ମେଣ୍ଟ ଅଭିଳାଷ

ଆପଣା ସ୍ବାର୍ଥରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦେଉଥିବା ରାଜନୈତିକ ଦଳଗୁଡ଼ିକ ଯେ ଏକାଠି ହୋଇ ଶେଷ ପର୍ଯ୍ୟନ୍ତ ଲଢ଼ିବେ, ସେ ନେଇ ସନ୍ଦେହ ବଳବତ୍ତର

ଗତ ମାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେତେବେ​‌େ​‌ଳ ଭାରତୀୟ ଜନତା ପାର୍ଟି(ବିଜେପି) ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ପରିତ୍ୟାଗ କରି ସାତଟି ଦଳକୁ ନେଇ ଗଢ଼ାଯାଇଥିବା ମହାମେଣ୍ଟରେ ପୁଣିଥରେ ଯୋଗ ଦେଲେ, ସେତେବେଳେ ତାଙ୍କ ରାଜନୈତିକ ଚରିତ୍ରକୁ ଜାଣିଥିବା ଲୋକେ ଆଦୌ ଆଶ୍ଚର୍ଯ୍ୟ ହୋଇନଥିଲେ। କେବଳ ପଟ ପରିବର୍ତ୍ତନ କରିବାରେ ସେ ଓସ୍ତାଦ ନୁହନ୍ତି, ରାଜନୈତିକ ପାଣିପାଗ ଦେଖି ନିଷ୍ପତ୍ତି ନେବାରେ ମଧ୍ୟ ସେ ପାରଙ୍ଗମ। ବିଡ଼ମ୍ବନା ହୋଇଥିଲେ ମଧ୍ୟ ଏହା ସତ ଯେ ନୀତୀଶ ହୁଅନ୍ତୁ ବା ଅନ୍ୟ ରାଜନେତା, ନୈତିକତାବିହୀନ ରାଜନୀତି ସମାଜରେ ଆପାତତଃ ଗ୍ରହଣୀୟ ହୋଇଯିବାପରେ ଦଳବଦଳ ବା ପଟ ପରିବର୍ତ୍ତନକୁ ଆଉ ଦୋଷାବହ ବୋଲି ଭାବୁନାହାନ୍ତି। ଅନ୍ୟପକ୍ଷରେ ଯଦି ସେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ବିଜେପି-ବିରୋଧୀଙ୍କୁ ଏକତ୍ର କରାଇ ଏକ ଜାତୀୟ ମହାମେଣ୍ଟ ଗଢ଼ିପାରିଲେ, ତେବେ ତାହା ତାଙ୍କପାଇଁ କମ୍‌ ବଡ଼ ଉପଲବ୍ଧି ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ହିଁ ଗତ କିଛି ଦିନ ଧରି ସେ କସରତ ଜାରି ରଖିଛନ୍ତି, ତାହା ବୁଝିବା କଷ୍ଟ ନୁହେଁ। ଇତିମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ଭେଟିବା ପରେ ଦିଲ୍ଲୀ ଯାଇ ପ୍ରମୁଖ ବିରୋଧୀ ଦଳର ନେତାଙ୍କ ସହିତ ସେ ସାକ୍ଷାତ-ଆଲୋଚନା କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ନ୍ୟାସନାଲିଷ୍ଟ୍‌ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଶରଦ ପୱାର, ସିପିଏମ୍‌ର ସୀତାରାମ ୟେଚୁରି, ସିପିଆଇର ଡି. ରାଜା, ସିପିଆଇ(ଏମ୍‌ଏଲ୍‌)ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସମାଜବାଦୀ ପାର୍ଟି ନେତା ମୁଲାୟମ ଓ ଅଖିଳେଶ ସିଂହ ଯାଦବ, ରାଷ୍ଟ୍ରୀୟ ଲୋକ ଦଳ ନେତା ଓମ୍‌ ପ୍ରକାଶ ଚୌତାଲା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବିହାର ଆଗମନ ଅବସରରେ ତାଙ୍କ ସହିତ ମଧ୍ୟ ସେ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଓ ଅନ୍ୟ ଅଣ-ବିଜେପି ନେତୃବର୍ଗଙ୍କୁ ନୀତୀଶ ଭେଟିବାର କାର୍ଯ୍ୟକ୍ରମ ରହିଛି। ନୀତୀଶ ସ୍ପଷ୍ଟ କରିଛନ୍ତି ଯେ ସେ ଯେଉଁ ବିଜେପି-ବିରୋଧୀ ବୃହତ୍‌ ମେଣ୍ଟର ସ୍ବପ୍ନ ଦେଖୁଛନ୍ତି, ତାହା ‘ତୃତୀୟ ସାମ୍ମୁଖ୍ୟ’ ନୁହେଁ, ବରଂ ‘ମୁଖ୍ୟ ସାମ୍ମୁଖ୍ୟ’। ଏପରି କହି ସେ ପ୍ରତ୍ୟେକ ଅଣ-ବିଜେପି ଦଳକୁ ସମ୍ଭାବ୍ୟ ମହାମେଣ୍ଟରେ ଅନ୍ତର୍ଭୁକ୍ତ କରିବାର ସଙ୍କେତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମମତା, କେଜରିୱାଲ ଓ କେସିଆର୍‌ଙ୍କ ପରି ନୀତୀଶ ବିରୋଧୀ ମହାମେଣ୍ଟର ନେତା ବା ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପଦର ଆଶାୟୀ ଭାବେ ନିଜର ଉଚ୍ଚାଭିଳାଷକୁ ଉପସ୍ଥାପିତ କରିବାକୁ ଚାହିନାହାନ୍ତି; ଯଦିଚ ଏହା ରହିବା ଆଦୌ ଅସ୍ବାଭାବିକ ନୁହେଁ।

ତେବେ ଆପଣା ସ୍ବାର୍ଥରକ୍ଷାକୁ ଅଗ୍ରପ୍ରାଧାନ୍ୟ ଦେଉଥିବା ରାଜନୈତିକ ଦଳଗୁଡ଼ିକ ଏକ ବୃହତ୍ତର ସ୍ବାର୍ଥ ପାଇଁ ସଭିଏଁ ଏକାଠି ହୋଇ ଶେଷପର୍ଯ୍ୟନ୍ତ ଲଢ଼ିବେ, ଏ ନେଇ ଏବେ ବି ସନ୍ଦେହ ବଳବତ୍ତର। ବିଜେପି ପରି ବୃହତ୍‌ ଶକ୍ତିକୁ ହରାଇବାକୁ ହେଲେ କଂଗ୍ରେସକୁ ବିରୋଧୀ ମେଣ୍ଟରେ ରଖିବା ଅନିବାର୍ଯ୍ୟ ବୋଲି ଶରଦ ପୱାର କହୁଥିବାବେଳେ କେସିଆର୍‌ ଓ ମମତା ବାନାର୍ଜୀ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ବ ବଜାୟ ରଖିବାକୁ ଚାହାନ୍ତି। ବିହାରରେ ତାଙ୍କ ସରକାରକୁ କଂଗ୍ରେସ ସମର୍ଥନ ଯୋଗାଉଥିବା ଦୃଷ୍ଟିରୁ ନୀତୀଶ ମଧ୍ୟ ଏଥିରେ ସମ୍ମତ ହୋଇନପାରନ୍ତି। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ବିରୋଧୀ ନେତା ଭାବେ ପୂର୍ବରୁ ଯେଉଁମାନେ ନିଜକୁ ସଫଳ ପ୍ରମାଣିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ମମତା ବାନାର୍ଜୀ ଓ ଅରବିନ୍ଦ କେଜରିୱାଲ। ପ୍ରକୃତରେ ଗତ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୯ ଜାନୁଆରୀରେ ମମତା ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଏକତ୍ର କରି କଲକାତାରେ ଏକ ବିରାଟ ରାଲି ଆୟୋଜନ କରିଥିଲେ। ପରେ ବିରୋଧୀ ମେଣ୍ଟ ଗଠନ ଉଦ୍ଦେଶ୍ୟରେ ସେ ଜୁଲାଇ ୨୦୨୧ରେ ସୋନିଆ ଓ ରାହୁଳ ଗାନ୍ଧୀ ଏବଂ ଏପ୍ରିଲ ୨୦୨୨ରେ ଅରବିନ୍ଦ କେଜରିୱାଲଙ୍କୁ ସାକ୍ଷାତ କରିଥିଲେ। ମମତାଙ୍କ ଉଚ୍ଚାଭିଳାଷ ସମ୍ପର୍କରେ କାହାକୁ ଅଛପା ନାହିଁ। ତେଣୁ ପ୍ରତ୍ୟେକ ପ୍ରମୁଖ ନେତା ବ୍ୟକ୍ତିଗତ ଉଚ୍ଚାକାଙ୍କ୍ଷା ନଛାଡ଼ିବା ପର୍ଯ୍ୟନ୍ତ ମହାମେଣ୍ଟର ସଫଳତା ସର୍ବଦା ସଂଶୟାଚ୍ଛନ୍ନ ହୋଇ ରହିବ। ଅପରପକ୍ଷେ, ବିଜେପିର ବିରୋଧୀ ଦଳ ଭାବେ ଓଡ଼ିଶାର ବିଜୁ ଜନତା ଦଳ ଓ ତା’ର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସହିତ ମଧ୍ୟ ନୀତୀଶ ମେଣ୍ଟ ନେଇ ଆଲୋଚନା କରିପାରନ୍ତି। ଅବଶ୍ୟ ଏ ପରିପ୍ରେକ୍ଷୀରେ ନବୀନ ତାଙ୍କ ପୁରୁଣା କୌଶଳ ‘ସମଦୂରତ୍ବ’କୁ ଦୋହରାଇବାର ସମ୍ଭାବନା ବେଶି; କାରଣ ତାଙ୍କର ସେପରି କୌଣସି ବ୍ୟକ୍ତିଗତ ଜାତୀୟ ଉଚ୍ଚାଭିଳାଷ ନାହିଁ କିମ୍ବା ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଇଁ ସେପରି କୌଣସି ବଡ଼ ବିରୋଧୀ ଆହ୍ବାନ ନାହିଁ। ସର୍ବୋପରି, କୌଣସି ପ୍ରାକ୍-ନିର୍ବାଚନ ମେଣ୍ଟରେ ତାଙ୍କ ଦଳ ଯୋଗ ଦେଇ ସେପରି ଲାଭ ପାଇବାର ସମ୍ଭାବନା ନାହିଁ। ଏପରି କରି ମୋଦୀଙ୍କର ବିରାଗଭାଜନ ହେବାକୁ ମଧ୍ୟ ନବୀନ ଚାହିନପାରନ୍ତି। ତେବେ କହିବା ନିଷ୍ପ୍ରୟୋଜନ ଯେ, ୨୦୨୪ ସାଧାରଣ ନିର୍ବାଚନକୁ ଆଉ ଦେଢ଼ବର୍ଷ ବାକି ଥିବାବେଳେ ବର୍ତ୍ତମାନ ରାଜନୈତିକ କଳ-ବଳ-କୌଶଳରେ ଶ୍ରେଷ୍ଠ ମନେହେଉଥିବା ବିଜେପିକୁ ପରାଜିତ କରିବାକୁ ହେଲେ ବିରୋଧୀ ଦଳଗୁଡ଼ିକ କେବଳ ଏକଜୁଟ ହେଲେ ହେବନାହିଁ, ସେମାନଙ୍କୁ ମଇଦାନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

Comments are closed.