ବିଦ୍ୟାଳୟ କାହିଁକି ବନ୍ଦ?

ବଜାର ଖୋଲା ଓ ସର୍ବସାଧାରଣ ସମାବେଶ ବାରଣ ନଥିବାବେଳେ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ କରିବା କେତେ ଯଥାର୍ଥ, ତାହା ସରକାର ଚିନ୍ତା କରନ୍ତୁ

ରାଜ୍ୟରେ କ୍ରମାଗତ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଠିକ୍‌ ସମୟରେ ଦଶମ ଓ ଦ୍ବାଦଶ ଶ୍ରେଣୀର ‘ଅଫ୍‌ଲାଇନ୍’ ପରୀକ୍ଷା ହେବ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ସେଥିପାଇଁ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଛନ୍ତି। କେବଳ ଓଡ଼ିଶା ନୁହେଁ, ଦେଶର ବହୁ ରାଜ୍ୟରୁ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇଚାଲିଛି। ବିଶେଷଜ୍ଞଙ୍କ ମତ ଯେ ଇତିମଧ୍ୟରେ ଦେଶରେ ତୃତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁସାରିଛି। ଏସବୁକୁ ଦୃଷ୍ଟିରେ ରଖି ଅନେକ ଶିକ୍ଷାବିତ୍‌ ଓ ବିଶେଷଜ୍ଞ ଶିକ୍ଷାନୁଷ୍ଠାନ ଖୋଲିବା ଉଚିତ ବୋଲି ଯେଉଁ ମତ ଦେଇଛନ୍ତି, ତାହା ଯଥାର୍ଥ ମନେହୁଏ। ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରମୁଖ ପରୀକ୍ଷା ଆଗକୁ ହେବାକୁ ଥିବାବେଳେ ବର୍ତ୍ତମାନ ମଧ୍ୟ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଯେଉଁଭଳି ପ୍ରସ୍ତୁତ ହେବା କଥା ବା ଶ୍ରେଣୀକକ୍ଷରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ପାଇବା କଥା, ସେଥିରୁ ସେମାନେ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଅବଶ୍ୟ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାର ଉଦ୍ୟମ ଆରମ୍ଭ କରିଥିଲେ; କିନ୍ତୁ ତୃତୀୟ ଲହରର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦେଖି ସେଗୁଡ଼ିକୁ ପୁନଃ ବନ୍ଦ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ। ତେବେ ବର୍ତ୍ତମାନ ସେହି ଅବସ୍ଥାରେ ଉନ୍ନତି ଘଟିଛି ଓ ଆଗକୁ ଆହୁରି ଅଧିକ ସୁଧୁରିବାର ସମ୍ଭାବନା ଦିଶୁଛି। ତେଣୁ ସରକାରଙ୍କୁ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ଚିନ୍ତା କରିବାକୁ ପଡ଼ିବ।

ବିଶେଷଜ୍ଞଙ୍କ ମତ ଏବଂ ପ୍ରତ୍ୟକ୍ଷ ଅନୁଭବରୁ ଜଣାଯାଉଛି ଯେ ବୟସ୍କମାନେ ଯେତିକି କରୋନା ଭୂତାଣୁ ସଂକ୍ରମଣପ୍ରବଣ, ଶିଶୁମାନେ ସେତିକି ନୁହନ୍ତି। ବର୍ତ୍ତମାନ ୧୫ରୁ ଊର୍ଦ୍ଧ୍ବ ବୟସର କିଶୋରକିଶୋରୀଙ୍କ ପାଇଁ ଟିକାଦାନ ଅଭିଯାନ ମଧ୍ୟ ଜାରି ରହିଛି। ପରିସଂଖ୍ୟାନ ଆଧାରିତ ତଥ୍ୟ ମଧ୍ୟ କହୁଛି ଯେ ଶିଶୁମାନେ କୋଭିଡରେ ସେତିକି ପରିମାଣରେ ଆକ୍ରାନ୍ତ ହେଉ ନାହାନ୍ତି, ଯାହାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି କୁହାଯାଇପାରିବ। ଏହା ସତ୍ତ୍ବେ ଓଡ଼ିଶା ସମେତ ଅନେକ ରାଜ୍ୟର ସରକାର ଶିକ୍ଷାକେନ୍ଦ୍ରଗୁଡ଼ିକୁ ବନ୍ଦ ରଖିଛନ୍ତି। ପରିତାପର ବିଷୟ ଯେ ଗୋଟିଏ ପଟେ ବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ ରଖିଥିବାବେଳେ ଶିକ୍ଷାନୁଷ୍ଠାନ ବାହାରେ ସବୁକିଛି ଖୋଲା। ଭୋଜନାଳୟଠୁ ଆରମ୍ଭ କରି ସପିଙ୍ଗ୍‌ ମଲ୍‌ ଯାଏଁ, ସବୁଥିରେ ଲୋକେ ଭିଡ଼ ଜମାଉଛନ୍ତି। ଧାର୍ମିକ, ରାଜନୈତିକ ଓ ଅନ୍ୟ ସମାବେଶଗୁଡ଼ିକରେ ଶହଶହ ଲୋକ ଏକାଠି ହେଉଛନ୍ତି। ବହୁ ଲୋକ କୋଭିଡ଼ ମାର୍ଗଦର୍ଶିକା ବା ସାଧାରଣ ନିୟମ ପାଳନ କରୁଥିବା ମଧ୍ୟ ଦେଖାଯାଉ ନାହିଁ। ସେସବୁ ସର୍ବସାଧାରଣ ସ୍ଥାନକୁ ପିଲାମାନେ ମଧ୍ୟ ଯାଉଛନ୍ତି। ତେଣୁ କେବଳ ବିଦ୍ୟାଳୟ ବନ୍ଦ କରିଦେଲେ ପିଲାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ବୋଲି ଯେଉଁ ଧାରଣା ରହିଛି, ତାହା ଭ୍ରମାତ୍ମକ ମନେହେଉଛି। ଏପରି ସମାବେଶର କେହି ବା ପରିବାରର କେହି ଯଦି ସଂକ୍ରମିତ ହୁଅନ୍ତି, ତେବେ ପିଲାଏ ମଧ୍ୟ ସେଥିରେ ସଂକ୍ରମିତ ହେବା ଆଶଙ୍କା ରହିଛି। ତେବେ ଆମ ପାଇଁ ଆଶ୍ବସ୍ତିର କଥା ଯେ ସେମାନେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସେତିକି ସଂକ୍ରମିତ ହେଉନାହାନ୍ତି। ଅତଏବ ଉପରୋକ୍ତ ଦୃଷ୍ଟିରୁ ବିଚାର କଲେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିବାର ଯଥାର୍ଥତା ନଥିବା କୁହାଯାଇପାରେ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦୀର୍ଘ ଦୁଇବର୍ଷ ଧରି ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ ଶିକ୍ଷା ହାସଲରୁ ବଞ୍ଚିତ ହେବାଦ୍ବାରା ସେମାନଙ୍କର କେତେ ଯେ କ୍ଷତି ଘଟିଛି, ତାହା ଅକଳନୀୟ। କେବଳ ଶୈକ୍ଷିକ ନୁହେଁ, ବରଂ ମାନସିକ, ଶାରୀରିକ ସମସ୍ତ ପ୍ରକାରର ବୋଝ ଏକାବେଳକେ ସେମାନଙ୍କ ଉପରେ ପଡ଼ିଛି, ଯାହା ସେମାନଙ୍କୁ ଅତ୍ୟନ୍ତ ଚାପଗ୍ରସ୍ତ କରି ରଖିଛି। ଅନ୍‌ଲାଇନରେ ଶିକ୍ଷା ଦିଆଯାଉଛି ବୋଲି ସରକାର କହୁଛନ୍ତି ସତ; କିନ୍ତୁ ଏହା ଯେ କେବଳ ଏକ କାମଚଳା ବ୍ୟବସ୍ଥା ତାହା ସମସ୍ତେ ଜାଣନ୍ତି। ଏକାଧିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବିଭିନ୍ନ କାରଣରୁ ଅଧାରୁ ଅଧିକ ଶିକ୍ଷାର୍ଥୀ ଅନ୍‌ଲାଇନ ପାଠପଢ଼ାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ଯେଉଁମାନେ ପାଠରେ ଦୁର୍ବଳ, ସେମାନଙ୍କ ଶିକ୍ଷା ଅବସ୍ଥା କ’ଣ ଥିବ ତାହା ସହଜେ ଅନୁମେୟ। ଅନ୍‌ଲାଇନ୍ ପାଠପଢ଼ା ବ୍ୟବସ୍ଥା ଡିଜିଟାଲ୍‌ ବିଭାଜନ ଜରିଆରେ ଯେଉଁ ଅଭୂତପୂର୍ବ ଶୈକ୍ଷିକ ଭେଦଭାବ ସୃଷ୍ଟି କରିଛି, ତା’ର କୁପରିଣତି ଅଚିନ୍ତନୀୟ ଓ ଉଦ୍‌ବେଗଜନକ। ଏଥିରୁ ପିଲାଙ୍କୁ ଉଦ୍ଧାର କରିବା ସହଜ ହେବ ନାହିଁ। ସର୍ବୋପରି, ଅନ୍‌ଲାଇନ ପାଠପଢ଼ା ଶ୍ରେଣୀଗୃହ ପାଠପଢ଼ାର ଯେ ବିକଳ୍ପ ନୁହେଁ, ଏବଂ ଏହାଦ୍ବାରା ପ୍ରକୃତ ଶିକ୍ଷାଦାନ ବା ଶିକ୍ଷାଗ୍ରହଣ ସମ୍ଭବ ନୁହେଁ, ତାହା ବୁଝିବା ପାଇଁ ଆଉ ବାକି ନାହିଁ। ବାସ୍ତବରେ ଦେଖିବାକୁ ଗଲେ ସମସ୍ତ ପ୍ରକାରର ଆଧୁନିକ ପ୍ରଯୁକ୍ତି ଓ ଯୋଗାଯୋଗ ବ୍ୟବସ୍ଥା ଥିବା ସତ୍ତ୍ବେ ଉନ୍ନତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାକୁ ଶ୍ରେଣୀଗୃହ ପାଠପଢ଼ାର ବିକଳ୍ପ ଭାବେ ଗ୍ରହଣ କରିପାରିନାହାନ୍ତି। ତେଣୁ ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ନିମନ୍ତେ ବିଦ୍ୟାଳୟ ଖୋଲିବା ଜରୁରୀ ହୋଇପଡ଼ିିଛି। ସର୍ବୋପରି, ପିଲାଙ୍କ ଶୈକ୍ଷିକ କ୍ଷତିର ଭରଣା କିପରି କରାଯିବ ଏବଂ କୋଭିଡ଼ ମାର୍ଗଦର୍ଶିକାର ଉଚିତ ଅନୁପାଳନ ସହ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ, ସେଥିପାଇଁ ସରକାର ବିଶେଷଜ୍ଞଙ୍କ ସହ ବସି ଯୋଜନା ପ୍ରସ୍ତୁତ କରନ୍ତୁ। ଏଥିରେ ଯେତେ ବିଳମ୍ବ ହେବ, ଛାତ୍ରଛାତ୍ରୀଙ୍କ କ୍ଷତିର ପରିମାଣ ସେତିକି ବଢ଼ିଚାଲିବ।

Comments are closed.