ପତନ ଆସନ୍ନ

କ୍ଷମତା ରାଜନୀତିରେ ଅସ୍ଥିରତା ସୃଷ୍ଟି ହେଲେ ବିଧାନସଭାରେ ଶକ୍ତି ପରୀକ୍ଷା ହିଁ ସବୁଠାରୁ ଶ୍ରେଷ୍ଠ ପନ୍ଥା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରୀ ବାସଭବନ ‘ବର୍ଷା’ ତ୍ୟାଗ କରି ‘ମାତୋଶ୍ରୀ’କୁ ଫେରିବା ପରେ ମନେହେଉଛି ସେ ପରାଜୟ ନିଶ୍ଚିତ ଜାଣିସାରିଲେଣି। ଅନ୍ୟପକ୍ଷରେ କ୍ଷମତାସୀନ ମେଣ୍ଟ ‘ମହାବିକାଶ ଅାଘାଡି’ (ଏମ୍‌ଭିଏ)ରୁ ଶିବସେନା ଓହରିଯିବାକୁ ପ୍ରସ୍ତୁତ ଥିବା ସମ୍ପର୍କରେ ଯେଉଁ ବିବୃତି ଜାରି ହୋଇଛି ସେଥିପ୍ରତି ବିଶ୍ବାସ ଜନ୍ମାଇବା ପାଇଁ ସେ ଏ ପ୍ରକାର ନିଷ୍ପତ୍ତି ନେଇଥାଇପାରନ୍ତି। ରାଜନୀତିରେ ଛଳ, ବଳ ଓ କୌଶଳ କିଛି ନୂଆ କଥା ନୁହେଁ। ଶିବସେନାର ପ୍ରମୁଖ ନେତା ସଞ୍ଜୟ ରାଉତଙ୍କ ବିବୃତି ଓ ସରକାରଙ୍କ ପ୍ରତ୍ୟାବର୍ତ୍ତନ ପରେ ବିଦ୍ରୋହୀମାନେ ପୁଣି ନିଜ ଶିବିରକୁ ଫେରିବେ ବୋଲି ଆଶା କରାଯାଉଛି। ତେବେ ଉଦ୍ଧବଙ୍କ ମେଣ୍ଟ ସରକାର ଭୁଶୁଡ଼ି ପଡ଼ିବା ଏକ ପ୍ରକାର ନିଶ୍ଚିତ। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୦୬ ଜଣିଆ ବିଜେପି ବିଧାୟକ ଦଳ ସର୍ବବୃହତ୍‌ ହୋଇଥିଲେ ମଧ୍ୟ କ୍ଷମତାକୁ ହାତପାଆନ୍ତାରେ ଧରି ମଧ୍ୟ ପୁଣି ହାତରୁ ଖସିଯିବା ଭଳି ଅପମାନ ଦଳ ଏତେ ସହଜରେ ହଜମ କରିପାରିନି। ଏଥିପୂର୍ବରୁ ଏମ୍‌ଭିଏ ସରକାରକୁ ଭାଙ୍ଗିବା ପାଇଁ ହୋଇଥିବା ଦୁଇଟି ପ୍ରୟାସ ବିଫଳ ହୋଇଥିଲେ ହେଁ ବିଜେପି ଆଶା ହରାଇନି। ଏଠାରେ ସୂଚନାଯୋଗ୍ୟ କି ରାଜ୍ୟ ବିଧାନ ପରିଷଦ ଓ ରାଜ୍ୟସଭା ନିର୍ବାଚନ ବେଳେ ମେଣ୍ଟର କିଛି ସଦସ୍ୟ କ୍ରସଭୋଟିଂ ମାଧ୍ୟମରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ଯେଉଁ ସହାୟତା କରିଥିଲେ ସେଥିରୁ ଅନୁମାନ କରାଯାଉଥିଲା ଆଗକୁ କିଛି ଘଟିବାକୁ ଯାଉଛି। ସମର୍ଥନର ଆଧାରଶିଳା ତୁଟିବା ଆରମ୍ଭ କରିବାବେଳୁ ଉଦ୍ଧବଙ୍କ ଗୋଷ୍ଠୀ ସଜାଗ ହେବାର ଥିଲା। ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ଶିନ୍ଦେଙ୍କ ନେତୃତ୍ବରେ ଶିବସେନାର ୩୭ ସଦସ୍ୟ ଗୁଆହାଟୀର ପଞ୍ଚତାରକା ହୋଟେଲରେ ଅବସ୍ଥାନ କରୁଛନ୍ତି। ଦଳ ବଦଳ ଆଇନର କଟକଣାକୁ ଏଡ଼ାଇ ଯିବା ସକାଶେ ଯେଉଁ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ସେହି ସଂଖ୍ୟା ଏବେ ଶିନ୍ଦେଙ୍କ ହାତରେ ଅଛି। ୫୫ ସଦସ୍ୟ ବିଶିଷ୍ଟ ଶିବସେନା ବିଧାୟକ ଦଳର ୩୭ଜଣ ବିଦ୍ରୋହ କରିଥିବାରୁ ଉଦ୍ଧବଙ୍କ ନିକଟରେ ଆଉ ଯେ ଦଳ ଅଛି ଏ କଥା କୁହାଯାଇନପାରେ। ଏଭଳି ପରିସ୍ଥିତିରେ ପ୍ରତ୍ୟାବର୍ତ୍ତନର ସୁଯୋଗ ନାହିଁ କହିଲେ ଚଳେ।

ଶିବସେନାରେ ଏ ପ୍ରକାର ବିଦ୍ରୋହ ପାଇଁ ଉଦ୍ଧବ ଓ ପୁତ୍ର ଆଦିତ୍ୟଙ୍କ ଅହଙ୍କାର ଅନେକାଂଶରେ ଦାୟୀ। ଦଳୀୟ ମନ୍ତ୍ରୀ ଓ ବିଧାୟକଙ୍କ ସହ ସମ୍ପର୍କ ଓ ଯୋଗାଯୋଗରେ ଉଦ୍ଧବ ରହୁନଥିବାରୁ ଅନେକଙ୍କ ମନରେ ଅସନ୍ତୋଷ ଓ କ୍ଷୋଭ ଦାନା ବାନ୍ଧିଥିଲା। ଏମିତିରେ ସୁବିଧା ଓ ସୁଯୋଗ ଅପେକ୍ଷାରେ ଥିବା ଉଚ୍ଚାକାଙ୍‌କ୍ଷୀ ଏକନାଥ ସେମାନଙ୍କୁ ନିଜ ଆଡ଼କୁ ଆଣିବାରେ ସମର୍ଥ ହୋଇଥିଲେ। ହେଲେ ଏହି ସଂଖ୍ୟା ଯେ ୩୭ରେ ପହଞ୍ଚିବ ଏ କଥା କେହି ଆଶା କରିନଥିଲେ। ସମର୍ଥନ ଯୋଗାଡ଼ରେ ଥିବା ବିଜେପି ଦାନା ଦେଇ ଜାଲ ବିଛାଇଥିଲା ଓ ଆଗପଛ ନ ବିଚାରି ସେମାନେ ଯେତେବେଳେ ଜାଲକୁ ଡେଇଁଲେ ତେଣିକି ବାଟ ଖୋଲିଗଲା। ଆଜିକାଲିର ରାଜନୀତି ଯାହା ଚାଲିଛି ସେଥିରେ ବିକ୍ରିଖରିଦର ଭାଉ ସମ୍ପର୍କରେ କିଛି ମତାମତ ନ ଦେବା ଭଲ। ଯଦି ଏହି ମେଣ୍ଟ ସରକାର ଭାଙ୍ଗିଯାଏ, ସେଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ କଂଗ୍ରେସ। ଦଳର ସାଂଗଠନିକ ସ୍ଥିତି ଯାହା ସେଥିରେ ମହାରାଷ୍ଟ୍ର ଭଳି ଏକ ପ୍ରଭାବୀ ରାଜ୍ୟରେ କଂଗ୍ରେସର ପତିଆରା ଓ ପ୍ରତିପତ୍ତି ସମ୍ପୂର୍ଣ୍ଣ ଧୋଇହୋଇଯିବ। ୪୪ଜଣିଆ ବିଧାୟକ ଦଳର ସଦସ୍ୟଙ୍କୁ ବିଜେପି ଓ ଏନ୍‌ସିପି ଭାଗ ବାଣ୍ଟିନେବା କିଛି ବିଚିତ୍ର ନୁହେଁ। ଶରଦ ପୱାରଙ୍କ ପ୍ରଭାବ, ପତିଆରା ଓ ନିୟନ୍ତ୍ରଣ ଅତୁଟ ଥିବା ପର୍ଯ୍ୟନ୍ତ ଏନ୍‌ସିପିରେ ସେଭଳି ବିଭ୍ରାଟ ଘଟିବାର ସମ୍ଭାବନା ନାହିଁ। ଅନ୍ୟପକ୍ଷରେ ବିଦ୍ରୋହ ଓ ବିଭାଜନର ନିକଟବର୍ତ୍ତୀ ଶିବସେନାରେ ଉଦ୍ଧବଙ୍କ କର୍ତ୍ତୃତ୍ବ ପ୍ରତି ସେଭଳି କୌଣସି ବିପଦ ନାହିଁ। ତୃଣମୂଳ ସ୍ତରରେ ନିର୍ବାଚନ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଶିବ ସୈନିକଙ୍କର ଏବେ ମଧ୍ୟ ତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ଅଛି। ରାଜ୍ୟ ବିଧାନସଭାରେ ବିଜେପି ବୃହତ୍ତମ ଦଳ ହୋଇଥିବାରୁ ୨୦୨୪ ନିର୍ବାଚନବେଳେ ଦଳ କ୍ଷମତାରେ ରହି ଭୋଟ ରାଜନୀତି ପରିଚାଳନା କରିବାକୁ ଚାହେଁ। ଶିନ୍ଦେଙ୍କ ବିଦ୍ରୋହ ଦଳ ପାଇଁ ଏହି ସୁଯୋଗ ସୃଷ୍ଟି କରିଛି।

ଏହି ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟପାଳ ବି.ଏସ୍‌. କୋଶିୟାରିଙ୍କ ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଧାନସଭା ଭାଙ୍ଗିଦେବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିପାରନ୍ତି। ବିକଳ୍ପ ସରକାର ଗଠନର ସୁଯୋଗ ନ ଥିଲେ ରାଜ୍ୟ ପୁନର୍ବାର ନିର୍ବାଚନର ସମ୍ମୁଖୀନ ହେବା ପୂର୍ବରୁ ସୀମିତ ସମୟ ପାଇଁ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ। ଅନ୍ୟପକ୍ଷରେ ଶିନ୍ଦେଙ୍କ ନେତୃତ୍ବରେ ଶିବସେନାର ବିଭାଜିତ ଗୋଷ୍ଠୀ ରାଜ୍ୟପାଳଙ୍କୁ ଭେଟି ବିଜେପି ସପକ୍ଷରେ ସମର୍ଥନ ଘୋଷଣା କରିପାରନ୍ତି। ଏ କ୍ଷେତ୍ରରେ ରାଜ୍ୟପାଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇପାରନ୍ତି। ଏବର ଶିବସେନା ସ୍ଥିତି ଯାହା ସେଥିରେ ବିଦ୍ରୋହୀଙ୍କୁ ସାଙ୍ଗରେ ନେଇ ବିଜେପି ସରକାର ଗଢ଼ିବା ସମ୍ଭାବନା ଅଧିକ। ସବୁ ଯୋଗବିଯୋଗ ମଧ୍ୟରେ ଶିନ୍ଦେ ଯଦି ଦଳବଦଳ ଆଇନର ଆକ୍ରୋଶରୁ ବର୍ତ୍ତି ନ ପାରିବେ ତେବେ ରାଜ୍ୟପାଳ ବିଜେପି ଓ ଶିବସେନା ବିଭାଜିତ ଗୋଷ୍ଠୀ ମଧ୍ୟରେ ବୁଝାମଣା ପାଇଁ ସୀମିତ ସମୟ ଦେବା ସକାଶେ ରାଷ୍ଟ୍ରପତି ଶାସନ ଜାରି କରିବା କିଛି ବିଚିତ୍ର ନୁହେଁ। ତେବେ କ୍ଷମତା ରାଜନୀତିରେ ଅସ୍ଥିରତା ସୃଷ୍ଟି ହେଲେ ବିଧାନସଭାରେ ଶକ୍ତି ପରୀକ୍ଷା ହିଁ ସବୁଠାରୁ ଶ୍ରେଷ୍ଠ ପନ୍ଥା। ସର୍ବୋଚ୍ଚ ନ୍ୟାୟାଳୟ ଏହି ପନ୍ଥାକୁ ଏକାଧିକବାର ସ୍ବୀକୃତି ପ୍ରଦାନ କରିଛନ୍ତି। ଏ ସବୁ ସତ୍ତ୍ବେ ନିର୍ଦ୍ଧାରିତ ନୀତି ଓ ପରମ୍ପରାକୁ କ୍ଷମତାର ଅହଂକାରରେ ବଳି ଚଢ଼ାଇବାକୁ ପଡ଼େ। ତଥାପି ଆଶା, ଯାହା ହେବ ନିଶ୍ଚୟ ଭଲ ହେବ।

Comments are closed.