MEllora 950×100

ଆଶଙ୍କାର ଅଭିବୃଦ୍ଧି

ଦ୍ବିତୀୟ ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ ହ୍ରାସକୁ ଗୁରୁତ୍ବ ନଦେଲେ ବା ଏହାର ପ୍ରତିକାର ଉପାୟ ବାହାର ନକଲେ ଆଗକୁ ସ୍ଥିତି ଅଧିକ ବିଗିଡ଼ିପାରେ

ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ସଦ୍ୟ ପରିସଂଖ୍ୟାନ ନିଶ୍ଚୟ ଉତ୍ସାହଜନକ ନୁହେଁ। ଏହା ଅନୁଯାୟୀ, ଜୁଲାଇ-ସେପ୍ଟେମ୍ବରରେ ଭାରତର ଅଭିବୃଦ୍ଧି ହାର ୬.୩%କୁ ଖସିଆସିଛି, ଯାହା ପ୍ରଥମ ତ୍ରୈମାସିକରେ ୧୩.୫% ରହିଥିଲା। ବିନିର୍ମାଣ ଓ ଖନନ କ୍ଷେତ୍ରରେ ଅଭିବୃଦ୍ଧି ହାର ନିମ୍ନାଭିମୁଖୀ ହୋଇଛି। ଏହି କାରଣରୁ ସମସ୍ୟା ଉପୁଜିଛି। ବିନିର୍ମାଣ କ୍ଷେତ୍ରର ଉତ୍ପାଦନ ହାର ୪.୩ ଶତାଂଶ ହ୍ରାସ ପାଇଥିବା ବେଳେ ଗତବର୍ଷ ଏହି ଅବଧିରେ ଏଥି​‌େ​‌ର ୫.୬ ଶତାଂଶ ବୃଦ୍ଧି ଘଟିଥିଲା। ସେହିପରି ଖନନ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ହାର ୨.୮ ଶତାଂଶ କମିଥିବାବେଳେ ଗତବର୍ଷ ସମାନ ସମୟରେ ଏଥିରେ ୧୪.୫ ଶତାଂଶ ବୃଦ୍ଧି ହୋଇଥିଲା। ନିର୍ମାଣ, ବିଦ୍ୟୁତ୍‌, ଗ୍ୟାସ, ଜଳଯୋଗାଣ ଓ ଅନ୍ୟ ଜନକୈନ୍ଦ୍ରିକ ସେବାଗୁଡ଼ିକର ଜିଭିଏ (ଗ୍ରସ୍‌ ଭାଲ୍ୟୁ ଏଡେଡ୍‌) ବୃଦ୍ଧିହାର ହ୍ରାସ ପାଇଛି। ବୈଶ୍ବିକ ମାନ୍ଦାବସ୍ଥା, ୟୁକ୍ରେନରେ ଯୁଦ୍ଧ ଓ କ୍ରମାଗତ ଘରୋଇ ମୁଦ୍ରାସ୍ଫୀତି ବୃଦ୍ଧି ଦେଶର ଅଭିବୃଦ୍ଧିକୁ ପଛକୁ ଟାଣି ଧରିଛି। ପେସାଦାର ସେବା ସମୂହ ଓ ଭବନ ନିର୍ମାଣ କ୍ଷେତ୍ରରେ ହୋଇଥିବା ବୃଦ୍ଧି ଏହି ଅବଧିର ଅଭିବୃଦ୍ଧି ହାରକୁ ସାହାଯ୍ୟ ନ କରିଥିଲେ ଏହା ଆହୁରି ଦୁର୍ବଳ ହେବାର ଆଶଙ୍କା ରହିଥିଲା।

ଅଭିବୃଦ୍ଧି ହାରର ନିମ୍ନଗତି ଏଇଥିପାଇଁ ଚିନ୍ତାଜନକ ଯେ ଏ ପର୍ଯ୍ୟନ୍ତ ମହରଗ କମାଇବାର କୌଣସି ପ୍ରଭାବଶାଳୀ ଉପାୟ ସରକାର ବା ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ। ବ୍ୟାଙ୍କର ସୁଧହାର ବଢ଼ିଚାଲିଛି ଓ ଟଙ୍କାର ବିନିମୟ ମୂଲ୍ୟ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଛି। ବିକଶିତ ଦେଶଗୁଡ଼ିକରେ ମାନ୍ଦାବସ୍ଥାର ପରିବେଶ। ଅବଶ୍ୟ ପରିସଂଖ୍ୟାନ କହୁଛି ଯେ ଦ୍ବିତୀୟ ତ୍ରୈମାସିକ ଅବଧିରେ ଲୋକେ କିଛିଟା ଅଧିକ ଖର୍ଚ୍ଚ କରିଛନ୍ତି, ଘରୋଇ ବଜାରରେ ଚାହିଦା ବଢ଼ିଛି ଓ ନିବେଶ ପାଇଁ ଉତ୍ସାହ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି; କିନ୍ତୁ ଏହାର ମଧ୍ୟ ନିର୍ଦିଷ୍ଟ କାରଣ ରହିଛି। ଭୁଲିଯିବା ଅନୁଚିତ ଯେ ଏହି ସମୟ ଥିଲା ପାର୍ବଣ ଋତୁ; ତେଣୁ ଅଭିବୃଦ୍ଧି ପାଇଁ ଏହା ଉଚିତ ମାପଦଣ୍ଡ ନୁହେଁ। ଅତଏବ ଏହାକୁ ଆଧାର କରି ସାମଗ୍ରିକ ବିକାଶକୁ ସ୍ଥିର କରିବା ତ୍ରୁଟିପୂର୍ଣ୍ଣ। ପ୍ରକୃତରେ ଦେଶରେ କେତେ ନୂଆ ରୋଜଗାର ସୃଷ୍ଟି ହୋଇଛି ଏବଂ କେତେ ଲୋକ ଦାରିଦ୍ର୍ୟ ସୀମାରେଖାର ଊର୍ଦ୍ଧ୍ବକୁ ଉଠିଛନ୍ତି, ଅର୍ଥାତ୍‌ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି, ସେଥିରୁ ପ୍ରକୃତରେ ଅଭିବୃଦ୍ଧି ହାରର ପ୍ରଭାବକୁ ମପାଯିବା ଉଚିତ। ତାହା ହିଁ ଠିକ୍ ବାଟ। କହିବା ବାହୁଲ୍ୟ ଯେ ଯେତେବେଳେ ବିନିର୍ମାଣ, ନିର୍ମାଣ ଓ ଖନନ କ୍ଷେତ୍ରରେ ଉତ୍ପାଦନର ଗତି ଧିମା ହୋଇପଡ଼ିଛି, ସେହି ସମୟରେ ସେଥିରେ ରୋଜଗାର ସୃଜନ କମ୍‌ ହେବା ସ୍ବାଭାବିକ, ଅଥଚ ଏହି କ୍ଷେତ୍ରଗୁଡ଼ିକରେ ହିଁ ଅଧିକ ରୋଜଗାର ସୃଷ୍ଟି ହେବାର ସୁଯୋଗ ଥାଏ। ନୂଆ ରୋଜଗାର ଓ ଆୟର ରାସ୍ତା ନ ଖୋଲିଲେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିବା ଏବଂ ବଜାରରେ ଅର୍ଥର ପ୍ରବାହ ବଢ଼ିବା ସମ୍ଭବ ନୁହେଁ।

ସେବାର ଯେଉଁ କ୍ଷେତ୍ରଗୁଡ଼ିକରେ ବିକାଶ ହାର ବଢ଼ିଛି, ତନ୍ମଧ୍ୟରେ ରହିଛି ହୋଟେଲ ବ୍ୟବସାୟ, ପରିବହନ, ବାଣିଜ୍ୟ ଇତ୍ୟାଦି; କିନ୍ତୁ ଅପରପକ୍ଷେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ସେତିକି ଉତ୍ସାହ ଦେଖିବାକୁ ମିଳି ନାହିଁ। ପ୍ରକୃତରେ ଏ କ୍ଷେତ୍ରରେ ଏକ ପ୍ରକାରର ନିରାଶାଜନକ ଚିତ୍ର ଦେଖାଯାଇଛି। କେତେକ ପ୍ରମୁଖ କମ୍ପାନୀ ବହୁ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ସେମାନେ ହୁଏତ ଏ କ୍ଷେତ୍ରରେ ଉପୁଜୁଥିବା ସଙ୍କଟ ସହ ଯୁଝିବାକୁ ସମର୍ଥ ନୁହନ୍ତି ବା ମାନସିକ ସ୍ତରରେ ପ୍ରସ୍ତୁତ ନାହାନ୍ତି। ସେହିପରି ନିବେଶକୁ ନେଇ ସକାରାତ୍ମକତା ଦେଖାଯାଇଥିଲେ ହେଁ ରପ୍ତାନି ବୃଦ୍ଧିକୁ ନେଇ ଚିନ୍ତା ବଳବତ୍ତର ରହିଛି। ଯେ ପର୍ଯ୍ୟନ୍ତ ରପ୍ତାନି ନ ବଢ଼ିବ, ସେ ପର୍ଯ୍ୟନ୍ତ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରର ପ୍ରଦର୍ଶନ ସୁଧୁରିବ ନାହିଁ କିମ୍ବା ଅଗ୍ରଗତି ଆଶାନୁରୂପ ହେବନାହିଁ। କେବଳ ଘରୋଇ ବଜାର ଉପରେ ନିର୍ଭର କରି ଉତ୍ପାଦନ ହାର ବଢ଼ାଇବା ନିଶ୍ଚିତ ସମ୍ଭବ ନୁହେଁ। ମୁଦ୍ରାସ୍ଫୀତି ଯୋଗୁଁ ଘରୋଇ ବଜାରରେ ମଧ୍ୟ ଶିଥିଳତା ଦେଖାଯାଇଛି, ଯାହାର ପ୍ରତିଫଳନ ତୃତୀୟ ଓ ଚତୁର୍ଥ ତ୍ରୈମାସିକରେ ଦେଖିବାକୁ ମିଳିପାରେ।

ଅପରପକ୍ଷେ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ ଦୃଢ଼ ଆଶା ରଖିଛନ୍ତି ଯେ କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ଦେଶର ଅର୍ଥନୀତିରେ ଆରମ୍ଭ ହୋଇଥିବା ସୁଧାର ପ୍ରକ୍ରିୟା ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାମଗ୍ରିକ ଅଭିବୃଦ୍ଧି ହାର ୬.୮%ରୁ ୭% ହାସଲ କରିବାରେ କିଛି ସମସ୍ୟା ହେବନାହିଁ। ତେବେ ଦ୍ବିତୀୟ ତ୍ରୈମାସିକରେ ଜିଡିପି ତୀବ୍ର ନିମ୍ନମୁଖୀ ହେବା କଥାକୁ ଗୁରୁତ୍ବ ନଦେଲେ ବା ଏହାର ପ୍ରତିକାର ଉପାୟ ବାହାର ନକଲେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ। ଅକ୍ଟୋବର ମାସରେ ସିମେଣ୍ଟ, କୋଇଲା, ସାର, ବିଦ୍ୟୁତ୍‌ ଭଳି ପ୍ରମୁଖ ଉଦ୍ୟୋଗଗୁଡ଼ିକର ପରିସଂଖ୍ୟାନକୁ ଦେଖିଲେ ସେଗୁଡ଼ିକ ସଂଘର୍ଷରତ ଥିବା ମନେହୁଏ। ଏପରି ସ୍ଥିତିରେ ନୀତି ନିର୍ଦ୍ଧାରକଙ୍କୁ ବାସ୍ତବ ଅାର୍ଥିକ ଅଭିବୃଦ୍ଧି ପାଇଁ କିଛି ବାଟ ଖୋଜିବାକୁ ହିଁ ହେବ।

Comments are closed.