MEllora 950×100

ସ୍ବପ୍ନଭଙ୍ଗ ସମୟ

ଛଟେଇ ବର୍ତ୍ତମାନର କଠୋର ବ୍ୟାବସାୟିକ ବାସ୍ତବତା ଭିତରୁ ଗୋଟିଏ, ଯାହାକୁ ଗ୍ରହଣ କରିବାକୁ ସମସ୍ତେ ବାଧ୍ୟ

ଗତ ଦଶନ୍ଧିରେ ପ୍ରଯୁକ୍ତିଗତ ଓ ବୈଷୟିକ ଉତ୍କର୍ଷ ଯେତିକି ଆଖିଦୃଶିଆ ହୋଇଛି, ସେତିକି ଆଭାସି ଦୁନିଆର କ୍ଷଣଭଙ୍ଗୁରତା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶେଷତଃ ଯେଉଁଦିନଠାରୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ, ବିଶ୍ବ ଅର୍ଥନୈତିକ ମଞ୍ଚ ଭଳି ପୃଥିବୀର ପ୍ରମୁଖ ଆର୍ଥନୀତିକ ସଂଗଠନଗୁଡ଼ିକ ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ନେଇ ବାରମ୍ବାର ଚେତାବନୀ ଶୁଣାଇ ଚାଲିଛନ୍ତି, ସେବେଠୁ ବୃହତ୍‌ ଉଦ୍ୟୋଗଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ସେମାନେ କିପରି କମ୍ପାନୀକୁ ଅଳ୍ପ ଖର୍ଚ୍ଚରେ ଚଳାଇ ରଖିବେ, ସେଥିପାଇଁ ଏବେଠୁ ବ୍ୟବସ୍ଥା କରୁଛନ୍ତି। କେବଳ ଖର୍ଚ୍ଚକାଟ ନୁହେଁ, ଏସବୁ କମ୍ପାନୀ କର୍ମଚାରୀ ଛଟେଇକୁ ମଧ୍ୟ ମାନ୍ଦାବସ୍ଥାରୁ ବର୍ତ୍ତିବାର ଏକ ଉପାୟ ଭାବେ ଗ୍ରହଣ କରିଛନ୍ତି। ଫଳରେ କେବଳ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନୀ ନୁହନ୍ତି, ଅର୍ଥ, ଖୁଚୁରା ବ୍ୟବସାୟ, ଊର୍ଜା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀ ମଧ୍ୟ ଅଭୂତପୂର୍ବ ଛଟେଇ ଅଭିଯାନ ଜାରି ରଖିଛନ୍ତି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ଛଟେଇ ଉପରେ ନଜର ରଖୁଥିବା ଲେଅଫ୍‌ସ ଡଟ୍‌ ଏଫ୍‌ୱାଇଆଇ ନାମକ ସଂସ୍ଥାର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩,୧୨,୬୦୦ କର୍ମଚାରୀଙ୍କୁ ଛଟେଇ କରାଯାଇ ସାରିଛି, ଯାହା ୨୦୦୧ ମାନ୍ଦାବସ୍ଥାବେଳେ ଛଟେଇ ହୋଇଥିବା କର୍ମଚାରୀଙ୍କଠାରୁ (ପ୍ରାୟ ୧ ଲକ୍ଷ) ତିନି ଗୁଣରୁ ଅଧିକ। କେବଳ ଚଳିତବର୍ଷ ଜାନୁଆରୀ ମାସରେ ଏ ପର୍ଯ୍ୟନ୍ତ ୧୭୪ଟି ଆଇଟି କମ୍ପାନୀ ୫୬,୫୭୦ ଜଣଙ୍କୁ ଛଟେଇ କରିଛନ୍ତି। ବିଶ୍ବର ଚାରିଟି ପ୍ରମୁଖ କମ୍ପାନୀ ମାଇକ୍ରୋସଫ୍ଟ, ମେଟା (ଫେସବୁକ୍‌, ହ୍ବାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ର ମୂଳ କମ୍ପାନୀ), ଆମାଜନ ଓ ଆଲ୍‌ଫାବେଟ୍‌ (ଗୁଗଲର ମୂଳ କମ୍ପାନୀ) ଏହା ମଧ୍ୟରେ ୫୧,୦୦୦ କର୍ମଚାରୀଙ୍କୁ ସଂସ୍ଥାରୁ ବାହାର କରିଦେଇଛନ୍ତି। ଆମେରିକା​‌େ​‌ର ଏ ପର୍ଯ୍ୟନ୍ତ ଛଟେଇ ହୋଇଥିବା ଭାରତୀୟ ପ୍ରଯୁକ୍ତି ପେସାଦାରଙ୍କ ସଂଖ୍ୟା ୮୦,୦୦୦କୁ ଟପିବ ବୋଲି ଏକ ରିପୋର୍ଟରେ କୁହାଯାଇଛି।

ଆମେରିକାର ସିଲିକନ ଭ୍ୟାଲି ମୋହରେ ପଡ଼ିଥିବା ଭାରତୀୟମାନେ ସେଠାକୁ ଯାଇ କର୍ମରତ ଥିବାବେଳେ ହଠାତ୍‌ ଏପରି ଛଟେଇ ଅଭିଯାନ ସେମାନଙ୍କୁ ବ୍ୟସ୍ତବିବ୍ରତ କରିବା ସ୍ବାଭାବିକ। ଏମାନଙ୍କ ମଧ୍ୟରୁ ହଜାରହଜାର ଏପରି କର୍ମଚାରୀ ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ପାଖରେ କେବଳ ଏଚ୍‌୧ବି ଭିଜା ରହିଛି, ଯାହା କେବଳ ୬୦ ଦିନ ଆମେରିକାରେ ରହିବାକୁ ଅନୁମତି ଦିଏ। ଏହି ସମୟ ମଧ୍ୟରେ ଯଦି ସେମାନଙ୍କୁ କେଉଁଠି ଚାକିରି ନମିଳିଲା (ଯାହାର ସମ୍ଭାବନା ଅଧିକ), ତେବେ ସେମାନେ ଆମେରିକା ଛାଡ଼ିବାକୁ ବାଧ୍ୟ ହେବେ। ଗୁଗଲ୍‌ ଭଳି କେତେକ କମ୍ପାନୀ ଛଟେଇ ହୋଇଥିବା କର୍ମଚାରୀଙ୍କୁ ଅବଶ୍ୟ ଯଥେଷ୍ଟ ପରିମାଣର କ୍ଷତିପୂରଣ ପ୍ରଦାନ କରିଥାନ୍ତି; କିନ୍ତୁ ସବୁ କମ୍ପାନୀ ସେପରି ନୁହନ୍ତି। ଯେଉଁମାନେ ଏପରି ଆର୍ଥିକ କ୍ଷତିପୂରଣ ପାଇବେ ନାହିଁ, ସେମାନଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯିବା ନିଶ୍ଚିତ। କରୋନା ମହାମାରୀ ଜନିତ ତାଲାବନ୍ଦ ସମୟରେ ଶିକ୍ଷାଠୁ ଆରମ୍ଭ କରି ସବୁକିଛି ପ୍ରଯୁକ୍ତି ମାଧ୍ୟମରେ କରାଗଲା ଏବଂ ଏହି ସମୟରେ ଆଇଟି କମ୍ପାନୀଗୁଡ଼ିକ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହେଉଛି। ଏଥିପ୍ରତି ଏହି କମ୍ପାନୀଗୁଡ଼ିକ ପୂର୍ବରୁ ଧ୍ୟାନ ଦେବା ଉଚିତ ଥିଲା।

ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ଛଟେଇ କରିବାର କେତେକ ପ୍ରମୁଖ କାରଣ ହେଲା ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା, ଦୁର୍ବଳ ଉପଭୋକ୍ତା ଚାହିଦା, ପ୍ରମୁଖ ବ୍ୟାଙ୍କଗୁଡ଼ିକର ସୁଧହାର ବୃଦ୍ଧି ଓ ନିବେଶକଙ୍କ ପକ୍ଷରୁ ଚାପ। ୨୦୨୦ ପରଠାରୁ କୋଭିଡ଼ଜନିତ ତାଲାବନ୍ଦ ଏବଂ ଗତ ବର୍ଷାଧିକ କାଳ ଧରି ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧ ସମଗ୍ର ବିଶ୍ବର ଅର୍ଥନୀତିକୁ ତଳିତଳାନ୍ତ କରିଦେଇଥିବାବେଳେ ଆଗକୁ ଏ ପରିସ୍ଥିତି ଅଧିକ ବିକଟ ହେବା ଥୟ। ଏହା କେତେ ଦିନ ଲାଗିରହିବ, ତାହା ମଧ୍ୟ ଅନିଶ୍ଚିତ। ପ୍ରକୃତରେ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଜନିତ ଛଟେଇ ଅଭିଯାନ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିଲା, ଯେତେବେଳେ ଭଡ଼ାରେ ଯାନ ଯୋଗାଇଦେଉଥିବା ଦୁଇ ପ୍ରମୁଖ କମ୍ପାନୀ ଉବର ଓ ଓଲା ଯଥାକ୍ରମେ ୧୩% ଓ ୩୫% କର୍ମଚାରୀଙ୍କୁ ଛଟେଇ କରିଥିଲେ। ସେତେବେଳେ କେହି ଏହାକୁ ସେତେଟା ଗୁରୁତ୍ବ ଦେଇନଥିଲେ।

ପୁଞ୍ଜିପତି ଓ ଘରୋଇ ବଜାରର ବଡ଼ ବ୍ୟବସାୟୀଗଣ କୌଣସି ପରିସ୍ଥିତିରେ ଲାଭ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ପ୍ରଯୁକ୍ତି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଏହା ସତ୍ୟ। ଏ କ୍ଷେତ୍ରରେ ନିତ୍ୟ ନୂଆ ଉଦ୍ଭାବନ ଓ ଆବିଷ୍କାର ଘଟିଚାଲିଥିବାବେଳେ ତାହା ହିଁ ସର୍ବାଧିକ ଗୁରୁତ୍ବ ପାଇଥାଏ ଏବଂ ଯେଉଁ କମ୍ପାନୀ ତାହା କରିବାରେ ସଫଳ ହୁଏ, ସେତେବେଳେ ସେ ହୁଏ ଆକର୍ଷଣୀୟ। ଏହାର ଅର୍ଥ, ନାମୀ କମ୍ପାନୀ ମଧ୍ୟ ପରବର୍ତ୍ତୀ ସମୟରେ ଫିକା ପଡ଼ିଯାଏ। ଫେସ୍‌ବୁକ୍‌ ଯେତେବେଳେ ସାମାନ୍ୟ ଫିକା ପଡ଼ିବାକୁ ଆରମ୍ଭ କଲା, ଏହାର ମାଲିକ ଜୁକରବର୍ଗ ଇନ୍‌ଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍‌ କିଣିବାକୁ ବାଧ୍ୟ ହେଲେ। ତେଣୁ କ୍ଷଣଭଙ୍ଗୁର ଆଭାସି ଦୁନିଆ ଭିତରେ ଆଇଟି ପେସାଦାରମାନଙ୍କ ସ୍ବପ୍ନଭଙ୍ଗ ହେବା ଏକାବେଳକେ ଅପ୍ରତ୍ୟାଶିତ ନୁହେଁ। ଛଟେଇ ବର୍ତ୍ତମାନର କଠୋର ବ୍ୟାବସାୟିକ ବାସ୍ତବତା ଭିତରୁ ଗୋଟିଏ, ଯାହାକୁ ଗ୍ରହଣ କରିବା ପାଇଁ ସମସ୍ତେ ବାଧ୍ୟ।

Comments are closed.