କରୋନା ବିରୋଧୀ ଲଢ଼େଇ : ଚୀନ ଭଳି ରଣନୀତି ଭାରତକୁ ରକ୍ଷା କରିପାରିବ

ମଗ୍ର ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା ପାଇଁ ପ୍ରାଣମୂର୍ଚ୍ଛା ସଂଗ୍ରାମ କରୁଥିବା ସମୟରେ ଏହି ପ୍ରାଣଘାତୀ ଭୂତାଣୁର ଅନ୍ତୁଡ଼ିଶାଳ ଚୀନ ଏବେ କ୍ରମଶଃ ସୁସ୍ଥ ହୋଇ ସ୍ୱାଭାବିକତା ଆଡ଼କୁ ଫେରୁଛି। ଯେଉଁ ରଣନୀତି ଓ ଢାଞ୍ଚାରେ ଚୀନ କରୋନାର ମୁକାବିଲା କଲା ତାହାକୁ ସ୍ୱୟଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ପ୍ରଶଂସା କରିଛନ୍ତି। ତାଙ୍କ ମତରେ ଚୀନର ଏହି କରୋନା-ବିରୋଧୀ ଲଢ଼େଇ ଢାଞ୍ଚା ଓ ରଣକୌଶଳ ମହାମାରୀ ବିଧ୍ୱସ୍ତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଙ୍କ ପାଇଁ ଏକ ଆଲୋକବର୍ତ୍ତିକା ହୋଇପାରେ। ମାତ୍ର ବାସ୍ତବତାକୁ ଦେଖିଲେ ଚୀନ ଢାଞ୍ଚା ବା ମଡେଲକୁ ବିଶ୍ୱର ପ୍ରମୁଖ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଭାରତ କାର୍ଯ୍ୟକାରୀ କରିବା ସହଜ ନୁହେଁ। ଏହାର ପ୍ରଥମ କାରଣଟି ହେଲା ଶାସନଗତ ଢାଞ୍ଚାର ଭିନ୍ନତା। ଏକଦଳୀୟ ସତ୍ତାବାଦୀ ଶାସନ ବ୍ୟବସ୍ଥାରେ ଚୀନ କରୋନା ମୁକାବିଲା ପାଇଁ ଯେଉଁ କଠୋର ପଦକ୍ଷେପମାନ ଗ୍ରହଣ କଲା ଏବଂ ସମ୍ବଳ ଓ ସାଧନକୁ ଯେପରି ଆଖିବୁଜା କାମରେ ଲଗାଇଲା, ତାହା ଗଣତାନ୍ତ୍ରିକ, ବହୁଦଳୀୟ, ଉଦାରବାଦୀ ଶାସନ ବ୍ୟବସ୍ଥାରେ ସମ୍ଭବ ନ୍‌ୁହେଁ। ଚୀନର ଶାସନ ବ୍ୟବସ୍ଥା କେନ୍ଦ୍ରୀୟ ସ୍ତରରେ ନିୟନ୍ତ୍ରିତ। ସେଠାରେ ସର୍ବୋଚ୍ଚ ନେତାଙ୍କ ଆଦେଶ ଶିରୋଧାର୍ଯ୍ୟ ଭାବେ ଉପରୁ ତଳଯାଏ କାର୍ଯ୍ୟକାରୀ ହୁଏ। ଗଣମାଧ୍ୟମ ସ୍ୱାଧୀନ ନୁହେଁ। ବିରୋଧୀଦଳ ନଥିବାରୁ କୌଣସି ସରକାରୀ ନିଷ୍ପତ୍ତି ଉପରେ ଆଲୋଚନା ସମାଲୋଚନା ବା ବିରୋଧ ନଥାଏ। ସତ୍ତାବାଦୀ ଏକ ଦଳୀୟ ଶାସନ ବ୍ୟବସ୍ଥା ଦେଶର ସୁରକ୍ଷା ସଂକ୍ରାନ୍ତ ଯେକୌଣସି ପ୍ରମୁଖ ବିପଦର ମୁକାବିଲା ପାଇଁ ବିନା ପ୍ରତିବାଦରେ ବିପୁଳ ସମ୍ବଳ ବିନିଯୋଗ କରିଥାଏ। କୋଭିଡ-୧୯ ଦେଖାଦେବା ପରେ ଚୀନ ତାହାର ମୁକାବିଲା ପାଇଁ ଯେଉଁ କଠୋର, ସମନ୍ୱିତ ଓ କେନ୍ଦ୍ରୀକୃତ ପଦକ୍ଷେପ ଗ୍ରହଣ କଲା ତା’କୁ ସେଠାକାର ଶାସନ ଢାଞ୍ଚା ଓ ଏକଦଳୀୟ ରାଜନୈତିକ ଶୈଳୀର ସଂସ୍କୃତି ସାହାଯ୍ୟ କଲା। ଧନବଳ, ଲୋକବଳ, ଭିତ୍ତିଭୂମି, ବିଜ୍ଞାନ, ପ୍ରଯୁକ୍ତି, ଔଷଧପତ୍ର, ଚିକିତ୍ସକ ଓ ଚିକିତ୍ସା କର୍ମଚାରୀ, ଶୃଙ୍ଖଳିତ ଜନତା, ଉନ୍ନତ ଭେଷଜ ବିଜ୍ଞାନ ଏସବୁ ଚୀନ ପାଖରେ ଥିଲା। ତେଣୁ ମହାମାରୀ ଯେତେବେଳେ ବ୍ୟାପିଲା ତା’ର ଉପଯୁକ୍ତ ମୁକାବିଲା ପାଇଁ ସବୁ ସମ୍ବଳ ଓ ସାମର୍ଥ୍ୟର ମିଳିତ ଉପଯୋଗ କରିବାର ଯେଉଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଥିଲା ତାହା ସେ ଦେଶର ସର୍ବମୟ ନେତା ଓ କର୍ତ୍ତା, ରାଷ୍ଟ୍ରପତି ଯୋଗାଇଦେଲେ। ସେଥିପାଇଁ ରାଜନୈତିକ ବିରୋଧ ନ ଥିଲା କିମ୍ବା ତାଙ୍କ ହାତଖୋଲା ଖର୍ଚ୍ଚ ଓ ନିଷ୍ପତ୍ତିକୁ ପ୍ରଶ୍ନ କରିବାକୁ କେହି ନ ଥିଲେ। ତେଣୁ ଏକ କଠୋର ସଂକଟର ଦୃଢ଼ ମୁକାବିଲା ପାଇଁ ତାଙ୍କୁ କୌଣସି ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ। କରୋନାର ଉତ୍ପତ୍ତିସ୍ଥଳ ୟୁହାନ ସହରକୁ ଚୀନ ସରକାର ଗତ ଜାନୁଆରୀରେ ସଂପୂର୍ଣ୍ଣ ସଟ୍‌ଡାଉନ କରି ଏହାର ୧୧୦ ନିୟୁତ ଲୋକଙ୍କୁ ଏକପ୍ରକାର କ୍ୱା‌େ‌ରଣ୍ଟାଇନରେ ରଖିଲେ। ଏହାପରେ ସେଇ ସଫଳତା ସୂତ୍ରକୁ ସମଗ୍ର ହୁବେଇ ପ୍ରଦେଶରେ ପ୍ରୟୋଗ କରାଗଲା। ଏଥିରେ ପ୍ରାୟ ପାଞ୍ଚକୋଟି ଲୋକଙ୍କୁ ମାସ୍‌ଆଇସୋଲେସନ ବା ଗଣପୃଥକୀକରଣ ବ୍ୟବସ୍ଥାରେ ରଖାଗଲା। ସେଠାକାର ସହରାଞ୍ଚଳ ଆବାସିକ କମ୍ପ୍‌ଲେକ୍ସରେ କୋଟିକୋଟି ଲୋକ ବାଧ୍ୟ ହୋଇ ତାଲାବନ୍ଦ ଜୀବନ ଯାପନ କରିବାବେଳେ ସେମାନଙ୍କ ଉପରେ ସ୍ଥାନୀୟ କମିଟି ଓ ପୁଲିସ ତୀକ୍ଷ୍‌ଣ ନଜର ରଖିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ନିୟମିତ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ଏହା ଫଳରେ ବିଶ୍ୱର ଏହି ସର୍ବାଧିକ ଜନବହୁଳ ଦେଶରେ ସାମାଜିକ ଓ ବ୍ୟକ୍ତିଗତ ଦୂରତ୍ୱ ରକ୍ଷା ସହ ଗୋଷ୍ଠୀ ଓ ଗଣସଂକ୍ରମଣ ଆଶଙ୍କା ପ୍ରାୟତଃ ନିୟନ୍ତ୍ରିତ ହୋଇଥିଲା। ସନ୍ଦିଗ୍ଧମାନଙ୍କୁ ଠାବକରି ଜବରଦସ୍ତ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ କୋଭିଡ-୧୯ ମୁକାବିଲାରେ ସଙ୍ଗରୋଧ, ସାମାଜିକ ଦୂରତ୍ୱ, କଣ୍ଟେନମେଣ୍ଟ, ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ଆଦି ଯେଉଁସବୁ ଶବ୍ଦ ବ୍ୟବହୃତ ହେଉଛି ତାହା ପ୍ରଥମଥର ଚୀନରେ ପ୍ରୟୋଗ ହୋଇଥିଲା। କିଛିକାଳ ସଟଡାଉନ ଓ ଲକ୍‌ଡାଉନ ଫଳରେ ସଂକ୍ରମଣ କମିବାକୁ ଲାଗିଲା ଏବଂ ଏହାକୁ କଣ୍ଟେନମେଣ୍ଟ କୁହାଗଲା। ତେଣେ ଆକ୍ରାନ୍ତ ଚିକିତ୍ସା, ସନ୍ଦିଗ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ପ୍ରତିଷେଧକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମଗ୍ର ହୁବେଇ ପ୍ରଦେଶ ଓ ପଡ଼ୋଶୀ ରାଜ୍ୟମାନଙ୍କରେ କରାଗଲା। ଏହା ତିନି ଚାରିମାସର ଏକ ଲମ୍ବା ଲଢ଼େଇ ହୋଇଥିଲେ ହେଁ ଚୀନ ଏଥିରେ ବିଜୟୀ ହୋଇଛି। ତଥାପି ଏହି ମହାମାରୀ ସେଠାରେ ପ୍ରାୟ ଚାରିହଜାର ମୁଣ୍ଡ ନେଇଛି।
ଏବେ ଭାରତ ଓ ଅନ୍ୟାନ୍ୟ ଦେଶ କରୋନାର ମୁକାବିଲା ପାଇଁ ଯେଉଁ କୌଶଳ ଅବଲମ୍ବନ କରୁଛନ୍ତି ତାହା ମୂଳତଃ ଚୀନର। ତେବେ ଚୀନ୍‌ କରୋନା ଯୁଦ୍ଧ ଲଢ଼ିବା ସମୟରେ ସ୍ୱତନ୍ତ୍ର ମାସ୍କ, ରେସପିରେଟର, ଚିକିତ୍ସକଙ୍କ ସ୍ୱତନ୍ତ୍ର ପୋଷାକ ଓ କୋଭିଡ ଚିକିତ୍ସା ଭିତ୍ତିଭୂମି ତିଆରି କରିବାରେ ଯେଉଁ ସଫଳତା ହାସଲ କରିଛି ତାହା ବିରଳ ଏବଂ ପ୍ରଶଂସାଯୋଗ୍ୟ। ଚୀନ ଏ ଲଢ଼େଇରେ ଏକପ୍ରକାର ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ବିଶ୍ୱର ଧନାଢ଼୍ୟ ଓ ଆଗୁଆ ଦେଶ- ଆମେରିକା, ବ୍ରିଟେନ, ଜର୍ମାନୀ, ଜାପାନ, ଫ୍ରାନ୍ସ, ଇଟାଲୀ, ସ୍ପେନ ଆଦି ଏବେ ଅସହାୟ ଅବସ୍ଥାରେ କାହିଁକି? ଏ ସବୁ ଦେଶରେ କରୋନା ବନାଗ୍ନି ପରି ମାଡ଼ିଚାଲିଛି ଏବଂ ପ୍ରତିଦିନ ହଜାରହଜାର ଲୋକ ମରୁଛନ୍ତି। ଏସବୁ ଦେଶ ଅର୍ଥ, ସମ୍ବଳ, ଚିକିତ୍ସା, ସେବା, ଔଷଧପତ୍ର, ଚିକିତ୍ସକ ଓ ଅନ୍ୟ ସବୁକ୍ଷେତ୍ରରେ ବହୁ ଆଗରେ ହୋଇ ମଧ୍ୟ ଅସହାୟ ପାଲଟିବାର କାରଣ ହେଉଛି ଉଦାରବାଦୀ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଯୋଗୁଁ ନିଷ୍ପତ୍ତି ଗ୍ରହଣରେ ବିଳମ୍ବ ଏବଂ ରୋଗପ୍ରତି ହେୟ ମନୋଭାବ।
ଏ ସବୁ ଦେଶରେ ସାମାଜିକ ମେଳଣ ଓ ବ୍ୟକ୍ତି ସ୍ୱାଧୀନତାର ମହତ୍ତ୍ୱ ଶେଷରେ ରାଷ୍ଟ୍ରସ୍ୱାସ୍ଥ୍ୟକୁ ବିପଦକୁ ଠେଲି ଦେଇଛି। ଲୋକେ ସଚେତନ ଓ ସେମାନେ ନିଜେନିଜର ସୁରକ୍ଷା ସତର୍କତା କଥା ବୁଝିବେ ଏବଂ ରାଷ୍ଟ୍ର ଏଥିରେ ଅନାବଶ୍ୟକ ଭାବେ କିଛି କଟକଣା ଲାଗୁ କରି ସେମାନଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରିବ ନାହିଁ। ଏଇ ସରକାରୀ ଗଣତାନ୍ତ୍ରିକ ବିଚାର ମହାମାରୀ ବ୍ୟାପିବାର କାରଣ ହୋଇଛି। ଏହାର ସୁଯୋଗ ନେଇ ସଂକ୍ରମିତମାନେ ସୁପରସ୍ପେଡର ପାଲଟି ଯାଇଛନ୍ତି।
ବ୍ୟାଧି ବା ମହାମାରୀ ତନ୍ତ୍ରମନ୍ତ୍ର ବୁଝେନା। ଏହା କଠୋର ସ୍ୱାସ୍ଥ୍ୟଗତ ଅନୁଶାସନ, ପ୍ରତିଷେଧକ, ଚିକିତ୍ସା ଓ ସଂକ୍ରମଣ ବିରୋଧୀ ପଦକ୍ଷେପ ଲୋଡ଼େ। ଏହା ମଧ୍ୟ ଧନୀ-ଗରିବ ବାଛେ ନାହିଁ କିମ୍ବା ଜାତି, ଧର୍ମ ଅଞ୍ଚଳ ଭାଷା ବିଚାର ରଖେନା। ଗଣତନ୍ତ୍ର,ରାଜତନ୍ତ୍ର, ସତ୍ତାବାଦୀତନ୍ତ୍ର, ଉଦାରବାଦୀ ମାନବିକ ଭାବନା ଆଦିର ବିଚାର ଏହା ପାଖରେ ନଥାଏ। ତେଣୁ ସତର୍କତା, ସାବଧାନତା ଓ ପ୍ରତିକାର ବେଳ ହୁଁ ଲୋଡ଼ା। ଚୀନ ତାହା କରିପାରିଛି। ଏପରିକି କମ୍ୟୁନିଷ୍ଟ ଶାସନାଧୀନ ଉତ୍ତରକୋରିଆ ମଧ୍ୟ ତାହା କରି ଦେଖାଇଛି। ଅଥଚ ଉତ୍ତୁଙ୍ଗ ଗଣତନ୍ତ୍ର ଓ ବ୍ୟକ୍ତି ସ୍ୱାଧୀନତାର ଡିଣ୍ଡିମ ପିଟୁଥିବା ରାଷ୍ଟ୍ରମାନେ ଏ କ୍ଷେତ୍ରରେ ଆଣ୍ଠେଇ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ କରୋନା ବିରୋଧୀ ଲଢ଼େଇ କିଞ୍ଚିତ ବିଳମ୍ବରେ ଆରମ୍ଭ କଲେ। ତା’ ପୂର୍ବରୁ ଓଡ଼ିଶା ସମେତ କେତେକ ରାଜ୍ୟ ପରିସ୍ଥିତିର ଭୟାବହତାକୁ ଅନୁମାନ କରି ଉଦ୍ୟମ ଆରମ୍ଭ କରିଦେଇଥିଲେ। ବିଳମ୍ବରେ ହେଉପଛେ କେନ୍ଦ୍ରସରକାର ତାଙ୍କର କରୋନା ବିରୋଧୀ ଲଢ଼େଇକୁ ବିଶାଳ ଓ ଜୋରଦାର କରିଛନ୍ତି। ଏଥିପାଇଁ ଅନେକ କଠୋର ଏବଂ ଅପ୍ରିୟ ନିଷ୍ପତ୍ତି ନିଆଯାଇଛି। ଏ ସମୟରେ ସମ୍ବିଧାନରେ ଲେଖା ଗଣତାନ୍ତ୍ରିକ ଅଧିକାର, ମାନବାଧିକାର ଓ ବ୍ୟକ୍ତି ସ୍ୱାଧୀନତାକୁ ଅକ୍ଷରେଅକ୍ଷରେ ପାଳନ କରି ବସିଲେ ମହାମାରୀ ଆମକୁ ନିଃଶେଷ କରିଦେବ। କିଛିକାଳ ପାଇଁ ବୃହତ୍ତର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଲୋକଙ୍କୁ କଷ୍ଟ ସହିବାକୁ ପଡ଼ିବ। ତେବେ ଯାଇ ଚୀନ ଭଳି ଆମେ ଏଇ ଲଢ଼େଇରେ ବିଜୟୀ ହୋଇପାରିବା।

Comments are closed.