ବଡ଼ ବିପତ୍ତିର ସତର୍କ ଘଣ୍ଟି

ପ୍ରକୃତି ସାଙ୍ଗେ ନ ଲଢ଼ି ବା କ୍ଷତି ହେବାଭଳି କୌଣସି ଅପକାର୍ଯ୍ୟ ନ କରି ତାହାର ସୁରକ୍ଷା କଲେ ହିଁ ମଣିଷର ମଙ୍ଗଳ ହେବ

କେରଳ ଓ ଉତ୍ତରାଖଣ୍ଡ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ କ୍ରମାଗତ ଯେଉଁ ପ୍ରାକୃତିକ ବିପତ୍ତିର ଭୟାନକ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା କେବଳ ସେହି ରାଜ୍ୟଗୁଡ଼ିକ ପାଇଁ ନୁହେଁ ବରଂ ସମଗ୍ର ଭାରତ ଓ ବିଶ୍ବ ପାଇଁ ସତର୍କଘଣ୍ଟି। ଓଡ଼ିଶା ବନ୍ୟା ଓ ବାତ୍ୟାପ୍ରବଣ ରାଜ୍ୟ ଭାବେ ଜଣାଶୁଣା। ପ୍ରତିବର୍ଷ ଅନେକ ପ୍ରାକୃତିକ ଦୁର୍ବିପାକ ଆମକୁ ଯେତିକି ବିପଦ ଭିତରକୁ ଠେଲିଦିଏ, ଦେଶର ଅନ୍ୟ ରାଜ୍ୟ ତା’ ତୁଳନାରେ କମ୍‌। ତେବେ ନିକଟ ବର୍ଷଗୁଡ଼ିକରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଭଳି ପାହାଡ଼ପର୍ବତପୂର୍ଣ୍ଣ ରାଜ୍ୟଗୁଡ଼ିକରେ ମୁଷଳ ଧାରାରେ ବର୍ଷା ଫଳରେ ବନ୍ୟା ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବା ଘଟନା ବୃଦ୍ଧି ପାଉଛି। ଏପରି କି ଅନେକ ସ୍ଥାନରେ ମାଟିରେ ଗଭୀର ଗର୍ତ୍ତ ସୃଷ୍ଟି ହେଉଥିବା ପରି ଅଭୂତପୂର୍ବ ଘଟନା ଦେଖିବାକୁ ମିଳୁଛି। ଏହା ଆଗକୁ ଘୋର ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇପାରେ ବୋଲି ଭୂତତ୍ତ୍ବବିତ୍‌ମାନେ ଆଶଙ୍କା ପ୍ରକଟ କଲେଣି। ଏବେ ଉତ୍ତରାଖଣ୍ଡରେ ଆସିଥିବା ବନ୍ୟାରେ ଘର ଓ ଯାନବାହନ ଡବା ପରି ବୋହିଯାଉଥିବାର ଯେଉଁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି, ତାହା ଛାତି ଥରାଇ ଦେବା ଭଳି। ଗତ ତିନି ଦିନ ଭିତରେ ସେଠାରେ ୫୫ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଛି; ବହୁ ଲୋକ ନିଖୋଜ ହୋଇଯାଇଛନ୍ତି ଓ ଶତାଧିକ ବାସଗୃହ ଭାଙ୍ଗିଯାଇଛି। ସେହିପରି କେରଳରେ ମଧ୍ୟ ମାଟିଅତଡ଼ା ଖସିବା ଘଟନାରେ ଏ ପର୍ଯ୍ୟନ୍ତ ୪୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଖବର ଆସିଛି। ଏସବୁ ଘଟନାରେ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ଏଭଳି ପ୍ରାକୃତିକ ବିପତ୍ତି ନୂଆ ନ ହେଲେ ମଧ୍ୟ ବର୍ତ୍ତମାନ ପୂର୍ବାପେକ୍ଷା ଏହାର ପରିମାଣ ଓ ତୀବ୍ରତା ଯେପରି ବହୁଗୁଣ ବୃଦ୍ଧି ପାଉଛି, ତାହା ବେଶି ଉଦ୍‌ବେଗଜନକ। ଏଥିଯୋଗୁଁ ଏହା ଧନଜୀବନ ପାଇଁ ଅଧିକ ଘାତକ ପାଲଟୁଛି। ଚିନ୍ତାର ବିଷୟ ଯେ ଯେଉଁ ସମୟରେ ଆମ ପାଖରେ ପାଣିପାଗ ବିଭାଗର ଚେତାବନୀ ଓ ସୂଚନା ଦେବାଭଳି ଏକ ସଂପୂର୍ଣ୍ଣ ବୈଜ୍ଞାନିକ ବ୍ୟବସ୍ଥା ରହିଛି, ତା’ ସତ୍ତ୍ବେ ଧନଜୀବନ ସୁରକ୍ଷା କରିବାରେ ଆମେ ବିଫଳ ହେଉଛୁ। କିଛି ବର୍ଷ ତଳେ ଚୀନ, ଜାପାନ ଆଦି ଦେଶରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକୁ ବନ୍ୟାଜଳ ଭସାଇ ନେବାର ଦୃଶ୍ୟ ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ଠିକ୍‌ ସେହି ସମାନ ଦୃଶ୍ୟ ଏବେ ଆମ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି। ଚଳିତବର୍ଷ ମଧ୍ୟ ଫ୍ରାନ୍ସ, ଜର୍ମାନୀ ସମେତ ଅନେକ ଇଉରୋପୀୟ ଦେଶରେ ମୁଷଳ ଧାରାରେ ବର୍ଷା ହେବା ସହ ବନ୍ୟା ଆସିଛି, ତାହା ସେସବୁ ସ୍ଥାନରେ ଅଭୂତପୂର୍ବ। ଏଥିରୁ ଆଉ ଗୋଟିଏ କଥା ସ୍ପଷ୍ଟ ହେବାରେ ଲାଗିଛି ଯେ ସମଗ୍ର ବିଶ୍ବ ଜଳବାୟୁ ସଙ୍କଟ ଭିତରେ ପଡ଼ିସାରିଛି। ବିଶ୍ବ ତାପମାତ୍ରା ବଢ଼ିବା ସହ ଋତୁଚକ୍ରରେ ଅସ୍ବାଭାବିକ ପରିବର୍ତ୍ତନ ଆସିଛି।

ଏସବୁ ବିପର୍ଯ୍ୟୟ ଧରିତ୍ରୀର ପ୍ରକୃତି ଓ ପରିବେଶକୁ ମନୁଷ୍ୟ ହିଁ ବିଭିନ୍ନ ଉପାୟରେ ନଷ୍ଟଭ୍ରଷ୍ଟ କରିବାର ପରିଣାମ ବୋଲି ପରିବେଶବିଦ୍‌ଗଣ ବହୁ ପୂର୍ବରୁ ଚେତାବନୀ ଦେଇଆସୁଥିଲେ ମଧ୍ୟ ତାକୁ ଆମେ ଉପେକ୍ଷା କରିଆସୁଛୁ। ସମଗ୍ର ପୃଥିବୀରେ ବନାଞ୍ଚଳ ହ୍ରାସ ଠାରୁ ଆରମ୍ଭ କରି ମେରୁର ବରଫ ତରଳିବା ପର୍ଯ୍ୟନ୍ତ ସବୁକିଛିକୁ ବୈଜ୍ଞାନିକମାନେ ପ୍ରାମାଣିକ ଭାବେ ଆକଳନ କରୁଛନ୍ତି ଏବଂ ଚେତାବନୀ ଶୁଣାଉଛନ୍ତି। ମନୁଷ୍ୟ ଯଦି ଏବେଠୁ ନ ଚେତେ ଓ ଆବଶ୍ୟକ ପଦକ୍ଷେପ ନ ନିଏ, ତେବେ ଆଗାମୀ ସମୟରେ ଅବସ୍ଥା ଅସମ୍ଭାଳ ହେବ ବୋଲି ସେମାନେ କହୁଛନ୍ତି। ତା’ ସତ୍ତ୍ବେ ଏଥିପ୍ରତି କେହି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେଉଥିବା ଦୃଷ୍ଟିଗୋଚର ହେଉନାହିଁ। ଯାହା ବି ନିଆଯାଉଛି, ତାହା କାମଚଳା। ସର୍ବୋପରି ମଣିଷ ନିଜେ ହିଁ ପ୍ରକୃତିର ରାସ୍ତା ରୋକି ତାକୁ ଆପଣା ସ୍ବାର୍ଥରେ ନିୟୋଜିତ ହେବାକୁ ବାଧ୍ୟ କରୁଛି। ଏହାର ପରିଣାମ ଧ୍ବଂସଲୀଳା ଛଡ଼ା ଆଉ କିଛି ହେଉନାହିଁ। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଆଦି ପାହାଡ଼ିଆ ଅଞ୍ଚଳରେ ବନ୍ୟା ଏହାର ଦୃଷ୍ଟାନ୍ତ। ସେଠାରେ ବନ୍ୟା ଆସିବାର ପ୍ରମୁଖ କାରଣ ନଦୀଗୁଡ଼ିକର ସ୍ବାଭାବିକ ପ୍ରବାହ ବନ୍ଦ ହୋଇଯିବା। ପାହାଡ଼ଗୁଡ଼ିକରେ ପ୍ରାସାଦ ଓ ଅନ୍ୟାନ୍ୟ ନିର୍ମାଣ ସଂଖ୍ୟା ବୃଦ୍ଧି ପାଉଛି। ସେହିପରି କେରଳ ଭଳି ଉପକୂଳ ରାଜ୍ୟର ତଟବର୍ତ୍ତୀ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ନିର୍ମାଣ ସେହି ଅଞ୍ଚଳର ପ୍ରକୃତି ପାଇଁ ସଙ୍କଟର କାରଣ ପାଲଟିଲାଣି।

ଶତାଧିକ ବର୍ଷ ପୂର୍ବେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିଲା; କିନ୍ତୁ ଏବେ ତା’ର ତୀବ୍ରତା ବୃଦ୍ଧି ପାଇବା ସହ ତା’ର ପ୍ରକୃତି ବଦଳିଛି। ବେଳେବେଳେ ସୁନାମି ଭଳି ମହାବିପର୍ଯ୍ୟୟ ମଧ୍ୟ ଆସୁଛି, ଯାହା କେବଳ ଗୋଟିଏ ରାଜ୍ୟ ବା ଦେଶ ନୁହେଁ, ବରଂ ମହାଦେଶ ଓ ବିଶ୍ବକୁ ପ୍ରଭାବିତ କରିବାର କ୍ଷମତା ରଖେ। ଏଭଳି ମହାବିପର୍ଯ୍ୟୟର ସମ୍ମୁଖୀନ ହେବା ବା ତାକୁ ଏଡ଼ାଇ ଦେବା ଆଧୁନିକ କଳକୌଶଳଯୁକ୍ତ ମଣିଷ ପାଇଁ ଏବେ ମଧ୍ୟ ଅସମ୍ଭବ। ତେଣୁ ଆମେ ପ୍ରକୃତି ସାଙ୍ଗେ ନ ଲଢ଼ି ବା ତା’ର କ୍ଷତି ହେବାଭଳି ଅପକାର୍ଯ୍ୟ ନ କରି ତାହାର ସୁରକ୍ଷା ପାଇଁ ପଦକ୍ଷେପ ନେଲେ ହିଁ ଆମର ମଙ୍ଗଳ ହେବ।

Comments are closed.