ଚୀନର ସୀମା ନୀତି ଓ ଭାରତ

ସମଭାବାପନ୍ନ ଦେଶଗୁଡ଼ିକ ମେଳି କରି ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କରିବା ଆବଶ୍ୟକ

ଚୀନ ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ପ୍ରଶମିତ ହେବାର ନାଁ ଧରୁ ନାହିଁ। ଚୀନ୍ ଏହାକୁ ଦୀର୍ଘ ସମୟ ଟାଣି ନେବା ପାଇଁ ଉଦ୍ୟମ ଚଳାଇଛି। ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଚୀନ୍ ‘ନ୍ୟୁ ଲ୍ୟାଣ୍ଡ ବାଉଣ୍ଡ୍ରି ଲ’ (ନୂଆ ସୀମା ଆଇନ) ଲାଗୁ କରିବାକୁ ଯାଉଛି। ଏହି ଆଇନ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ବୋଲି ଚୀନ ଦାବି କରିଛି। ଗତ ମାସ ୨୩ ତାରିଖରେ ଚୀନର ନ୍ୟାସନାଲ ପିପୁଲ୍ସ କଂଗ୍ରେସ ଷ୍ଟାଣ୍ଡିଂ କମିଟି ଏହି ନୂଆ ଆଇନକୁ ଗୃହୀତ କରିଥିଲା। ଏହି ଆଇନରେ ଭାରତ କିମ୍ବା ଭାରତ ସହ କୌଣସି ସୀମା ବିବାଦ ସଂକ୍ରାନ୍ତରେ ଉଲ୍ଲେଖ ନାହିଁ। କାଶ୍ମୀରରୁ ଭାରତ ୩୭୦ ଧାରା ଉଠାଇବା ପରେ ଚୀନ ପ୍ରତି ଜବାବ ସ୍ବରୂପ ଏପରି ଆଇନ ଲାଗୁ କରିବାକୁ ଯାଉଥିବା କୂଟନୀତିଜ୍ଞମାନେ ମତ ଦିଅନ୍ତି। ଆଗାମୀ ଦିନରେ ଏହି ଆଇନ ମାଧ୍ୟମରେ ଭାରତ ସହ ସୀମା ବିବାଦ ଆଲୋଚନା କରାଯିବ ବୋଲି ଚୀନ ପ୍ରାୟତଃ ସର୍ତ୍ତ ରଖିପାରେ। ଭାରତ ପାଇଁ ଏହା ଚିନ୍ତାର ବିଷୟ। କାରଣ ଉଭୟ ଦେଶ ମଧ୍ୟରେ ଏବେ ଜାରି ରହିଥିବା ଦ୍ବିପାକ୍ଷିକ ବାର୍ତ୍ତା ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ।

ଭାରତ ସହ ଲଦାଖରେ ଜାରି ରହିଥିବା ଗତିରୋଧକୁ ଲମ୍ବା ସମୟ ପର୍ଯ୍ୟନ୍ତ ଟାଣି ନେବା ପାଇଁ ଚୀନ ଏପରି ଆଇନ ପ୍ରଣୟନ କରିଥିବା କୁହାଯାଉଛି। ଏହି ନୂତନ ଆଇନ ଜରିଆରେ ଚୀନ ନିଜ ଅଞ୍ଚଳରେ ପ୍ରବାହିତ ନଦୀଗୁଡ଼ିକର ଜଳଧାରାକୁ ରୋକି ପାରିବ ଅଥବା ନଦୀମାନଙ୍କର ଗତିପଥ ବଦଳାଇ ପାରିବ। ଭାରତ ସହ ବିବାଦୀୟ ଅଞ୍ଚଳରେ ସେନା ମୁତୟନକୁ ଚୀନ୍ ଯଥାର୍ଥ ବୋଲି ଦାବି କରିପାରିବ। ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ନିର୍ମାଣ ଓ ଭିତ୍ତି ଭୂମି ଅଧିକ ସୁଦୃଢ କରି ପାରିବ। ବିବାଦୀୟ ଅଞ୍ଚଳଗୁଡ଼ିକୁ ଆଇନ ସମ୍ମତ ଅର୍ଥାତ ନିଜ ପ୍ରଭୁତ୍ବରେ ଥିବା ଦର୍ଶାଇ ପାରିବ। ଏହି ଆଇନ ବିରୋଧରେ ଭାରତ କଡ଼ା ପ୍ରତିବାଦ ଜଣାଇଛି। ଏହାଦ୍ବାରା ଉଭୟ ଦେଶ ମଧ୍ୟରେ ଅଧିକ ଉତ୍ତେଜନା ବୃଦ୍ଧି ପାଇବ ବୋଲି ଭାରତୀୟ ବୈଦେଶିକ ବିଭାଗ ମତ ଦେଇଛି।

ଗତ ବର୍ଷ ଜୁନରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ଗଲୱନ ଘାଟିରେ ହୋଇଥିବା ଚୀନ୍-ଭାରତ ସୈନ୍ୟ ସଂଘର୍ଷ ଘଟଣା ପରେ ସୀମାର ବିବାଦୀୟ ଅଞ୍ଚଳରେ ଚୀନ ନିଜ ସେନାକୁ ଅଧିକ ସଂଖ୍ୟାରେ ମୁତୟନ କରିଛି। ନୂଆ ସୀମା ଆଇନ ଲାଗୁ ପରେ ଚୀନ ଏହାକୁ ଆଇନ ସମ୍ମତ ବୋଲି ଦାବି କରିପାରିବ। ଭାରତ ସମେତ ୧୪ଟି ଦେଶର ୨୨,୪୫୭ କିମି ଲମ୍ବା ସୀମା ଚୀନକୁ ଲାଗିଛି। ମଙ୍ଗୋଲିଆ ଓ ରୁଷ୍ ପରେ ସର୍ବାଧିକ ଲମ୍ବ ୩,୪୮୮ କି.ମି ପରିବ୍ୟାପ୍ତ ସୀମା ଭାରତକୁ ଲାଗିଛି। ଭାରତ ବ୍ୟତୀତ ଭୁଟାନର ୪୭୭ କି.ମି ସୀମା ଚୀନ୍କୁ ଲାଗିଛି। ଏହି ନୂଆ ସୀମା ଆଇନ ଦ୍ବାରା ଭାରତକୁ ଆସୁଥିବା ନଦୀଗୁଡ଼ିକର ଜଳକୁ ଚୀନ୍ ରୋକି ପାରିବ। ଗୁରୁତ୍ବପୂର୍ଣ୍ଣ କଥା, ତିବ୍ବତରୁ ଭାରତ ମଧ୍ୟକୁ ଆସୁଥିବା ନଦୀର ଜଳଧାରାକୁ ଚୀନ୍ ରୋକି ପାରିବ। ସମ୍ପୂର୍ଣ୍ଣ ଜାମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏଥିରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍ ଅନ୍ତର୍ଭୁକ୍ତ। ୧୯୬୩ରେ ଏକ ଚୁକ୍ତିନାମା ବଳରେ ପାକିସ୍ତାନ ଅକ୍ସାଇ ଚୀନ ଅଞ୍ଚଳ ଚୀନକୁ ହସ୍ତାନ୍ତର କରିଥିଲା। ସେହି ଦିନଠାରୁ ଭାରତ ଏହି ଚୁକ୍ତିକୁ ଅସ୍ବୀକାର କରି ଆସୁଛି। ପିଓକେ ଓ ଅକ୍ସାଇ ଚୀନକୁ ବିବାଦୀୟ ଅଞ୍ଚଳ ଭାବେ ଭାରତ ମାନ୍ୟତା ଦେଇଛି।

ଗତ ବର୍ଷ କାଶ୍ମୀରରୁ ଧାରା-୩୭୦ ଉଠାଇ ଭାରତ ସରକାର ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଦଖଲକୁ ନେଇଛନ୍ତି। ଆଗାମୀ ଦିନରେ ପିଓକେ ଓ ଅକ୍ସାଇ ଚୀନକୁ ଭାରତ ଆଇନ ସମ୍ମତ କରିପାରେ। ଗତବର୍ଷ ସଂସଦରେ କାଶ୍ମୀରରୁ ଧାରା-୩୭୦ ଉଠାଇବା ପ୍ରସଙ୍ଗରେ ଭାଗ ନେଇ ଦେଶର ଗୃହମନ୍ତ୍ରୀ କହିଥିଲେ, ‘ପିଓକେ ଓ ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ’। କାଳେ ଭାରତ ଆଇନ ଜରିଆରେ ଅକ୍ସାଇ ଚୀନକୁ ନିଜର କରି ନେବ ସେହି ଭୟରେ ଏହି ନୂତନ ସୀମା ଆଇନ ଚୀନ ଲାଗୁ କରିବାକୁ ଯାଉଥିବା କୂଟନୀତିଜ୍ଞମାନେ ମତ ଦିଅନ୍ତି।

ଭାରତ ଆଉ ଚୀନକୁ ବିଶ୍ବାସକୁ ନୁହେଁ; ଏକ ପ୍ରକାର ଜବାବ ଦେବା ପ୍ରସ୍ତୁତିରେ ଲାଗି ରହିଛି। କାରଣ ଯେଉଁ ଦେଶଗୁଡ଼ିକ ସହ ଚୀନର ଶତ୍ରୁତା ଅଛି ଅଥବା ଚୀନ ସେମାନଙ୍କୁ କରଜ ଦେଇ ଡୁବାଇବାକୁ ଚାହୁଁଛି ସେପରି ଦେଶଗୁଡ଼ିକୁ ଭାରତ ସମର୍ଥନ ଯୋଗାଇ ଦେଉଛି। ସେ ହଂକଂ ହେଉ ଅଥବା ତାଇୱାନ; ପୂର୍ବରୁ ଯେଉଁ ପ୍ରସଙ୍ଗରେ ଭାରତ ମୁହଁ ଖୋଲୁ ନଥିଲା ଏବେ ଖୋଲାଖୋଲି କହୁଛି। ଅର୍ଥାତ ସାମରିକ ସ୍ତରରେ ଚୀନର ମୁକାବିଲା ପାଇଁ ଭାରତ ସରକାର ଚେଷ୍ଟିତ ଥିବା ଏଥିରୁ ବୁଝାପଡ଼ୁଛି। ଆମେରିକା ନେତୃତ୍ବାଧୀନ ତଥା ଏସିଆର ‘ନାଟୋ’ କୁହାଯାଉଥିବା ‘କ୍ବାଡ୍’ ସଂଗଠନରେ ଭାରତ ସାମିଲ ହେବା, ତାଇୱାନ୍, ଭିଏତ୍ନାମ ଓ ହଂକଂ ପରି ଚୀନକୁ ଜର୍ଜରିତ କରୁଥିବା ଏକାଧିକ ପ୍ରସଙ୍ଗ ଉପରେ ଭାରତ ଚୀନ୍କୁ ଖୋଲାଖୋଲି ବିରୋଧ କରିବା ଭାରତର ଶାଣିତ କୂଟନୀତିକୁ ଦର୍ଶାଉଛି। ସମ ମନୋଭାବାପନ୍ନ ଦେଶଗୁଡ଼ିକ ମେଳି କରି ବିସ୍ତାରବାଦୀ ଚୀନକୁ ଉପଯୁକ୍ତ ଜବାବ୍ ଦେବାର ସମୟ ଆସିଛି।

Comments are closed.