ଅଗ୍ରଗତି ନା ଅଧୋଗତି

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ କ୍ରମାଗତ ହ୍ରାସ ପାଇବା ଅତ୍ୟନ୍ତ ନୈରାଶ୍ୟଜନକ

ସମୟ ବଦଳିଛି। ଶିକ୍ଷା ଓ ସ୍ବାସ୍ଥ୍ୟକୁ ଏବେ ସମସ୍ତେ ଅଗ୍ରାଧିକାର ଦେଉଛନ୍ତି। ଯେ କୌଣସି ସରକାରଙ୍କ ପାଇଁ ଏହି ମୌଳିକ ସେବାକୁ ଅଗ୍ର ପ୍ରାଧାନ୍ୟ ଦେବା ଜରୁରୀ; ଅଥଚ ବଜେଟ ବ୍ୟବସ୍ଥାରେ ଏଥିପ୍ରତି ଯଥୋଚିତ ଧ୍ୟାନ ଦିଆଯାଉ ନ ଥିଲା। ତେବେ ଏହି ଧାରାରେ ପରିବର୍ତ୍ତନ ପରିଲକ୍ଷିତ ହେଲା ‘ଆପ୍‌’ ସରକାର ଦିଲ୍ଲୀରେ କ୍ଷମତାସୀନ ହେବା ପରେ। ଦିଲ୍ଲୀରେ ଆଉ ଯାହା ହେଉ ନ ହେଉ ଘରୋଇ ଶିକ୍ଷାନୁଷ୍ଠାନର ଦୌରାତ୍ମ୍ୟ ହ୍ରାସ ପାଇଛି। ସରକାରୀ ଶିକ୍ଷାନୁଷ୍ଠାନରେ ଅନୁରୂପ ସୁବିଧା ସୁଯୋଗ ମିଳିବା ସହ ପରୀକ୍ଷା ଫଳ ଅନ୍ୟମାନଙ୍କ ସହ ପ୍ରତିଯୋଗିତାପୂର୍ଣ୍ଣ ହେବାରୁ ଦିଲ୍ଲୀବାସୀ କ୍ରମେ ସେହି ଆଡ଼କୁ ମୁହଁାଇଲେ। ସେହିଭଳି ‘ମୋହଲ୍ଲା କ୍ଲିନିକ୍‌’ ଓ ଉପରକୁ ଉପର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ଡାକ୍ତରଖାନାରେ ଦିଲ୍ଲୀବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ସରକାର ସମସ୍ତଙ୍କ ଆସ୍ଥା ଓ ବିଶ୍ବାସ ଭାଜନ ହେଲେ। ଏ କଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ଏହି ଦୁଇଟି ମୁଖ୍ୟ ପ୍ରସଙ୍ଗକୁ କୌଣସି ଦଳ କିମ୍ବା ସରକାର ଆଉ ଅଣଦେଖା କରିବାକୁ ସାହସ କରୁନାହାନ୍ତି। ଜାତୀୟ ରାଜନୈତିକ ଦୃଶ୍ୟପଟକୁ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରସଙ୍ଗ ପ୍ରଭାବିତ କରିଛି। ଆମେ ଏଠାକାର ସ୍ବାସ୍ଥ୍ୟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସଫଳତା ଓ ବିଫଳତା ସମ୍ପର୍କରେ ପର୍ଯ୍ୟାଲୋଚନା କରିବା। ନିକଟରେ ୨୦୧୮-୧୯ର ଜାତୀୟ ସ୍ବାସ୍ଥ୍ୟ ଖାତା ଆକଳନର ପରିସଂଖ୍ୟାନ ପ୍ରକାଶିତ ହୋଇଛି। ଏହି ରିପୋର୍ଟର ଗୋଟିଏ ଭଲ ଦିଗ ହେଲା, ରୋଗୀମାନେ ନିଜ ପକେଟରୁ ଚିକିତ୍ସା ବାବଦରେ କରୁଥିବା ଖର୍ଚ୍ଚ ହ୍ରାସ ପାଇଛି। ଏ କ୍ଷେତ୍ରରେ ଜାତୀୟ ପରିସଂଖ୍ୟାନ କହୁଛି ପ୍ରତି ଶହେ ଟଙ୍କାରେ ୪୮ ଟଙ୍କା ୨୦ପଇସା ରୋଗୀ ନିଜ ହାତରୁ ଗଣୁଛି।

ସରକାରଙ୍କ ସ୍ବାସ୍ଥ୍ୟନୀତି ସମ୍ପର୍କରେ ଆଲୋଚନା କଲାବେଳେ, ଆମେ ନିଶ୍ଚୟ ସ୍ବୀକାର କରିବା ଯେ ସ୍ବାସ୍ଥ୍ୟରକ୍ଷା ଓ ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ସଚେତନତା ବଢ଼ିଛି। ସେହିଭଳି ସ୍ବାସ୍ଥ୍ୟବୀମାର ସୁଯୋଗ ନେବା ପାଇଁ ଥିଲାବାଲାଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଥିବାବେଳେ ଦରିଦ୍ର ବା ନିମ୍ନ ଆୟକାରୀଙ୍କ ସକାଶେ ସରକାର ନିଜ ପକ୍ଷରୁ ଅନୁରୂପ ସୁବିଧା ଯୋଗାଇ ଦେଇଛନ୍ତି। ବଡ଼ ଧରଣର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାରେ ଏହା ସହାୟକ ହୋଇଛି। ସ୍ବାସ୍ଥ୍ୟ ଖର୍ଚ୍ଚର ବ୍ୟୟ ଭାର ବୀମା କମ୍ପାନୀ ବା ସରକାରୀ ବ୍ୟବସ୍ଥା ବହନ କରିବା ଫଳରେ ରୋଗୀ ନିଜ ପକେଟରୁ ମାତ୍ର ୪୮.୨ ପ୍ରତିଶତ ଦେଉଛି। ଉତ୍ତରପ୍ରଦେଶରେ ଏହି ହାର ସର୍ବାଧିକ ୭୧.୩ ପ୍ରତିଶତ ହୋଇଥିବାବେଳେ ଆମ ରାଜ୍ୟ ଓଡ଼ିଶାରେ ୫୩.୨ ପ୍ରତିଶତ। ତେବେ କର୍ଣ୍ଣାଟକରେ ଏହି ହାର ସବୁଠାରୁ କମ୍‌ ୩୩.୩ ପ୍ରତିଶତ ରହିଛି। ସେହିଭଳି ମୁଣ୍ଡପିଛା ସ୍ବାସ୍ଥ୍ୟ ଖର୍ଚ୍ଚ ୨୦୦୪-୦୫ରେ ୨,୦୬୭ ଟଙ୍କା ଥିବାବେଳେ ତାହା ୨୦୧୮-୧୯ରେ ୩,୩୧୪ ଟଙ୍କାକୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ୨୦୦୪-୦୫ ତୁଳନାରେ ୨୦୧୮-୧୯ରେ ହ୍ରାସ ପାଇଛି। ଏହି ହାର ଜିଡିପିର ୪.୨% ଥିଲାବେଳେ ତାହା ୩.୨% ହ୍ରାସ ପାଇବା ନୈରାଶ୍ୟଜନକ। କିନ୍ତୁ ସରକାରୀ ବ୍ୟୟଭାର ଏହି ସମୟରେ ୨୨.୫%ରୁ ୪୦.୬%କୁ ବୃଦ୍ଧିପାଇଛି; କାରଣ ଏଥିରେ ରହିଛି ଆୟୁଷ୍ମାନ ଭାରତ ବୀମା ଯୋଜନା ଓ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା। ତେବେ ରୋଗୀଙ୍କୁ ହାତପାଆନ୍ତାରେ ଚିକିତ୍ସା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇବା କ୍ଷେତ୍ରରେ ଯେଉଁ ମୌଳିକ ସୁବିଧା ସୁଯୋଗ ସୃଷ୍ଟି ହେବା କଥା ତାହା ହୋଇପାରି ନାହିଁ। ଦୁଇବର୍ଷ ଧରି କୋଭିଡ୍‌ ଅତିମାରୀବେଳେ ଚିକିତ୍ସା ଅଭାବରୁ ଲୋକେ ପୋକମାଛି ଭଳି ମରିବା ଘଟଣାକୁ ଏଡ଼ାଇ ଦେଇ ହେବ ନାହିଁ। ଅମ୍ଳଜାନ, ଆଇସିୟୁ ଓ ଭେଣ୍ଟିଲେଟର ଭଳି ସୁବିଧାର ଅନୁପଲବ୍ଧତା ଆଦୌ କ୍ଷମଣୀୟ ନୁହେଁ। ସମୟ ସହ ତାଳ ଦେଇ ଦେଶର ୧୩୦ କୋଟି ଅଧିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସକାଶେ ଆମେ ସ୍ବାସ୍ଥ୍ୟ ସଂରଚନା କ୍ଷେତ୍ରକୁ ବିକଶିତ କରିପାରି ନାହୁଁ। ୨୦୨୪ ସାଧାରଣ ନିର୍ବାଚନ ସକାଶେ ପ୍ରସ୍ତୁତ ହେଉଥିବା କ୍ଷମତାସୀନ ସରକାର ଓ କ୍ଷମତାକଂାକ୍ଷୀ ଦଳ ପାଇଁ ଏହି ପ୍ରସଙ୍ଗ ଘେନି ପୂରା ରୂପରେଖ ପ୍ରସ୍ତୁତ କରି ଜନସାଧାରଣଙ୍କ ସମ୍ମୁଖୀନ ହେବାକୁ ପଡ଼ିବ।

ଜାତୀୟ ସ୍ବାସ୍ଥ୍ୟନୀତି ଓ ଉପଲବ୍ଧ ସ୍ବାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କଲାବେଳେ ଆମ ରାଜ୍ୟ ପରିସ୍ଥିତି ସେମିତି ସମ୍ଭାବନାମୟ ନୁହେଁ ବୋଲି ନିରାସକ୍ତଭାବେ ମତ ଦିଆଯାଇପାରେ। ରାଜ୍ୟର କେବଳ ଅଗମ୍ୟ ଅଞ୍ଚଳ ନୁହେଁ, ଜିଲା ସଦର ମହକୁମାଗୁଡ଼ିକର ନାକତଳେ ମଧ୍ୟ ସର୍ବନିମ୍ନ ଚିକିତ୍ସା ସୁବିଧା ଯୋଗାଇବାକୁ ଡାକ୍ତର ନାହାନ୍ତି। ଏମିତି ବହୁ ଅଞ୍ଚଳ ଅଛି ଯେଉଁଠି ଗୁରୁତର ରୋଗୀଙ୍କୁ ଚିକିତ୍ସା କେନ୍ଦ୍ରକୁ ଅଣାଯାଇପାରୁନି। ମରିଯାଉଥିବା ରୋଗୀଙ୍କ ସମ୍ପର୍କରେ କିଛି ମତାମତ ନ ଦେବା ଭଲ। ତେବେ ଆଗକୁ ସମୟ ବଦଳିବ ବୋଲି ଆଶା କରାଯାଇପାରେ। ନୂଆ ମେଡିକାଲ କଲେଜ ଖୋଲୁଛି; ସେଗୁଡ଼ିକର ସୁପରିଚାଳନା ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଉଛି। କିନ୍ତୁ ଆମକୁ ଏଠାରେ ସ୍ବୀକାର କରିବାକୁ ପଡ଼ିବ ଯେ ରାଜ୍ୟବାସୀ ଏ ପର୍ଯ୍ୟନ୍ତ ନିର୍ଭର କରିଆସୁଥିବା ତିନିଟି ମେଡିକାଲ କ​‌େ​‌ଲଜ କ୍ରମେ ଅସୁସ୍ଥ ହୋଇପଡୁଥିବାର ଲକ୍ଷ୍ୟ କରାଯାଉଛି। ଏହା ପରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅଗ୍ରଗତି ନା ଅଧୋଗତି ହୋଇଛି ସେ ସମ୍ପର୍କରେ ମତାମତ ଦେବା ଅନାବଶ୍ୟକ।

Comments are closed.