ଭିଣାଭିଣିରେ ଗଣତନ୍ତ୍ର

ଏଠି, କିଛି ନିର୍ଦିଷ୍ଟ ବା ସ୍ଥାୟୀ ନୁହଁ। କବି ତ ଲେଖିଲେ ‘‘ଯୁବକର ତେଜ ବୀର୍ଯ୍ୟ ବଳ, ପୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ, କାଳର ପ୍ରଭାବେ ଦିନେ ହୋଇବ ବିଫଳ, କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ!’’ ୟେ ମହାକାଳର କଥା ଓ ବାର୍ତ୍ତା। ମାୟିକ ସଂସାର ପାଇଁ ଭାବ ଓ ଭାବାନ୍ତର କିନ୍ତୁ ଭିନ୍ନ ବ୍ୟବସ୍ଥାଧୀନ। ପଚାଶ ଶହେ ବର୍ଷ ବଞ୍ଚୁଥିବା, ମୋ ଘର, ମୋ ଭାର୍ଯ୍ୟା ଓ ମୋ ପୁଅ ବୋଲି ଛେଳିପରି ସବୁବେଳେ ମେଁ ମେଁ ହେଉଥିବା ଏ ମଣିଷକୁ ଭିନ୍ନ ଅଠାରେ ପ୍ରଭୁ ବାନ୍ଧିଛନ୍ତି। ସଂସ୍କୃତରେ କୁହାଯାଇଛି ‘‘କାନ୍ତାଇମେ ମେ, ତନୟା ଇମେ ମେ ଗୃହାଇମେ ମେ ପଶବସ୍ତ୍ବିମେ ମେ’’। ତାଙ୍କ ସୃଷ୍ଟିରେ ଋତୁଗତ ଫୁଲଫଳ ଓ ବାରମାସୀ ଫୁଲଫଳର ବ୍ୟବସ୍ଥା ଅଛି। ଏ ସୁନ୍ଦର ଜୀବନର ଅଳିକତା ଏ ଋତୁଗତ ଫୁଲରୁ ଓ ଚିରନ୍ତନତାର କଳନା ଏ ବାରମାସୀ (Seasonal and all year) ସୃଷ୍ଟିରୁ ପ୍ରଭୁ ତାଙ୍କ ବାଟବଣା ମଣିଷ ପାଇଁ ଥୋଇଛନ୍ତି। ତଥାପି ଲୋକେ କୁ ବାଟବଣା କି ବାଟହୁଡ଼ା ହେଉନାହାନ୍ତି! ଧର୍ମ ବକଙ୍କ ‘କିମାଶ୍ଚର୍ଯ୍ୟମ୍‌?’ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ମହାରାଜ ବି ସେଇ କଥା କହିଛନ୍ତି, ‘‘ଅହନ୍ୟହନି ଭୂତାନି ଗଚ୍ଛନ୍ତି ଯମମାଳୟମ୍‌। ଶେଷାଃ ସ୍ଥାବରମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃ ପରମ୍‌।।’’ ‘‘ମତେ ତୁ ଯେତିକି ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।’’ ଲୋକ ଚରିତ୍ର ଓ ଲୋକମତ ବଡ଼ ବିଚିତ୍ର। ମହାରାଜ ସଜା, କେତେକ ଉଦ୍ଦଣ୍ଡ ଲୋକ, ଆଉ କେତେକ ଦୁର୍ବଳ ଭୀରୁ ଲୋକଙ୍କୁ ଅଡ଼େଇ ଦଳପତି ବନିଲେ। ପରେ କିଏ ସର୍ବରାକାର କିଏ ଜମିଦାର କିଏ ରଜା କି ମହାରାଜ ବନି ଏ ଜଗତକୁ ଶାସନ କଲେ।

ସେମାନେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ବନିଗଲେ। କିଛି ଅପ୍ରିୟ ସତ୍ୟ କହିବାକୁ ପଡ଼ିଲେ ଲୋକେ ରାଜାଙ୍କୁ କହନ୍ତି, ‘‘ମଣିମା, ମୁଣ୍ଡ ରଖିଲେ ତୁଣ୍ଡ କହିବ।’’ ଗଣ୍ଡିରୁ ମୁଣ୍ଡ ଅଲଗା ହେବାକୁ ଏମାନଙ୍କୁ ପଲକ ସମୟ ବି ଲାଗୁ ନ ଥିଲା। ଆକ୍ରମଣକାରୀ ରଜାରୂପୀ ଏ କ୍ଷମତାଲିପ୍‌ସୁ ଜଘନ୍ୟ ପଶୁଗୁଡ଼ା କି ଭୟଙ୍କର ଭାବେ ଦିନକରେ ହଜାର ହଜାର ଲୋକଙ୍କୁ ହତ୍ୟା କରି ରାଜ୍ୟ ଦଖଲ କରିଛନ୍ତି। କୋଉ ପଶୁ ବି ଏମାନଙ୍କ ଭଳି ଏତେ ନୃଶଂସ ହେବନି। କ୍ଷମତାର, ଧନର ଓ ସ୍ତ୍ରୀ ଭୋଗର କି ନିଶା! ଶାସ୍ତ୍ର ତ ଲେଖିଲେ, ‘‘ଧନେଷୁ ଜୀବିତବ୍ୟେଷୁ, ସ୍ତ୍ରୀଷୁ ଭୋଜନ ବୃତ୍ତିଷ୍ଣୁ ଅତୃପ୍ତାମାନବାଃ ସର୍ବେ ଯାତା, ଯାସ୍ୟନ୍ତି ଯାନ୍ତି ଚ।’’ ଆଉ ଏ ଆକ୍ରମଣକାରୀଙ୍କ କଥା ଶୁଣିଲେ ଛାତି ଥରିଯାଏ। ଗଜନିର ସୁଲତାନ ମହମ୍ମଦ ବିନ ତୋଗଲକ ହିନ୍ଦୁରାଜା ଜୟପାଲଙ୍କୁ ପଚାଶ ହଜାର ସୈନ୍ୟ ସହ ଆକ୍ରମଣ କରି ସତୁରି ମିଲିୟନ ସ୍ବର୍ଣ୍ଣ ମୁଦ୍ରା ସହ, ସାତଲକ୍ଷ ଗାଡ଼ିରେ ବୋଝେଇ ସୁନା ଓ ରୁପା ଲୁଟିନେଲେ। ନଦୀ, ନାଳ, ପୋଖରୀ ଓ ହ୍ରଦମାନ ଏ ଲୋକଙ୍କ ରକ୍ତରେ ପୂରି ଯାଇଥିଲା। ହତାଶ ଓ ଅସହାୟ ଜୟପାଲ ଆତ୍ମହତ୍ୟା କଲେ ଓ ହିନ୍ଦୁସ୍ତାନର ସିଂହଦରଜା ଠିଆ ମେଲା ହୋଇଗଲା। ‘‘The defeat of Jaypala flung open the gates of Hindustan.’’ ଏହି ମହମ୍ମଦ ତାଙ୍କ ଦ୍ବିତୀୟ ଆକ୍ରମଣ ପ୍ରସିଦ୍ଧ ସୋମନାଥ ମନ୍ଦିରମୁହାଁ କରାଇଥିଲେ। ସେଠି ଦଶହଜାର କିଲୋଗ୍ରାମର ଏକ ସୁବର୍ଣ୍ଣ ଶିକୁଳି ଥିଲା। ହଜାର ହଜାର ଗ୍ରାମକୁ ଭେଦି ଶୁଣା ଯାଉଥିବା ବିରାଟ ସ୍ବର୍ଣ୍ଣ ଘଣ୍ଟିକୁ ଏହା ଓହଳାଇ ରଖିଥିଲା। ଦୁର୍ଭାଗ୍ୟକୁ ସେଇଦିନ ପ୍ରାର୍ଥନା କରିବାକୁ ସେଠି ରୁଣ୍ଡ ହୋଇଥିବା ପଚାଶ ହଜାର ପ୍ରାର୍ଥନାକାରୀ ଓ ପୂଜକଙ୍କୁ ସେ ନିର୍ମମ ଭାବେ ହତ୍ୟା କରିଥିଲେ।

ସତରେ ଲେଖକ ଲେଖିଛନ୍ତି, ‘‘Power like a desolating pestilence, pollutes whatever it touches.’’ ଏବେ ସେଇଥିପାଇଁ ସେ ରାଜୁଡ଼ା ଶାସନ ଫୋପଡ଼ା ହୋଇଗଲା। ଜଣେ ବିପ୍ଳବୀ କବି ‘ଦଶହରା ଭେଟି’ ବହିରେ ଲେଖିଥିଲେ, ‘‘ରଚନ୍ତା ମା’ ମଙ୍ଗଳା ତତଲା ବାଲିରେ ରଜା ବେଙ୍ଗଳା, ତାଙ୍କୁ ଯୋଚନ୍ତା କରି ଲଙ୍ଗଳା, ସଜାଇ ତାହାଙ୍କୁ ଘୋଡ଼ା ସବାର, କରନ୍ତା ମାରି କୋରଡ଼ା, ମୁଖେ ଭରନ୍ତା ପିତା ତରଡ଼ା, କରନ୍ତା କେହି ଅର୍ପଣ, ଲକ୍ଷେ ରାଜା ରକ୍ତେ ତିଳ ତର୍ପଣ, ତୃପ୍ତ ହୁଅନ୍ତା ପ୍ରେତ ପରାଣ, ମଣିମା ହେ!’’ ଛାଡ଼ନ୍ତୁ ସେ ସବୁ କଥା। ବହୁ ଉତ୍ସର୍ଗୀକୃତ ପ୍ରାଣର ବିନିମୟରେ ଆଜିର ଗଣତନ୍ତ୍ର ପ୍ରତିଷ୍ଠିତ। ମାତ୍ର ଇୟେ ହୋଇଛି କ’ଣ? ଦଳ ଦଳ ରକ୍ତଶୋଷା ଗୁଣ୍ଡାଙ୍କୁ ନେଇ ସୁଲତାନ, ରଜାର ରୂପରେ ହତ୍ୟା, ଲୁଣ୍ଠନ କଲାପରି ଆଜିର ଏ ନେତାମାନେ ସ୍ବାର୍ଥରେ, କ୍ଷମତାରେ ସେମିତି ବନି ଯାଉନାହାନ୍ତି କି? ‘ଜନମତ’ କ’ଣ? କି ରୂପ ତା’ର, କି ଗତି ତା’ର? ଏଥିରେ କି ନିର୍ଦ୍ଦିଷ୍ଟତା ଅଛି? ଗଣତନ୍ତ୍ରର ଜନକ କି ଜନନୀ କୁହାଯାଉଥିବା ବିଲାତି ରାଜା ଓ ଜନତାଙ୍କୁ ଦେଖୁନା। ରାଜତନ୍ତ୍ରକୁ ସେଠି ଉପାଡ଼ି ଫୋପାଡ଼ି ଦେଇଥିଲେ ଦିନେ, ମହାବୀର ବନିଥିବା କ୍ରମୱେଲଙ୍କ ପ୍ରତି ଜନସମର୍ଥନ, ଜୟଧ୍ବନି କୁଆଡ଼େ ଗଲା? ବାର ବର୍ଷ ପରେ ତାଙ୍କ ଶବକୁ ବି କଫିନରୁ କାଢ଼ି, ଏ ଲୋକେ ଫାଶୀ ଦେବାକୁ ଟାଙ୍ଗି ରଖିଲେ। କ୍ରମୱେଲ ଠିକ୍‌ ନା ଭୁଲ ଥିଲେ? କଳିଙ୍ଗ ବୀର ବିଜୁବାବୁ ଗୋଟେ ସମୟରେ ପାଞ୍ଚଟି ନିର୍ବାଚନ ମଣ୍ଡଳୀରୁ ଏକ ସଙ୍ଗେ ପରାଜୟ ଲଭିଥିଲେ। ଲୋକେ କହିଲେ ବିଜୁବାବୁଙ୍କ ରାଜନୈତିକ ଜୀବନରେ ଯବନିକା ପଡ଼ିଗଲା। ମାତ୍ର ପଡ଼ିଲା କି? ପରବର୍ତ୍ତୀ ନିର୍ବାଚନରେ ସେ ବିପୁଳ ବିଜୟ ଲଭିଲେ। ଆଉ ଏବେ ତାଙ୍କ ଅବର୍ତ୍ତମାନରେ ପୁଣ୍ୟଶ୍ଳୋକ ବନିଯାଇଛନ୍ତି।

ସେତିକି ନୁହଁ; ତାଙ୍କ ସୁଯୋଗ୍ୟ ସନ୍ତାନ ନବୀନ ବାବୁ ଏବେ ପିତାଙ୍କ ନାମକୁ, ତାଙ୍କରି ଆଶୀର୍ବାଦରେ ଟପି ଯାଇଛନ୍ତି। ବିଜୁବାବୁ କେତେ ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ? ଆଉ ତାଙ୍କର ଏ ବେଟା, କ୍ଷମତା ଇତିହାସର କିମ୍ବଦନ୍ତୀ ପୁରୁଷ ଏ ଗଣତନ୍ତ୍ରରେ ବି ବନିଯାଇଛନ୍ତି। ଅଙ୍କରୂପକ ଏ ହାରଜିତ୍‌ର ଏ ଗଣତନ୍ତ୍ରରେ ନବୀନ ବାବୁ କିନ୍ତୁ ‘ହାରିବା’କୁ ହରେଇ ଦେଇଛନ୍ତି। ରାଜତନ୍ତ୍ର, ବିଶ୍ବବିଖ୍ୟାତ ବିଦ୍ବାନ ସକ୍ରେଟିସଙ୍କୁ ମୃତ୍ୟୁଦଣ୍ଡ ସିନା ଦେଲେ, ସେ କୋଉ ମଲେ? ସେ ତ ଏବେ ଜନ୍ମ ମୃତ୍ୟୁ ଶିକୁଳିରୁ ଫିଟି ଏକ ଅମର ଜୀବନଯାପନ କରୁଛନ୍ତି। ତାଙ୍କ ପ୍ରିୟ ଶିଷ୍ୟ ପ୍ଲାଟୋଙ୍କ ଲିଖିତ ‘ଆପୋଲୋଜିଆ’ କ୍ଷମା ଭିକ୍ଷା ପାଠରେ, କଳନା ଓ ବିଚାରର ବିବେକ ସ୍ତବ୍ଧ ହୋଇଯାଏ। ଛାଡ଼ନ୍ତୁ ସେ ସବୁ କଥା। ବେଙ୍ଗ ବେଙ୍ଗୁଲୀର ଜଣେ ବିଦଗ୍ଧ ପାଠକ କହିଲେ, ‘‘ଏଥର ୧୩ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ଉପନିର୍ବାଚନ’’ ଉପରେ ବେଙ୍ଗ ବେଙ୍ଗୁଲୀ ବୟାନ ଦେଉ। କିଓ, ଏବେ ମମିତା ହତ୍ୟା ପାଇଁ ରାଜନୀତିଆ ଭାଇମାନଙ୍କ ମଧ୍ୟରେ ବାକ୍‌ ଯୁଦ୍ଧରୁ ମୁଷ୍ଟି ଯୁଦ୍ଧ, କଛା ଫିଟାଫିଟି ଚାଲିଥିବା ବେଳେ, ଡିଜେଲ ପେଟ୍ରୋଲ ଦରବୃଦ୍ଧି ଓ ହ୍ରାସ ପାଇଁ ମଧ୍ୟ ଧର୍ମଘଟ, ଧାରଣା ଚାଲିଛି। ଆମ ବେପାରପତ୍ର ଭାଇମାନେ ଆହୁରି ଅନେକ କଥାରେ ଆକାଶ ଭାଙ୍ଗି ପକଉଥିବା ବେଳେ ‘ଏହି ଉପନିର୍ବାଚନ’ କଥାରେ କିଅଁା ଲାଖି ରହିଛ? ଆରେ ସେ ଉଷ୍ମତା ଓ କଣ୍ଡୁ ତ ଗଲାଣି। ମାତ୍ର ତାଙ୍କ ପରାମର୍ଶରେ, ଏ ଗଣତନ୍ତ୍ରରେ, ଏ ନେତାଙ୍କ ଚରିତ୍ରର ମଞ୍ଜି ଥିବା ପରି, ଟିକିଏ ଗହୀରିଆ ଭାବନାରେ ଜଣାପଡ଼େ।

ଭାରତବର୍ଷରେ ବିଜେପିର ବିଜୟ ପତାକା କେତେ ଉଡ଼ିଛି ନ ଉଡ଼ିଛି ତା’ ସହ ଓଡ଼ିଶା ଜନତାର ଯା’ ଆସ ନାହିଁ। ଏଠି ନବୀନଙ୍କ ‘କୁହୁକ’ ସବୁ ପ୍ରଚାର, ସବୁ ପରିବର୍ତ୍ତନକୁ ତାଙ୍କରି ମୁହଁା କରିଛି। ସେଠି, କେନ୍ଦ୍ର ଓ ରାଜ୍ୟର ମୁଣ୍ଡିଆଳମାନଙ୍କ ଯେଉଁ ସମାବେଶ ହେଲା, ତା’ ମହାଭାରତ ଯୁଦ୍ଧ ଭଳିଆ କେତେକଙ୍କୁ କୁଆଡ଼େ ଲାଗିଲା। ତେବେ ଏ ଉପନିର୍ବାଚନରୁ ଗଣତନ୍ତ୍ରର ଚରିତ ଓ ଚରିତ୍ର ଗଣତନ୍ତ୍ରବାଦୀମାନେ ଭିନ୍ନ ଭିନ୍ନ ଭାବରେ ଆକଳିତ କରିଛନ୍ତି। ଦରଦାମ୍‌ ବୃଦ୍ଧିରେ ତେଲ ଓ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ଦୃଷ୍ଟି କଟୁ, ଭାବ କଟୁ କୁଆଡେ ହୋଇଗଲା। ରାଜ୍ୟରେ ଘଟୁଥିବା ବହୁ ବିପର୍ଯ୍ୟୟ ଓ ବିଫଳତା ସବୁ ଏହି ଦରବୃଦ୍ଧିରେ ଢାଙ୍କି ହୋଇଗଲା। ଚୋର ଗଲା ପର ବୁଦ୍ଧି ଭଳି ମୋଦିଜୀ ଡିଜେଲ ଓ ପେଟ୍ରୋଲ ଦର ହଠାତ୍‌ କମେଇ ଦେଲେ। ୟେ ବିସ୍ମୟକର ଥିଲା ଓ ଜନତା ମନକୁ ବି ଛୁଇଁ ଦେଲା। ସବୁଠୁ କୌତୂହଳ ଥିଲା, କେନ୍ଦ୍ରକୁ ଏ ଦରଦାମ, ବିଶେଷତଃ ପେଟ୍ରୋଲ ଡିଜେଲ ଦରବୃଦ୍ଧି ପାଇଁ ଖୋଦ ରାଜ୍ୟ ସରକାର ଓ ରାଜ୍ୟ ନେତୃବୃନ୍ଦ ସମାଲୋଚନା କରୁଥିବା ବେଳେ, ସେତେବେଳେ ନିଜ ପକ୍ଷରୁ କିଛି ପଦକ୍ଷେପ ନେଇନଥିଲେ। ମୋଦିଜୀଙ୍କ ଏ ଦରହ୍ରାସ ଘୋଷଣା ପରେ ନବୀନଜୀ ମଧ୍ୟ ତରବରିଆ ଭାବେ ରାଜ୍ୟ ସରକାରଙ୍କ ଭାଟ୍‌ ଉପରୁ ତିନିଟଙ୍କା ଦରହ୍ରାସ କରି ଦେଲେ। ଦି’ ସଉତୁଣୀଙ୍କ ବାଡ଼ିଆବାଡ଼ି ଭଳି ଇଏ ଲାଗିଲା। ତେବେ ‘ଗଣତନ୍ତ୍ର’ରେ ମତଦାନ ବା ଗଣତନ୍ତ୍ରରେ ଗଣଙ୍କ ‘ମତ’ ଯେ ସବୁବେଳେ ନିରୋଳା ବା କାଳଜୟୀ, ଏକଥା କୁହାଯାଇ ପାରିବନି। ମେଣ୍ଢା ବା ଗାଈକୁ ଗଉଡ଼ ଅଡ଼େଇଲା ପରି, ସ୍ପର୍ଶକାତର ଓ ପ୍ରବଣତାମୁଖୀ ଘଟଣାକୁ ଏଙ୍କ ଭିତରେ ପୂରେଇ ପାରିଲେ ଏ ଗୋଠ ମାଡ଼ିଚାଲେ। ନ ହେଲେ ସୀତାଙ୍କ ଚରିତ୍ର ଉପରେ ଧୋବଣୀର ବୟାନରେ ରାଜା ରାମ ପରମସତୀ, ପତିପ୍ରାଣା ସୀତାଙ୍କୁ ବନବାସ ଦଣ୍ଡ ଦେଇନଥାନ୍ତେ। ଧୀର ପବନ ଉଡ଼େଇ ଦେଉଥିବା ତୁଳା ବି ବିଣ୍ଡା ଘେନିଯାଏ। ତାକୁ ରେଜେଇରୁ ତକିଆରୁ କାଢ଼ି ଭିଣାଯାଏ, ପୁଣି ସୁଲୁସୁଲିଆ ବନେଇ ଦିଆଗଲା ପରି ଏ ଜନମତ। ଉପନିର୍ବାଚନ ଓ ନିର୍ବାଚନ ସବୁ ଗଣତାନ୍ତ୍ରିକ ବ୍ୟବସ୍ଥାର ଭିଣାଯନ୍ତ୍ର। ଯିଏ ତାକୁ ଯେତେ ଭିଣିପାରିଲା ସେତେ ଫାଇଦା ପାଇଲା। ଚିରନ୍ତନତା ବା ସତ୍ୟ ସହ ଏହାର ସମ୍ପର୍କ କାଇଁ? ଗଣତନ୍ତ୍ରର ସଂଖ୍ୟା-କୁହୁକ ସହ ସମ୍ପର୍କ ନ ଥିବା କି ଏପରି ଗୁଣାଗୁଣ ବିଚାର ଉପରେ ଆସ୍ଥା କି ବିଶ୍ବାସ ନ ଥିବା ଯୁଗପୁରୁଷମାନଙ୍କ ମତ ଓ ବାଟ ହିଁ ଚିରନ୍ତନତାର ପରିଚିତି ଓ ପୂଜା ଲଭିଛି। ସେ ଗୋଟିଏ ହେଲେ ଆଉମାନେ କୋଟିଏ। ସେଇଥିପାଇଁ ତ ଯୁଧିଷ୍ଠିର ମହାରାଜ କହିଲେ, ‘‘ମହାଜନଃ ଯେନ ଗତଃ ସ ପନ୍ଥାଃ’’। ଏଠି ଚକେ ଗଲେ ବାର ହାତ ହିଁ ମାର୍ଗଦର୍ଶକ। ତେବେ ‘‘କେତେ ଦିନ ଲାଗି ଏହି ଭବ ଚଟି, ଏଥିଲାଗି କିମ୍ପା ଏତେ କଟାକଟି?’’ ଜୟ ଜଗନ୍ନାଥ, ସେ ଜାଣିଥିବେ।

Comments are closed.