ପ୍ରଳୟମୁହାଁ ପରିବେଶ

ବ୍ୟାପକ ଚାରାରୋପଣ, ବୃଷ୍ଟିଜଳ ସଂରକ୍ଷଣ, ବିକଳ୍ପ ଶକ୍ତିର ସନ୍ଧାନ ଓ ନବୀକରଣ ଶକ୍ତି ପାଇଁ ଉପଯୁକ୍ତ ଯୋଜନା ହେବା ଦରକାର

ପରିବେଶ ସୁରକ୍ଷା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ର ବାୟୁ ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କରାଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ପରେ ସର୍ବୋଚ୍ଚ ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଜଳବାୟୁ ପରିବର୍ତ୍ତନ ଓ ମଣିଷର ଲଗାମଛଡ଼ା କାର୍ଯ୍ୟକଳାପ ପରିବେଶକୁ ଆଜି ଏଭଳି ଭାବରେ ପ୍ରଭାବିତ କରିଛି ଯେ ଆମ ପରିବେଶ ପ୍ରଳୟର କରାଳ ଗ୍ରାସ ଭିତରକୁ ପଶିଯିବାର ଆଶଙ୍କା ଦେଖାଦେଲାଣି। ଜଳବାୟୁ ପରିବର୍ତ୍ତନ ବିଶ୍ୱର ଏକ ପ୍ରମୁଖ ସମସ୍ୟା ଭାବରେ ବର୍ତ୍ତମାନ ଉଭା ହୋଇଛି ଓ ଏହାକୁ ନେଇ ବହୁ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉପଯୁକ୍ତ ବୁଝାମଣା ହୋଇପାରୁନାହିଁ।
ପୃଥିବୀର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼଼ିବାକୁ ଲାଗିଛି। ପ୍ରାୟ ୭୦୦ କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟାରେ ପହଞ୍ଚିଥିବା ବର୍ତ୍ତମାନର ପୃଥିବୀ ଏକବିଂଶ ଶତାବ୍ଦୀର ଶେଷ ପ୍ରାନ୍ତରେ ପ୍ରାୟ ୨୧୦୦ କୋଟିରେ ପହଞ୍ଚିବାର ଅନୁମାନ କରାଯାଏ। ଶିଳ୍ପକାରଖାନା ବିସ୍ତାର ପାଇଁ ଯେଉଁପରି ଭାବରେ କୋଇଲା ଓ ପେଟ୍ରୋଲିୟମ୍‍ – ପ୍ରାକୃତିକ ବାଷ୍ପ ବ୍ୟବହାର କରାଯାଉଛି ଓ ସହରୀକରଣ ପ୍ରତିଦ୍ୱନ୍ଦ୍ବିତା ଏବଂ ଖଣି ଖାଦାନ ଖୋଳାରେ ଯେତେ ଗଛ କଟାଯାଇ ବିସ୍ତୀର୍ଣ୍ଣ ଜଙ୍ଗଲ ସଫା ହେବା ସଙ୍ଗେ ସଙ୍ଗେ ପାହାଡ଼-ପର୍ବତ ଲଣ୍ଡା ହୋଇଯାଉଛି ତାହା ଦ୍ୱାରା ସବୁଜ ବାଷ୍ପ ‘ଗ୍ରୀନ୍‍ହାଉସ୍‌ ଗ୍ୟାସ୍‍’ର ପରିମାଣ ବାୟୁମଣ୍ଡଳରେ ବୃଦ୍ଧି ପାଇ ଧରିତ୍ରୀ ପୃଷ୍ଠକୁ ଯେ ଅଧିକମାତ୍ରାରେ ଉତ୍ତପ୍ତ କରିବ ଓ ପାଣିପାଗରେ ଅଚାନକ ପରିବର୍ତ୍ତନ ଘଟାଇ ପରିବେଶରେ ଅଭାବନୀୟ କ୍ଷତି ଆଣି ପହଞ୍ଚାଇବ ତାହା ଜଳଜଳ ହୋଇ ଦିଶିଲାଣି। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଆମର ପଦକ୍ଷେପ ଯଥେଷ୍ଟ ହେଉନାହିଁ ବୋଲି ମନେହୁଏ। ଧରିତ୍ରୀ ପୃଷ୍ଠର ବାୟୁମଣ୍ଡଳ ସହିତ ସାଗର-ମହାସାଗରର ତାପମାତ୍ରା ବଢ଼଼ିବା ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟି ଯେପରି ଭାବରେ ପ୍ରାକୃତିକ ବିପର୍ଯ୍ୟୟ ବଢ଼଼ି ଚାଲିଲାଣି ଓ ପରିବେଶ ଛିନ୍‍ଛତ୍ର ହେବାକୁ ବସିଲାଣି, ସେ ନେଇ ସାରା ବିଶ୍ୱ ଆଜି ଉଦ୍‍ବିଗ୍ନ। ନିକଟରେ ଆମେରିକାର ୬ଟି ପ୍ରଦେଶରେ ଭୟାନକ ଘୂର୍ଣ୍ଣିଝଡ଼ ଯୋଗୁଁ ଯେଉଁ ବିତ୍ପାତ ସୃଷ୍ଟି ହେଲା, ସେଥିରେ ଧନଜୀବନ ଯାହା ନଷ୍ଟ ହେଲା ତାହା ଜଳବାୟୁ ପରିବର୍ତ୍ତନର ପରିଣାମ ଉପରେ ଯେ ଏକ ଚେତାବନୀ ତା ନିଃସନ୍ଦେହରେ କୁହାଯାଇପାରେ। କିଛିବର୍ଷ ପୂର୍ବେ ଉତ୍ତରାଖଣ୍ଡର କେଦାରନାଥରେ ବରଫଝଡ଼ ବହିଥିଲା। ସେହି କେଦାରନାଥଠାରେ ୨୦୧୩ ମସିହା ଜୁନ୍‍ ମାସରେ ବାଦଲଫଟା ବର୍ଷା ହୋଇ ଚତୁର୍ଦ୍ଦିଗ ଜଳାର୍ଣ୍ଣବ ହୋଇ ପ୍ରଳୟ ସୃଷ୍ଟି କରିଥିଲା। ତାକୁ ଦେଖିଲେ ପରିବେଶ ଯେ ପ୍ରଳୟମୁହାଁ ହେଉଛି ତାହା ସହଜରେ ବୁଝିହୁଏ। ନିକଟରେ କର୍ଣ୍ଣାଟକ, ତାମିଲନାଡୁ ଓ ମୁମ୍ବଇରେ ବାଦଲଫଟା ବର୍ଷାର ଦୃଶ୍ୟ ମନେପଡ଼େ। ଏହା ସହିତ ଗୁନ୍ଥା ହୋଇଯିବ ଉପକୂଳରେ ହେଇଥିବା ବହୁ ସାମୁଦ୍ରିକ ଘୂର୍ଣ୍ଣିଝଡ଼। ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ଲାଉସିଆନା ଉପକୂଳର ହରିକେନ୍‍ କାଟ୍ରିନାଠାରୁ ଆରମ୍ଭ କରି ଓଡ଼ିଶା ଉପକୂଳର ମହାବାତ୍ୟା ଓ ପ୍ରଚଣ୍ଡ ବାତ୍ୟା ଫାଇଲିନ୍‍ ପର୍ଯ୍ୟନ୍ତ କେତେ ଯେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଉପକୂଳରେ ତାଣ୍ଡବ ରଚିଛି ଓ ପରିବେଶକୁ ଧ୍ୱସ୍ତବିଧ୍ୱସ୍ତ କରିଛି ତାହା ବର୍ଣ୍ଣନାତୀତ। ଜଳବାୟୁ ପରିବର୍ତ୍ତନ ଛଡ଼ା ମଣିଷକୃତ କାର୍ଯ୍ୟ ବର୍ତ୍ତମାନ ଏପରି ସୀମାଲଘଂନ କଲାଣି। ତାହା ମଧ୍ୟ ପରିବେଶରେ ପ୍ରଳୟ ଆଣିବାର ସମ୍ଭାବନା ସୃଷ୍ଟି କଲାଣି।
ଏମିତି ଗୋଟିଏ ମଣିଷ ତିଆରି କରୁଥିବା ଜିନିଷ ଆଜି ସର୍ବତ୍ର ଆଖି ଆଗରେ ପଡ଼ୁଛି ଓ ବହୁ କାର୍ଯ୍ୟରେ ବ୍ୟବହୃତ ହୋଇଛି ତଥା ଯାହା ଘାତକ ମଧ୍ୟ ସାଜୁଛି, ତା’ ହେଲା ‘ପ୍ଲାଷ୍ଟିକ୍‍’। ସୁଲଭ ମୂଲ୍ୟ ଓ ବହୁଦିନ ପର୍ଯ୍ୟନ୍ତ ବ୍ୟବହାର ହେବା ପାଇଁ ଏହାର ସ୍ଥାୟିତ୍ୱ ଏହାକୁ ବ୍ୟାପକ ଭାବରେ ବ୍ୟବହାର କରିବାର ସୁବିଧା ଦେଇଛି। ଜଳ, ସ୍ଥଳ, ମହାକାଶ ସବୁଆଡ଼େ ପ୍ଲାଷ୍ଟିକ୍‍ ଭରି ରହିଛି। ପ୍ଲାଷ୍ଟିକ୍‍ ବନ୍ୟା ଭିତରେ ମଣିଷ ଆଜି ଉବୁଟୁବୁ। ପ୍ଲାଷ୍ଟିକ୍‍ ଆଜି ସର୍ବବ୍ୟାପକ। ପୃଥିବୀରେ ପ୍ରତ୍ୟେକ ମିନିଟ୍‍ରେ ୧୦ ଲକ୍ଷ ପ୍ଲାଷ୍ଟିକ୍‍ ତିଆରି ପିଇବା ପାଣି ବୋତଲ ବିକାକିଣା ହେଉଛି। ସାରା ପୃଥିବୀରେ ପ୍ରାୟ ୫୦ କୋଟି ପ୍ଲାଷ୍ଟିକ୍‍ ବ୍ୟାଗ୍‍ ଥରେ ବ୍ୟବହାର ପରେ ବାହାରକୁ ଫିଙ୍ଗି ଦିଆଯାଉଛି। ଗ୍ରେଟ୍‍ ବ୍ରିଟେନ୍‍ରେ ପ୍ରତିବର୍ଷ ପ୍ରାୟ ୫୦ ଲକ୍ଷ ମେଟ୍ରିକ୍‍ ଟନ୍‍ ପ୍ଲାଷ୍ଟିକ୍‍ ବ୍ୟବହାର ହେଉଛି; କିନ୍ତୁ ପ୍ଲାଷ୍ଟିକ୍‍ ଯେ ଆଜି ପରିବେଶ ଓ ମଣିଷ ଏବଂ ଜୀବଜନ୍ତୁଙ୍କ ପାଇଁ ଘାତକ ଭାବରେ ଉଭା ହୋଇ ପ୍ରଳୟ ରଚିବାକୁ ବସିଲାଣି ଏକଥା ଲୋକମାନେ ଜାଣିବା ଦରକାର। ଏଥିପାଇଁ ସଚେତନତା ଓ ପ୍ରତିକାର ଏକାନ୍ତ ଜରୁରୀ। କୁଢ଼ କୁଢ଼ ପ୍ଲାଷ୍ଟିକ୍‍ / ପଲିଥିନ୍‍ ବ୍ୟାଗ୍‍ କଠିନ ବର୍ଜ୍ୟବସ୍ତୁ ଆକାରରେ ସହରବଜାର ରାସ୍ତାକଡ଼ରେ, ନାଳନର୍ଦମାରେ, ରେଳଷ୍ଟେସନ୍‍, ବସ୍‌ଷ୍ଟାଣ୍ଡ ପାଖରେ, ମନ୍ଦିର ନିକଟରେ, ପର୍ଯ୍ୟଟନସ୍ଥଳୀ ଆଜି ବିଭିନ୍ନ ଜାଗାରେ ଜମା ହୋଇ ରହୁଛି। ବର୍ଜ୍ୟବସ୍ତୁ ଠିକ୍‍ ଭାବରେ ପରିଚାଳନା ହେଉନାହିଁ। ପ୍ଲାଷ୍ଟିକ୍‍ ଏପରି ପଦାର୍ଥ ଯାହା ଶୀଘ୍ର ନଷ୍ଟ ହୋଇ ମାଟିରେ ମିଶିଯାଏ ନାହିଁ। ଦିନ ଦିନ ଧରି ମାଟି ଉପରେ ପଡ଼ିଥାଏ। ପ୍ଲାଷ୍ଟିକ୍‍ କ୍ଷୟପ୍ରାପ୍ତ ହେଲେ ଏଥିରୁ ବିଷାକ୍ତ ରାସାୟନିକ ପଦାର୍ଥ ବାହାରି ଭୂତଳ ଜଳରେ ମିଶିଥାଏ। ସେହି ଜଳ ବ୍ୟବହାର କଲେ ମଣିଷ ଓ ଜୀବଜନ୍ତୁ ରୋଗାକ୍ରାନ୍ତ ହୋଇଥାଆନ୍ତି। ବହୁଳ ଭାବରେ ପ୍ଲାଷ୍ଟିକ୍‍ ବ୍ୟବହାର ଦ୍ୱାରା ପ୍ଲାଷ୍ଟିକ୍‍ର ବିଷାକ୍ତ ରାସାୟନିକ ପଦାର୍ଥ ମଣିଷ ଶରୀର ଭିତରକୁ ଯାଇ ହର୍ମୋନ୍‍ ପ୍ରକ୍ରିୟାରେ କ୍ଷତି ପହଞ୍ଚାଇଥାଏ। ପ୍ଲାଷ୍ଟିକ୍‍ର ବିଷାକ୍ତ ରାସାୟନିକ ପଦାର୍ଥ କର୍କଟ ରୋଗ ବି ସୃଷ୍ଟି କରୁଛି। ସମୁଦ୍ରରେ ପଡୁଥିବା ପ୍ଲାଷ୍ଟିକ୍‍ ଆସ୍ତେ ଆସ୍ତେ ନଷ୍ଟ ହେଲେ ସେଥିରୁ ବିଷାକ୍ତ ରାସାୟନିକ ‘ବାଇଓସ୍ପେନୋଲ୍‍ ଏ’ ଏବଂ ‘ପଲିଷ୍ଟାଇରନ୍‍’ ବାହାରି ସମୁଦ୍ର ପାଣିକୁ ବିଷାକ୍ତ କରି ସାମୁଦ୍ରିକ ଜୀବମାନଙ୍କୁ ମାରି ଦେଇଥାଏ। ମଣିଷ ସମୁଦ୍ରର ମାଛ, କଙ୍କଡ଼ା ଖାଇ ଅସୁସ୍ଥ ହେବାର ଦେଖାଯାଉଛି। ୨୦୧୨ ମସିହାର ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା ପ୍ରାୟ ୧୬୫ ନିୟୁତ ମେଟ୍ରିକ୍‍ ଟନ୍‍ ପ୍ଲାଷ୍ଟିକ୍‍ ସମୁଦ୍ରରେ ପଡ଼ି ସମୁଦ୍ରକୁ ପ୍ରଦୂଷିତ କରୁଛି। ସ୍ଥଳଭାଗରେ ଗୃହପାଳିତ ପଶୁମାନେ ପ୍ଲାଷ୍ଟିକ୍‍ ବ୍ୟାଗ୍‍କୁ ଚୋବାଇ ଖାଇ ଦେଉଥିବାର ଦେଖାଯାଉଛି। ଗାଈଗୋରୁଙ୍କ ପେଟରେ ବି ପ୍ଲାଷ୍ଟିକ୍‍ ପଶିଲାଣି। ପ୍ଲାଷ୍ଟିକ୍‍ / ପଲିଥିନ୍‍ ଜାତୀୟ ସାମଗ୍ରୀର ବହୁଳ ବ୍ୟବହାର ଲାଗି ରହିଲେ ମଣିଷ ଓ ଜୀବଜଗତର ସ୍ଥିତି ଟଳମଳ ହେବ। ପ୍ଲାଷ୍ଟିକ୍‍ / ପଲିଥିନ୍‍ର ବ୍ୟବହାର ବର୍ଜନ କରାଯିବା ଉଚିତ୍‍। ପରିବେଶ ଯେପରି ପ୍ରଳୟମୁହାଁ ହୋଇଛି ସେଥିରୁ ଉଦ୍ଧାର ପାଇବାକୁ ହେଲେ ବ୍ୟାପକ ଚାରାରୋପଣ, ବୃଷ୍ଟିଜଳ ସଂରକ୍ଷଣ, ବିକଳ୍ପ ଶକ୍ତିର ସନ୍ଧାନ ଓ ନବୀକରଣ ଶକ୍ତି ପାଇଁ ଉପଯୁକ୍ତ ଯୋଜନା ହେବା ଦରକାର।

Comments are closed.