ରାଗିଂ ରୋଗ

ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ନିର୍ଯାତିତ ହେବା କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବଦା ପ୍ରଥମ ପାଞ୍ଚଟି ସ୍ଥାନରେ ରହିବା ଆମପାଇଁ ଚିନ୍ତାର ବିଷୟ ହେବା ଉଚିତ

ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ବରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ବରିଷ୍ଠ ଛାତ୍ରୀଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିବା ଘଟନା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ। ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ହେତୁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିବାରୁ ଏହା ଯେ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇଥିବାବେଳେ ତାଙ୍କ ପକେଟରୁ ମିଳିଥିବା ‘ସୁଇସାଇଡ୍‌ ନୋଟ୍‌’ରୁ ରାଗିଂ ହିଁ ଏଥିପାଇଁ ଦାୟୀ ତାହା ଜଣାପଡ଼ୁଛି। ପ୍ରକୃତରେ ଏହା ଆମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ବ୍ୟବସ୍ଥାଗତ ତ୍ରୁଟି ଓ ଦୁର୍ବଳତାକୁ ପୁଣିଥରେ ପଦାରେ ପକାଇଦେଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ଅନୁଷ୍ଠାନରେ Ñଗିଂ ହେଉଥିବା କଥାକୁ ଅସ୍ବୀକାର କରିବା ସନ୍ଦେହଜନକ। କ୍ଷୋଭର କଥା ଯେ ଘଟନାର ତୃତୀୟ ଦିନ ସୁଦ୍ଧା ମଧ୍ୟ Ñଗିଂରେ ସଂପୃକ୍ତ ତିନିଜଣ ବରିଷ୍ଠ ଛାତ୍ରୀଙ୍କୁ ପୁଲିସ ଖୋଜି ପାଇନାହିଁ। ଏହି ଘଟନାରେ ଏକ ‘କୋଚିଙ୍ଗ୍‌ ସେଣ୍ଟର’ର ସଂପୃକ୍ତି ରହିଥିବା ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେଣୁ ଏହା ପଛରେ ଆଧୁନିକ ଶିକ୍ଷା ବ୍ୟବସାୟର କୁତ୍ସିତ କୌଶଳ ମଧ୍ୟ ରହିଥିବା ଅସମ୍ଭବ ନୁହେଁ। ପୁଲିସ ଠିକ୍‌ଭାବେ ତଦନ୍ତ କଲେ ହୁଏତ ଏହା ଆଗକୁ ଲୋକଲୋଚନକୁ ଆସିବ; କିନ୍ତୁ ଏପରି ଘଟନା ରାଜ୍ୟରେ ନୂଆ ନୁହେଁ। ବହୁ ଛାତ୍ରଛାତ୍ରୀ ଉପର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରାଗିଂ କବଳିତ ହୋଇ ଅତୀତରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ଧାରା ଏ ପର୍ଯ୍ୟନ୍ତ ବନ୍ଦ ହେଉନାହିଁ। ଏହା ପଛରେ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାଶାସନିକ ଓ ପରିଚାଳନାଗତ ତ୍ରୁଟି ରହୁଛି, ତାହା କହିବା ବାହୁଲ୍ୟ ମାତ୍ର।

ରାଗିଂ ବା ଅନ୍ୟକୁ ନିର୍ଯାତନା ଦେଇ ବିକୃତ ଆନନ୍ଦ ପାଇବା ଏପରି ଏକ ରୋଗିଣା ମାନସିକତା, ଯାହା ଯୁବଚପଳତା ସୁଲଭ ହେଲେ ମଧ୍ୟ ହିଂସା ଓ ଆପରାଧିକ ପ୍ରବୃତ୍ତିବିଶିଷ୍ଟ। ଏଥିରେ ବରିଷ୍ଠଙ୍କ ଦ୍ବାରା ନିର୍ଯାତିତ କନିଷ୍ଠ ଛାତ୍ରଛାତ୍ରୀଙ୍କର କେବଳ ଭବିଷ୍ୟତ ନଷ୍ଟ ହୁଏନି, ଅକାଳରେ ସେମାନଙ୍କର ପ୍ରାଣହାନି ଘଟେ। ତେଣୁ ଶିକ୍ଷାନୁଷ୍ଠାନରେ ହେଉ ବା ଅନ୍ୟ କୌଣସି ସ୍ଥାନରେ, ରାଗିଂକୁ ସର୍ବଦା ନିରୁତ୍ସାହିତ କରାଯିବା ଦରକାର। କୌଣସି ଶିକ୍ଷାନୁଷ୍ଠାନରେ ଏପରି ବାତାବରଣଟିଏ ହିଁ ସୃଷ୍ଟି ନହେବା ପରି ସମସ୍ତ ବ୍ୟବସ୍ଥା ରହିବା ଉଚିତ। ରାଗିଂ ରୋକିବାପାଇଁ ଦେଶ ଓ ରାଜ୍ୟରେ ଯେ କିଛି ନିୟମକାନୁନ ନାହିଁ, ସେପରି ନୁହେଁ। ସାଧାରଣ ହେଉ ବା ବୈଷୟିକ, ପ୍ରତ୍ୟେକ ମହାବିଦ୍ୟାଳୟରେ ‘ଆଣ୍ଟି-ରାଗିଂ ସେଲ୍‌’ (ରାଗିଂ ନିରୋଧୀ କେନ୍ଦ୍ର) ଖୋଲାଯିବାର ନିୟମ ରହିଛି; କିନ୍ତୁ ଅନେକ ମହାବିଦ୍ୟାଳୟରେ ଏପରି ସେଲ୍‌ ଖୋଲାଯାଇନାହିଁ କିମ୍ବା ଖୋଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ନିଷ୍କ୍ରିୟ।

ସର୍ବୋଚ୍ଚ ନ୍ୟାୟାଳୟ ଅନେକ ଥର ରାଗିଂକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହାବିଦ୍ୟାଳୟରେ ନାମଲେଖା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କଠାରୁ ରାଗିଂ-ବିରୋଧୀ ସତ୍ୟପାଠ ଗ୍ରହଣ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଆଉମଧ୍ୟ ମଝିରେମଝିରେ ଛାତ୍ରାବାସ/ଛାତ୍ରୀନିବାସରେ ରହୁଥିବା ନବାଗତ ଛାତ୍ରଛାତ୍ରୀଙ୍କୁ ‘ଆଣ୍ଟି-ରାଗିଂ ସେଲ୍‌’ କର୍ତ୍ତୃପକ୍ଷ ଭେଟି ସେମାନଙ୍କୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସୂଚନା ପୁସ୍ତିକା ଦେବାପାଇଁ କୁହାଯାଇଛି, ଯେଉଁଥିରେ ରାଗିଂନିରୋଧୀ ହେଲ୍‌ପ୍‌ଲାଇନ ନମ୍ବର ରହିଛି। ସେହିପରି ମହାବିଦ୍ୟାଳୟ ଓ ଛାତ୍ରାବାସର ସର୍ବସାଧାରଣ ସ୍ଥାନଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ ନିୟମ ଅଛି; କିନ୍ତୁ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଏସବୁ ବିଧିବ୍ୟବସ୍ଥାର ଉଲ୍ଲଙ୍ଘନ ହେଉଥିବା ଦେଖାଯାଉଛି। ଅସଲ କଥା ହେଲା ରାଗିଂ ଏକ ବିପଜ୍ଜନକ ପ୍ରାଣଘାତୀ କାର୍ଯ୍ୟ ହୋଇଥିବା ସତ୍ତ୍ବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଦେଖାଯାଏ ନାହିଁ। ପରିଣାମ ସ୍ବରୂପ ଗତ ତିନି ମାସ ଭିତରେ ଏଥିଯୋଗୁଁ ଦୁଇଜଣ ଅକାଳରେ ପ୍ରାଣ ହରାଇଛନ୍ତି।

ପରିତାପର ବିଷୟ ଯେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ନିର୍ଯାତିତ ହେବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ସର୍ବଦା ପ୍ରଥମ ପାଞ୍ଚଟି ସ୍ଥାନରେ ରହିଆସୁଛି। ଏହା ଖୋଦ୍‌ ୟୁଜିସିର ରାଗିଂ ନିରୋଧୀ ହେଲ୍‌ପ୍‌ଲାଇନର ତଥ୍ୟ। ଗତ ଦୁଇବର୍ଷ ମଧ୍ୟରେ ଶିକ୍ଷାନୁଷ୍ଠାନ ରାଗିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି। ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୬୦ଟି ରାଗିଂ ଅଭିଯୋଗ ହୋଇଛି। ୨୦୦୯ରୁ ୨୦୨୨, ଅର୍ଥାତ୍‌ ଗତ ତେର ବର୍ଷ ମଧ୍ୟରେ ରାଜ୍ୟରୁ ୬୦୨ଟି ରାଗିଂ ଘଟନା ପଞ୍ଜିକୃତ ହେବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ​‌େ​‌ହବା ଉଚିତ। ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟନା ନେଇ ରାଜ୍ୟ ମାନବାଧିକାର ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ଆସନ୍ତା ୧୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ମଧ୍ୟ ହଟ୍ଟଗୋଳ ଦେଖିବାକୁ ମିଳିଛି। ତେବେ ଏହି ଗୁରୁତର ପ୍ରସଙ୍ଗକୁ ନେଇ ଯାହାର ଗୁରୁ ଦାୟିତ୍ବ ରହିଛି, ସେହି ଉଚ୍ଚଶିକ୍ଷା ବିଭାଗ କରୁଛି କ’ଣ? ଦେଶର କେତେକ ରାଜ୍ୟରେ ‘ଆଣ୍ଟି ରାଗିଂ ଆକ୍ଟ’ (ରାଗିଂ ନିରୋଧୀ ଆଇନ) ରହିଥିବାବେଳେ ଓଡ଼ିଶାରେ ମଧ୍ୟ ଏପରି ଆଇନ ପ୍ରଣୟନ କରିବାକୁ ଯେଉଁ ଦାବି ଉଠିଛି, ସରକାର ସେ ନେଇ ବିଚାର କରନ୍ତୁ। ତେବେ ଆଇନ କରିଦେଲେ ତ ହେବନାହିଁ, ରାଗିଂ ରୋଗକୁ ନିର୍ମୂଳ କରିବାକୁ ହେଲେ ଶିକ୍ଷାନୁଷ୍ଠାନ ସହ ସମ୍ପୃକ୍ତ ସମସ୍ତଙ୍କୁ ପ୍ରଥମେ ସମ୍ବେଦନଶୀଳ ହେବାକୁ ପଡ଼ିବ। ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ।

Comments are closed.