ଜୀବନ ଉନ୍ମୋଚିତ

କରୋନା ମହାମାରୀ ଯୋଗୁ ଆମେ ସମସ୍ତେ ପ୍ରାୟ ଦଶ ମାସ ହେଲା ଆବଦ୍ଧ ହୋଇ ରହିଛେ। ଏହି ସମୟ ମଧ୍ୟରେ ଆମେ ମାସ୍କ ଦ୍ବାରା ଆମର ପାଟି, ନାକ ଓ ମୁହଁକୁ ଢାଙ୍କିବା ସହିତ ଅନ୍ୟଠାରୁ ଦୂରେଇ ରହିଛେ। କରୋନା ମହାମାରୀଠାରୁ ନିଜକୁ ବଞ୍ଚାଇ ରଖିବା ଲାଗି ଆମେ ଏପରି ଆବଦ୍ଧ ଜୀବନ ବଞ୍ଚିଛେ। ଏହି ସମୟ ମଧ୍ୟରେ ଆମେ ଅନେକ ସ୍ମରଣୀୟ ମୂହୁର୍ତ୍ତ ଅନୁଭବ କରିଛେ। ତେବେ ଆବଦ୍ଧ ଜୀବନ ଆମ ଜୀବନର ଉଦ୍ଦେଶ୍ୟ ଓ ଅର୍ଥ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ବଞ୍ଚି ରହିବା ଓ ବଞ୍ଚିବା ପାଇଁ କିଛି କାମ କରିବା କ’ଣ ମଣିଷ ଜୀବନର ଏକମାତ୍ର ଉଦ୍ଦେଶ୍ୟ? କୋଭିଡ-୧୯ ପାଇଁ ଆମେ ବାଧ୍ୟବାଧକତାରେ ନିଃସଙ୍ଗତାରେ ରହିଛେ। ମୁଁ ମଧ୍ୟ ନିଜକୁ ଏପରି ନିଃସଙ୍ଗତା ମଧ୍ୟରେ ରଖିଥିଲି। ଜୀବନର ଉଦ୍ଦେଶ୍ୟ କଣ ଏବଂ ଆମେ ଏହି ଉଦ୍ଦେଶ୍ୟକୁ କେତେ ଦୂର ଚରିତାର୍ଥ କରିପାରିଛେ? ଆମ ମନରେ ଏପରି ପ୍ରଶ୍ନ ଭରି ରହିଛି। ଆପଣାକୁ ବଞ୍ଚାଇବା ପାଇଁ ନିଜକୁ ଆବଦ୍ଧ କରିବାକୁ ପଡ଼ିଥିବାବେଳେ ତାହା ଆମ ଜୀବନକୁ ଉନ୍ମୋଚିତ କରିଦେଇଛି।
ଦଲାଇ ଲାମା କହିଛନ୍ତି ଯେ ଜୀବନର ଉଦ୍ଦେଶ୍ୟ ହେଉଛି ଖୁସି ରହିବା। ଖୁସି କ’ଣ ଓ ସେହି ଅବସ୍ଥାକୁ କିପରି ହାସଲ କରିବା ଏବଂ ତାକୁ କିପରି ବଜାୟ ରଖିବା ତାହା ଆମେ ଜାଣିବା ଆବଶ୍ୟକ। କରୋନା ମହାମାରୀ ସମୟରେ ଘରେ ରହି କାମ କରିବା ଆମ ଜୀବନର ଅଭିନ୍ନ ଅଙ୍ଗ ହୋଇଯାଇଥିଲା। ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଆମେ ବାଧ୍ୟ ହୋଇଥିଲୁ; କିନ୍ତୁ କେବଳ କାମ କରିବା କ’ଣ ଆମ ଜୀବନର ଏକମାତ୍ର ଉଦ୍ଦେଶ୍ୟ ଓ ଏହା କ’ଣ ଖୁସିର ଉତ୍ସ ? ଭିନ୍ନ ପ୍ରକାରେ ନ ବୁଝିବା ପର୍ୟ୍ୟନ୍ତ ଜୀବନର ଉଦ୍ଦେଶ୍ୟକୁ ଜଣେ ବ୍ୟକ୍ତି ଜାଣିପାରିବ ନାହିଁ। ପରିଣାମ ସମ୍ପର୍କରେ ସଚେତନ ଏବଂ ଚିନ୍ତିତ ନହୋଇ ଆମେ କ’ଣ କାମ ଆଗକୁ ବଢ଼ାଇବା ପାଇଁ ରାଜି ଅଛୁ ଏବଂ ସେଥିରେ ଥିବା ଅର୍ଥକୁ ଆମେ ଜାଣିପାରୁ? ଯଦି କାର୍ୟ୍ୟ ଅସ୍ତିତ୍ବର ସାଧନ, ତେବେ ଆମେ କ’ଣ ତା’ର ଅର୍ଥ ଅନୁସନ୍ଧାନ କରୁଛୁ?
ଜୀବନ ହେଉଛି ଅନିଶ୍ଚିତତା ଓ ଆହ୍ବାନ ବିରୋଧରେ ଏକ ଯୁଦ୍ଧ। ଏହି ମହାମାରୀ ବର୍ଷରେ ଆମେ ଅନେକ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଛୁ। ଏହି ଆହ୍ବାନକୁ ମୁକାବିଲା ସହିତ ଜୀବନକୁ କିପରି ନିୟନ୍ତ୍ରଣ କରିବା, ତାହା ଆମେ ଶିକ୍ଷା କରିଛୁ। ଆଧୁନିକ ଜୀବନ ବଞ୍ଚିବାରେ ଆମେ ଏକ ବିରତି ଲଗାଇ ଦେଇଛୁ। ଏହି ମହାମାରୀ ଆମକୁ ଜୀବନ କିପରି ବଞ୍ଚିବାକୁ ହେବ ତା’ ଉପରେ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଜୀବନ ସମ୍ପର୍କରେ ଆମର ମାନସିକତାକୁ ପରିବର୍ତ୍ତନ କରିବାକୁ କରୋନା ଶିଖାଇଛି। ଜୀବନର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ। ଜନ୍ମ ଓ ମୃତ୍ୟୁ ଆମ ନିୟନ୍ତ୍ରଣ ବାହାରେ। ଜୀବନର ଅର୍ଥ ଓ ଉଦ୍ଦେଶ୍ୟ ମଧ୍ୟରେ ଜଣେ ନିଜ ଜୀବନକୁ କିପରି ପରିଚାଳିତ କରିପାରୁଛି, ତାହା ଆମ ପାଇଁ ଆହ୍ବାନର ବିଷୟ।
ପ୍ଲାଟୋ କହିଛନ୍ତି ଯେ ଦର୍ଶନ ହେଉଛି ନିରନ୍ତର ପ୍ରଶ୍ନ ପଚାରିବା, ଯାହା ବିମର୍ଶର ରୂପ ନେଇଥାଏ। ଆଧୁନିକ ଜୀବନ ସହ ନିଜକୁ ଖାପ ଖୁଆଇବାକୁ ଯାଇ ଆମେ ନିଜ ସହ ବିମର୍ଶ କରିବା ବନ୍ଦ କରିଦେଇଛୁ। ଆମେ କିପରି ଜୀବନଯାପନ କରୁଛୁ ଏବଂ କରିବା ଉଚିତ, ସେ ବିଷୟରେ ଚିନ୍ତା କରିବା ପାଇଁ ମହାମାରୀ ବାଧ୍ୟ କଲା। ଏହା ଜୀବନର ଉଦ୍ଦେଶ୍ୟ ଏବଂ ଅର୍ଥକୁ ପୁନଃପରିଭାଷିତ କରିବାକୁ ଏବଂ ଆବଶ୍ୟକ ହେଲେ ପୁନଃସଂଜ୍ଞାୟିତ କରିବାକୁ ସୂଚାଇ ଦେଲା। ମହାମାରୀ ଆମକୁ ଜୀବନର ଶିକ୍ଷା ଦେଇଥିବାରୁ ଏହା ଆମର ମାନସିକତାକୁ ପୁନଃପରିବର୍ତ୍ତନ କରିବାରେ ସହାୟକ ହେବ।
ନଭୋମଣ୍ଡଳରେ, କୌଣସି ପବିତ୍ର ପୁସ୍ତକରେ କିମ୍ବା ଡିଏନ୍‌ଏ କ୍ରମିକରେ ଜୀବନର ଉଦ୍ଦେଶ୍ୟ ସମ୍ପର୍କରେ ଲେଖାଯାଇ ନାହିଁ। ଜନ୍ମ ଏବଂ ମୃତ୍ୟୁ ଆମର ଇଚ୍ଛାଧୀନ ନୁହେଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଦୁଇଟି ବିନ୍ଦୁ ମଧ୍ୟରେ ଯାତ୍ରାକୁ ସଞ୍ଚାଳିତ କରିବା, ଏହାର ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା ଏବଂ ଅର୍ଥ ଖୋଜିବା। ମନୁଷ୍ୟ ନିଜକୁ ସର୍ବଶ୍ରେଷ୍ଠ କହିବାର ଟାଣପଣ ଏବଂ ପ୍ରାଣୀଜଗତ ଓ ନିଷ୍ପ୍ରାଣଙ୍କର ହର୍ତ୍ତାକର୍ତ୍ତା ବୋଲି ରହିଥିବା ଅହଙ୍କାରକୁ ମହାମାରୀ ଚୁର୍‌ମାର୍‌ କରିଦେଇଛି। ଏହାର ମୁଖ୍ୟ ଶିକ୍ଷା ହେଉଛି ଯେ ଆମେ କେବଳ ଏକ ବୃହତ୍‌ ରଚନାର ଅଂଶ ଅଟୁ ଏବଂ ତା’ ଅନୁସାରେ ହିଁ ବଞ୍ଚିବାକୁ ପଡିବ, ଅନ୍ୟ କାହାର ମୂଲ୍ୟରେ ନୁହେଁ।
ବ୍ରହ୍ମାଣ୍ଡକୁ ପରିଚାଳନା କରୁଥିବା ଏକତା, ଅନ୍ତଃସମ୍ବନ୍ଧ ଏବଂ ସୂକ୍ଷ୍ମ ନିୟମଗୁଡ଼ିକର ବିସ୍ମୃତ ବିଚାରମାନ ପୁନଃ ଆମ ସମ୍ମୁଖକୁ ଆସିଛି। ଉହାନରେ ଦେଖାଯାଇଥିବା କରୋନା ଭୂତାଣୁ ସହିତ ବିଭିନ୍ନ ପ୍ରକାର ଭୂତାଣୁ ବିଶ୍ବକୁ ସଂକ୍ରମିତ କରିବାରେ ଲାଗିଛି। ଏହି ଭୂତାଣୁ ସଂକ୍ରମଣର କାରଣ ହେଉଛି ପରିବେଶ ଉପରେ ବାରମ୍ବାର ହସ୍ତକ୍ଷେପ ଓ ଜୀବଜଗତର ବାସସ୍ଥାନକୁ ବିଶୃଙ୍ଖଳିତ କରିବା। ବଣଜଙ୍ଗଲରେ ରହୁଥିବା ପଶୁ ଏବେ ଜନବସତିମୁହାଁ। ମନୁଷ୍ୟ ଏକ ଅସାଧାରଣ ସହାବସ୍ଥାନର କେବଳ ଏକ ଅଂଶ, ଯାହାକୁ ଆମେ ପ୍ରକୃତି କହୁ। ପ୍ରକୃତିର ସଂରକ୍ଷଣ ପ୍ରକୃତ ପ୍ରସଙ୍ଗ ନୁହେଁ; ବରଂ ମନୁଷ୍ୟ କିପରି ତା’ ସହ ଶ୍ରେଣୀବଦ୍ଧ ହେବ ଏବଂ ତାକୁ ବୁଝିପାରିବ, ତାହା ବେଶି ଗୁରୁତ୍ବପୂର୍ଣ୍ଣ।
ବିଭିନ୍ନ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରୁଥିବା ମଣିଷ ନିଜକୁ ଓ ସମଗ୍ର ବିଶ୍ବକୁ ଦ୍ବନ୍ଦ୍ବ ଏବଂ ଭ୍ରମରୁ ଦୂରେଇ ରଖିବା ଦିଗରେ ପଦକ୍ଷେପ ନେବା ଜରୁରୀ। ଜୀବନର ଦର୍ଶନ ଜୀବନ ପ୍ରତି ଏକ ସମଗ୍ର ଦୃଷ୍ଟି ଓ ଦୃଷ୍ଟିକୋଣ ଅଟେ। ଏହା ଜଣକୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଖୁସିରେ ବଞ୍ଚିରହିବା ନିମନ୍ତେ ସହାୟତା କରେ। ଖୁସିର ଅର୍ଥ ସମସ୍ତଙ୍କ ପାଇଁ ସମାନ ହୋଇ ନଥାଏ। ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଖୁସିର ଅର୍ଥ ଭିନ୍ନଭିନ୍ନ ହୋଇଥାଏ। ଦାର୍ଶନିକ ସେନେକା ନିଜର ‘ମୋରାଲ୍‌ ଲେଟର୍ସ’ରେ କହିଛନ୍ତି, ଦର୍ଶନ ଆମକୁ ପରାମର୍ଶ ଦେଇଥାଏ। ଏହା ଜୀବନର ଅରାଜକତା ଏବଂ ବ୍ୟସ୍ତତା ଭିତରେ ସ୍ଥିର ରହିବାର କ୍ଷମତାକୁ ମଜଭୁତ କରିଥାଏ।
ଜୀବନର ଏକ ନିର୍ଦିଷ୍ଟ ଉଦ୍ଦେଶ୍ୟ ସେହି ବିକଳ୍ପକୁ ନିର୍ଦ୍ଧାରିତ କରିଥାଏ, ଯାହା ପରିବେଶ ପ୍ରତି ଆମର ବ୍ୟବହାରକୁ ପ୍ରଭାବିତ କରିଥାଏ। ଉକ୍ତ ବିକଳ୍ପ ଓ ବ୍ୟବହାର ସେହି ଖୁସିକୁ ନିର୍ଦ୍ଧାରିତ କରିଥାଏ ଯାହା ଜୀବନର ଉଦ୍ଦେଶ୍ୟ ହେବା ଉଚିତ। ବିକଳ୍ପଗୁଡ଼ିକ ମଧ୍ୟରେ ତାହା ଅନ୍ତର୍ଭୁକ୍ତ ଯାହାକୁ ଆମେ ବିଚାରଶୀଳ ଓ ଉଦ୍ଦେଶ୍ୟପୂର୍ଣ୍ଣ ହେବା ନିମନ୍ତେ ପ୍ରସ୍ତୁତ କରିବାକୁ ଚାହୁଁ। କରୋନା ସମୟର କଟକଣା ଓ ସଂକ୍ରମଣ ପରବର୍ତ୍ତୀ ଏକାନ୍ତବାସ ସମୟରେ ମୁଁ ମୋ ଜୀବନକୁ ତର୍ଜମା କରିଛି। ଏଥିରୁ ମୁଁ ଜାଣିବାକୁ ପାଇଛି ଯେ ଜୀବନଯାତ୍ରା ଅନିଶ୍ଚିତ ଓ ପରିବର୍ତ୍ତନଶୀଳ। ମୁଁ ପ୍ରତ୍ୟେକଟି ପରିସ୍ଥିତିକୁ କିପରି ପରିଚାଳନା କରୁଛି ତାହା ଉପରେ ମୋର ଭଲ ଓ ମନ୍ଦ ନିର୍ଭର କରୁଛି। ବ୍ୟସ୍ତବହୁଳ ଜୀବନରେ ପରିବାର ପାଇଁ ମଧ୍ୟ ଆମେ କିଛି ସମୟ ଦେବା ଦରକାର। ମୁଁ ମଧ୍ୟ ଅନେକ ସମୟରେ କର୍ମବ୍ୟସ୍ତତା ମଧ୍ୟରେ ଫସି ରହିଥାଏ । ମୁଁ ସମୟକ୍ରମେ ସ୍ବାଭାବିକ ପ୍ରକ୍ରିୟାରେ ନିଜକୁ ବିକଶିତ କରିବା ସହିତ ଅଭିଜ୍ଞତାକୁ ପାଥେୟ କରି ଏଥିରୁ ଉପରକୁ ଉଠିଛି। ମୁଁ ମୋ ଜୀବନ ପରୀକ୍ଷାର ସମୟକୁ ଅନ୍ୟ ଆଗରେ ପ୍ରକାଶ କରିଛି ଏବଂ ଏହାକୁ ନିଜେ ସମାଧାନ କରିଛି। ପରୀକ୍ଷା କରି ମୁଁ ଜାଣିପାରିଛି ଯେ ସମାଧାନ ଏବଂ ଖୁସିର ସନ୍ଧାନ ନିମନ୍ତେ ଅନେକ ସମୟରେ ଆଧ୍ୟାତ୍ମିକତା କାମରେ ଆସିଛି। ମୋର ହୃଦ୍‌ବୋଧ ହୋଇଛି ଯେ ମୁଁ ରାଜନୀତିରେ ଦୀର୍ଘଦିନ ରହିବା ପରେ ବର୍ତ୍ତମାନ ସମାଜସେବା ଉପରେ ଏବଂ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ପାଇଁ ପରିବର୍ତ୍ତନ-ବାହକ ଭାବେ କାର୍ୟ୍ୟ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ହେବ।
ସମୁଦ୍ରର ଲହଡ଼ି ଭଳି ଆମ ଜୀବନ ମଧ୍ୟ କ୍ଷଣସ୍ଥାୟୀ। ଏହି ସୀମିତ ସମୟ ମଧ୍ୟରେ ଆମେ କେବଳ ଥରେ ହିଁ ବଞ୍ଚୁ ଏବଂ ସର୍ବୋତ୍ତମ ସମ୍ଭବ ଶୈଳୀରେ ବଞ୍ଚିବାକୁ ଚାହୁଁ। ଖୁସି ରହିବା ମଣିଷର ସ୍ବାଭାବିକ ପ୍ରବୃତ୍ତି, ଯାହା ଶାନ୍ତିର ସନ୍ଧାନ ପାଇଁ ପ୍ରେରିତ କରିଥାଏ। ସ୍ବାର୍ଥପରତାଠାରୁ ଆତ୍ମ-ସାକ୍ଷାତ୍‌କାର ପର୍ୟ୍ୟନ୍ତ ଯେଉଁ ବିକାଶ, ତାହା ସର୍ବସାଧାରଣଙ୍କ ମଙ୍ଗଳକୁ ପ୍ରୋତ୍ସାହିତ କରେ। ନିଜକୁ କିପରି ନିୟନ୍ତ୍ରଣରେ ରଖିବା ତାହା ଆମକୁ ଏହି ମହାମାରୀ ଶିକ୍ଷା ଦେଇଛି। ନିଜର ସମାଜ, ପରିବେଶ ଓ ପରିସ୍ଥିତି ସହିତ ନିଜକୁ ସ୍ଥିର ଓ ସୁସଙ୍ଗତ ରଖିବା ହିଁ ଆଦର୍ଶ ଜୀବନ। ବିଗତ ମାସଗୁଡିକରେ ଆମେ ଲାଭ କରିଥିବା ଶିକ୍ଷା ଓ ବ୍ୟକ୍ତିଗତ ପସନ୍ଦ ଆଧାରରେ ନିଜ ଜୀବନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଧାର୍ୟ୍ୟ କରିବା ଦରକାର। ନିଜେ ହିଁ ନିଜ ଜୀବନର ମାଲିକ ଓ ନିଜେ ନିଜ ଜୀବନର ରାସ୍ତା ତିଆରି କରିବା ଆବଶ୍ୟକ। ମାନବଜାତିର କଲ୍ୟାଣ ସହିତ ସାଧାରଣ ସ୍ବାର୍ଥ ନିମନ୍ତେ ପ୍ରକୃତିର ସୁରକ୍ଷା ଦିଗରେ ଅବଦାନ ଉପରେ ଆମ ଜୀବନର ଅର୍ଥ ନିହିତ। ଅନ୍ୟର ଦାୟିତ୍ବ ନେବା ଓ ଅନ୍ୟକୁ ଆମ ଜୀବନରେ ଭାଗୀଦାର କରିବା ଆମ ପୁରାତନ ଲୋକାଚାରର ମୂଳକଥା। ଏହା ହିଁ ଜୀବନକୁ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିଥାଏ। ଜୀବନ ସମ୍ପର୍କରେ ଭଗବଦ୍‌ ଗୀତାରେ କୁହାଯାଇଛି, ‘‘ଯାହାକିଛି ଘଟିଯାଉଛି ତାହା ଭଲ ପାଇଁ ହେଉଛି; ଏବଂ ଯାହା କିଛି ହେବ ତାହା ମଧ୍ୟ ଭଲ ପାଇଁ ହେବ।’’ ଏହା ଆମକୁ ସଜାଗ କରାଇ ଦେଉଛି ଯେ ଅସମାପ୍ତ ଅନିଶ୍ଚିତତାର ମୁକାବିଲା ଲାଗି ନିଜକୁ ସମତୁଲ ଭାବେ ବିକଶିତ କରିବାକୁ ହେବ। ଏବେ କରୋନାର ନୂଆ ଷ୍ଟ୍ରେନ ସମ୍ପର୍କରେ ଆଲୋଚନା ହେଉଛି। ଅନିଶ୍ଚିତତା କେବେହେଲେ ଶେଷ ହୋଇ ନଥାଏ। ଆମେ ଏହି ଅନିଶ୍ଚିତତାର ମୁକାବିଲା କରିବା ଲାଗି ସର୍ବଦା ଦୃଢ଼ତାର ସହିତ ସମ୍ମୁଖୀନ ହେବା ଆବଶ୍ୟକ, ଯାହାଦ୍ବାରା ଆମେ ଖୁସି ରହିବା ସହିତ ଏକ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିପାରିବା।
କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ଆମକୁ ଅନେକ କିଛି ଶିକ୍ଷା ମିଳିଛି। ସାଧାରଣତଃ ଏକ ଟିକା ବାହାର କରିବାକୁ ବର୍ଷବର୍ଷ ଲାଗିଯାଇଥାଏ; କିନ୍ତୁ ଆମର ବୈଜ୍ଞାନିକମାନେ ଏକ ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ଭୂତାଣୁ ବିରୋଧରେ ଟିକା ବାହାର କରିବାରେ ସଫଳ ହୋଇଛନ୍ତି। ଏହା ଆମକୁ ଅନେକ ଆଶ୍ବସ୍ତି ଆଣିଦେଇଛି। ଏପରି କି ଏହି ଟିକାର ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ପୃଥିବୀର ସମସ୍ତଙ୍କୁ ଟିକା ପ୍ରଦାନ ଏକ ବଡ ଆହ୍ବାନ।
କରୋନା ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ଭାରତ ପ୍ରଶଂସିତ ହୋଇଛି। ଆମର ଏକ ସଂସଦୀୟ କମିଟି କରୋନା ମହାମାରୀର ମୁକାବିଲା କରିବା ପାଇଁ ନିଆଯାଇଥିବା ପ୍ରତିଟି ପଦକ୍ଷେପକୁ ତର୍ଜମା କରିଥିଲେ। କମିଟି ଜାଣିବାକୁ ପାଇଥିଲା ଯେ ଦେଶବାସୀଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିଛି। ତେଣୁ ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କମିଟି ପ୍ରଶଂସା କରିଥିଲେ। ଭୂତାଣୁର ବ୍ୟାପକ ସଂକ୍ରମଣ ଏବଂ ମୃତ୍ୟୁହାରକୁ ଯେଭଳି ରୋକାଯାଇ ପାରିଛି, ତାହା ଆଦୌ ଛୋଟ ଉପଲବ୍ଧି ନୁହେଁ।
ବିଗତ କେଇ ମାସ ଧରି କରୋନାକୁ ହରାଇବାରେ ଆମେ ସାମୂହିକ ଓ ବ୍ୟକ୍ତିଗତସ୍ତରରେ ଯେଉଁ ଉଦ୍ୟମ କରିଛେ ଏବଂ ଆମର ଯେଉଁ ଅଭିଜ୍ଞତା ହୋଇଛି, ସେଥିରୁ ଶିକ୍ଷା ଗ୍ରହଣ କରିବା ଦରକାର। କରୋନା ଯୁଦ୍ଧରେ ସମ୍ପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ବିଜୟ ହାସଲ କରିବା ପର୍ୟ୍ୟନ୍ତ ଆମକୁ ନିରନ୍ତର ସତର୍କ ରହିବାକୁ ପଡ଼ିବ।

Comments
Loading...