ବିକୃତ ପରମ୍ପରା
“ବାର ମାସରେ ତେର ପର୍ବର ଏ ଦେଶ”ର ଲୋକଗୁଡ଼ା କର୍ମପ୍ରବଣ, କର୍ତ୍ତବ୍ୟନିଷ୍ଠ କେମିତି ରହିପାରିଛନ୍ତି ବୋଲି ପାଶ୍ଚାତ୍ୟ ଦେଶର ଜନତାଙ୍କର ବିସ୍ମୟ। ପର୍ବପର୍ବାଣି ଉତ୍ସବ ଏତେ ରହିଲେ ଲୋକଗୁଡ଼ା କର୍ମଚ୍ୟୁତ, ହେରେସିଆ ହେବା ସ୍ୱାଭାବିକ। ମାତ୍ର ଏ ଦେଶର ‘‘ପର୍ବପର୍ବାଣି’’ରେ ଆନନ୍ଦ ଅପେକ୍ଷା ସାଧନା, ପବିତ୍ରତାର ଚେତନା ବରଂ ନିରଙ୍କୁଶ ଉଛୁଳା ମନକୁ ଅଙ୍କୁଶିତ ଓ ଶୃଙ୍ଖଳିତ କରିଥାଏ। ସାରା ମାସ ଏକବକ୍ତ ଅରୁଆ ଅନ୍ନ ସହ ବିନା ପିଆଜ ରସୁଣ ଓ ହଳଦୀର ଡାଲେମାରେ ସାରୁ, କଞ୍ଚା କଦଳୀ, ମୂଳା ଓ ଖମ୍ବଆଳୁ ପ୍ରଭୃତି ନିର୍ଦିଷ୍ଟ କେତେକ ପରିବା ମାସସାରା ‘ହବିଷ୍ୟାନ୍ନ’ ଖାଇବା ପରେ କାର୍ତ୍ତିକ ପୂର୍ଣ୍ଣମୀ ଓ ଛାଡ଼ଖାଇ ପର୍ବ ପାଳିତ ହୁଏ। ବିସ୍ମୟ ଓ କୌତୂହଳର କଥା, ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରୁ ନ ଥିବା, କାର୍ତ୍ତିକ ମାସରେ ନିର୍ଦିଷ୍ଟ ‘ହବିଷ’ ଖାଉ ନ ଥିବା ଲୋକେ, ଏଇ ସାଧକ ବା ଭକ୍ତଙ୍କ ନାମରେ ଛାଡ଼ଖାଇକୁ, ଉଦ୍ଦଣ୍ଡ ମାଂସ ଭୋଜନମୟ କରି ଦିଅନ୍ତି। ମାତ୍ର ଛାଡ଼ଖାଇ ପାଳିବାର ଏଙ୍କର ହକ୍, ଅଧିକାର ବା ଯୋଗ୍ୟତା କାହିଁ? ଆଜିକାଲି ସମୟ ସୁଅରେ ଏ ସବୁ ଧୋଇ ଗଲା। ଅଣ-ହବିଷିଆଳିଗୁଡ଼ା ‘ଛାଡ଼ଖାଇ’କୁ ନିଷ୍ଠା, କାଷ୍ଠାର ପୂର୍ତ୍ତି ଉତ୍ସବ ନ କରି ଉଦ୍ଦଣ୍ଡ ମାଂସ ଭକ୍ଷଣର ସୁଯୋଗ ଭାବେ କରଛଡ଼ା କରନ୍ତିନି। ସେମିତି ହୋରି ଖେଳ କଥା ଦେଖୁ ନାହାନ୍ତି। ଆରେ ଯେଉଁ କୃଷ୍ଣଭକ୍ତ ଓ ବୈଷ୍ଣବଗଣ ଦୀର୍ଘ ନଅଦିନ ଧରି ଶାସ୍ତ୍ରମତ ପୂଜା ପାଳନ କରନ୍ତି, ଅନ୍ତିମ ଦିନରେ ଠାକୁରଙ୍କ ହୋରି ଖେଳରେ ସେମାନେ ସାମିଲ ହୁଅନ୍ତି। ଏଥିରେ ଅବିର କର୍ପୂର ଆଦି ସୁଗନ୍ଧିତ ଦ୍ରବ୍ୟ କେବଳ ବ୍ୟବହୃତ ହୁଏ। ମାତ୍ର ନଅ ଦିନରୁ ଦିନେ ବି ଏ ପୂଜା କରି ନ ଥିବା ଲୋକଗୁଡ଼ା ‘ହୋରି’ ଖେଳକୁ କେମିତି ଭେଷଡ଼ା, ଅଶ୍ଳୀଳ ଓ ଅଶିଷ୍ଟ କରି ଦିଅନ୍ତି କିଏ ନ ଦେଖେ? ପଡ଼ିଶା ଘର ଭାଉଜ, ଧରମ ଭଉଣୀ ଓ ଭିଣୋଇଙ୍କୁ ମୁଣ୍ଡଫଟା ଆଉ କ’ଣ କ’ଣ ଫଟା ରଙ୍ଗରେ ରଙ୍ଗେଇବାର ଅନୁଚିତ ଓ ଅସୌଜନ୍ୟ ଖେଳ କେମିତି ଏ ପବିତ୍ର ଅନ୍ତିମ ଉତ୍ସବକୁ ଅବାନ୍ତର କରିଦିଏ, ତା’ ଯୁଗ ପରିବର୍ତ୍ତନର କାରଣ ବ୍ୟତୀତ ଆଉ କ’ଣ କୁହାଯାଇ ପାରିବ? ସମାଜର ସବୁଠୁ ଶ୍ରେଷ୍ଠ ବର୍ଣ୍ଣ ବ୍ରାହ୍ମଣ ସେମାନଙ୍କ କଠୋର ଓ ପବିତ୍ର ଜୀବନାଦର୍ଶ ପାଇଁ ସର୍ବଜନପୂଜିତ ଓ ସମ୍ମାନିତ ହେଉଥିଲେ। ଫକିରିଆ ଗୋଷ୍ଠୀର ଏ ତେଜସ୍ୱୀମାନଙ୍କୁ ଧନାଢ଼୍ୟ ଜମିଦାରେ କେବଳ ନୁହନ୍ତି; ରାଜା ମହାରାଜମାନେ ମଧ୍ୟ ସିଂହାସନରୁ ଓହ୍ଲାଇ ଆସି ସାଷ୍ଟାଙ୍ଗ ଦଣ୍ଡବତ କରିଥା’ନ୍ତି। ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ ପରଠୁ ରାତ୍ରିରେ ଶୟନ ପର୍ଯ୍ୟନ୍ତ ସମସ୍ତ କର୍ମ ପବିତ୍ର ମନ୍ତ୍ରପୂତରେ ସ୍ନାତ, ପ୍ରଚୋଦିତ। ସେଇ ବ୍ରାହ୍ମଣଙ୍କୁ ଅସନ୍ତୋଷ, ଅସମ୍ମାନ କଲେ ଦୈବ ଦଣ୍ଡରୁ ମୁକ୍ତି କାଇଁ? ବ୍ରହ୍ମ ଅଭିଶାପ ବୋଲି କଥା, ନଜିର ଓ ଅନୁଭବ ଅଛି। ବ୍ରାହ୍ମଣ ବା ଋଷିମାନଙ୍କ ଅଭିଶାପରେ କୃଷ୍ଣ ପୁତ୍ର ଶାମ୍ବ କୁଷ୍ଠ ରୋଗାକ୍ରାନ୍ତ ହେଲେ ଓ ଯଦୁବଂଶ ଧ୍ୱଂସ ହେଲା। ଶ୍ଳୋକ କୁହାଯାଇଥିଲା, “ସୁଖାନ୍ତେ କ୍ରନ୍ଦତି ଗାବଃ, ଦୁଃଖାନ୍ତେ ପୁତ୍ର ପଣ୍ଡିତଃ, ଯଶାନ୍ତେ କୁଳଟା ଭାର୍ଯ୍ୟା, ବଂଶାନ୍ତେ ବ୍ରାହ୍ମଣ ରିପୁଃ।” ଅର୍ଥାତ୍ ଗାଈ କାନ୍ଦିଲେ ନିଜର ବା ପରିବାରର ସୁଖ ସରିଗଲା ବୋଲି ଜାଣିବ, ସେମିତି ପୁତ୍ର ସୁଯୋଗ୍ୟ ହେଲେ ଦୁଃଖ ସରିଗଲା, ଭାର୍ଯ୍ୟା କୁଳଟା ହେଲେ ଯଶ ଓ ବଂଶ ବୁଡ଼ିବାକୁ ହେଲେ ବ୍ରାହ୍ମଣ ଶତ୍ରୁହେବ। ନବ ଦେବତାଙ୍କୁ କାନ୍ଧରେ ଦିବାରାତି ବହନ କରୁଥିବା ଓ ଏ କଥା ଜାଣି ନ ଥିବା, ପଇତାରେ ଚାବି ଥୋଲା ବାନ୍ଧୁଥିବା ଏ ବ୍ରାହ୍ମଣ ସେ ବ୍ରାହ୍ମଣ ନୁହଁ। ଏ ବିଷୟରେ ବ୍ୟାପକ ଆଲୋଚନାର ପରିସର ଓ ଅବସର ଏଠାରେ ନାହିଁ। ନିରାମିଷ ଓ ଶୁଦ୍ଧ ଭୋଜନପ୍ରିୟ ବ୍ରାହ୍ମଣମାନେ ଦେବୀ ପୂଜା ନାମରେ ଯେଉଁ ଦିନ ‘ବଳି’ ପୂଜାରେ ପ୍ରବୃତ୍ତ ହେଲେ, “କାରଣ” ନାଁରେ ମାଂସ ଓ ମଦ ମହାଷ୍ଟମୀ ରାତିରେ ଭୋଜନ ଓ ପାନ କଲେ ସେଇଦିନୁ ସେମାନଙ୍କଠୁ ଏ ଦିବ୍ୟକଳା ଉଭେଇ ଯାଇଛି, ପ୍ରତ୍ୟାହୃତ ହୋଇଯାଇଛି। ପଶୁବଳି, ନରବଳି ଆଦିର ନିତାନ୍ତ ଅସାଧାରଣ ବ୍ୟବସ୍ଥା ଯାହା କରାଯାଇଛି ସେଥିରେ ନିଯୁକ୍ତ ପୁରୋହିତ ବା ବ୍ରାହ୍ମଣର ଯେଉଁସବୁ ଯୋଗ୍ୟତା ବର୍ଣ୍ଣନା କରାଯାଇଛି ସେଥିରେ ତାଙ୍କର ବଳି ଦିଆଯାଇଥିବା ଜୀବର ପୁନର୍ଜୀବନ୍ୟାସ କ୍ଷମତାର ବର୍ଣ୍ଣନା କରାଯାଇଛି। ମାତ୍ର ଆଜିକାଲି ତା’ କାଇଁ? ବରଂ ଲୋଭୀ ବ୍ରାହ୍ମଣ ବଳି ବୋଦାର ‘ଫଡ଼ିଆ’ କି ‘ଗର୍ଦନ’ରେ ନିଜର ଭାଗ ରଖୁଛନ୍ତି। ଭାଗବତକୁ ଉଦ୍ଧାର କରି ପଣ୍ଡିତପଣିଆ ଦେଖେଇ, ନିଜ ମାଂସାହାରକୁ ସମର୍ଥନ ଓ ଉଚିତ ଦର୍ଶାଇ ବୋଲନ୍ତି, ‘‘ଜୀବ ମାରିଣ ଜୀବ ଖାଇ, ସେ ଜୀବ ବୈକୁଣ୍ଠେ ବସଇ।’’
ପ୍ରସଙ୍ଗତଃ ମନେପଡ଼େ ମହାଦାନୀ କର୍ଣ୍ଣଙ୍କ କଥା। ତାଙ୍କ ଦାନଶୀଳତାର ଯଶରେ ଦେବତାମାନେ ବି ଈର୍ଷାନ୍ୱିତ ହେଲେ। ଦୁଇଚାରିଜଣ ଇନ୍ଦ୍ରଙ୍କ ସମ୍ମତିରେ ବ୍ରାହ୍ମଣ ବେଶ ହୋଇ କର୍ଣ୍ଣଙ୍କ ପାଖେ ହାଜର ହୋଇଗଲେ। ବ୍ରାହ୍ମଣଙ୍କୁ ଦେଖି ଢେର ସ୍ୱାଗତ ସମ୍ଭାଷଣ କର୍ଣ୍ଣ କଲେ। ସେମାନେ କର୍ଣ୍ଣଙ୍କଠାରୁ ଭୋଜନ ଆଶା କଲେ। କର୍ଣ୍ଣ ଖୁବ୍ ଆନନ୍ଦରେ ରାଜି ହୋଇଗଲେ। ମାତ୍ର ବ୍ରାହ୍ମଣମାନେ କହିଲେ “ଆମେ ଯାହା ଖାଇବାକୁ ମାଗିବୁ ଦେବ ତ? ଆଗ ପ୍ରତିଜ୍ଞା କର।’’ ଦାନଶୀଳ କର୍ଣ୍ଣ ତୁରନ୍ତ ପ୍ରତିଜ୍ଞା କରିଦେଲେ। ସେମାନେ ନରମାଂସ ତର୍କାରି ଭୋଜନରେ ଦେବାକୁ କହିଲେ। ତଟସ୍ଥ କର୍ଣ୍ଣ କହିଲେ, କୋଉ ନରକୁ ମୁଁ ହତ୍ୟା କରିପାରିବି? ମୁଁ ନିଜେ ଆତ୍ମହତ୍ୟା କରୁଛି ଓ ମୋ ମାଂସର ଭୋଜନ ଆପଣଙ୍କୁ ଦିଆଯିବ। ଏଥିରେ ବ୍ରାହ୍ମଣମାନେ ବହୁ ଯୁକ୍ତି ଦର୍ଶାଇ ଏଭଳି ସିଦ୍ଧାନ୍ତକୁ ଖଣ୍ଡନ କଲେ। ଅସହାୟ କର୍ଣ୍ଣଙ୍କୁ କହିଲେ ତମର ୧୪/୧୫ ବର୍ଷର ପୁଅ ‘ବିଶିକେଶନ’ ଅଛି। ତା’ ମାଂସ ଆମକୁ ଖୋଉନ? ସ୍ତମ୍ଭୀଭୂତ ହୋଇଗଲେ କର୍ଣ୍ଣ, ପାଦତଳୁ ଧରିତ୍ରୀ ଅପସରି ଯାଉଥିବା ଭଳି ଲାଗିଲା। କଥା ତ ଅଛି “ଏକଇର ବଳା ବିଶିକେଶନ”। ଅସମ୍ମତ, ଅବସନ୍ନ କର୍ଣ୍ଣଙ୍କୁ ପୁଅ ବିଶିକେଶନ ଯାହା କହିଲା, ତା’ ଏ ମଣିଷରୂପୀ ଦେବତାମାନଙ୍କୁ ସ୍ତବ୍ଧ କରିଦେଲା। ନିଜେ ମୃତ୍ୟୁ ଓ ହତ୍ୟା ପାଇଁ ପ୍ରସ୍ତୁତ ହୋଇଗଲା। ଏକ ମାତ୍ର ପୁଅର ମାଂସରେ ମହମହ ବାସୁଥିବା ମାଂସ ତର୍କାରି ଭୋଜନ ବଢ଼ାଗଲା। ମାତ୍ର ମୁନିମାନେ କର୍ଣ୍ଣଙ୍କୁ ତାଙ୍କ ସହ ଖାଇବାକୁ ବାଧ୍ୟ କଲେ। କହିଲେ, “ତମେ ରାଗରେ ଏଥିରେ ବିଷ ମିଶାଇ ପାରିଥାଅ। ତେଣୁ ତମେ ଆମ ସହ ଆଗ ଖାଇଲେ, ଆମେ ଖାଇବୁ।” କର୍ଣ୍ଣ ପୁତ୍ରମାଂସର ତର୍କାରି ଖାଇ ପ୍ରତି ଗୁଣ୍ଡାରେ ମୃତ୍ୟୁର ଯନ୍ତ୍ରଣା ଅନୁଭବିଥାନ୍ତି। ତୃପ୍ତ ଓ ସନ୍ତୁଷ୍ଟ ବ୍ରାହ୍ମଣମାନେ କହିଲେ, “ଏଥର ତମକୁ ଆଶୀର୍ବାଦ କରିବୁ। ତମ ଏକମାତ୍ର ବିଶିକେଶନକୁ ଡାକ।” ଧୈର୍ଯ୍ୟଚ୍ୟୁତି ହୋଇଗଲା କର୍ଣ୍ଣଙ୍କର। ହିଡ଼ଲଙ୍ଘା ରକ୍ତମିଶା ଶ୍ରାବଣୀ ଲୁହରେ କର୍ଣ୍ଣ ଚଢ଼ାଗଳାରେ କହିଲେ, “ବନ୍ଦ କରନ୍ତୁ ଆପଣମାନଙ୍କ ପରିହାସ, ନିଜେ ତ ତା’ ମାଂସ ନୃଶଂସ ଭାବେ ଖାଇ, ଏକ ଅସହାୟ, ହତଭାଗ୍ୟ ପିତାକୁ ଖୁଆଇ ଏବେ ତାମସାରେ ଅଛନ୍ତି ନା କ’ଣ?” ହସୁଥିବା ବ୍ରାହ୍ମଣମାନେ ଏଥିରେ ଟିକେ ଗମ୍ଭୀର ହୋଇଗଲେ। କହିଲେ, “ଏ ଭୋଜନ ଦାନରେ ତମର ଏତେ ଅସନ୍ତୋଷ ତ ତା’ ଆମେ ଫେରସ୍ତ ଦେଇଦେବୁ। ଆମେ କହୁଛୁ ତମ ପୁତ୍ର ବିଶିକେଶନ ଏବେ ବି ଜୀବିତ। ଥରେ ଡାକି ଦେଖ ତ।”
ଅସହାୟ କର୍ଣ୍ଣ ରୁଦ୍ଧ କଣ୍ଠରେ ଡାକିଲେ “ବାପା ବିଶିକେଶନ ମୋର, ଏ ପୁତ୍ରହନ୍ତା ପିତା ପାଖକୁ ଫେରିଆ ବାପା, ଫେରିଆ।” ସତକୁ ସତ ସାଙ୍ଗମାନଙ୍କ କୋଉ ଖେଳରୁ ଉଠି ଦଉଡ଼ି ଆସିଛି ଯେମିତି ବିଶିକେଶନ, ପିତା ପୁତ୍ରର ସେ ମିଳନ ଅବର୍ଣ୍ଣନୀୟ। ଉଭେଇଗଲେ ଏଇ ମଉକାରେ ବ୍ରାହ୍ମଣମାନେ। ସ୍ୱର୍ଗବାଣୀ ହେଲା, “ଦେଖ କର୍ଣ୍ଣ, ତମ ଦାନଶୀଳତାର ପଟାନ୍ତର ନାହିଁ। ମାତ୍ର ଦାନୀ ହେବାର ଅହଂରେ ଜୀବନରେ ଆଉ ଯେପରି ଏ ଭୁଲ ନ କର। କୌଣସି ଭଲକାମ ପୂର୍ବରୁ ଅହଂତାକୁ ପ୍ରଚୋଦିତ କଲେ ତା’ର ମର୍ଯ୍ୟାଦା ଓ ମୂଲ୍ୟ ହାନି ହୋଇଥାଏ। ବଳି ବ୍ୟବସ୍ଥାର ପ୍ରତିବଦଳରେ ‘କୁଷ୍ମାଣ୍ଡ’ କଟାର ବ୍ୟବସ୍ଥା ସେଇଦିନୁ ଅଧିକ ଚଳିଆସିଲା, ମାତ୍ର ଆଜି କାଇଁ ତା’?
ଦେବୀ ପୀଠରେ, ବଳି ନାମରେ ରକ୍ତ ସ୍ରୋତ ରୋକିବାକୁ ସରକାର ଢେର ପ୍ରୟାସ କରୁଛନ୍ତି। ମାତ୍ର ଗତ ଦୁର୍ଗାପୂଜାରେ ମନ୍ଦିରରେ ‘ବଳି’ ରକ୍ତରେ ସେଠି କୃତ୍ରିମ ନଦୀ ସୃଷ୍ଟି ସାରା ଜନତାଙ୍କୁ ସ୍ତବ୍ଧ ଓ ବିସ୍ମିତ କରିଛି। କେମିତି ସମ୍ଭବ ହେଲା ୟେ? ତ୍ରି-ମକାର, “ମଦ, ମାଂସ ଓ ମାଈକିନା”ର ଏକ ସୂତ୍ରଧର ମନକୁ ଏ ସରକାର ରାଜ୍ୟବ୍ୟାପୀ ଏବେ କରିଦେଇଛନ୍ତି। ପ୍ରେକ୍ଷାଳୟ, ଦର୍ଶନୀୟ ପୀଠ ଓ ଗାଁ ଗହଳିରେ କେଉଁଠି ଏବେ ମଦ ଦୋକାନ ନାହିଁ? ହାତପାଆନ୍ତାରେ ସୁଲଭ ଏ ମଦ ପିଇ ପ୍ରତିଦିନ ଦୁର୍ଘଟଣା, ହତ୍ୟାକାଣ୍ଡମାନ ଘଟୁଛି। ବାରୁଦ ଗଦାରେ ଦିଆସିଲି ମାରି ଏ ସରକାର ହୁରି ପକଉଛନ୍ତି– କେମିତି ଏ ବିସ୍ଫୋରଣ ହେଲା? ବାପ, ମା’, ସମାଜକୁ ଧୋକ୍କା ଦେଇ ଦିନେ, ଯୌବନଦୀପ୍ତ ବ୍ୟକ୍ତି ପ୍ରେମବିବାହ କରିଥିବାର ଉତ୍ତର ପାଏ, ନିଜ ପୁଅ ଯୋଉଦିନ ହରିଜନ ବସ୍ତିର ନେତେରା କଣ୍ଡରାର ଝିଅକୁ ନେଇ ଚମ୍ପଟ ମାରିଲା। ମନେ ପଡ଼େନି ସେତେବେଳେ ତା’ର, ନିଜେ କୋଡ଼ିଏ ବର୍ଷ ତଳେ କ’ଣ କରିଥିଲା? କଥା ଅଛି, ଟଲଷ୍ଟୟ ତାଙ୍କ ପୃଥିବୀ ପ୍ରସିଦ୍ଧ ଗଳ୍ପ, “God sees the truth, but waits.”ରେ ଏହାର ସୁନ୍ଦର ବର୍ଣ୍ଣନା କରିଛନ୍ତି। ‘ବଳି’ ନାମରେ ପୂଜା ପୀଠରେ ‘ଜୀବହତ୍ୟା’ର ବାରଣ ତର୍କାଧୀନ ହେଲେ ବି ଏଥିରେ ଆନ୍ତରିକତା କର୍ତ୍ତୃପକ୍ଷଙ୍କ କାଇଁ? ତିନି ମ’କାରରୁ ଗୋଟିଏ ମ’କାର ଥିଲେ, ତା’ ଅନ୍ୟ ଦୁଇ ମ’କାରକୁ ଆବାହନ କରିବେ। ସରକାର ଖାଲି ନୁହଁ; ତାଙ୍କୁ ବାଛିଥିବା ଲୋକ ରୁଚି ଏଇଲେ ଅରଣା, ବଣୁଆ ବା ଅଣ-କଦଳିଆ ହୋଇଯାଇଛି। ଯୁଗପୁରୁଷ କେବଳ ଏ ଅଣ-କଦଳିଆ ବୁଦା ସମୂଳେ ଉପାଡ଼ି ପାରିବେ। ପିଲାଦିନେ ଗୀତ ଶୁଣୁଥିଲୁ, “ପିମ୍ପୁଡ଼ି ପାମ୍ପେଡ଼ା ଭିଆ ହୋଇଗଲେ ଗଗନେ ଉଡ଼ିଲା ଧୂଳି, ବିଲର କଙ୍କଡ଼ା ବାଇଦ ବଜାନ୍ତି ବେଙ୍ଗ ଦେଲେ ହୁଳହୁଳି ଗୋ ମିତ; ଦେଖି ମୁଁ ହେଲି ଚକିତ।” ସତରେ, ଏବେ ସେମିତି ଚକିତ କଲାଭଳି ଅବାନ୍ତର, ଅସୌଜନ୍ୟ, ଅବାଞ୍ଛିତ ଘଟଣାସବୁ ଘଟୁଛି।
Comments are closed.