ଜୀବନ ଓ ଜୀବିକାର ପ୍ରଶ୍ନ : ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପଷ୍ଟ ନୀତି ପ୍ରଣୟନ ହେଉ

ହାମାରୀ, ବ୍ୟାଧି ଜନିତ ମୃତ୍ୟୁସହ ଗୁରୁତର ମାନବିକ ସଂକଟ ସୃଷ୍ଟି କରିଥାଏ। ଏହା ଉଭୟ ଜୀବନ ଓ ଜୀବିକାକୁ ପ୍ରଭାବିତ କରେ। କରୋନା ମହାମାରୀରେ ଭାରତରେ ଏଯାଏ ଯେତେ ଲୋକଙ୍କର ମୃତ୍ୟୁ ଘଟିଛି ତାହା ଦେଶର ବିଶାଳ ଜନସଂଖ୍ୟା ଅନୁପାତରେ ସେତେ ଚିନ୍ତାଜନକ ନୁହେଁ। ଅବଶ୍ୟ କଠୋର ଲକ୍‌ଡାଉନ ପ୍ରକ୍ରିୟା ଏବଂ ସତର୍କତା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ପାଖାପାଖି ଦୁଇମାସ ଧରି ଯେଉଁ ଲକ୍‌ଡାଉନ ଚାଳିଛି ତାହାର ପ୍ରଭାବ ଅର୍ଥନୀତି ଉପରେ ବିଶେଷ ଭାବେ ପଡ଼ିଛି। ସେହିପରି ସରକାରଙ୍କର ଅନୁମାନଜନିତ ତ୍ରୁଟି ହେଉ ଅଥବା ଅବିମୃଶ୍ୟକାରିତା, ସେଥିଯୋଗୁଁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଅଣାୟତ୍ତ ହୋଇପଡ଼ିଛି। ଦୁଇ ମାସ ଧରି ସେମାନେ ପଦଯାତ୍ରା କରୁଛନ୍ତି ନିଜ ଭିଟାମାଟିକୁ ଅତ୍ୟନ୍ତ ବିକଳ ଅବସ୍ଥାରେ।

ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଆରମ୍ଭ ହୋଇଛି ଏବଂ ଏହା ଆଗଭଳି ଆଉ ଅତି କଠୋର ନୁହେଁ। ଅଧିକାଂଶ କ୍ଷେତ୍ରରେ ଏହାକୁ କୋହଳ କରାଯାଇ ଜୀବନଜୀବିକା ସ୍ବାଭାବିକ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଏହାସତ୍ତ୍ବେ ଯେଉଁ ପ୍ରବାସୀ ଶ୍ରମିକମାନେ ଦୀର୍ଘକାଳ ଧରି ପ୍ରତିକୂଳ ସ୍ଥିତିରେ ବାହାରେ ଅଛନ୍ତି ସେମାନେ ଘରକୁ ଫେରିବାକୁ ଅଥୟ ହେବା ସ୍ବାଭାବିକ। ମହାମାରୀ ସମୟରେ ବାହାରେ ଥିବାଲୋକ ଏପରି ଘରକୁ ଆସିବାକୁ ଉଚ୍ଛନ୍ନ ହୋଇଥାନ୍ତି ଏବଂ ସେଥିପାଇଁ ଜୀବନକୁ ବାଜିଲଗାଇ ଘରମୁହାଁ ହୁଅନ୍ତି। ଏଥର ତାହା ମଧ୍ୟ ଚାଲିଛି। ଦେଶ ଲକ୍‌ଡାଉନ୍‌ରେ ଏବଂ ଶ୍ରମିକ, ପ୍ରବାସୀ ୱାକ୍‌ଡାଉନରେ। ସେମାନେ ଘରେ କିଛିକାଳ ରହିବା ପରେ ପରିସ୍ଥିତି ସ୍ବାଭାବିକ ହେଲେ ପୁଣି କର୍ମକ୍ଷେତ୍ରକୁ ଫେରିବେ। ଏହି ଅବିଚାରିତ ଲକ୍‌ଡାଉନ ଯୋଗୁ ଭାରତରେ ଶ୍ରମିକ ଓ ପ୍ରବାସୀମାନେ ଯେଉଁ ଅକଥନୀୟ ଯନ୍ତ୍ରଣା ଭୋଗିଲେ ତାହା ଇତିହାସରେ ଅବଶ୍ୟ ଏକ ଦୁଃଖଦ ଅଧ୍ୟାୟ ହୋଇ ରହିବ।

ଏହି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା, ସେମାନଙ୍କ ଆର୍ଥିକ ସ୍ଥିତି, ଏବଂ ବହୁସଂଖ୍ୟାରେ ଘରମୁହାଁ ହେବାର ଦୁର୍ବାର ନିଷ୍ପତ୍ତି ସମ୍ପର୍କରେ କୌଣସି ରାଜ୍ୟ ଓ କେନ୍ଦ୍ର ସରକାର ଠିକ୍‌ ଭାବେ ଅନୁମାନ କରିପାରି ନଥିବାରୁ ଏହି ମାନବିକ ସଂକଟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂହ ଚୌହାନ ଏକଥା ସ୍ବୀକାର କରି କହିଛନ୍ତି ଯେ ପ୍ରବାସୀ ଶ୍ରମିକ ଏତେ ଅଧିକ ସଂଖ୍ୟାରେ ଘରମୁହାଁ ହେବେ ବୋଲି ତାଙ୍କ ସରକାର ଅନୁମାନ କରିପାରିନଥିଲେ। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ନେତାମାନେ ମଧ୍ୟ ଏହା ସ୍ବୀକାର କରିବାକୁ ବାଧ୍ୟ ହେବେ ଏବଂ ମାନିବେ ଯେ ଏହି ଶ୍ରମିକଙ୍କ ପରିଚାଳନା ଓ ଥଇଥାନ ବ୍ୟବସ୍ଥା ଠିକ୍‌ ହୋଇନଥିଲା। ଏହି ପରିପ୍ରେକ୍ଷୀରେ ଏଭଳି ଶ୍ରମିକଙ୍କ ପାଇଁ ଏକ ନୂଆ ବିକାଶ ଢ଼ାଞ୍ଚା ତିଆରିର ଆବଶ୍ୟକତା ରହିଛି। ଶ୍ରମିକଙ୍କୁ ନିଜ ଘର ଆଖପାଖରେ କାମଧନ୍ଦା ଯୋଗାଇବା ଏବଂ ଅତି କୁଶଳୀ ଶ୍ରମିକଙ୍କ ପାଇଁ ଜାତୀୟ ତଥା ପ୍ରାଦେଶିକ ସ୍ତରରେ ନୀତି ପ୍ରଣୟନର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ସଂପୃକ୍ତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ପ୍ରବାସନ ସୂଚନା ବ୍ୟବସ୍ଥା ସୃଷ୍ଟି କରି ଏହାର ତଥ୍ୟାବଳୀ ରଖିବା ଆବଶ୍ୟକ। ଏହାଦ୍ବାରା ଏହି ଶ୍ରମିକଙ୍କ ଆତଯାତ, ସ୍ଥାୟୀ ଠିକଣା, କର୍ମସ୍ଥଳ ଆଦି ସମ୍ପର୍କରେ ତଥ୍ୟ ରହିପାରିବ। ରାଜ୍ୟ-ରାଜ୍ୟ ମଧ୍ୟରେ ଏହି ତଥ୍ୟର ଆଦାନ ପ୍ରଦାନ ଦ୍ବାରା ଏହି ବର୍ଗର ଶ୍ରମିକକୁ ସହଜରେ ଠାବ କରିହେବ। ଏକଥା କହିବାର ଉଦ୍ଦେଶ୍ୟ ହେଲା ଭାରତରେ ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୦ରୁ ୨୫ କୋଟି ଏବଂ ଦେଶର ବିକାଶରେ ସେମାନଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। କରୋନା ମହାମାରୀରୁ ଆମକୁ ଏକ ବଡ଼ ଶିକ୍ଷା ମିଳିଛି ଓ ଏ ଦିଗରେ ଠୋସ୍‌ ପଦକ୍ଷେପ ନେବାର ସମୟ ଆସିଛି। ନୂଆ ଟେକ୍‌ନୋଲୋଜି ଦ୍ବାରା ଏ କାମଟି ସହଜରେ କରିହେବ।

ପ୍ରତ୍ୟେକ ଦେଶର ସ୍ବତନ୍ତ୍ର ରାଜନୈତିକ, ଆର୍ଥିକ, ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ଭିନ୍ନ ଏବଂ ବିବିଧ। ତେଣୁ କୋଭିଡ଼-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶ ଭିନ୍ନଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ମଧ୍ୟ ଲକ୍‌ଡାଉନ୍‌କୁ ଗୁରୁତ୍ବ ଦେଉଛନ୍ତି। ଏହି ଲକ୍‌ଡାଉନର କଠୋରତା ଯୋଗୁଁ ଭାରତରେ ଜୀବନଜୀବିକା ଉଭୟ ପ୍ରଭାବିତ ହୋଇଛି। ଆମେ ଅଧିକରୁ ଅଧିକ ଜୀବନ ରକ୍ଷା କରିବାକୁ ଏହି କଠୋର ପଦକ୍ଷେପ ନେବାବେଳେ ଆମ ଭିତରେ, ବିଶେଷକରି ସରକାରଙ୍କର ଏଥିରେ ଏକଦେଶଦର୍ଶୀ ବିଚାର ରହୁଛି ଯେ ଏ ଲଢ଼େଇରେ ଆମର ବିଜୟ ହେବ। କୋଭିଡ଼-୧୯ କିନ୍ତୁ ଏକ ଭିନ୍ନ ଧରଣର ବ୍ୟାଧି। ଆମେ ସଂପୂର୍ଣ୍ଣ ବିଜୟର କୃତ୍ରିମ ଭାବନାରେ ଅର୍ଥନୀତି ଓ ଏହା ସହିତ ସଂପୃକ୍ତ ଅନେକ ନିରପରାଧ, ଅସଂକ୍ରମିତଙ୍କ ଜୀବନକୁ ବିପଦାପନ୍ନ କରୁଛୁ। ସର୍ବଶେଷ ତଥ୍ୟ ଅନୁସାରେ ଏବେ ଦେଶର ୮୦ଭାଗ ପରିବାରର ଆୟ ହ୍ରାସ ପାଇଛି। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ର ପାଇଁ ଉଭୟ ଭୂତାଣୁ ଓ ଲକ୍‌ଡାଉନର ଆର୍ଥିକ କୁପରିଣାମଜନିତ ଭୟ ରହିଛି। ଦୁର୍ବଳ ଓ ସୀମିତ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ଏହି ଦେଶର ଅଧିକାଂଶ ଲୋକ ଅଣ-ଆନୁଷ୍ଠାନିକ ଅର୍ଥବ୍ୟବସ୍ଥା ମଧ୍ୟରେ କଷ୍ଟେମଷ୍ଟେ ରୋଜଗାର କରି ଚଳନ୍ତି। ତେଣୁ ଏଭଳି ଏକ ସ୍ଥିତିରେ ଉଭୟ ଲକ୍‌ଡାଉନ୍‌ ଓ ଆର୍ଥିକ କାର୍ଯ୍ୟକଳାପ ଉଭୟର ଆବଶ୍ୟକତା ରହିଛି। ସରକାର ମଧ୍ୟ ଏହି ଅପ୍ରତ୍ୟାଶିତ ବିପଦର ମୁକାବିଲା ଯଥାସାଧ୍ୟ କରୁଛନ୍ତି। ଆର୍ଥିକ ପ୍ୟାକେଜ ଘୋଷଣାସହ ପ୍ରଭାବିତ ସମସ୍ତ କ୍ଷେତ୍ରକୁ ସହାୟତା ଯୋଗାଣର ବ୍ୟବସ୍ଥା କରାଯାଉଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରବାଦୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ବିପତ୍ତି କ୍ଷତି ଘଟାଏ, ଲୋକେ ହଇରାଣ ହରକତ ହୁଅନ୍ତି; କିନ୍ତୁ ଜୀବନ ଅଟକି ଯାଏ ନାହିଁ। କରୋନା ସହ ଲଢ଼ିବାବେଳେ ଆମକୁ ଏହା ସହିତ ବଞ୍ଚି ଜୀବିକାକୁ ମଧ୍ୟ ବଞ୍ଚାଇବାକୁ ଉଦ୍ୟମ କରିବାକୁ ହେବ। ତେଣୁ ଲକ୍‌ ଡାଉନକୁ କୋହଳ କରିବାକୁ ପଡ଼ିବ।

Comments are closed.