ଅସ୍ଥିର ଜିଡିପି

ଅର୍ଥନୀତିର କୌଣସି ସୂଚକ ସମ୍ଭାବନାର ଗଣିତ ସପକ୍ଷରେ ନାହିଁ, ସାଧାରଣ ବଜେଟ୍‌ର ସକାରାତ୍ମକ ପ୍ରଭାବକୁ ଅପେକ୍ଷା

ମୋଟ ଘରୋଇ ଉତ୍ପାଦକୁ ଆମେ ଜିଡିପି ଭାବେ ଗ୍ରହଣ କରିଥାଉ। ଦେଶର ଆର୍ଥିକ ଦିଗକୁ ଏହି ଜିଡିପି ହିଁ ସୂଚିତ କରିଥାଏ। ଜିଡିପି ଅଭିବୃଦ୍ଧି ହାରକୁ ନେଇ ଯେଉଁ ସମ୍ଭାବନାର ଅଙ୍କ କଷା ଚାଲିଛି ସେଥିରେ ପାଣି ଇଡ଼ିଦେଇଛି ବର୍ତ୍ତମାନର ତ୍ରୈମାସିକ ରିପୋର୍ଟ। ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ହାରାହାରି ୭ପ୍ରତିଶତ ରହିବ ବୋଲି ଆକଳନ କରିଥିବାବେଳେ ଗତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ୪.୪%କୁ ହ୍ରାସ ପାଇଛି। ଏହାର ପୂର୍ବ ଦୁଇଟି ତ୍ରୈମାସିକ ରିପୋର୍ଟରେ ଜିଡିପି ଅଭିବୃଦ୍ଧି ହାର ଯଥାକ୍ରମେ ୧୩.୫ ଓ ୬.୩ ପ୍ରତିଶତ ଥିଲା। ଏହି କ୍ରମାଗତ ହ୍ରାସ ସରକାରଙ୍କୁ ଚିନ୍ତାରେ ପକାଇଛି। ଏବେ ହାଲ୍‌ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ବିଯୁକ୍ତ ୧.୧ ପ୍ରତିଶତ, ଶିଳ୍ପ ଅଭିବୃଦ୍ଧି ୨.୪୩%, ସେବା କ୍ଷେତ୍ରରେ ୬.୨ ପ୍ରତିଶତ ଓ କୃଷି କ୍ଷେତ୍ରରେ ୩.୭% ଅଭିବୃଦ୍ଧି ହୋଇଛି। ଅଭିବୃଦ୍ଧିର ଏହି ବଳିଷ୍ଠ ଦିଗ ଆଶାନୁରୂପ ଅଗ୍ରଗତି କରି ପାରୁନଥିବାରୁ ଜିଡିପି ହ୍ରାସ ପାଇଛି। ଆମକୁ ଏଠାରେ କହିବାକୁ ହେଉଛି ଜିଡିପି, ମୁଦ୍ରାସ୍ଫୀତି ଓ ବର୍ଦ୍ଧିତ ରେପୋ ରେଟ୍‌ ପରସ୍ପର ସହ ଏଭଳି ସଂଶ୍ଲିଷ୍ଟ ଯେ ପ୍ରତ୍ୟେକଟି ପ୍ରଭାବ ଅନ୍ୟ ଉପରେ ଅନୁଭୂତ ହେବ। ମୁଦ୍ରାସ୍ଫୀତି ଏକ ନିୟନ୍ତ୍ରିତ ସ୍ତରରେ ନ ରହିଲେ ସରକାର ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ମୁଦ୍ରା ପ୍ରଚଳନକୁ ସଂକୁଚିତ କରିବେ। ତେଣୁ ରେପୋ ରେଟ୍‌ ବା ସୁଧ ହାର ବଢ଼ିବ। ମୁଦ୍ରା ପ୍ରଚଳନ ସଂକୋଚନ ପାଇଁ ସୁଧହାର ବଢୁଥିବାରୁ ପୁଞ୍ଜି ନିବେଶ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ୁଛି। ସେହି ଅନୁଯାୟୀ ବିଭିନ୍ନ ସାମଗ୍ରୀର ଉତ୍ପାଦ ଖର୍ଚ୍ଚ ମଧ୍ୟ ବଢୁଛି। ଏହି ବର୍ଦ୍ଧିତ ଖର୍ଚ୍ଚ ତେଣିକି କିଏ ମୁଣ୍ଡାଇବ ସେ ଅଲଗା କଥା। ଅନ୍ୟ ଦିଗଟି ହେଲା, ମୁଦ୍ରା ପ୍ରଚଳନ ସଂକୋଚନ ଯୋଗଁୁ ସାଧାରଣ ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇବ। ଏସବୁକୁ ବିଚାର କଲେ ଆମ ଅର୍ଥନୀତିର ସ୍ବାସ୍ଥ୍ୟ ଯେ ଠିକ୍‌ ଠାକ୍‌ ଅଛି କୁହାଯାଇପାରିବ ନାହିଁ।

ସମଗ୍ର ବିଶ୍ବରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବରୁ ଭାରତ ଯେ ମୁକ୍ତ ଏକଥା କୁହାଯାଇ ପାରିବ ନାହିଁ। କ୍ରମେ ଆର୍ଥିକ ଅବକ୍ଷୟ ଧାରାର ପ୍ରଭାବ ଆମକୁ ଗ୍ରାସ କରୁଛି ଓ ଆମକୁ ଯଥେଷ୍ଟ ସତର୍କତାର ସହ ଆଗକୁ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ଖାଉଟି ମୁଦ୍ରାସ୍ଫୀତି ହାର ୫.୭୨ ପ୍ରତିଶତରୁ ବୃଦ୍ଧି ପାଇ ୬.୫୨ ପ୍ରତିଶତରେ ପହଞ୍ଚିଲାଣି। ଏହି ହାର ସରକାରୀ ଲକ୍ଷ୍ମଣରେଖା ଅତିକ୍ରମ କରୁଥିବାରୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ରେପୋ ରେଟ୍‌ ବଢ଼ାଇବାକୁ ବାଧ୍ୟ ହେଲେ। ଏବେ ମୁଦ୍ରାସ୍ଫୀତି ସାଙ୍ଗକୁ ଜିଡିପି ଅଭିବୃଦ୍ଧି ହାର ଯେଉଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟିକରିଛି ତାହା ଆଗାମୀ ଦିନରେ ରେପୋ ରେଟ୍‌କୁ ନିଶ୍ଚୟ ପ୍ରଭାବିତ କରିବ। ସାମଗ୍ରିକ ଭାବେ ଆର୍ଥିକ ସ୍ଥିତିକୁ ବିଚାର କରି ସରକାରଙ୍କୁ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଆମକୁ ପୁଣି ଥରେ କହିବାକୁ ପଡୁଛି ଯେ ରେପୋ ରେଟ୍‌ ବୃଦ୍ଧି ମାଧ୍ୟମରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଭଳି ପଦ୍ଧତିରୁ ଊର୍ଦ୍ଧ୍ବକୁ ଉଠି ଅନ୍ୟ କିଛି ବିକଳ୍ପ ପନ୍ଥା ଅନୁସରଣ କରିବାକୁ ହେବ। କାରଣ ସୁଧହାର ବୃଦ୍ଧିର ପ୍ରତିକୂଳ ପ୍ରଭାବ ଅର୍ଥନୀତିକୁ ସାମଗ୍ରିକ ଭାବେ ସଂକୁଚିତ କରୁଥିବାରୁ ଜିଡିପି ଅଭିବୃଦ୍ଧି ହ୍ରାସ ପାଇଛି। ଗତ ତିନି ମାସର ରିପୋର୍ଟରେ ଜିଡିପି ଅଭିବୃଦ୍ଧି ହାର ୪.୪ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଗତବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ଥିଲା ୧୧.୨%। ଗତବର୍ଷ ତୁଳନାରେ ଆମର ଆର୍ଥିକ ସ୍ଥିତି କ୍ରମେ ସୁଦୃଢ଼ ହୋଇଥିବାବେଳେ ଏଭଳି ଏକ ନକାରାତ୍ମକ ପରିସଂଖ୍ୟାନ କାହିଁକି ତାହାର ଅନୁଶୀଳନ ହେବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ କି ରିଜର୍ଭ ବ୍ୟାଙ୍କ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୮ ପ୍ରତିଶତ ଏବଂ ତୃତୀୟ ତ୍ରୈମାସିକ ହାର ୪.୪ ପ୍ରତିଶତ ରହିବ। ତେବେ ତାଙ୍କ ଆକଳନ ଠିକ୍‌ ଅଛି ବୋଲି ଧରିନେବାକୁ ହେବ। ଗୋଟିଏ ପରିସଂଖ୍ୟାନ ଠିକ୍‌ ହୋଇଥିବାବେଳେ ଅନ୍ୟଟି ମଧ୍ୟ ୬.୮ ପ୍ରତିଶତ ହେବ ବୋଲି ଗ୍ରହଣ କରାଯାଇପାରେ।

ଅର୍ଥନୀତିର ଅନ୍ୟ ଦିଗଟି ହେଲା ପୁଞ୍ଜି ବଜାର। ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ନେଇ ପୁଞ୍ଜି ବଜାରର କାରବାରରେ ଯେଉଁ ଉଠାପକା ଚାଲିଛି ସେଥିରେ ନିବେଶକମାନେ ଏକ ପ୍ରକାର ବରବାଦ୍‌ ହୋଇଗଲେଣି କହିଲେ ଚଳେ। ଏଥିମଧ୍ୟ​‌େ​‌ର ୨୪୦୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଥିବାରୁ ନିବେଶକଙ୍କ ୨୦ ଲକ୍ଷରୁ ଊର୍ଦ୍ଧ୍ବ କୋଟି ଟଙ୍କା କ୍ଷତି ହୋଇଛି। ମଙ୍ଗଳବାର ଶେଷ ସୁଦ୍ଧା ହସ୍ତଗତ ହୋଇଥିବା ଖବରରୁ ପ୍ରକାଶ ଯେ ପୁଞ୍ଜିବଜାର ସ୍ଥିତିରେ କ୍ରମେ ସୁଧାରଣ ଆସିଥିବାବେଳେ ଗତ ୮ ଦିନ ଧରି ବଜାର ପୁଣି ତଳ ମୁହଁା ହୋଇଛି। ଏହି ସମୟ ମଧ୍ୟରେ ସେନ୍‌ସେକ୍ସ ୩୨୬ ପଏଣ୍ଟ ହ୍ରାସ ପାଇଛି। ଏହି ଫଟକା ବଜାରର ଖେଳରେ ଉଠପକା ତ ରହିବା ସ୍ବାଭାବିକ। ତେବେ ଏହି କ୍ଷତିର ଯେ ଅର୍ଥନୀତି ଉପରେ ପ୍ରଭାବ ନାହିଁ ଏକଥା କୁହାଯାଇନପାରେ।

ଇଏ ହେଲା ଆମ ଅର୍ଥନୀତିର ସାମଗ୍ରିକ ଦୃଶ୍ୟପଟ। ତେଣୁ କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଆମେ ଯେ ଅଣ୍ଟା ସଳଖି ପ୍ରତିଦ୍ବନ୍ଦ୍ବୀଙ୍କ ମୁକାବିଲା କରିବାକୁ ସମର୍ଥ ଏକଥା କୁହାଯାଇନପାରେ। ଏଭଳି କିଛି ଦୁର୍ବଳତା ଅଛି ଯେଉଁଥିରେ ସ୍ଥିରତା ଆସିବାକୁ ନିଶ୍ଚୟ ସମୟ ଲାଗିବ। ଆମେ ଯେଉଁ ଜିଡିପି ଓ ମୁଦ୍ରାସ୍ଫୀତିର ଚିତ୍ର ଦେଇଛେ ତାହା ସାଧାରଣ ବଜେଟ ଆଗତ ପୂର୍ବର ସ୍ଥିତିକୁ ଭିତ୍ତିକରି। ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ବଜେଟରେ ସମ୍ଭାବନାର ଯେଉଁ ଚିତ୍ର ଆଙ୍କିଛନ୍ତି ସେଥିରେ ଅର୍ଥନୀତିର ଚିତ୍ର କ’ଣ ବଦଳୁଛି ତାହା ଶେଷ ତ୍ରୈମାସିକ ରିପୋର୍ଟରୁ ସ୍ପଷ୍ଟ ହେବ। ତେଣୁ ଏବର ରିପୋର୍ଟ ଶେଷ କଥା ନୁହେଁ। ଆଗକୁ ସମୟ କହିବ ସ୍ଥିତି କେଉଁ ଆଡ଼କୁ ଯାଉଛି।

Comments are closed.