ଏକଲବ୍ୟର ଦ୍ବନ୍ଦ୍ବ ; ଅନଲାଇନ୍ ଶିକ୍ଷା ଏକ ଅସ୍ଥାୟୀ ବିକଳ୍ପ

ମନେ କରାଯାଉ ଦ୍ରୋଣାଚାର୍ଯ୍ୟଙ୍କର ଶିକ୍ଷା ପ୍ରଦାନ କେନ୍ଦ୍ର ଓ ଏକଲବ୍ୟର ଶିକ୍ଷାଗ୍ରହଣ (ଅନୁକରଣ) ସ୍ଥାନ ମଧ୍ୟରେ ସବୁବେଳେ ଆଲୋକ ଅସ୍ପଷ୍ଟ ଥା’ନ୍ତା ଆଉ ପବନ ଧୂମାୟିତ ରହୁଥା’ନ୍ତା। ଯଦି ତା’ ହୋଇଥା’ନ୍ତା, ତେବେ ବୋଧହୁଏ ଏକଲବ୍ୟ ଧନୁର୍ବିଦ୍ୟାରେ ଦ୍ରୋଣ ଶିଷ୍ୟମାନଙ୍କୁ ଟପି ପାରି ନଥା’ନ୍ତା। ପୁଣି ମନେ କରାଯାଉ କିଛି ଦିନ ପରେ ବିବଶ ଏକଲବ୍ୟ ଆଗରେ ସୂର୍ଯ୍ୟ ଓ ପବନ ଦେବ ପ୍ରକଟ ହୋଇଥା’ନ୍ତେ ଏବଂ ଏକଲବ୍ୟର ପ୍ରାର୍ଥନାରେ ପ୍ରୀତ ହୋଇ ତା’ର ଶିକ୍ଷାଗ୍ରହଣରେ ଥିବା ପ୍ରମୁଖ ପ୍ରତିବନ୍ଧକ(କମ୍ୟୁନିକେସନ୍ ପ୍ରୋବ୍ଲେମ୍) ଦୂର କରିଦେଇଥା’ନ୍ତେ। ଏହାପରେ ଏହା ନିଃସନ୍ଦେହ ଯେ ଏକଲବ୍ୟର ଶିକ୍ଷା ଗ୍ରହଣ(ଅନୁକରଣର ମାର୍ଗ ଓ ସାଧନ ସହଜ ହୋଇଯା’ନ୍ତା, କିନ୍ତୁ ଦ୍ରୋଣାଚାର୍ଯ୍ୟ ଯେତେବେଳେ ଏକଲବ୍ୟକୁ ଗୁରୁ ଦକ୍ଷିଣା ମାଗନ୍ତେ ଠିକ୍ ସେହି ସମୟରେ ସୂର୍ଯ୍ୟ ଓ ପବନ ଦେବ ସେଠାରେ ପ୍ରକଟ ହୋଇ ଗୁରୁଦକ୍ଷିଣାରେ ସେମାନଙ୍କର ସମାନ ଅଧିକାର ରହିଛି ବୋଲି ଦାବି କରନ୍ତେ। ସେଭଳି ପରିସ୍ଥିତିରେ ଏକଲବ୍ୟ କାହାକୁ ପ୍ରଥମେ ସନ୍ତୁଷ୍ଟ କରନ୍ତା? କହିବା ଅନାବଶ୍ୟକ, ଆଲୋକ ଓ ପବନ(ଦୃଶ୍ୟ-ଶ୍ରାବ୍ୟ) ପ୍ରତିବନ୍ଧକ ହଟି ନଥିଲେ ଦ୍ରୋଣାଚାର୍ଯ୍ୟଙ୍କ ଶିକ୍ଷା ଏକଲବ୍ୟ ପାଖରେ ପହଞ୍ଚି ପାରିନଥା’ନ୍ତା। ତେଣୁ ଏକଲବ୍ୟଠାରୁ ଗୁରୁଦକ୍ଷିଣା ପାଇଁ ଦ୍ରୋଣାଚାର୍ଯ୍ୟଙ୍କର ଯେତିକି ଅଧିକାର ରହିଛି, ସୂର୍ଯ୍ୟ ଓ ପବନଦେବଙ୍କ ମଧ୍ୟ ସମାନ ଅଧିକାର ରହିଛି ବୋଲି ଯୁକ୍ତି କରାଯାଇପାରେ। ଏକଲବ୍ୟର ଦ୍ୱନ୍ଦ୍ୱ ବିଜଡ଼ିତ ଉପରୋକ୍ତ କଳ୍ପନାପ୍ରସୂତ କାହାଣୀ ଏବେ କୋଭିଡ୍ -୧୯ ମହାମାରୀ ସମୟରେ ଏକପ୍ରକାର ତୁଳନାତ୍ମକ ବାସ୍ତବ ରୂପ ନେବାକୁ ଯାଉଛି ଏବଂ ଏକଲବ୍ୟ ସ୍ଥାନରେ ଦୃଶ୍ୟମାନ ହେଉଛନ୍ତି ଦେଶର କୋଟିକୋଟି ଛାତ୍ରଛାତ୍ରୀ।
ଲକ୍‌ଡାଉନରେ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିବା ପାଇଁ ଅନଲାଇନ୍ ଟିଚିଂ ବା ଭର୍ଚୁଆଲ୍ କ୍ଲାସ୍‌ରୁମ୍(ଇଣ୍ଟରନେଟ୍ ଜରିଆରେ ଶିକ୍ଷାଦାନ)କୁ ବର୍ତ୍ତମାନ ସମୟର ସର୍ବୋତ୍କୃଷ୍ଟ ବିକଳ୍ପ ରୂପେ ଗ୍ରହଣ କରାଯାଇଛି। ହାଇସ୍କୁଲଠାରୁ ଆରମ୍ଭ କରି ଉଚ୍ଚ, ବୈଷୟିକ ଓ ପେସାଦାର ଶିକ୍ଷା ଏବେ ଭର୍ଚୁଆଲ୍ କ୍ଲାସରୁମ୍ ମାଧ୍ୟମରେ ସମ୍ପନ୍ନ ହେଉଛି। ଠିକ୍ ସମୟରେ ଶିକ୍ଷାବର୍ଷ ଭିତରେ ପାଠପଢ଼ା ସାରିବା ପାଇଁ ଏହା ସାମ୍ପ୍ରତିକ ପରିସ୍ଥିତିରେ ସର୍ବୋତ୍କୃଷ୍ଟ ମାଧ୍ୟମ ହୋଇପାରେ, କିନ୍ତୁ ଏହାଦ୍ୱାରା ଯେ ଛାତ୍ରଛାତ୍ରୀଙ୍କୁ ପ୍ରକୃତ ଶିକ୍ଷା ମିଳିପାରୁଛି, ତାହା ନିଶ୍ଚିତ କରିହେଉନାହିଁ। ଭାରତରେ ଆଧୁନିକ ସହରାଞ୍ଚଳ(ମେଟ୍ରୋ ସିଟି)କୁ ଛାଡ଼ିଦେଲେ ଦ୍ୱିତୀୟ ଓ ତୃତୀୟ ବର୍ଗରେ ଆସୁଥିବା ସହରାଞ୍ଚଳମାନଙ୍କରେ ଇଣ୍ଟରନେଟ୍ ଭିତ୍ତିଭୂମି ଓ ବୈଷୟିକ ଜ୍ଞାନକୌଶଳ ଏତେ ଉନ୍ନତ ନୁହେଁ, ଯାହା ଭର୍ଚୁଆଲ୍ କ୍ଲାସ୍ ଲକ୍ଷ୍ୟ ପୂରଣ କରିପାରିବ। ଗ୍ରାମାଞ୍ଚଳରେ ଅବସ୍ଥା ନ କହିବା ଭଲ।
ଭର୍ଚୁଆଲ୍ କ୍ଲାସ୍ ବ୍ୟବସ୍ଥା(ପରୀକ୍ଷାମୂଳକ)ରେ ଇତିମଧ୍ୟରେ ମିଳିଥିବା ଅଗ୍ରଗତି ଓ ଫଳାଫଳର ଅଭିଜ୍ଞତା ଅନୁଯାୟୀ, ଶିକ୍ଷାଦାନ ଓ ଶିକ୍ଷା ଆହରଣ ମଧ୍ୟରେ ଏତେ ତଫାତ୍ ରହୁଛି ଯେ ଛାତ୍ରଛାତ୍ରୀମାନେ କେବଳ ଏକ ଚଳନୀୟ ଧାରାରେ ନିଜକୁ ସାମିଲ୍ କରିବାକୁ ବାଧ୍ୟ ହୋଇଛନ୍ତି। ଇଣ୍ଟରନେଟର ବେଗ ଅତ୍ୟନ୍ତ ଧିମା ବା ବେଳେବେଳେ ଆଦୌ ରହୁନଥିବାରୁ ଶିକ୍ଷକ/ଅଧ୍ୟାପକଙ୍କ ଶିକ୍ଷାଦାନ(ଶ୍ରାବ୍ୟ) ପହଞ୍ଚିବାର ବହୁ ସମୟ ପରେ ସ୍ଲାଇଡ୍(କଳାପଟା)ର ବିଷୟବସ୍ତୁ(ଦୃଶ୍ୟ) ଛାତ୍ରଛାତ୍ରୀଙ୍କ ଅନସ୍କ୍ରିନରେ ଦେଖାଯାଉଛି। ବେଳେବେଳେ ଇଣ୍ଟରନେଟ ନେଟ୍‌ୱର୍କ ଦୀର୍ଘସମୟ ଧରି ବନ୍ଦ ରହିବା ଯୋଗୁଁ ସ୍କ୍ରିନ୍ ହ୍ୟାଙ୍ଗ(ସ୍ଥାଣୁ) ପରି ସମସ୍ୟା ସୃଷ୍ଟି ହେଉଛି। କେବଳ ଅତ୍ୟାଧୁନିକ ସହର, ଆପାର୍ଟମେଣ୍ଟ ଓ କର୍ପୋରେଟ୍ ସିଟିକୁ ବାଦ୍ ଦେଲେ ବିଦ୍ୟୁତ୍ ବିଭ୍ରାଟ ଭାରତର ଆଉ ଏକ ପ୍ରମୁଖ ସମସ୍ୟା, ଯାହା ଭର୍ଚୁଆଲ୍ କ୍ଲାସ୍ ଆଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏହି ପରିସ୍ଥିତିରେ କେବଳ ତୀକ୍ଷ୍ଣ ଧୀଶକ୍ତି ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟମାନେ ଭର୍ଚୁଆଲ୍ କ୍ଲାସ୍‌ରୁ ଉପକୃତ ହେବା ଆଶା କମ୍।
ବୈଷୟିକ ଜ୍ଞାନକୌଶଳର ଭିତ୍ତିଭୂମି ସମସ୍ୟା ବ୍ୟତୀତ ଏବେ ଭର୍ଚୁଆଲ୍ କ୍ଲାସ୍‌ରୁମ୍ ଟିଚିଂର ଆଉ ଏକ ଦୁର୍ବଳ ଦିଗ ଆଲୋଚନା ପରିସରକୁ ଆସିଛି। ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ତଥା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କେ କସ୍ତୁରୀରଙ୍ଗନ ଭର୍ଚୁଆଲ୍ କ୍ଲାସ୍‌ରୁମ୍ ବା ଅନ୍‌ଲାଇନ୍ ଟିଚିଂର ମନସ୍ତାତ୍ତ୍ୱିକ ଦିଗ ଉପରେ ଆଲୋକପାତ କରିଛନ୍ତି। ତାଙ୍କ ମତରେ ଦେଶର ୮୬ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମସ୍ତିଷ୍କ ୮ ବର୍ଷ ପରେ ହିଁ ପରିପକ୍ୱ ହେବା ଆରମ୍ଭ କରେ। ୧ ବର୍ଷରୁ ୮ ବର୍ଷ ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହି ସମୟରେ ଶିକ୍ଷାଦାନ ବେଳେ ଉଭୟ ଶାରୀରିକ ଓ ମାନସିକ ଉପସ୍ଥିତି ଅପରିହାର୍ଯ୍ୟ। ଶ୍ରେଣୀଗୃହ ଶିକ୍ଷା ବିନା ଏହା ସମ୍ଭବ ନୁହେଁ। ସେହିଭଳି ଖ୍ୟାତନାମା ବୈଜ୍ଞାନିକ ଭାରତରତ୍ନ ପ୍ରଫେସର ସି ଏନ୍ ଆର ରାଓ ମଧ୍ୟ ଅନଲାଇନ୍ ଶିକ୍ଷାକୁ ନାପସନ୍ଦ କରିଛନ୍ତି।
ଗତ କିଛିଦିନର ଅଭିଜ୍ଞତା ସାଉଁଟିଥିବା ଛାତ୍ରଛାତ୍ରୀଙ୍କୁ ଯଦି ପ୍ରଶ୍ନ କରାଯାଏ ଆଗାମୀ ଦିନରେ ଶ୍ରେଣୀଗୃହ ଶିକ୍ଷାଦାନ ଏବଂ ଅନ୍‌ଲାଇନ୍ ଶିକ୍ଷାଦାନ ମଧ୍ୟରୁ କେଉଁଟିକୁ ଗ୍ରହଣ କରିବେ ତେବେ ସେମାନେ ଦ୍ୱନ୍ଦ୍ୱରେ ରହିବା ସ୍ୱାଭାବିକ। ଶିକ୍ଷା ଆହରଣ ପାଇଁ ଦୁର୍ଗମ ପଥ ଓ ନଦୀ-ନାଳ ଡେଇଁ ପ୍ରତିଦିନ ସ୍କୁଲ୍ ଯିବାକୁ ପଡ଼ୁଥିବା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ ଟିଚିଂ ଅଧିକ ଗ୍ରହଣୀୟ ହୋଇପାରେ, କିନ୍ତୁ ଏହା ଯଦି ସ୍ଥାୟୀ ବିକଳ୍ପରେ ପରିଣତ ହୁଏ ତେବେ ସେମାନେ ଆଗାମୀ ଦିନରେ ଯେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପଛରେ ପଡ଼ିଯିବେ, ତାହା ନିଃସନ୍ଦେହ। ସେହିପରି ସ୍ୱୟଂସମ୍ପୂର୍ଣ୍ଣ ତଥା ଉନ୍ନତ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଅନ୍‌ଲାଇନ୍ କ୍ଲାସ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କୌଣସି ସଫଳ ଛାତ୍ର/ଛାତ୍ରୀଙ୍କୁ ପ୍ରଶ୍ନ କରାଯାଏ ଯେ ‘ସଫଳତାର ଶ୍ରେୟ କାହାକୁ ଦେବେ?’ ତେବେ ତାଙ୍କର ଅବସ୍ଥା ଠିକ୍ ଉପର କଳ୍ପିତ ଏକଲବ୍ୟ ପରି ହେବ। କାରଣ ଶିକ୍ଷାଦାନରେ ଶିକ୍ଷକଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ଶିକ୍ଷାଦାନର ଦୃଶ୍ୟ-ଶ୍ରାବ୍ୟ କମ୍ପ୍ୟୁଟର ସ୍କ୍ରିନ୍‌ରେ ନିରବଚ୍ଛିନ୍ନ ଭାବେ ପହଞ୍ଚାଇ ଥିବା ସମ୍ପୃକ୍ତ ନେଟୱର୍କ କମ୍ପାନୀ ଓ ବୈଜ୍ଞାନିକଙ୍କ ଅବଦାନ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ।
ଭାରତର ସାମ୍ପ୍ରତିକ ସ୍ଥିତି ଆଧାରରେ ଏତିକି କୁହାଯାଇପାରେ ଯେ ଅନ୍‌ଲାଇନ୍ ଶିକ୍ଷା ବା ଭର୍ଚୁଆଲ୍ କ୍ଲାସ୍ ଜରୁରୀ ସମୟର ଆହ୍ୱାନକୁ ମୁକାବିଲା ପାଇଁ ଏକ ସାଧନ ହୋଇପାରେ, କିନ୍ତୁ ଏହା ସ୍ଥାୟୀ ବିକଳ୍ପ ହେବାକୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିବ।

Comments are closed.