ନଷ୍ଟସ୍ୟ କାନ୍ୟାଗତିଃ

ଶୁଭେଚ୍ଛା, ସଦିଚ୍ଛା, ଆଶୀର୍ବାଦ, ଅସନ୍ତୋଷ ବା ଅଭିଶାପମାନ ସ୍ବୟଂକ୍ରିୟ ଝାଡ଼ା, ପରିସ୍ରା ଭଳି ବର୍ଜ୍ୟବସ୍ତୁ ଆଦୌ ନୁହନ୍ତି। ଏହା ଅନ୍ତର୍ଗତ ଏକ ସ୍ବୟଂକ୍ରିୟ ଦାନାବନ୍ଧା ଆହତ ବା ପ୍ରଚୋଦିତ ପରିପ୍ରକାଶମୁକ୍ତ ଶକ୍ତି। ବନ୍ଧୁକ ଗୁଳି ବା ପ୍ରାଣରକ୍ଷାକାରୀ ମହାର୍ହ ରସାୟନ ଭଳି କ୍ଷତ କି ଆଶ୍ବସ୍ତି ସୃଷ୍ଟି କରିଥାଏ। କ୍ଷମତା ଓ ବିଜୟ ପ୍ରଲୁବ୍ଧ, ରକ୍ତସ୍ନାତ ରାଜା ଅଶୋକଙ୍କ ହୃଦୟ ସେଦିନ ମଥିତ ହୋଇଯାଇଥିଲା। ଶାନ୍ତି ଦୂରନ୍ତ ହୋଇ ଯାଇଥିଲା। ତାଙ୍କଠାରେ ଅନିର୍ବାପିତ ଅନୁତାପ କେମିତି କିଏ ସୃଷ୍ଟି କରିଥିଲା? ଚଣ୍ଡାଶୋକରୁ ସେ ବନିଗଲେ ଅଶୋକ କେମିତି? ୟେ ହେଲା ସେଇ ଆହତ ଓ ଧ୍ବସ୍ତ ପ୍ରାଣର ପ୍ରତିକ୍ରିୟା। ଆଉ ଗୋଟେ କଥା। ଚୈତନ୍ୟଙ୍କ ପରମ ସଖା ରୂପ ଗୋସ୍ବାମୀଙ୍କ କଥା ଆଉ ଥରେ ମନେ ପକାଇ ଦେଉଛୁ। ସବୁଦିନ ପରି, ସେଦିନ ବି ସେ ଆଶ୍ରମ ସମ୍ମୁଖରେ ବସି କୃଷ୍ଣରୂପ ଓ ଲୀଳାରେ ମଜ୍ଜି ଯାଇଥିଲେ। ଫୁଲରଙ୍କା ଗୋପଗୁଆଳିଗୁଡ଼ା ତାଙ୍କୁ ଗୋଟେ ଡେଙ୍ଗା ଗଛରୁ ଫୁଲ ତୋଳିବାକୁ ଅଳି କଲେ। ଲୀଳାମୟ କୃଷ୍ଣ ଗଛର ପ୍ରକାଣ୍ଡ ଡାଳଟାକୁ ବାଁ ହାତରେ ନୁଆଁଇ ଦେବା ମାତ୍ରେ ଗୁଆଳିଗୁଡ଼ା ଡାଳକୁ ତତ୍‌କ୍ଷଣାତ୍‌ ଜାବୁଡ଼ି ଧରି ଫୁଲତୋଳା ଆରମ୍ଭ କରିଦେଲେ। କୃଷ୍ଣ ଡାଳଟାକୁ ଛାଡ଼ିଦେଲେ। ଡାଳ ଗୁଆଳିମାନଙ୍କ ସହ ଉପରକୁ ଉଠିଗଲା। ଏଙ୍କର ବଳ କାହିଁ ଏ ଡାଳଟାକୁ ଭିଡ଼ି ରଖିବାକୁ? ବିକଳରେ ପାଟିକରି ତାଙ୍କୁ ସବୁ ରକ୍ଷା କରିବାକୁ କୃଷ୍ଣଙ୍କୁ ନିବେଦନ କଲେ। ଏଥିରେ କୃଷ୍ଣ, ସାଥୀମାନଙ୍କ ସହ ହସିହସି ଗଡ଼ିଗଲେ। ତା’ ସହିତ ଏ ଦୃଶ୍ୟ ମନନ କରୁଥିବା ରୂପଗୋସ୍ବାମୀ ମଧ୍ୟ ଠୋ ଠୋ ହସି ଗଡ଼ିଗଲେ। ଦୁର୍ଭାଗ୍ୟକୁ ରାସ୍ତାରେ ଜଣେ ବିକଳାଙ୍ଗ ବୈଷ୍ଣବ ଯାଉଥିଲେ। ତାଙ୍କୁ ଏମିତି ଚାଲିବାର ଦେଖିଲେ ଦୁଷ୍ଟ ପିଲାଏ କ’ଣ, ବଡ଼ ବଡ଼ ଲୋକ କେତେଜଣ ବି ହସିଥା’ନ୍ତି। ଆଉ କେହି କୁଆଡ଼େ ନାହାନ୍ତି। ରୂପ ଗୋସ୍ବାମୀ ତାଙ୍କର ଏ ଚାଲିରେ ହସୁଥିବା ଭାବି ଢେର ଆହତ ଓ ଅସନ୍ତୋଷ ତାଙ୍କ ଉପରେ ହେଲେ। ଏଥିରେ ରୂପ ଗୋସ୍ବାମୀଙ୍କର ଆଉ କୃଷ୍ଣ ଲୀଳା ଦର୍ଶନ ହେଲାନି। ଢେର ବ୍ୟସ୍ତ ହୋଇପଡ଼ିଲେ। ତାଙ୍କର ଏ ବ୍ୟସ୍ତତା ଦେଖି ଜଣେ ବୈଷ୍ଣବ କହିଲେ, ‘‘ଆପଣ ତ ବୈଷ୍ଣବ ଅପରାଧ କରିଛନ୍ତି, ସେଥିପାଇଁ କୃଷ୍ଣଲୀଳା ଆପଣଙ୍କର ଆଉ ଦୃଶ୍ୟ ହେଉନି କହି, ବିକଳାଙ୍ଗ ସେଇ ବୈଷ୍ଣବଙ୍କ ଅସନ୍ତୋଷ କଥା କହିଲେ। ସେ ତ ବୈଷ୍ଣବଙ୍କୁ ଦେଖି ହସୁ ନ ଥିଲେ, ମାତ୍ର ବୈଷ୍ଣବ ଭୁଲ ବୁଝି ତାଙ୍କ ଉପରେ ଅସନ୍ତୁଷ୍ଟ ହେବାରୁ ବି ତା’ରି ଫଳରେ ଲୀଳା ଦର୍ଶନ କ୍ଷମତା ତାଙ୍କର ପ୍ରତ୍ୟାହୃତ ହୋଇଯାଇଛି। ୟେ ହେଲା ଅସନ୍ତୋଷର କଥା।

କୃଷ୍ଣ ତନୟ ଶାମ୍ବଙ୍କ କଥା ଦେଖୁନା। ଋଷିମାନଙ୍କ ଅଭିଶାପରେ ସେ କେମିତି ଲୌହ ମୁଷଳ ଜନ୍ମ କଲେ ଓ ତା’ ହିଁ କୃଷ୍ଣଙ୍କ ପ୍ରାଣ ନେଇ ଯଦୁବଂଶ ଧ୍ବଂସ କରାଇଲା। ମୁନିଙ୍କର ତା’ ଥିଲା ଅନ୍ତର୍ଗତ ଏକ ଅସନ୍ତୋଷ ଓ ପ୍ରକାଶରେ ଯାହାକୁ ଅଭିଶାପ କୁହାଯାଇଛି। ସାମାନ୍ୟ ଅସନ୍ତୋଷ ମଧ୍ୟ ଯଦୁବଂଶକୁ ଧ୍ବଂସ କରିଦେଲା, ବିନା ଲଢ଼େଇ ଓ ରକ୍ତପାତରେ। ଗୁରୁ ପର୍ଶୁରାମଙ୍କ ଅଭିଶାପରେ ମହାବୀର, ମହାଦାନୀ କର୍ଣ୍ଣଙ୍କର କି ଦାରୁଣ ଅବସ୍ଥା ହେଲା ମହାଭାରତ ଯୁଦ୍ଧ ପଡ଼ିଆରେ। ଆଖିରି ସେ ଘୋର ଅସହାୟତା ମଧ୍ୟରେ ଅର୍ଜୁନଙ୍କ ଦ୍ବାରା ନିହତ ହେଲେ ନା ନାଇଁ ମ? ଶ୍ରବଣକୁମାରଙ୍କ ଅନ୍ଧ ପିତାମାତାଙ୍କ ଅଭିଶାପରେ ଦଶରଥ ମଧ୍ୟ ପୁତ୍ରମୁଖ ନ ଦେଖି ପୁତ୍ରଶୋକରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେମିତି ଆଶୀର୍ବାଦ ଓ ସନ୍ତୋଷ ପ୍ରାପ୍ତିରେ ଜଣେ ଆଶାତୀତ ସୌଭାଗ୍ୟ ପ୍ରାପ୍ତ ହୋଇପାରେ। ପିତୃ ଆଶୀର୍ବାଦରେ ପର୍ଶୁରାମ କଳ୍ପାନ୍ତଜୀବୀ ବନିଗଲେ। ପତିଭକ୍ତି ଓ ପତିଙ୍କ ଆଶୀର୍ବାଦରେ ଅନସୂୟା କେମିତି ବ୍ରାହ୍ମଣରୂପୀ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ କୁନି ପିଲା ବନେଇ, ସେମାନଙ୍କ ଇଚ୍ଛାନୁଯାୟୀ ସେମାନଙ୍କୁ ସ୍ତନ୍ୟପାନ କରେଇଲେ। ତା’ ତ ପୁରାଣ ପ୍ରସିଦ୍ଧ। ଗୁରୁ ଗୁରୁଜନଙ୍କ, ସାଧାରଣ ମଣିଷଟିଏର ଆଶୀର୍ବାଦ ଓ ସନ୍ତୋଷରେ ମଧ୍ୟ ଅପ୍ରାପ୍ତ ବସ୍ତୁ ପ୍ରାପ୍ତ ହୋଇଥାଏ, ଏହା ବୈଜ୍ଞାନିକ କାରଣ ସମ୍ମତ। ସେମିତି ଜଣଙ୍କ ଆଖି ଲୁହରେ ମହା ପରାକ୍ରମଶାଳୀ ଜଣେ ପୋଡ଼ି, ଜଳି ପାଉଁଶ ହୋଇଯିବା ବି କେବଳ ପୌରାଣିକ ନୁହେଁ, ଐତିହାସିକ ସତ୍ୟ ମଧ୍ୟ। ବିପୁଳ ଉଦାହରଣର ପରିସର ଏଠାରେ ନାହିଁ। ଯେ ଏକୁ ବୁଝିଛି, ଅନୁଭବିଛି ସେ ଅପାର ଶାନ୍ତି ଓ ସୁଖ ପ୍ରାପ୍ତ ହୋଇଛି। ତର୍କରୁ କ’ଣ ମିଳିବ? ‘‘ବିଶ୍ବାସେ ମିଳଇ ହରି ତର୍କେ ବହୁ ଦୂର’’। ଶୋଷଣ, ଦୂଷଣ, କଷଣ, ଈର୍ଷା, ଚାପା ବୈରତା ଓ ଅସହିଷ୍ଣୁତା ଭରି ରହିଥିବା ଏ ସମାଜରେ, ପରିବାରରେ ସୁଖ ଶାନ୍ତି ମିଳିବ କାହୁଁ?

କୁହା ତ ଗଲା, ‘‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।’’ ଭାରତୀୟ ସମାଜ ଓ ସଂସ୍କୃତି ଆଧାର ପ୍ରତିଷ୍ଠିତ ବ୍ୟବସ୍ଥା ଆଜି ବିଷୟଦଗ୍ଧ ସଭ୍ୟତା, ଆଧୁନିକତାରେ ବାଟ ବଣା। କିଏ କାହା କଥା ଘେନୁଛି? ‘‘ପ୍ରଭାତେ ତୁ ଦିଶୋ ଯାନ୍ତି କାକସ୍ୟ ପରିବେଦନା’’, ‘‘ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତା’’। ପିତାମାତା ଯାହା ଉପରେ ସନ୍ତୁଷ୍ଟ ତା’ ଉପରେ ସବୁ ଦେବତା ସନ୍ତୁଷ୍ଟ। ଏ ଦେଶର ଜନତା ଓ ନାଗରିକେ ବିପୁଳ ଶାନ୍ତି ସୁଖ ପାଇବାର ସୂତ୍ର, ମନ୍ତ୍ର ଓ ଶକ୍ତି ଥିଲା ପିତୃଭକ୍ତି, ପିତୃ ଆଶୀର୍ବାଦ। ଦେଖୁନା ଭୀଷ୍ମଙ୍କ କଥା। ଏ ଦେଶ ସଂସ୍କାର ସଂସ୍କୃତିର ଉଦାହରଣ, ପ୍ରେରଣାପ୍ରଦ ସୁଯୋଗ୍ୟ ସନ୍ତାନ ଭୀଷ୍ମ। ବୃଦ୍ଧ ପିତା ଶାନ୍ତନୁଙ୍କ କେଉଟ ଝିଅ ସୁନ୍ଦରୀଙ୍କୁ ବିବାହ ଇଚ୍ଛା ଓ ଅମଙ୍ଗ କୈବର୍ତ୍ତକୁ ନେଇ ତାଙ୍କ ମନ ଦୁଃଖ ଦୂର ପାଇଁ, ଭୀଷ୍ମଙ୍କ ଚିର ଅବିବାହିତ କେବଳ ନୁହଁ, ରାଜଗାଦି ତ୍ୟାଗର ପ୍ରତିଜ୍ଞା ଆଜିର ଏ କାମଜ ସନ୍ତାନଗଣ ବୁଝିବେ ବା ବିଶ୍ବାସ କରିବେ କେମିତି? ଭାରତୀୟଙ୍କ ପାଇଁ, ଭାରତୀୟ ସଂସ୍କାର ଓ ସଂସ୍କୃତି ପକ୍ଷେ ବିସ୍ମୟକର ଓ ଉଦ୍ଭଟ ପାଶ୍ଚାତ୍ୟ ସଭ୍ୟତାର ସ୍ଥବିରାଶ୍ରମ ଏବେ ଏ ଦେଶରେ ଛାଇ ହୋଇଗଲାଣି। ଏକାନ୍ନବର୍ତ୍ତୀ ପରିବାରରେ ଦେବତା ଭଳି ପୂଜା ପାଉଥିବା ବାପା, ଜେଜେ, ପରମ ଜେଜେବାପା ଓ ମା’ମାନେ ଆଜି ଅବହେଳିତ, ଅବାଞ୍ଛିତ ତଥା ଗାଁ କୋଠଘର କି ସ୍ଥବିରାଶ୍ରମର ଦୟନୀୟ ଜୀବ। ମୋଗଲ ଶାସନରେ ବା କ୍ଷମତା ଓ ଭୋଗର ଦୂଷିତ ଭାବରେ ଫେଣ୍ଟା ରକ୍ତରୁ ଜନ୍ମ ପିତୃହନ୍ତା କାମଜ ସନ୍ତାନମାନଙ୍କ ପିତାଙ୍କୁ କାରାଗାରରେ ନିର୍ଯାତନା, ହତ୍ୟାର ପରମ୍ପରାଗତ, ବୁନିଆଦି ବ୍ୟାପ୍ତ ପାଶବିକ ଆଚରଣ ଆଜି ରାଜମହଲ, ରାଜପ୍ରାସାଦର ବିଳାସ ଘେରରୁ ଫିଟିଆସି ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ, କଳୁଷିତ କରୁଛି। କଂସ ଆଦେଶରେ ଦିନକର ରାଜା ପିତା ଉଗ୍ରସେନ କାରାଗାର ପ୍ରହରୀ ନିଯୁକ୍ତ, ପିତା ବିମ୍ବିସାରଙ୍କ ପୁତ୍ର ଦ୍ବାରା କାରାଗାରରେ ଉତ୍ପୀଡ଼ନର ଦାରୁଣ ମୃତ୍ୟୁରେ ସେ ବଂଶମାନ ପିତୃ ଅସନ୍ତୋଷରେ ଧ୍ବଂସ ପାଇ ଯାଇଥିବା ପୁରାଣ ଓ ଇତିହାସର କଥା। ପବିତ୍ର ରୁଚି ଓ ମୂଲ୍ୟବୋଧ ଏବେ ଭୁଶୁଡ଼ି ପଡ଼ିଛି, ନିଶ୍ଚିହ୍ନ ମଧ୍ୟ। ତେଣୁ ସମାଜର ଏ ଦୁରବସ୍ଥା, ପ୍ରତି ପରିବାରରେ, ଘରେ ଅଶାନ୍ତି ପିତୃପୁରୁଷଙ୍କ ଅଭିଶାପରେ ହିଁ ଘଟୁଛି। ଏକୁ ବିଶ୍ବାସ କରିବାକୁ, ଗ୍ରହଣ କରିବାକୁ ତମକୁ କେହି ବାଧ୍ୟ କରୁନି। ତମେ ତମ ବାଟରେ ଥା’। ଯେଉଁମାନେ ସଂସ୍କାର ଓ ପ୍ରାରବ୍ଧ ବଶରୁ ଏକୁ ଗ୍ରହଣ କରିଛନ୍ତି, ଏ ଅମୃତମୟ ମନ୍ତ୍ରକୁ ଆପଣେଇଛନ୍ତି ସେମାନେ ସତରେ ଧନ୍ୟ।

ଏବେ ଗୋଟେ ଖବର ବେପାରପତ୍ର ବନ୍ଧୁମାନେ ଛାପିଛନ୍ତି। ଦୁଇଭାଇଙ୍କ ସମ୍ପତ୍ତି କଳହରୁ ବାପାଙ୍କ ଶବକୁ ଦୀର୍ଘ ଘଣ୍ଟା କାଳ ପକାଇ ରଖି, ଏ ଦେଶ ବିଶ୍ବାସ ‘ବାସିମଡ଼ା’ର ଦୁଷ୍କୃତି ବିଚରା ସ୍ବର୍ଗତ ପ୍ରାଣକୁ ଏ ପୁଏ ଦିଆଇଲେ। ‘ପୁତ୍‌’ ନାମକ ନର୍କରୁ ୟେ ପିତାଙ୍କୁ ରକ୍ଷା କରିଥାଏ ବୋଲି ଏଙ୍କୁ ‘ପୁତ୍ର’ କୁହାଯାଏ। ସେମିତି, ଆନନ୍ଦ କାରଣ ହୋଇଥିବାରୁ, ୟେ ପିତାମାତାଙ୍କୁ ଆନନ୍ଦ ଦେଉଥିବାରୁ ଏଙ୍କୁ ‘ନନ୍ଦନ’ କୁହାଯାଉଥିଲା। ଆଜି ଏଗୁଡ଼ା ଶତ୍ରୁ ନନ୍ଦନ ତଥା ଶତ୍ରୁର ଆନନ୍ଦ ଦାୟକ ହୋଇଛନ୍ତି। ପୁତ୍ର କର୍ତ୍ତୃକ ନିର୍ଯାତିତ ବୃଦ୍ଧ ପିତାକୁ ଦେଖି ତାଙ୍କ ଶତ୍ରୁ ଏଇ ନନ୍ଦନମାନଙ୍କୁ ପ୍ରଶଂସା କରି ଆନନ୍ଦ ପାଉଛନ୍ତି। ତା’ପରେ ଗାଁରେ ଶବ ପଡ଼ା କଥା। କିରେ, ଶତ୍ରୁ ହେଉ କି ମିତ୍ର ହେଉ ଗାଁରେ ଜଣଙ୍କର ମୃତ୍ୟୁ ହୋଇଗଲା ତ ପ୍ରତି ପରିବାରରେ ସବୁ କାର୍ଯ୍ୟ ଠପ୍‌। ଶବ ନ ଉଠିବା ଯାଏ ରୋଷେଇ ବନ୍ଦ। ଠାକୁର ପୂଜା ଅଟକ, ତେଣୁ କାନ୍ଧ ଲଗେଇ ଗାଁବାସୀମାନେ ଶବକୁ ଉଠେଇ ନେଉଥିଲେ। ଏଇଟା ପୁତ୍ରର ଦାୟିତ୍ବ କେବଳ ନ ଥିଲା ସାରା ଗ୍ରାମବାସୀ ଏଥିରେ ଭାଗୀଦାର ଥିଲେ। ୟେ ଗାଁର କୋଠଘର ସଂସ୍କୃତି, କଥା, ବ୍ୟବସ୍ଥା। ମାତ୍ର ଏବେ କାଇଁ ସେ କଥା? ପଡ଼ିଶା ଘରେ ଶବ ପଡ଼ିଥିଲେ ପଡ଼ିଥାଉ। କାହାର କିଛି ଯା’ ଆସ ନାହିଁ। ଆଉ ଠାକୁର ପୂଜା ବନ୍ଦ ନାହିଁ କି ରୋଷେଇ କି ଭୋଜନ ବନ୍ଦ ନାହିଁ। ଗ୍ରାମ୍ୟ ଜୀବନ, ବ୍ୟକ୍ତିଜୀବନ ଏବେ ସାମାଜିକ ବ୍ୟବସ୍ଥା ଶୃଙ୍ଖଳରୁ ମୁକ୍ତ। ଏମେଲେ, ସରପଞ୍ଚ ମିଶି ଗାଁକୁ ଦି’ବାଡ଼ିଆ ତିନିବାଡ଼ିଆ କରିଛନ୍ତି। କିଏ କାହାକୁ ‘ବୈକଟ୍‌’ ଆଉ କରିପାରିବ? ସରକାର ବା ତତ୍କାଳୀନ ରାଜା କେହି ବି ଗାଁର ଏ ଶବ ସତ୍କାର, ଅଭିଆଡ଼ୀ ଝିଅର ବିବାହ କଥା ଚିନ୍ତା କରୁ ନ ଥିଲେ। ସମ୍ଭବ ବି ନୁହଁ। ମାତ୍ର ଆଜି କାଲି ଆମ ପରମ୍ପରାକୁ ଏ ସରକାର, ଏ ନେତାମାନେ ଭୁଶୁଡ଼ାଇ ଦେଲାପରେ, ଯେତେ ପାରେ ସେତେ ଗୋଳିପାଣି ସୃଷ୍ଟିକରି କଙ୍କଡ଼ା ପରି ଗୋଳିପାଣିରୁ ଲାଭ ନେଲାପରେ, ଗାଁରେ ଶବ ପଡ଼ିବ, କାମଜ ସନ୍ତାନମାନେ ବାପର ଶବକୁ ପକାଇ ଆଗ ସମ୍ପତ୍ତି ଭାଗ କରିବାର ପଶୁତୁଲ୍ୟ ମାନସିକତାର ଶିକାର ହେବେ, ହେଉଛନ୍ତି। ମଝିରେ ମଝିରେ ଆମ ବେପାରପତ୍ର ଭାଇମାନେ ଚେତନାର ଏ ଛୁଙ୍କ ଦେଉଛନ୍ତି ସିନା, ୟେ କୋଉଥିକୁ ପାଉଛି? ‘ନଷ୍ଟସ୍ୟ କାନ୍ୟାଗତିଃ’, ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି, କଣାର ମେଘ ଦୁଲୁକା ଧାରଣା ହାସ୍ୟାସ୍ପଦ ଓ ଦୟନୀୟ। ଏମିତି ଶବ ପଡ଼ିରହିବ, ରିକ୍ସାରେ, ଟ୍ରଲି ରିକ୍ସାରେ, ମଟର ସାଇକଲରେ ବୁହାଯିବ। ନାହିଁ ତ ୟାର ପ୍ରତିକାର କ’ଣ? ‘‘ଛ’ ଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ା’’ କଥା ଏବେ ଏକ ନୈରାଶ୍ୟବାଦୀ ଗୀତର ସୁର ଯାହା। କିଏ ଏଙ୍କୁ ଘେନୁଛି? ନ ଘେନୁଛ ତ, ଏଇ ଅବସ୍ଥା ଭୋଗ।

Comments are closed.