ସମରକନ୍ଦରୁ ଶାନ୍ତିସନ୍ଦେଶ

ଏସୀୟ ରାଷ୍ଟ୍ରଗୁଡ଼ିକ ଯଦି ବୃହତ୍ତର ସ୍ବାର୍ଥ ପାଇଁ ପରସ୍ପରର ସହଯୋଗୀ ହୁଅନ୍ତେ, ତେବେ ଏସ୍‌ସିଓ ପରି ସଂଗଠନର ଅସଲ ଲକ୍ଷ୍ୟ ସାଧିତ ହୋଇପାରନ୍ତା

ଗତ ସେପ୍ଟେମ୍ବର ୧୫ ଓ ୧୬ ଦୁଇଦିନ ଧରି ଉଜବେକିସ୍ତାନର ଐତିହାସିକ ସହର ସମରକନ୍ଦଠାରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରୁ ଯେଉଁ କେତେକ ବାର୍ତ୍ତା ଜନସମ୍ମୁଖକୁ ଆସିଛି, ସେଗୁଡ଼ିକ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଦୁଇ ବର୍ଷ ପରେ ଆୟୋଜିତ ଏହି ସମ୍ମିଳନୀରେ ତିନିଟି ପ୍ରମୁଖ ଦେଶ ଭାରତ, ଚୀନ ଓ ରୁଷର ପ୍ରମୁଖ ନେତା ଏକାଠି ହୋଇଥିଲେ, ଯେତେବେଳେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଓ ଆର୍ଥିକ ଦୁରବସ୍ଥା କାରଣରୁ ବିଶ୍ବର ବହୁ ଦେଶର ଜନସାଧାରଣ ପୀଡ଼ିତ। ଭାରତ-ଚୀନ ମଧ୍ୟରେ ଦୀର୍ଘ ସମୟ ଧରି ସୀମା ବିବାଦ ଚାଲିଆସିଥିବାବେଳେ ନିକଟରେ ଲଦାଖର ବିବାଦୀୟ ଗୋଗ୍ରା-ହଟ୍‌ସ୍ପିଙ୍ଗ୍‌ ଅଞ୍ଚଳରୁ ଉଭୟ ଦେଶ ସୈନ୍ୟ ଅପସାରଣ କରିଛନ୍ତି। ଦ୍ବିପାକ୍ଷିକ ସାମରିକସ୍ତରୀୟ ଆଲୋଚନା ପରେ ଏହା ସମ୍ଭବ ହୋଇଛି। ଏହାପରେ କୁହାଯାଉଥିଲା ଯେ ଚୀନ ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମରକନ୍ଦରେ ସାକ୍ଷାତ ଆଲୋଚନା ହୋଇପାରେ; କିନ୍ତୁ ସେପରି କିଛି ହେଲାନାହିଁ। ଅବଶ୍ୟ ଆସନ୍ତା ବର୍ଷ ଏସ୍‌ସିଓ ସମ୍ମିଳନୀ ଭାରତ ଆୟୋଜନ କରିବାକୁ ଯାଉଥିବାରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁଭକାମନା ଜଣାଇଥିଲେ। କହିବା ବାହୁଲ୍ୟ ଯେ ଏହା ଏକ ସୌଜନ୍ୟମୂଳକ ବ୍ୟବହାର। ଦ୍ବିପାକ୍ଷିକ ସମସ୍ୟାଗୁଡ଼ିକ ବିଷୟରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଯଦି କିଛି ସକାରାତ୍ମକ ଆଲୋଚନା ହୋଇଥାନ୍ତା, ତେବେ ଦୁଇ ଦେଶକୁ ଭଲ ବାର୍ତ୍ତା ଯାଇଥାଆନ୍ତା। ଚୀନ ଓ ଭାରତ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ୟୁକ୍ରେନ୍‌ ଯୁଦ୍ଧକୁ ବନ୍ଦ କରିବାପାଇଁ ଯେପରି ସିଧାସଳଖ ଚାପ ପକାଇଛନ୍ତି, ତାହା ଏହି ସମ୍ମିଳନୀର ଅନ୍ୟତମ ମୁଖ୍ୟ ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବନାହିଁ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁଟିନଙ୍କୁ ‘ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ ଏବଂ ଶାନ୍ତିର ପଥ ଆଡ଼କୁ ଅଗ୍ରସର ହେବା ପାଇଁ ଆମେ ଆଲୋଚନା କରିବା ଦରକାର’ ବୋଲି କହି ଶାନ୍ତିର ସନ୍ଦେଶ ଶୁଣାଇଛନ୍ତି। ଜିନପିଙ୍ଗ୍‌ ମଧ୍ୟ ସେହି ସମାନ ବାର୍ତ୍ତା ତାଙ୍କୁ ଦେଇଥିବା ପୁଟିନ ପ୍ରକାଶ କରିଛନ୍ତି। ତେଣୁ ଉଭୟ ବନ୍ଧୁରାଷ୍ଟ୍ରର ଏହି ବାର୍ତ୍ତାକୁ ପୁଟିନ କେବେ ଓ କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବା କଥା। ପ୍ରକୃତରେ ଅଳ୍ପଦିନ ଭିତରେ ଯୁଦ୍ଧରେ ପରାସ୍ତ କରି ୟୁକ୍ରେନ ଦଖଲ କରିପାରିବ ବୋଲି ରୁଷିଆ ଚିନ୍ତା କରିଥିଲାବେଳେ ସେହି ଯୋଜନା ପଣ୍ଡ ହୋଇଛି। ଦୀର୍ଘ ଦିନ ବିତିଯିବା ପରେ ଲକ୍ଷ୍ୟ ହାସଲ କରିବା ବଦଳରେ ରୁଷୀୟ ସେନା ପଛଘୁଞ୍ଚା ଦେଉଛନ୍ତି। ବର୍ତ୍ତମାନ ୟୁକ୍ରେନୀୟ ସୈନ୍ୟ ସେମାନଙ୍କୁ ଘଉଡ଼ାଇ ଦେବା ସହ ଗୋଟାଏ ପରେ ଗୋଟାଏ ସହରକୁ ରୁଷିଆ ନିୟନ୍ତ୍ରଣରୁ ମୁକ୍ତ କରୁଛନ୍ତି। ୟୁକ୍ରେନ ଯୁଦ୍ଧ ନିମନ୍ତେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆକୁ ତୀବ୍ର ସମାଲୋଚନା କରିଆସୁଥିବାବେଳେ ବର୍ତ୍ତମାନ ଦୁଇ ଏସୀୟ ମହାଶକ୍ତି ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେବାପରେ ପୁଟିନ ନିଶ୍ଚୟ ଚାପରେ ରହିବେ। କହିବା ନିଷ୍ପ୍ରୟୋଜନ ଯେ ରୁଷ-ୟୁକ୍ରେନ ଯୁଦ୍ଧର କୁପରିଣାମ କେବଳ ସେହି ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ବ ଉପରେ ଅଳ୍ପବହୁତେ ପଡ଼ୁଥିବାରୁ ଏହା ଯେତେ ଶୀଘ୍ର ବନ୍ଦ ହେବ, ସେତେ ମଙ୍ଗଳକର।

ବାସ୍ତବରେ ସାଙ୍ଘାଇ ସହଯୋଗ ସଂଗଠନ ପ୍ରାଥମିକ ଭାବେ ଏଇ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା ଯେ ଉଜବେକିସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ ଓ ତାଜିକିସ୍ତାନ ଭଳି ଇଉରେସୀୟ ଦେଶଗୁଡ଼ିକ ଗୋଟିଏ ସାମ୍ମୁଖ୍ୟରେ ଯୋଗ ଦେବେ। ପରେ ଏହାର ଲକ୍ଷ୍ୟ ରହିଲା ଏସୀୟ ଦେଶଗୁଡ଼ିକ ଆର୍ଥିକ ମାମଲାରେ ପାଶ୍ଚାତ୍ୟ ଦେଶ ଉପରେ ନିର୍ଭରଶୀଳ ହେବେ ନାହିଁ। ଏଥିରେ ଚୀନ ଓ ରୁଷ ନେତୃତ୍ବ ନେଉଥିବାବେଳେ ୨୦୧୭ରେ ଭାରତ ଓ ପାକିସ୍ତାନ ଯୋଗ ଦେଇଥିଲେ। ଏଥରର ସମ୍ମିଳନୀରେ ଭାରତ ଦୃଢ଼ ବାର୍ତ୍ତା ଦେବା ସହ ଆଗାମୀ ବର୍ଷେ ପର୍ଯ୍ୟନ୍ତ ସଂଗଠନର ଅଧ୍ୟକ୍ଷ ରହିବ। ତେଣୁ ଭାରତର ଭୂମିକା ମଧ୍ୟ ଆଗକୁ ମହତ୍ତ୍ବପୂର୍ଣ୍ଣ ହେବ। ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଉପସ୍ଥିତ ଥିଲେ ହେଁ ଶ୍ରୀ ମୋଦୀଙ୍କ ସହ ସେମାନଙ୍କର କୌଣସି ଆଲୋଚନା ହେଲାନାହିଁ। ପାକିସ୍ତାନ ଏ ବର୍ଷ ବନ୍ୟାରେ ଉବୁଟୁବୁ ହେଉଥିବା ସତ୍ତ୍ବେ ନେତୃତ୍ବର ଟାଣ ଭାଙ୍ଗି ନାହିଁ। ଭାରତ କିଛି ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ପଠାଇ ସେଠା ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲା; କିନ୍ତୁ ପାକିସ୍ତାନୀ ନେତୃବର୍ଗଙ୍କ ଖରାପ ରାଜନୀତିରୁ ତାହା ସମ୍ଭବ ହେଲା ନାହିଁ। ଏଥିରୁ ଉଭୟ ଦେଶ ଲଗାଲଗି ହୋଇ ରହିଥିଲେ ହେଁ ମାନସିକ ଭାବେ ବହୁ ଯୋଜନ ଦୂରରେ ରହିଛନ୍ତି, ତାହା ସହଜରେ ବୁଝିହୁଏ। ଏସୀୟ ରାଷ୍ଟ୍ରଗୁଡ଼ିକ ଯଦି ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗୀ ହୁଅନ୍ତେ ଏବଂ ପରସ୍ପର ସହିତ ବିବାଦ କରନ୍ତେ ନାହିଁ, ତେବେ ଏପରି ସଂଗଠନର ଅସଲ ଲକ୍ଷ୍ୟ ସାଧିତ ହୋଇପାରନ୍ତା।ସମରକନ୍ଦରୁ ଶାନ୍ତିସନ୍ଦେଶ

ଏସୀୟ ରାଷ୍ଟ୍ରଗୁଡ଼ିକ ଯଦି ବୃହତ୍ତର ସ୍ବାର୍ଥ ପାଇଁ ପରସ୍ପରର ସହଯୋଗୀ ହୁଅନ୍ତେ, ତେବେ ଏସ୍‌ସିଓ ପରି ସଂଗଠନର ଅସଲ ଲକ୍ଷ୍ୟ ସାଧିତ ହୋଇପାରନ୍ତା

ଗତ ସେପ୍ଟେମ୍ବର ୧୫ ଓ ୧୬ ଦୁଇଦିନ ଧରି ଉଜବେକିସ୍ତାନର ଐତିହାସିକ ସହର ସମରକନ୍ଦଠାରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରୁ ଯେଉଁ କେତେକ ବାର୍ତ୍ତା ଜନସମ୍ମୁଖକୁ ଆସିଛି, ସେଗୁଡ଼ିକ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଦୁଇ ବର୍ଷ ପରେ ଆୟୋଜିତ ଏହି ସମ୍ମିଳନୀରେ ତିନିଟି ପ୍ରମୁଖ ଦେଶ ଭାରତ, ଚୀନ ଓ ରୁଷର ପ୍ରମୁଖ ନେତା ଏକାଠି ହୋଇଥିଲେ, ଯେତେବେଳେ ରୁଷ-ୟୁକ୍ରେନ୍‌ ଯୁଦ୍ଧ, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଓ ଆର୍ଥିକ ଦୁରବସ୍ଥା କାରଣରୁ ବିଶ୍ବର ବହୁ ଦେଶର ଜନସାଧାରଣ ପୀଡ଼ିତ। ଭାରତ-ଚୀନ ମଧ୍ୟରେ ଦୀର୍ଘ ସମୟ ଧରି ସୀମା ବିବାଦ ଚାଲିଆସିଥିବାବେଳେ ନିକଟରେ ଲଦାଖର ବିବାଦୀୟ ଗୋଗ୍ରା-ହଟ୍‌ସ୍ପିଙ୍ଗ୍‌ ଅଞ୍ଚଳରୁ ଉଭୟ ଦେଶ ସୈନ୍ୟ ଅପସାରଣ କରିଛନ୍ତି। ଦ୍ବିପାକ୍ଷିକ ସାମରିକସ୍ତରୀୟ ଆଲୋଚନା ପରେ ଏହା ସମ୍ଭବ ହୋଇଛି। ଏହାପରେ କୁହାଯାଉଥିଲା ଯେ ଚୀନ ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମରକନ୍ଦରେ ସାକ୍ଷାତ ଆଲୋଚନା ହୋଇପାରେ; କିନ୍ତୁ ସେପରି କିଛି ହେଲାନାହିଁ। ଅବଶ୍ୟ ଆସନ୍ତା ବର୍ଷ ଏସ୍‌ସିଓ ସମ୍ମିଳନୀ ଭାରତ ଆୟୋଜନ କରିବାକୁ ଯାଉଥିବାରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁଭକାମନା ଜଣାଇଥିଲେ। କହିବା ବାହୁଲ୍ୟ ଯେ ଏହା ଏକ ସୌଜନ୍ୟମୂଳକ ବ୍ୟବହାର। ଦ୍ବିପାକ୍ଷିକ ସମସ୍ୟାଗୁଡ଼ିକ ବିଷୟରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଯଦି କିଛି ସକାରାତ୍ମକ ଆଲୋଚନା ହୋଇଥାନ୍ତା, ତେବେ ଦୁଇ ଦେଶକୁ ଭଲ ବାର୍ତ୍ତା ଯାଇଥାଆନ୍ତା। ଚୀନ ଓ ଭାରତ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ୟୁକ୍ରେନ୍‌ ଯୁଦ୍ଧକୁ ବନ୍ଦ କରିବାପାଇଁ ଯେପରି ସିଧାସଳଖ ଚାପ ପକାଇଛନ୍ତି, ତାହା ଏହି ସମ୍ମିଳନୀର ଅନ୍ୟତମ ମୁଖ୍ୟ ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବନାହିଁ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁଟିନଙ୍କୁ ‘ଆଜିର ଯୁଗ ଯୁଦ୍ଧର ଯୁଗ ନୁହେଁ ଏବଂ ଶାନ୍ତିର ପଥ ଆଡ଼କୁ ଅଗ୍ରସର ହେବା ପାଇଁ ଆମେ ଆଲୋଚନା କରିବା ଦରକାର’ ବୋଲି କହି ଶାନ୍ତିର ସନ୍ଦେଶ ଶୁଣାଇଛନ୍ତି। ଜିନପିଙ୍ଗ୍‌ ମଧ୍ୟ ସେହି ସମାନ ବାର୍ତ୍ତା ତାଙ୍କୁ ଦେଇଥିବା ପୁଟିନ ପ୍ରକାଶ କରିଛନ୍ତି। ତେଣୁ ଉଭୟ ବନ୍ଧୁରାଷ୍ଟ୍ରର ଏହି ବାର୍ତ୍ତାକୁ ପୁଟିନ କେବେ ଓ କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବା କଥା। ପ୍ରକୃତରେ ଅଳ୍ପଦିନ ଭିତରେ ଯୁଦ୍ଧରେ ପରାସ୍ତ କରି ୟୁକ୍ରେନ ଦଖଲ କରିପାରିବ ବୋଲି ରୁଷିଆ ଚିନ୍ତା କରିଥିଲାବେଳେ ସେହି ଯୋଜନା ପଣ୍ଡ ହୋଇଛି। ଦୀର୍ଘ ଦିନ ବିତିଯିବା ପରେ ଲକ୍ଷ୍ୟ ହାସଲ କରିବା ବଦଳରେ ରୁଷୀୟ ସେନା ପଛଘୁଞ୍ଚା ଦେଉଛନ୍ତି। ବର୍ତ୍ତମାନ ୟୁକ୍ରେନୀୟ ସୈନ୍ୟ ସେମାନଙ୍କୁ ଘଉଡ଼ାଇ ଦେବା ସହ ଗୋଟାଏ ପରେ ଗୋଟାଏ ସହରକୁ ରୁଷିଆ ନିୟନ୍ତ୍ରଣରୁ ମୁକ୍ତ କରୁଛନ୍ତି। ୟୁକ୍ରେନ ଯୁଦ୍ଧ ନିମନ୍ତେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆକୁ ତୀବ୍ର ସମାଲୋଚନା କରିଆସୁଥିବାବେଳେ ବର୍ତ୍ତମାନ ଦୁଇ ଏସୀୟ ମହାଶକ୍ତି ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେବାପରେ ପୁଟିନ ନିଶ୍ଚୟ ଚାପରେ ରହିବେ। କହିବା ନିଷ୍ପ୍ରୟୋଜନ ଯେ ରୁଷ-ୟୁକ୍ରେନ ଯୁଦ୍ଧର କୁପରିଣାମ କେବଳ ସେହି ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ବ ଉପରେ ଅଳ୍ପବହୁତେ ପଡ଼ୁଥିବାରୁ ଏହା ଯେତେ ଶୀଘ୍ର ବନ୍ଦ ହେବ, ସେତେ ମଙ୍ଗଳକର।

ବାସ୍ତବରେ ସାଙ୍ଘାଇ ସହଯୋଗ ସଂଗଠନ ପ୍ରାଥମିକ ଭାବେ ଏଇ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା ଯେ ଉଜବେକିସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ ଓ ତାଜିକିସ୍ତାନ ଭଳି ଇଉରେସୀୟ ଦେଶଗୁଡ଼ିକ ଗୋଟିଏ ସାମ୍ମୁଖ୍ୟରେ ଯୋଗ ଦେବେ। ପରେ ଏହାର ଲକ୍ଷ୍ୟ ରହିଲା ଏସୀୟ ଦେଶଗୁଡ଼ିକ ଆର୍ଥିକ ମାମଲାରେ ପାଶ୍ଚାତ୍ୟ ଦେଶ ଉପରେ ନିର୍ଭରଶୀଳ ହେବେ ନାହିଁ। ଏଥିରେ ଚୀନ ଓ ରୁଷ ନେତୃତ୍ବ ନେଉଥିବାବେଳେ ୨୦୧୭ରେ ଭାରତ ଓ ପାକିସ୍ତାନ ଯୋଗ ଦେଇଥିଲେ। ଏଥରର ସମ୍ମିଳନୀରେ ଭାରତ ଦୃଢ଼ ବାର୍ତ୍ତା ଦେବା ସହ ଆଗାମୀ ବର୍ଷେ ପର୍ଯ୍ୟନ୍ତ ସଂଗଠନର ଅଧ୍ୟକ୍ଷ ରହିବ। ତେଣୁ ଭାରତର ଭୂମିକା ମଧ୍ୟ ଆଗକୁ ମହତ୍ତ୍ବପୂର୍ଣ୍ଣ ହେବ। ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଉପସ୍ଥିତ ଥିଲେ ହେଁ ଶ୍ରୀ ମୋଦୀଙ୍କ ସହ ସେମାନଙ୍କର କୌଣସି ଆଲୋଚନା ହେଲାନାହିଁ। ପାକିସ୍ତାନ ଏ ବର୍ଷ ବନ୍ୟାରେ ଉବୁଟୁବୁ ହେଉଥିବା ସତ୍ତ୍ବେ ନେତୃତ୍ବର ଟାଣ ଭାଙ୍ଗି ନାହିଁ। ଭାରତ କିଛି ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ପଠାଇ ସେଠା ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲା; କିନ୍ତୁ ପାକିସ୍ତାନୀ ନେତୃବର୍ଗଙ୍କ ଖରାପ ରାଜନୀତିରୁ ତାହା ସମ୍ଭବ ହେଲା ନାହିଁ। ଏଥିରୁ ଉଭୟ ଦେଶ ଲଗାଲଗି ହୋଇ ରହିଥିଲେ ହେଁ ମାନସିକ ଭାବେ ବହୁ ଯୋଜନ ଦୂରରେ ରହିଛନ୍ତି, ତାହା ସହଜରେ ବୁଝିହୁଏ। ଏସୀୟ ରାଷ୍ଟ୍ରଗୁଡ଼ିକ ଯଦି ବୃହତ୍ତର ସ୍ବାର୍ଥ ପାଇଁ ସହଯୋଗୀ ହୁଅନ୍ତେ ଏବଂ ପରସ୍ପର ସହିତ ବିବାଦ କରନ୍ତେ ନାହିଁ, ତେବେ ଏପରି ସଂଗଠନର ଅସଲ ଲକ୍ଷ୍ୟ ସାଧିତ ହୋଇପାରନ୍ତା।

Comments are closed.