ଦିଦିଙ୍କ ଦାଦାଗିରି

ବାକ୍‌ ସ୍ବାଧୀନତାର ଦୁରୁପଯୋଗ ନ ହେଉ

ମା’, ମାଟି, ମାନୁଷ(ରାଜ୍ୟ ଓ ରାଜ୍ୟବାସୀ)ଙ୍କ ସ୍ୱାର୍ଥରେ ଆଞ୍ଚ ଆସୁଥିବା ଭଳି କେନ୍ଦ୍ରୀୟ ନୀତି ଓ ଘୋଷଣା ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀ(ଦିଦି)ଙ୍କ ବିରୋଧାଭାସ କିଛି ନୂଆ କଥା ନୁହେଁ। କେନ୍ଦ୍ରରେ ଯେଉଁ ଦଳ ବି ଶାସନ କ୍ଷମତାରେ ଥାଆନ୍ତୁ ନା କାହିଁକି ଜନସ୍ୱାର୍ଥ ସହିତ ଜଡ଼ିତ ଘୋଷଣା/ଯୋଜନାରୁ ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ ଗନ୍ଧ ବାରି ନେବାରେ ଆଞ୍ଚଳିକ ଦଳର ମୁଖିଆ ଭାବରେ ଦିଦି ସବୁଠାରୁ ଆଗୁଆ ରହିବେ। ଅବଶ୍ୟ ଏହା ପଛରେ ଦିଦିଙ୍କ ଭୋଟ ରାଜନୀତି ବିଜଡ଼ିତ ସ୍ୱାର୍ଥର ଗନ୍ଧ ମଧ୍ୟ ବାରି ହୋଇ ପଡ଼େ। ସିଙ୍ଗୁରରେ ଟାଟା(ନାନୋ କାର)ପ୍ରକଳ୍ପକୁ ବିରୋଧଠାରୁ ଆରମ୍ଭ କରି ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆରସି), ନାଗରିକତ୍ୱ ସଂଶୋଧନ ଆଇନ୍‍(ସିଏଏ) ଓ ସଦ୍ୟତମ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‍ପିଆର) ପର୍ଯ୍ୟନ୍ତ ଆନ୍ଦୋଳନ, ବିରୋଧ/ପ୍ରତିରୋଧ ଆଦିକୁ ତର୍ଜମା କଲେ ଉପରୋକ୍ତ ଅଭିଯୋଗ ଯେ ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ ତାହା ଜଣାପଡ଼ିବ। ବିଶେଷକରି ବିଜେପି ନେତୃତ୍ୱରେ ଏନ୍‍ଡିଏ ସରକାର କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ମମତାଙ୍କ ରଣହୁଙ୍କାର ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିରେ ସିବିଆଇକୁ ପଶ୍ଚିମବଙ୍ଗରେ ନିଷିଦ୍ଧ ଘୋଷଣା କରିଥିବା ଦିଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ପାଳିରେ ସଂଶୋଧିତ ସଡ଼କ ସୁରକ୍ଷା ଆଇନ୍‍, ଏନ୍‍ଆରସି ଓ ସିଏଏ ଆଦି ପ୍ରସଙ୍ଗରେ ତାଙ୍କ ସ୍ୱର ଆହୁରି ଶାଣିତ କରିଛନ୍ତି। ଏହିକ୍ରମରେ ସିଏଏ ବିରୋଧୀ ଆନ୍ଦୋଳନରେ କୌଣସି ପରିସ୍ଥିତିରେ କାହାକୁ ମଧ୍ୟ ଭୟ ନ କରିବାକୁ ପଶ୍ଚିମବଙ୍ଗର ଛାତ୍ରସମାଜକୁ ଦିଦି ଅଭୟବାଣୀ ଦେଇଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଦିଦିଙ୍କ ଉପରୋକ୍ତ ଅଭୟ ବାଣୀର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ପରିବର୍ତ୍ତିତ ପ୍ରତିଯୋଗିତାମୂଳକ ସମୟ ଓ ସ୍ଥିତିରେ ବେରୋଜଗାରୀ ଓ ବିଫଳତାଜନିତ ମାନସିକ ଅବସାଦ ଯୋଗୁଁ ଛାତ୍ରସମାଜରେ ଅପରାଧ ପ୍ରବଣତା ବଢ଼ୁଥିବାରୁ ସାମାଜବିଜ୍ଞାନୀମାନେ ଉଦ୍‍ବେଗ ପ୍ରକାଶ କରୁଛନ୍ତି। ସମାଜବିଜ୍ଞାନୀଙ୍କ ମତରେ ଦେଶର ରାଜନୀତି ହିଁ ଛାତ୍ରସମାଜକୁ ଦିଗ୍‍ଭ୍ରଷ୍ଟ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛି। ନିର୍ବାଚନ ସମୟରେ ଛାତ୍ରସମାଜକୁ ରାଜନୈତିକ ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ବ୍ୟବହାର କରି ପରବର୍ତ୍ତୀ ସମୟରେ ଉପେକ୍ଷା କରିବା ଦ୍ୱାରା ସେମାନେ କ୍ରମଶଃ ଅଧିକ ବିଶୃଙ୍ଖଳିତ ଓ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଏବେ ସିଏଏକୁ ନେଇ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ହିଂସା ଓ ଧନଜୀବନ ହାନି ଭଳି ଘଟଣା ପଛରେ ଛାତ୍ର ସମାଜର ସମ୍ପୃକ୍ତି ଥିବା ଅଭିଯୋଗ ଆସିଛି। ହିଂସା ଓ ଉତ୍ତେଜନା ପଛରେ ଛାତ୍ର ସମାଜର ଅସନ୍ତୋଷ ଓ ଆକ୍ରୋଶ ହିଁ ମୁଖ୍ୟତଃ ଦାୟୀ ବୋଲି ଏକ ଧାରଣା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚନା କରାଯାଇଥିବାର ଆଭାସ ମଧ୍ୟ ଧୀରେଧୀରେ ଆସିବାରେ ଲାଗିଛି। ଏଭଳି ସ୍ଥିତିରେ ଦିଦିଙ୍କ ଅଭୟ ବାଣୀ ଛାତ୍ରମାନଙ୍କୁ ହିଂସାତ୍ମକ ଉତ୍ତେଜନା ଦିଗରେ ଯେ ଉତ୍ସାହିତ ନ କରିବ – ସେଭଳି ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଅବଶ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିବାକୁ ଦିଦି ଦେଇଥିବା ପରାମର୍ଶର ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବା ଅନୁଚିତ, କିନ୍ତୁ କାହାକୁ ନ ଡରିବା ପାଇଁ ଦେଇଥିବା ଅଭୟ ବାଣୀ ଯେ ଛାତ୍ରସମାଜକୁ ଅଧିକ ଦିନ ଶୃଙ୍ଖଳାଡୋରିରେ ବାନ୍ଧି ରଖିପାରିବ ନାହଁି, ସେ ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକାରଙ୍କ ସହିତ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଯେଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ତାହାକୁ ଅନୁଧ୍ୟାନ କଲେ ଉପରୋକ୍ତ ଆଶଙ୍କା ଆହୁରି ଦୃଢ଼ ହେଉଛି।
ସଂଘୀୟ ବ୍ୟବସ୍ଥାରେ ବୃହତ୍‍ ଜନସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ଭଲ ମନ୍ଦ ବିଚାର କରିବାର ଅଧିକାର ଓ ସ୍ୱାଧୀନତା ରାଜ୍ୟ ସରକାରମାନଙ୍କର ରହିଛି। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନିଷ୍ଠା, ଆନ୍ତରିକତା ଓ ସାହସର ସହ ଲଢ଼ିବା(କେନ୍ଦ୍ର ବିରୋଧରେ ଦାଦାଗିରି) ମଧ୍ୟ ମନ୍ଦ ନୁହେଁ, କିନ୍ତୁ କୌଣସି ସ୍ପର୍ଶକାତର ପ୍ରସଙ୍ଗରେ ନିର୍ଣ୍ଣାୟକ ନିଷ୍ପତ୍ତି ବା ସମ୍ବୋଧନ ବେଳେ ସଂଯମ ରକ୍ଷା କରିବା ତୁଙ୍ଗ ନେତୃତ୍ୱର ପ୍ରଥମ ଲକ୍ଷ୍ୟ ଓ କର୍ତ୍ତବ୍ୟ ହେବା ଉଚିତ। ଯଦି କୌଣସି ଭୁଲ୍‍ ବାର୍ତ୍ତା ଧନ ଓ ଜୀବନ ହାନିର କାରଣ ହୁଏ ତେବେ ତାହା ନିତାନ୍ତ ଅକ୍ଷମଣୀୟ। ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧାଭାସ ଜାରି ରହୁ, କିନ୍ତୁ ବାକ୍‍ ସ୍ୱାଧୀନତା ଆଳରେ ଶବ୍ଦର ଦୁରୁପଯୋଗ ନ ହେଉ।

Comments
Loading...