ବାୟୁରେ ବିଷ

ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସଂପୂର୍ଣ୍ଣ ତାଲାବନ୍ଦ କରିବା ସ୍ଥିତିକୁ ନେଇଆସିଛି, ଯାହା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଧ୍ୟ ଚେତାବନୀ ସଦୃଶ
ମଣିଷ ତା’ର ସୁଖସ୍ବାଚ୍ଛନ୍ଦ୍ୟ ଲାଭ ପାଇଁ ପ୍ରକୃତିକୁ ନଷ୍ଟଭ୍ରଷ୍ଟ କରିଚାଲିଛି। ଏହାର କୁପରିଣାମ ଅନେକ ପରିମାଣରେ ସେ ନିଜେ ଭୋଗୁଥିଲେ ମଧ୍ୟ ଚେତନା ଆସୁନାହିଁ। ଯେଉଁ ବାୟୁ ଓ ଜଳ ତା’ର ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ, ତାକୁ ପ୍ରଦୂଷିତ କରିବା ପାଇଁ ମଧ୍ୟ ସେ ପଛାଉନାହିଁ। ଏବେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବଡ଼ବଡ଼ ସହରନଗରର ବାୟୁରେ ବିଷାକ୍ତ ଉପାଦାନର ପରିମାଣ ଏତେ ବୃଦ୍ଧି ପାଇଛି ଯେ ମନୁଷ୍ୟର ସ୍ବାସ୍ଥ୍ୟ ପାଇଁ ତାହା କ୍ଷତିକାରକ ହୋଇସାରିଲାଣି। ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରେ ଅବସ୍ଥା ଏପରି ସାଙ୍ଘାତିକ ଯେ ସମସ୍ତ ଶିକ୍ଷାକେନ୍ଦ୍ରକୁ ସରକାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଯେ ପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ ନ ହୁଏ, ସେ ପର୍ଯ୍ୟନ୍ତ ଏସବୁକୁ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ଦିଲ୍ଲୀ ଏନସିଆର ଅଞ୍ଚଳରେ ବାୟୁର ଗୁଣାତ୍ମକ ମାନ (ଏକ୍ୟୁଆଇ) ୩୮୯ ରହିଥିଲା, ଯାହା ‘ଗୁରୁତର’ ପର୍ଯ୍ୟାୟର। ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ ଆଦି ରାଜ୍ୟର ପ୍ରମୁଖ ସହରଗୁଡ଼ିକର ଏକ୍ୟୁଆଇ ମଧ୍ୟ ‘ଖରାପ’ ବା ‘ଅତି ଖରାପ’ ପର୍ଯ୍ୟାୟରେ ରହୁଛି। ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି।

ପୂର୍ବରୁ ବାୟୁ ପ୍ରଦୂଷଣରୁ ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସଂପୂର୍ଣ୍ଣ ତାଲାବନ୍ଦ କରାଯାଇପାରିବ କି ବୋଲି ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ପଚାରିଥିଲେ। ଏହାର ଉତ୍ତରରେ ଦିଲ୍ଲୀ ସରକାର ସମ୍ମତି ପ୍ରକାଶ କରିଥିଲେ; କିନ୍ତୁ ଦିଲ୍ଲୀ ସହ ପଡ଼ୋଶୀ ରାଜ୍ୟ ହରିୟାଣା ଓ ଉତ୍ତର ପ୍ରଦେଶରେ ମଧ୍ୟ ତାଲାବନ୍ଦ ଘୋଷଣା କଲେ ହିଁ ସୁଫଳ ମିଳିବ ବୋଲି ଦର୍ଶାଇଥିଲେ।

ବୁଧବାର ପ୍ରଧାନ ବିଚାରପତି ଏନ୍‌ ଭି ରମଣାଙ୍କ ନେତୃତ୍ବାଧୀନ ପୀଠ ୨୧ ନଭେମ୍ବର ପରେ ଏ ସମ୍ପର୍କିତ କଠୋର ନିଷ୍ପତ୍ତି ନିଆଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ କୁହାଯାଇଥିଲା ଯେ ପାଣିପାଗ ବିଜ୍ଞାନୀଙ୍କ ମତରେ ୨୧ ନଭେମ୍ବରରୁ ପବନର ଗତି ବଦଳିବା ସହ ପରିସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ଇତିମଧ୍ୟରେ ସେଠାକାର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ ସରକାର ଏକ କମିସନ ଗଠନ କରିଛନ୍ତି, ଯାହା ନିର୍ଦେଶରେ ଅନେକ ବଡ଼ବଡ଼ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରକୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ଓ ଏନ୍‌ସିଆର୍‌ ଅଞ୍ଚଳରେ କେବଳ ଗ୍ୟାସ୍‌ ଦ୍ବାରା ପରିଚାଳିତ ଶିଳ୍ପକୁ କାର୍ଯ୍ୟ କରିବାପାଇଁ ଅନୁମତି ଦିଆଯାଇଛି। ଆହୁରି ମଧ୍ୟ ୧୫ ବର୍ଷରୁ ଅଧିକ ହୋଇଥିବା ପେଟ୍ରୋଲ୍‌ଚାଳିତ ଯାନ ଓ ୧୦ ବର୍ଷରୁ ଅଧିକ ହୋଇଥିବା ଡିଜେଲ୍‌ଚାଳିତ ଯାନ ଚଳାଚଳକୁ ନିଷିଦ୍ଧ କରାଯାଇଛି। ଧୂଳି ଦ୍ବାରା ହେଉଥିବା ପ୍ରଦୂଷଣ ହ୍ରାସ ପାଇଁ କମିସନ ରେଳବାଇ, ମେଟ୍ରୋ, ବସ୍‌ ଟର୍ମିନାଲ୍‌ ଓ ପ୍ରତିରକ୍ଷା ସମ୍ପର୍କିତ ପ୍ରକଳ୍ପ ବ୍ୟତୀତ ଅନ୍ୟ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାପାଇଁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ରାସ୍ତାଗୁଡ଼ିକରେ ଧୂଳି ନ ଉଡ଼ିବା ପାଇଁ ସଫେଇ ଓ ଜଳସିଞ୍ଚନ ଯନ୍ତ୍ର ମାଧ୍ୟମରେ ବାରମ୍ବାର ଜଳସିଞ୍ଚନ କରିବାକୁ କୁହାଯାଇଛି।

ତେବେ କେବଳ ଭାରତର ରାଜଧାନୀ ଦିଲ୍ଲୀ ନୁହେଁ; ଓଡ଼ିଶାର କେତେକ ଜିଲାର ବଡ଼ବଡ଼ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି। ଅବଶ୍ୟ ଏ ସ୍ଥିତି ବଦଳୁଛି; କିନ୍ତୁ ମଝିମଝିରେ ଏହା ଗୁରୁତର ଅବସ୍ଥାକୁ ଆସିଯାଉଛି। ରାଜ୍ୟ ରାଜଧାନୀ ଭୁବନେଶ୍ବର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଚଳିତ ମାସ ୪ ତାରିଖରେ ଭୁବନେଶ୍ବରରେ ବାୟୁର ଗୁଣାତ୍ମକ ମାନ ୨୧୮ରେ ପହଞ୍ଚିଥିଲା, ଯାହା ‘ଖରାପ’ ପର୍ଯ୍ୟାୟର। ଅନ୍ୟ ସମୟରେ ମଧ୍ୟ ପ୍ରାୟତଃ ‘ମଧ୍ୟମ’ ପର୍ଯ୍ୟାୟରେ ରହୁଥିବା ଦେଖାଯାଉଛି। ବାୟୁର ମାନ ‘ସନ୍ତୋଷଜନକ’ ଓ ‘ଭଲ’ ପର୍ଯ୍ୟାୟରେ ରହିବା ଜରୁରୀ। ଓଡ଼ିଶାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ ଆଦି ଜିଲାରେ ବାୟୁ ପ୍ରଦୂଷଣ ସର୍ବାଧିକ ହେଉଥିବା ଜଣାଯାଇଛି। ତେବେ ଏସବୁ ଜିଲାଗୁଡ଼ିକର କେତେକ ମୁଖ୍ୟ ସ୍ଥାନରେ ବାୟୁ ପରିମାପକ ଯନ୍ତ୍ର ବସାଇ ବାୟୁର ମାନ ପରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ପ୍ରକୃତ ତଥ୍ୟ ନ ଜାଣିଲେ ତା’ର ନିରାକରଣ ମଧ୍ୟ ସମ୍ଭବ ନୁହେଁ। ନିକଟ ଅତୀତରେ ବାୟୁ ପ୍ରଦୂଷଣ ମଣିଷର ପରମାୟୁକୁ କିପରି ହ୍ରାସ କରିଥାଏ, ସେ ସମ୍ପର୍କରେ ଆମେରିକାର ସିକାଗୋ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାର ବିବରଣୀ ପ୍ରକାଶ ପାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ରାଜ୍ୟରେ ଲୋକଙ୍କର ଆୟୁଷ ପ୍ରାୟ ୫ ବର୍ଷ ହ୍ରାସ ପାଇପାରେ। ଏ ତଥ୍ୟ ନିଶ୍ଚୟ ଉଦ୍‌ବେଗଜନକ। ଦିଲ୍ଲୀ ପରି ଦୁରବସ୍ଥା ହେବା ପୂର୍ବରୁ ହିଁ ଆବଶ୍ୟକ ନିରାକରଣ ବ୍ୟବସ୍ଥାମାନ ଆପଣାଇବାକୁ ହେବ। ସରକାର ଓ ସଂପୃକ୍ତ ବିଭାଗ ଏଥିପ୍ରତି ଯତ୍ନବାନ ହେବା ବିଧେୟ।

Comments are closed.