରେ କେହି ପ୍ରଶ୍ନ କରିବାକୁ ସାହସ କରି ପାରିନାହାନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ବିଧାୟକ ପ୍ରାର୍ଥୀ ମନୋନୟନକୁ ନେଇ ଯେପରି ଦଳୀୟ ଅସନ୍ତୋଷ ଓ ବିଦ୍ରୋହ ଦେଖା ଦେଇଛି ତାହାକୁ ପ୍ରଶମନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ‘ମ୍ୟାନେଜ ୱେଲ’ କେତେ ସଫଳତା ପାଇବ ତାହା ଉପରେ ପ୍ରାର୍ଥୀମାନଙ୍କ ଭବିଷ୍ୟତ ନିର୍ଭର କରୁଛି।
ବିଜେଡ଼ି ପରି ବିଜେପିରେ ମଧ୍ୟ ସମାନ ସ୍ଥିତି। କେନ୍ଦୁଝରରେ ଅନନ୍ତ ନାୟକ ଓ ଢ଼େଙ୍କାନାଳରେ ରୁଦ୍ରନାରାୟଣ ପାଣିଙ୍କ ବ୍ୟତୀତ ସମ୍ବଲପୁର, ପୁରୀ, କଟକ, ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଣିଛି ନୂଆ ମୁହଁ। ଅବଶ୍ୟ ସମ୍ବଲପୁରରେ ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ ପୂର୍ବରୁ ଦେବଗଡ଼ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ଭୋଟବ୍ୟାଙ୍କ ସୃଷ୍ଟି କରପାରିବାରେ ସେ ସମର୍ଥ ହୋଇଥିଲେ ସମଗ୍ର ଲୋକସଭା ଅଞ୍ଚଳରେ ସେ ସେପରି ଛାପ ଛାଡ଼ି ପାରିନାହାନ୍ତି। ପୁରୀରେ ଦଳର ଜାତୀୟ ପ୍ରବକ୍ତା ସମ୍ବିତ୍‍ ପାତ୍ର ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଭାରତୀୟ ପ୍ରଶାସନିକ ସେବା ଛାଡ଼ି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ଓ ଅବସରପ୍ରାପ୍ତ ସିଆର୍‍ପିଏଫ୍‍ ଡ଼ିଜି ପ୍ରକାଶ ମିଶ୍ର କଟକରୁ ବିଜେପି ଟିକେଟରେ ଲଢ଼ୁଛନ୍ତି। ଉଭୟ ଓଡ଼ିଶାରେ ଉଚ୍ଚ ପ୍ରଶାସନିକ ଅଧିକାରୀ ରୂପେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟର ଶାସକ ବିଜେଡ଼ି ସରକାର ସହ ଉଭୟଙ୍କର ତିକ୍ତ ସମ୍ପର୍କ ସମସ୍ତଙ୍କୁ ଜଣା। କମ୍‍ ଦିନ ମଧ୍ୟରେ ଅପରାଜିତା ଷଡ଼ଙ୍ଗୀ ତୃଣମୂଳସ୍ତର ପର୍ଯ୍ୟନ୍ତ ଯେପରି ନିଜର ପରିଚୟ ପହଞ୍ଚାଇ ପାରିଛନ୍ତି ଅନ୍ୟମାନେ ସେପରି ସଙ୍ଗଠନ କରିବାରେ ସଫଳ ହୋଇ ପାରିନାହାନ୍ତି। ତେଣୁ ଏହିସବୁ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଦଳପାଇଁ ଏକମାତ୍ର ସଞ୍ଜୀବନୀ ପାଲଟିଛନ୍ତି। ବୋଧହୁଏ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହା ଉପଲବ୍ଧି କରିଛି ଏବଂ ‘ମୋଦୀଙ୍କୁ ଭୋଟ୍‍’ କ୍ୟାମ୍ପେନ ଆରମ୍ଭ କରିଛି। ଲୋକସଭା କ୍ଷେତ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ସାଙ୍ଗକୁ ମୋଦୀଙ୍କ ପ୍ରତି ଆକର୍ଷଣ ଦଳ ପାଇଁ ସମ୍ଭାବନା ସୃଷ୍ଟି କରିଛି।
ବିଜେଡି ଓ ବିଜେପିକୁ ଛାଡ଼ିଦେଲେ ଜାତୀୟ ଦଳ କଂଗ୍ରେସ ଏସବୁ ଦୃଷ୍ଟିରୁ ଢ଼େର ପଛରେ। ବାରମ୍ବାର ଓଡ଼ିଶା ଗସ୍ତ କରି ଓଡ଼ିଶାର ଭୋଟରଙ୍କୁ ରାହୁଳ କିଛିମାତ୍ରାରେ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ ହେଁ ପ୍ରାର୍ଥୀ ମନୋନୟନରେ ଦ୍ୱନ୍ଦ୍ୱ, ଟିକେଟ ବଣ୍ଟନକୁ ନେଇ ସୃଷ୍ଟ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ପ୍ରଶମନରେ ରାଜ୍ୟ ନେତୃତ୍ୱର ବିଫଳତା କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛି। ତୃତୀୟ ପର୍ଯ୍ୟାୟର ୬ଟି ଲୋକସଭା କ୍ଷେତ୍ରମଧ୍ୟରୁ କେତେକ ସ୍ଥାନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତାସ୍ତରକୁ ଆସିଥିଲେ ମଧ୍ୟ ଗତ ନିର୍ବାଚନ ତୁଳନାରେ ଭୋଟହାର କେତେ ବୃଦ୍ଧି କରିପାରିବ ତାହାକୁ ନେଇ ନିଜେ ପ୍ରାର୍ଥୀ ଓ ଦଳୀୟ ନେତୃତ୍ୱ ଏବେ ବି ସନ୍ଦୀହାନ। ତେବେ ଏହି ଲୋକସଭା ଆସନ ଅନ୍ତର୍ଗତ କିଛି ବିଧାନସଭା କ୍ଷେତ୍ରଗୁଡ଼ିକରେ ଦଳୀୟ ପ୍ରାର୍ଥୀମାନେ ପ୍ରତିପକ୍ଷଙ୍କୁ କଡ଼ା ମୁକାବିଲା କରୁଥିବା ଦୃଷ୍ଟିଗୋଚର ହୋଇଛି। ଏଠାରେ ଦଳର ଜାତୀୟ ବା ରାଜ୍ୟ ନେତୃତ୍ୱ ଅପେକ୍ଷା ପ୍ରାର୍ଥୀମାନେ ନିଜସ୍ୱ ସଙ୍ଗଠନ ଉପରେ ବେଶୀ ନିର୍ଭରଶୀଳ ଏବଂ ବିଜୟ ପରାଜୟ ନିମନ୍ତେ ନିଜେ ହିଁ ନିଜର ଭାଗ୍ୟବିଧାତା ସାଜିଛନ୍ତି।

Comments
Loading...