ବାଲିଯାତ୍ରାର ପ୍ରାଚୀନତା କିମ୍ବଦନ୍ତୀ ନୁହେଁ, ଇତିହାସ

ବାଲିଯାତ୍ରା ଉତ୍କଳୀୟ ସାଂସ୍କୃତିକ ଐତିହ୍ୟର ଗୌରବମୟ ସ୍ମୃତିର ପ୍ରୀତିଯାତ୍ରା। ବାଲିଯାତ୍ରାର ପ୍ରାଚୀନତା କିମ୍ବଦନ୍ତୀ ନୁହେଁ, ଇତିହାସ। ଅତୀତର ନୌବାଣିଜ୍ୟକୁ ସ୍ମରଣ କରି ଏପରି ଏକ ଭବ୍ୟ ଉତ୍ସବ ପୃଥିବୀରେ ଅନ୍ୟତ୍ର କାହିଁ କେଉଁଠି ଦେଖିବାକୁ ମିଳେ ନାହିଁ ବୋଲି ମୋର ବିଶ୍ୱାସ। ଉତ୍କଳୀୟ ସାଧବମାନଙ୍କର ସାହସିକତା, ବାଣିଜ୍ୟିକ ଦକ୍ଷତା ଓ ଉତ୍କଳର ଶିଳ୍ପକଳାର ଚରମ ବିକାଶର ଏକମାତ୍ର ସାକ୍ଷୀ ଏହି ବାଲିଯାତ୍ରାକୁ ଅଧିକ ଲୋକପ୍ରିୟ ଏବଂ ବ୍ୟାପକ କରିବାର ସମୟ ଆସିଛି ବୋଲି ଅନୁଭବ କରି ଚଳିତ ବର୍ଷ ଆମ ରାଜ୍ୟ ସରକାର ଏହାକୁ ରାଜ୍ୟପର୍ବର ମାନ୍ୟତା ପ୍ରଦାନ କରିଛନ୍ତି। ସେଥିପାଇଁ ତାଙ୍କର ପଦକ୍ଷେପ ଧନ୍ୟବାଦାର୍ହ।

ଏହି ଲୋକମହୋତ୍ସବର ମହତ୍ତ୍ୱକୁ ଗୁରୁତ୍ୱ ଦେଇ ଏହି ଯାତ୍ରାକୁ ଜାତୀୟ ପର୍ବର ମାନ୍ୟତା ମିଳିବା ଆବଶ୍ୟକ ବୋଲି ସଂସ୍କୃତିପ୍ରେମୀ ଉତ୍କଳୀୟମାନେ ହୃଦୟଙ୍ଗମ କରୁଛନ୍ତି, କିନ୍ତୁ ଏ ଦିଗରେ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଜରୁରୀ। ଉତ୍କଳର ଯେଉଁ ବରପୁତ୍ରମାନେ କେନ୍ଦ୍ର ସରକାରଙ୍କ ରାଜନୈତିକ କ୍ଷମତାରେ ଥାଇ ଦେଶର ମୁଖ ଉଜ୍ଜ୍ୱଳ କରିଛନ୍ତି ଏବଂ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମାଧ୍ୟମରେ କେନ୍ଦ୍ରସରକାରଙ୍କ ସହଯୋଗ ଏଥିପାଇଁ ଆମର କାମ୍ୟ। ଏବେ ନିକଟରେ ପାଇକବିଦ୍ରୋହର ଗୌରବଗାଥା ଖୋର୍ଦ୍ଧା ଗଡ଼ର ବରୁଣେଇ ପର୍ବତରେ ଅଲିଭା ଅକ୍ଷରରେ ଲିପିବଦ୍ଧ ହୋଇଥିବା କେନ୍ଦ୍ର ସରକାରରେ କ୍ଷମତାସମ୍ପନ୍ନ ଆମ ଉତ୍କଳର ବରପୁତ୍ରମାନଙ୍କର ଇଚ୍ଛାଶକ୍ତି ଓ ମାତୃଭୂମି ପ୍ରୀତିର ପ୍ରମାଣ। ସେହି ଇଚ୍ଛାଶକ୍ତି ବଳରେ ବାଲିଯାତ୍ରା ପାଇଁ କେନ୍ଦ୍ର ସରକାର ଉତ୍କଳୀୟମାନଙ୍କର ଭାବପ୍ରବଣତାକୁ ସମ୍ମାନ ଦେବେ ବୋଲି ଆମେ ଆଶା କରୁ।

ପ୍ରତିଭା ରାୟ
‘ଆଖ୍ୟାୟିକା’
୨୭, ଗଜପତି ନଗର, ଭୁବନେଶ୍ୱର – ୭୫୧୦୦୫

Comments are closed.