ଆଇନ୍ ତା’ ବାଟରେ ନ’ଯାଉ

‘ବିଳମ୍ବିତ ନ୍ୟାୟ, ନ୍ୟାୟରୁ ବଞ୍ଚିତ ହେବା ସହ ସମାନ ଏବଂ ଅତି ତରବରିଆ ବା ତ୍ୱରିତ ନ୍ୟାୟ, ନ୍ୟାୟିକ ପ୍ରକ୍ରିୟାକୁ ସମାଧି ଦେବା ତୁଲ୍ୟ।’
ଉପରୋକ୍ତ ଉକ୍ତିଟି ବହୁ ପୁରାତନ ଏବଂ ଆଇନର ପ୍ରକ୍ରିୟା ଉପରେ ବିଶ୍ୱାସ ଓ ଭରସା ରଖୁଥିବା ଜନସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇ ଆସିଛି। ଏହି ଉକ୍ତି ପରିପ୍ରେକ୍ଷୀରେ ସଦ୍ୟ ଘଟିଯାଇଥିବା ଏକ କଳଙ୍କିତ, ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣାକୁ ବିଚାର କରାଯାଇପାରେ। ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ହାଇଦ୍ରାବାଦର ପ୍ରାଣୀଚିକିତ୍ସିକା ବଳାତ୍କାର ଓ ନୃଶଂସ ହତ୍ୟା ଘଟଣା ୨୦୧୨ରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ‘ନିର୍ଭୟା’ ଘଟଣାର ପୁନରାବୃତ୍ତି ବୋଲି ମତ ପ୍ରକାଶ ପାଇଲା। ସଂଖ୍ୟାଧିକଙ୍କ ମତ ହେଲା ‘ନିର୍ଭୟା’ ଘଟଣାର ସାତବର୍ଷ ପରେ ମଧ୍ୟ ସମ୍ପୃକ୍ତ ଅପରାଧୀମାନଙ୍କର ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହୋଇନଥିବାରୁ ଅପରାଧୀମାନଙ୍କର ଆଇନକୁ ଭୟ ରହିଲା ନାହିଁ, ଯାହାଫଳରେ କି ଏଭଳି ଘଟଣାମାନ ଦେଶରେ ଚାରିଆଡ଼େ ଘଟିଲା। ‘ନିର୍ଭୟା’ ଘଟଣା ପରେ ସୁପ୍ରିମକୋର୍ଟ ମହିଳାମାନଙ୍କ ପ୍ରତି ଘଟୁଥିବା ଦୁଷ୍କର୍ମ ମାମଲାଗୁଡ଼ିକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିଲେ ଏବଂ ଏ ସମ୍ପର୍କରେ ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସପକ୍ଷରେ ମତ ପୋଷଣ କରିଥିଲେ। ପରବର୍ତ୍ତୀ ସମୟରେ କାଶ୍ମୀରର କାଠୁଆରେ ଜଣେ ୮ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ଏବଂ ଉତ୍ତରପ୍ରଦେଶର ଉନ୍ନାଓରେ ଦୁଇଟି ବଳାତ୍କାର ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଓ ପକ୍ଷପାତିତା ସାଧାରଣ ଜନତାଙ୍କ ଦ୍ୱାରା ଗ୍ରହଣୀୟ ହେଲାନାହିଁ। ବଳାତ୍କାର ଓ ହତ୍ୟାଜନିତ ଦୁର୍ଘଟଣାଗୁଡ଼ିକ ଦେଶରେ ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ବିଚାର ପ୍ରକ୍ରିୟାକୁ କିପରି ଗତିଶୀଳ ଓ ତ୍ୱରାନ୍ୱିତ କରାଯାଇପାରିବ ସେଥିପାଇଁ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜେ ଏସ୍‌ ବର୍ମାଙ୍କ ଦ୍ବାରା ଏକ କମିସନ ମଧ୍ୟ ନିଯୁକ୍ତ କରିଥିଲେ। ଦୁଷ୍କର୍ମ ମାମଲାରେ ଆଗରୁ ସର୍ବୋଚ୍ଚ ଦଣ୍ଡଭାବେ ଆଜୀବନ କାରାଦଣ୍ଡ ଥିବାବେଳେ ଏହାର ସଂଶୋଧନ କରାଯାଇ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଗଲା। ସାରା ଦେଶରେ ଘଟୁଥିବା ଦୁଷ୍କର୍ମ ମାମଲାମାନଙ୍କରୁ ଅଧିକାଂଶ କ୍ଷେତ୍ରରେ ନାବାଳିକାମାନେ ଶିକାର ହେଉଥିବା ପରିପ୍ରେକ୍ଷୀରେ ୨୦୧୨ରେ ଏକ ନୂଆ ଆଇନ ଯାହାକି ନାବାଳିକା ପୀଡ଼ିତାମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସ (ପୋକ୍ସୋ) ପ୍ରଚଳିତ ହେଲା। ପୋକ୍ସୋ ଆଇନର ବ୍ୟବସ୍ଥା ଅନୁଯାୟୀ ଫାଷ୍ଟ ଟ୍ରାକ୍‌ କୋର୍ଟରେ ମୋକଦ୍ଦମା ବିଚାର ସହ ୨ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବାର ମଧ୍ୟ ବ୍ୟବସ୍ଥା ରହିଲା। ଫାଷ୍ଟ ଟ୍ରାକ୍‌କୋର୍ଟମାନେ ତତ୍ପରତା ପ୍ରକାଶ କରି ଖୁବ୍ କମ୍ ସମୟ ମଧ୍ୟରେ ଦୁଷ୍କର୍ମ ମାମଲାଗୁଡ଼ିକର ବିଚାର କରି ଫାଶୀ ଦଣ୍ଡରେ ଦଣ୍ଡିତ କରିବା ନଜିର ସୃଷ୍ଟି କଲେ। ଆମ ଓଡ଼ିଶାରେ ମଧ୍ୟ ଫାଷ୍ଟ ଟ୍ରାକ୍‌କୋର୍ଟ ଖୁବ୍ କମ୍ ସମୟ ଭିତରେ ୪ଟି ମକଦ୍ଦମାର ବିଚାର କରି ଅପରାଧୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି, କିନ୍ତୁ ଖବରକାଗଜ ପୃଷ୍ଠାରେ ‘ମାତ୍ର ୧୩ଦିନରେ ଫାଶୀ ଦଣ୍ଡ’ ଶୀର୍ଷକ ସମ୍ବାଦ ପଢ଼ି ଖୁସି ହେଉଥିବା ସାଧାରଣ ଲୋକଟି ବର୍ଷବର୍ଷ ବିତିଯାଉଥିଲେ ବି କେହି ଜଣେ ବି ଫାଶୀ ପାଉନଥିବା ଘଟଣାର ରହସ୍ୟ ବୁଝିବା କଷ୍ଟ ହେଲା। ଅପରାଧୀମାନଙ୍କର ପ୍ରଥମ ବିଚାର କରୁଥିବା ଅଦାଲତ ଫାଶୀ ଦଣ୍ଡାଦେଶ ଦେଲେ ମଧ୍ୟ ତାହା ସମ୍ପୃକ୍ତ ରାଜ୍ୟର ହାଇକୋର୍ଟ ହିଁ ନିଶ୍ଚିତ କରନ୍ତି। ହାଇକୋର୍ଟରେ ମାମଲାର ଫଇସଲା ପରେ ସୁପ୍ରିମକୋର୍ଟରେ ଅପିଲ୍, ରିଭ୍ୟୁ ପିଟିସନ, କ୍ୟୁରେଟିଭ୍ ପିଟିସନ ପ୍ରଭୃତି ଆଇନର ଲମ୍ବା ଓ ଜଟିଳ ପ୍ରକ୍ରିୟା ପରେ ମଧ୍ୟ ଅପରାଧୀର ରାଜକ୍ଷମା ନିମନ୍ତେ ରାଷ୍ଟ୍ରପତିଙ୍କୁ ଆବେଦନ କରିବାର ବ୍ୟବସ୍ଥା ରହିଛି। ଏହିସବୁ ପ୍ରକ୍ରିୟାର ସୁଯୋଗ ପାଇବା ଅପରାଧୀର ଆଇନଗତ ଅଧିକାର ଭାବେ ସାବ୍ୟସ୍ତ। ଏହି ପରିପ୍ରେକ୍ଷୀରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତଟି କ୍ଷେତ୍ରରେ ବର୍ଷବର୍ଷ ଧରି ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହୋଇପାରେ ନାହିଁ।
ଆଇନର ମୂଳମନ୍ତ୍ର ହେଲା ‘ଶହେଦୋଷୀ ପଛେ ନିର୍ଦୋଷ ସାବ୍ୟସ୍ତ ହୁଅନ୍ତୁ, ମାତ୍ର ଜଣେ ନିର୍ଦୋଷକୁ ଦୋଷୀ ସାବ୍ୟସ୍ତ କରା ନଯାଉ।’ ଆଇନର ଏହି ଜଟିଳତା ଓ ଲମ୍ବା ପ୍ରକ୍ରିୟା ଉପରେ ସାଧାରଣ ଜନତା ଆଉ ଭରସି ପାରୁନାହାନ୍ତି। ତ୍ୱରିତ ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ହିଁ ସମସ୍ତଙ୍କର ଦାବି। ତେଣୁ ହାଇଦ୍ରାବାଦ୍‌ ଦୁର୍ଘଟଣାର ମାତ୍ର ୨୪ଘଣ୍ଟା ଭିତରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ଏବଂ ପରଦିନ ତଦନ୍ତ କରିବା ନିମନ୍ତେ ଘଟଣାସ୍ଥଳକୁ ନେଇ ନିଜର ସୁରକ୍ଷା ଆଳରେ ସମସ୍ତ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରିବା ଘଟଣା ପ୍ରଶଂସିତ ହେଲା। ମାତ୍ର ଦୁଇଦିନ ତଳେ ଯେଉଁ କ୍ଷୁବ୍ଧ ଜନତା ପୁଲିସର ଅପାରଗତା ନିମନ୍ତେ ଢେଲା ମାରୁଥିଲେ ସେଇମାନେ ହିଁ ପୁଲିସମାନଙ୍କ ଉପରେ ଫୁଲଚନ୍ଦନ ବୃଷ୍ଟି କଲେ। ବହୁ ନେତା ଅଭିନେତା ଓ ତଥାକଥିତ ବୁଦ୍ଧିଜୀବୀମାନେ ପୁଲିସକୁ ସାବାସି ଦେଲେ। ଏଠାରେ ସ୍ୱାଭାବିକ ଭାବରେ ଏକ ପ୍ରଶ୍ନ – ନ୍ୟାୟିକ ପ୍ରକ୍ରିୟାର ବିଳମ୍ବ ହେଉଥିବାରୁ ଏବଂ ତ୍ୱରିତ ନ୍ୟାୟ ପାଇଁ ସମସ୍ତେ ବ୍ୟାକୁଳ ଥିବାରୁ ଉପରୋକ୍ତ ପଦ୍ଧତିକୁ ନ୍ୟାୟ ପ୍ରଦାନର ବିକଳ୍ପ ଭାବେ ଗ୍ରହଣ କରାଯାଇ ପାରିବ କି? ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି ଘଟଣାକୁ ନିନ୍ଦା କରିବା ସହ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ନ୍ୟାୟ କେବେ ବି ପ୍ରତିହିଂସା ନୁହେଁ। ଯେତେବେଳେ ନ୍ୟାୟ ପ୍ରତିହିଂସାର ରୂପନିଏ ତାହା ନିଜର ବୈଶିଷ୍ଟ୍ୟ ହରାଇ ବସେ।’ ଏହି ଏନ୍‌କାଉଣ୍ଟରର ସତ୍ୟାସତ୍ୟ ଏବଂ ଯଥାର୍ଥତାକୁ ନେଇ ଜାତୀୟ ମାନବିକ ଅଧିକାର କମିସନ ନିଜଆଡ଼ୁ ତଦନ୍ତ ଆରମ୍ଭ କରିଥିଲା ବେଳେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲା ଆଧାରରେ ଏହାର ନ୍ୟାୟିକ ତଦନ୍ତର ନିର୍ଦେଶ ଦେଇଛନ୍ତି।
ଆଇନ ଉପରୁ ଆସ୍ଥା ହରାଉଥିବା ସାଧାରଣ ଜନତାଙ୍କୁ ଏକ ଅାଶ୍ୱସ୍ତି ଆଣିଦେଇଛି ନିର୍ଭୟା ମକଦ୍ଦମାର ଚୂଡ଼ାନ୍ତ ନ୍ୟାୟ। ଅକ୍ଷୟ ସିଂ ନାମକ ଜଣେ ଅପରାଧୀର ରିଭ୍ୟୁ ପିଟିସନ ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଦେଲା ପରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ନିମନ୍ତେ ରାସ୍ତା ପରିଷ୍କାର ହୋଇଛି। ସ୍ଥାନୀୟ ମାଜିଷ୍ଟ୍ରେଟ୍ ଡେଥ୍ ୱାରାଣ୍ଟି ଇସ୍ୟୁ କଲାପରେ ଚାରିଜଣ ଅଭିଯୁକ୍ତ ଫାଶୀଖୁଣ୍ଟରେ ଝୁଲିବା ପ୍ରାୟ ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ନିର୍ଭୟାଙ୍କ ମା’ଙ୍କ ପ୍ରତିକ୍ରିୟା ସମାଜ ତଥା ନ୍ୟାୟିକ ପ୍ରକ୍ରିୟାକୁ ଏକ ଭିନ୍ନ ବାର୍ତ୍ତା ଦେଉଛି ଏବଂ ସେ କୋହଭରା କଣ୍ଠରେ ଅଦାଲତକୁ ପ୍ରଶ୍ନ କରିଛନ୍ତି ‘ମାନବିକ ଅଧିକାର ଆଳରେ ଅପରାଧୀମାନଙ୍କୁ ସମସ୍ତ ସୁଯୋଗ ଦିଆଗଲା ଏବଂ ୮ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶକୁ ଟାଳି ଦିଆଯାଇ ପାରିଲା। ମାତ୍ର ଏମିତି ଏକ ହିଂସ୍ର ଓ ଜଘନ୍ୟ ଅପରାଧର ଶିକାର ହୋଇ ମୃତ୍ୟୁବରଣ କରିଥିବା ଝିଅଟିର ମା’ ଓ ବାପାଙ୍କର ମାନବିକ ଅଧିକାର ସମ୍ପର୍କରେ ଚିନ୍ତା କରାଗଲା ନାହିଁ କାହିଁକି?’ ଖାଲି ନିର୍ଭୟାଙ୍କ ପରିବାର ନୁହେଁ, ଏମିତି ଜଘନ୍ୟ ଅପରାଧର ଶିକାର ହେଉଥିବା ପ୍ରତ୍ୟେକ ପୀଡ଼ିତାଙ୍କ ମା’ ବାପା ଓ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଭାବାବେଗକୁ ଆଇନର ବ୍ୟବସ୍ଥା ମଧ୍ୟରେ କେବେବି ଉପେକ୍ଷା କରାଯିବା ଅନୁଚିତ। ଗୋଟିଏ ପଟେ ବାପା ମା’ ସମ୍ପର୍କୀୟ ଓ ସମାଜ ଏମିତି ସବୁ ଅପରାଧର ତ୍ୱରିତ ନ୍ୟାୟ ଚାହୁଁଥିଲା ବେଳେ ଆଇନର ଲମ୍ବାରାସ୍ତା ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛି। ନିର୍ଭୟା ଘଟଣା ପରେ ଆଇନର ସଂଶୋଧନ ହୋଇଛି। ନୂଆ ଆଇନ ଆସିଛି, ମାତ୍ର ବିଳମ୍ବଜନିତ ବ୍ୟାଧିର ପ୍ରତିକାର ହୋଇପାରୁ ନାହିଁ। ଏବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରତ ଅରବିନ୍ଦ ବୋବଡ଼େ ଏକ ରିଟ୍‌ପିଟିସନର ବିଚାର କଲାବେଳେ ‘ବିଳମ୍ବିତ ନ୍ୟାୟ ହିଁ ଆକ୍ରୋଶ ବଢ଼ାଉଛି’ ବୋଲି ମତ ଦେଇଛନ୍ତି। ପ୍ରତିକାର ସ୍ୱରୂପ ଏ ଧରଣର ମାମଲାଗୁଡ଼ିକ କିପରି ତୁରନ୍ତ ଫଇସଲା ହୋଇପାରିବ ଏବଂ ଦୋଷୀ ଦଣ୍ଡ ପାଇବ ସେ ସମ୍ପର୍କରେ ମତାମତ ଓ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଏମିତି ଆଗରୁ ମଧ୍ୟ ଅନେକ ନିର୍ଦେଶନାମା ଆସିଛି, ଆଇନରେ କିଛି ସଂଶୋଧନ ମଧ୍ୟ ହୋଇଛି, ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ଏବଂ ସମୟସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି, ମାତ୍ର ଫଳାଫଳ ବିଶେଷ ସନ୍ତୋଷଜନକ ହୋଇପାରି ନାହିଁ। ଯେଉଁ ପ୍ରଚଳିତ ଆଇନଗୁଡ଼ିକୁ ନେଇ ଆମର ତଦନ୍ତ ଓ ବିଚାର ପ୍ରକ୍ରିୟା ଚାଲିଛି ସେଗୁଡ଼ିକ ବହୁ ପୁରାତନ। ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ (ଭାରତୀୟ ଦଣ୍ଡ ସଂହିତା) ୧୮୬୦ ମସିହାରେ ପ୍ରଣୀତ ହୋଇଥିଲା ବେଳେ କ୍ରିମିନାଲ୍‌ ପ୍ରୋସିଡିଓର କୋଡ୍‌ ବା (ଭାରତୀୟ ସାକ୍ଷବିଧି ଆଇନ) ୧୮୭୨ ମସିହାର। ସେହିପରି କ୍ରିମିନାଲ୍‌ ପ୍ରୋସିଡିଓର କୋଡ୍‌ ଯାହା ମାଧ୍ୟମରେ କି ତଦନ୍ତ ଏବଂ ବିଚାର ପ୍ରକ୍ରିୟା ଚାଲିଥାଏ ତାହା ୧୮୯୮ ମସିହାରେ ପ୍ରଣୀତ ହୋଇଥିଲା ବେଳେ ୧୯୭୩ ମସିହାରେ ସଂଶୋଧିତ ହୋଇ ପୁନର୍ବାର ପ୍ରଣୀତ ହୋଇଛି। ସେ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପରୋକ୍ତ ଆଇନମାନ ପ୍ରଣୀତ ହୋଇଥିଲା। ମାତ୍ର ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ଓ ସମୟ ଦୃଷ୍ଟିରୁ ଏହି ଆଇନଗୁଡ଼ିକ ଆଜିର ଆବଶ୍ୟକତା ପୂରଣ କରିବାରେ ଅସମର୍ଥ। ଅବଶ୍ୟ ଆବଶ୍ୟକତାକୁ ନେଇ କେତେକ ଧାରାର ସଂଶୋଧନ କରାଯାଇଛି ଓ କେତେକ ନୂତନ ଧାରା ଯୋଡ଼ାଯାଇଛି, ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ। ଆଜିର ଆବଶ୍ୟକତାକୁ ନେଇ ଆଇନର ସମ୍ପୂର୍ଣ୍ଣ ପରିବର୍ତ୍ତନ ସହ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ରହିଛି। ନିର୍ଭୟା ଓ ଦିଶା ମାମଲା ବିଚାର ବିଭାଗର ଆଖି ଖୋଲି ଦେଇଛି। ଅତି ପୁରୁଣା ଓ ଗତାନୁଗତିକ ଆଇନକୁ ଧରି ତ୍ୱରିତ ନ୍ୟାୟ ଆଶା କରିବା ସମ୍ଭବ ନୁହେଁ। ତଦନ୍ତ, ବିଚାର ପ୍ରକ୍ରିୟା, ହାଇକୋର୍ଟ ଅପିଲ୍ ଓ ସୁପ୍ରିମକୋର୍ଟର ଅପିଲ୍ ସବୁର ସମୟସୀମା ଧାର୍ଯ୍ୟ କରାଯାଉ। ଏଭଳି ଜଘନ୍ୟ ଅପରାଧ ମାମଲାରେ ରାଷ୍ଟ୍ରପତିଙ୍କ ରାଜକ୍ଷମା ବ୍ୟବସ୍ଥାକୁ ସଂଶୋଧନ କରାଯାଉ ଅଥବା ସମୟସୀମା ଧାର୍ଯ୍ୟ କରାଯାଉ।
ଦୀର୍ଘ ଓ ଜନବହୁଳ ରାସ୍ତାରେ ଯାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସମୟସାପେକ୍ଷ ହେଉଥିବାରୁ ବାଇପାସ୍ ଓ ଫ୍ଲାଏଓଭର ନିର୍ମାଣ କରି ଆମେ ରାସ୍ତା ପରିବର୍ତ୍ତନ କରି ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛେ। ବେ ସମୟ ଆସିଛି ଆଇନ ତା’ର ପୁରୁଣା ବାଟ ବଦଳାଇ ଏମିତି ରାସ୍ତା ଆପଣାଉ ଯାହା ଫଳରେ କି ବିଚାର ପ୍ରକ୍ରିୟା ଅଧିକ କ୍ରିୟାଶୀଳ ହେବ ଓ ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀମାନଙ୍କ ମନରେ ଭୟ ସୃଷ୍ଟି କରିପାରିବ। ଏହା ହିଁ ସମୟର ଆହ୍ୱାନ।

ଧରଣୀଧର ନାଏକ

ବରିଷ୍ଠ ଆଇନଜୀବୀ,
ଓଡ଼ିଶା ହାଇକୋର୍ଟ, କଟକ

Comments are closed.