ବଡ଼ଘର ବଡ଼ ଗୁମର କଥା

ଚିକ୍‌ଚିକ୍‌ କରୁଥିବା ମହାର୍ଘ ସୁନା ଅଳଙ୍କାରରେ ଯେ ଖାଦ ମିଶିଛି, ଏ କଥା କିଏ ଅସ୍ବୀକାର କରିବ? ଖାଲି ଆଖିକୁ, ବାହାରକୁ ଏ ଖାଦ କୁ ଜଣାପଡ଼େ? ଚନ୍ଦ୍ରରେ ବି କଳଙ୍କ ଲାଗିଯାଇଛି। ତେଣୁ ଆମ, ତମ, ରାମା ଦାମାଙ୍କ କଥା କ’ଣ କହିବା? ମାର୍କ ଟ୍ବେନ ତ କହିଲେ, ‘‘Everybody is a moon and has a dark side of his own.” ଗାଁ ଗହଳିରେ ବି କଥା ଅଛି, ‘‘ବଡ଼ଘର ବଡ଼ ଗୁମର କଥା ସଙ୍ଗାତ କାନ ଡେରି ଶୁଣୁଥା। ପାଠୁଆ ଘରର ଅପାଠ କଥା ସଙ୍ଗାତ କାନ ଡେରି ଶୁଣୁଥା।’’ ସବୁ ଭଲକୁ ପ୍ରଭୁ ତେଣୁ ଦାଗ ମୁକ୍ତ କରି ନ ଥା’ନ୍ତି। ୟା’ ବୋଲି ଯେ ସଂସାରରେ ଭଲ ଲୋକ ନ ଥାନ୍ତି, ତା’ ଏସବୁ କଥାରୁ ବୁଝିବା ଠିକ୍‌ ନୁହଁ। ଏମିତି ବାଛବିଚାରକୁ ଛେନାରୁ ଚୋପା ଛଡ଼େଇବା କଥା ବୋଲି କୁହାଯାଏ। ସେମାନଙ୍କୁ ଦୋଷଦ୍ରଷ୍ଟା, fault finder କି ‘ବ୍ରଣଂ ଇଚ୍ଛତି ମକ୍ଷୀକା’’ ମାଛି ସହ ତୁଳନା କରାଯାଏ। ଅନ୍ୟର ସୁଗୁଣ ଦୃଷ୍ଟିଗୋଚର ବା ବୋଧ ନ ହେବା ‘କଳୁଷିତ ମତି’ ହେତୁ ଘଟିଥାଏ ବୋଲି କୁହାଯାଏ। ‘ତୁଳସୀ ସ୍ତବକ’ର ଅନୁବାଦରେ କବିବର ରାଧାନାଥ ବି ତ କହିଛନ୍ତି, ‘‘ଦେଖ ମଳିନ ହୋଇ ଆଶ୍ରମ ସର, ନ ବହେ ହୃଦେ ଛବି ତୀରବନର, ମତିକି କଳୁଷିତ କଲେ ଯେସନେ, ଅକ୍ଷମ ଜନେ ପର ଗୁଣ ଗ୍ରହଣେ।’’ ପାଣିମିଶା ଦୁଧରୁ, କେବଳ ଦୁଧ ବାଛି ପିଇ ପାରିବାର କ୍ଷମତା ଥିବା ହଂସକୁ ସେଥିପାଇଁ ଉଦାହରଣ ଭାବେ ତାରିଫ କରାଯାଏ।

ବ୍ୟକ୍ତିଗତ ଜୀବନରେ ଗୋପନୀୟତା ଏକ ଭଣ୍ଡାମି ନୁହେଁ, ମାତ୍ର ସ୍ବୀୟ ନିୟନ୍ତ୍ରଣ ମୁକ୍ତ ଏ ଦୁର୍ବଳତାରୁ ଫାଇଦା ଉଠାଇବା ହିଁ ଭଣ୍ଡତା, ଶଠତା। ଗାନ୍ଧୀ ନିଜ ଜୀବନକୁ ଗୋପନୀୟତା ମୁକ୍ତ କରୁଥିଲେ। ତାଙ୍କ ଶୋଇବା ଘର କବାଟ କେବେ ବି ଭିତରୁ ବନ୍ଦ ନ ଥିଲା। ତେଣୁ ସମାଜରେ ପ୍ରତିଷ୍ଠିତ, ସମ୍ମାନିତ ବ୍ୟକ୍ତିତ୍ବମାନଙ୍କ ବ୍ୟକ୍ତିଗତ ଜୀବନର ଗଳିକନ୍ଦି ଅଣ୍ଡାଳିବା ଦୁର୍ଜନତା ମାତ୍ର। ଏପରି ଉଦ୍ୟମ, ପରିପ୍ରକାଶ ସମାଜରେ ବିଭ୍ରାଟ ସୃଷ୍ଟି କରିଥାଏ। ବିଶ୍ବାସବୋଧ ଠୋକର ଖାଇ ନୈରାଶ୍ୟବୋଧ ସୃଷ୍ଟି କରେ। ୟେ ବୃଥା ଅସ୍ଥିରତାର କାରଣ ହୁଏ। ଦିୱାନ ଏସ୍‌ ଚାନ୍ଦ, ରାଜା ମହାରାଜମାନଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟ ପେଡ଼ିକୁ ତାଙ୍କ ବହି ‘ମହାରାଜ’ ଓ ‘ମହାରାଣୀ’ରେ ପ୍ରକାଶ କରି, ରାଜା ମହାରାଜମାନଙ୍କୁ କେତେ ନ୍ୟୂନ ବା ବେଜିତ୍‌ କରେଇଲେ କେଜାଣି, ନିଜେ କିନ୍ତୁ ଢେର ସମାଲୋଚିତ, ଘୃଣିତ ପାଠକସମାଜରେ ହେଲେ। ଇୟେ ବିଦେଶୀ ‘ପାଣ୍ଡରା ବାକ୍ସ’ର ବିଷ ବର୍ଷଣ ଯାହା କରିଥିଲା। ଏବେ ଏଇ ‘ପାଣ୍ଡରା ବାକ୍ସ’କୁ ନେଇ ନାନା ହଇଚଇ ଏ ଦେଶରେ ସୃଷ୍ଟି ହୋଇଛି। ଗ୍ରୀକ୍‌ ପୁରାଣରେ ପାଣ୍ଡରା ଜଣେ ଦେବୀ ଭାବେ ସମ୍ମାନିତ ହେଉଥିଲେ। ସେ ନାନା ଅସମାହିତ ସମସ୍ୟା ତଥା ଭୟଙ୍କର ତଥ୍ୟକୁ ପ୍ରଘଟ କରି ତତ୍କାଳୀନ ସମାଜକୁ ବିଷ ଜର୍ଜରିତ କରି ଦେଇଥିଲେ। ତେଣୁ ସେକାଳୁ ‘ପାଣ୍ଡରା ବାକ୍ସ’ ସର୍ବଦା କଠୋର ଶୃଙ୍ଖଳରେ ଏଭଳି ଭୟଙ୍କର ତଥ୍ୟକୁ ସମାଜ ତଥା ଲୋକଲୋଚନରୁ ଦୂରରେ ରଖୁଥିଲେ। ଭାଲିଆ କି ବିରୁଡ଼ି ବସାରେ ହାତ ମାରିବା ଭଳି ପାଣ୍ଡରା ବାକ୍ସରେ ହାତ ମାରିବା ସମାନ।

ସ୍ବର୍ଗତ ଜାନକୀ ବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ସେ ରାଜନୈତିକ ଦଳର ଆୟବ୍ୟୟକୁ ସର୍ବସାଧାରଣ କରିବା ପାଇଁ ଆଇନ ତିଆରି ବିଷୟ ଘୋଷଣା କରିଥିଲେ। ସେତେବେଳେ ବିରୋଧୀ ଦଳ ନେତା, ସ୍ପଷ୍ଟବାଦୀ ବିଜୁ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ଜାନକୀ ବାବୁଙ୍କୁ ଏ ଅଳିଆ ବା ଝାମେଲାରୁ ମୁକ୍ତ କରିବାକୁ କହିଥିଲେ, “Do not touch the Pandera Box”. ଏ କଥା କହିବା ବେଳେ ରାଜନୀତିଆମାନଙ୍କର ବେଆଇନ ଅର୍ଥ ସଂଗ୍ରହ ଓ ଦାନ ଆଦି ଥିବାର ସୂଚନା ଦେଇଥିଲେ ଯାହାର ପ୍ରକାଶ ନାନା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଏଇ କଥାରୁ ବାରି ହୋଇପଡ଼ିଥିଲା। ସବୁକାଳେ, ସବୁ ସମାଜରେ ଏମିତି ଗୋପନୀୟ ତଥ୍ୟ ସବୁ ବଡ଼ବଡ଼ିଆଙ୍କ ସମ୍ପର୍କରେ ଥାଏ। ଆମ ପୁରାଣରେ, ଇତିହାସରେ ମଧ୍ୟ ଏମିତି ତଥ୍ୟ ଘଟଣାମାନ ବି ଥାଏ। ଛପନ ଗଣ୍ଡା ଯୁଗକୁ ବର ପାଇଥିବା ରାବଣ ଧରାକୁ ସରା ମଣିଲେ। ସେଥିପାଇଁ ତ କୁହାଯାଇଛି, ‘‘ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ, ଅତି ଦାନେ ବଳିର୍ବଦ୍ଧଃ ସର୍ବମତ୍ୟନ୍ତଂ ଗର୍ହିତମ୍‌।’’ ଗର୍ବ ଓ ଅହଂକାରରେ ଶିବ ବରପ୍ରାପ୍ତ, ଦଶମୁଣ୍ଡ ଓ କୋଡ଼ିଏ ହାତର ଏଇ ରାବଣ ତାଙ୍କ ଜେଜେ ବ୍ରହ୍ମାଙ୍କୁ ପଚାରିଲେ, ‘‘ଜେଜେ! ମୋର ମୃତ୍ୟୁ କେବେ ଓ ମୋତେ କିଏ ମାରିପାରିବ?’’ ଏ କଥାରେ ଅହଂକାର ଓ ତାଚ୍ଛଲ୍ୟ ବେଶ୍‌ ଭରି ରହିଥିଲା। ଧ୍ୟାନରତ ବ୍ରହ୍ମା ଏ କଥାକୁ ଏଡେଇଲେ। ଶୁଣି ନ ଶୁଣିଲା ପରି ରହିଲେ। ମାତ୍ର ରାବଣଙ୍କ ଆହ୍ବାନପୂର୍ବକ ବାରମ୍ବାର ଏ ପ୍ରଶ୍ନର ଉତ୍ତରରେ ବ୍ରହ୍ମା କହିଲେ, ‘‘ତମକୁ ଯେ ମାରିବେ, ତାଙ୍କ ବାପା ମା’ଙ୍କର ଏବେ ବିବାହ ଉତ୍ସବ ଚାଲିଛି। ସେ ରାଜା ଦଶରଥ ବୋଲି ଜାଣିବାରୁ, ସିଧା ନିଜେ ସେ ବିବାହ ଉତ୍ସବରେ ହାଜର ହୋଇଗଲେ। ସରଯୁ ନଦୀରେ ବିରାଟ ବୋଇତ ଉପରେ ଅନୁଷ୍ଠିତ ହେଉଥିବା ଏ ପରିଣୟ ଉତ୍ସବକୁ ଭାଙ୍ଗିବାକୁ ଉଦ୍ୟମ କଲେ। ଉତ୍ତାଳ ତରଙ୍ଗ ଓ ଝଡ଼ରେ ଡଙ୍ଗା ଭାଙ୍ଗିରୁଜି ଗଲା। ଲୋକେ କିଏ ବୁଡ଼ିଗଲେ ତ କିଏ ଭାସିଗଲେ। କୈକେୟୀ ମଧ୍ୟ ଭାସିଯାଇ ଏକ ନିର୍ଜନ ଟାପୁରେ ଲାଗିଲେ ଓ ସେଠି ଥିବା ଏକ ବିରାଟ ପେଟିରେ ପଶି ଆତ୍ମରକ୍ଷାର ଉଦ୍ୟମ କଲେ। ବିଧାତାର ବିଧାନ ତ ସବୁକାଳେ ବିଚିତ୍ର। ଦଶରଥ ଓ ମନ୍ତ୍ରୀ ସୁମନ୍ତ ମଧ୍ୟ ସେଇ ଟାପୁରେ ଲାଗିଲେ। ଟାପୁ ମଧ୍ୟସ୍ଥ ଏ ପେଟେରାକୁ ଦେଖି ତା’ ମଧ୍ୟରେ କନ୍ୟା ବେଶର ଏ ଅପରୂପା ସୌନ୍ଦର୍ଯ୍ୟର ମହିଳାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏଇ କନ୍ୟା ସହ ତାଙ୍କର ବିବାହ ହେବାର ଥିବା ଜାଣିଲେ। ସୁମନ୍ତଙ୍କ ପରାମର୍ଶରେ ଦୁହିଁଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଗଲା। ରାବଣ ସେ ପେଟି ସହ ବ୍ରହ୍ମାଙ୍କ ଆଗେ ହାଜର ହୋଇଗଲେ। ତା’ ଭିତରେ ଯେ ଦଶରଥ ଅଛନ୍ତି, ସେ କଥା ତାଙ୍କୁ ଅଜଣା ଥିଲା। ଦଶରଥ ଓ କୈକେୟୀ ଦୁଇଜଣ ଯାକ ବ୍ରହ୍ମାଙ୍କ ସମ୍ମୁଖରେ ପେଟେରାରୁ ବାହାରିବାରୁ, ବିସ୍ମିତ ଓ କ୍ରୁଦ୍ଧ ରାବଣ ଖଣ୍ଡା ବାହାର କରି ଦୁଇ ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଲେ। କାରଣ, ‘‘ମୂଳୁ ମାଇଲେ ଯିବ ସରି…’’। ମାତ୍ର ତୁରନ୍ତ ବ୍ରହ୍ମା ହସ୍ତକ୍ଷେପ କରି ତାକୁ ଏଥିରୁ ନିବ‌େର୍ତ୍ତଇଲେ। କହିଲେ, ‘‘ଯଦି ତୁ ଏଠି ଏ ଦୁହିଁଙ୍କୁ ହତ୍ୟା କରୁ ସେମାନଙ୍କ ରକ୍ତରୁ ଏଇ କ୍ଷଣି ରାମ ଜନ୍ମ ନେଇ ତତେ ହତ୍ୟା କରିବେ। ଛପନ ଗଣ୍ଡା ଯୁଗକୁ ବର ପାଇଛୁ। ଗଣ୍ଡେ ଯୁଗ ଅନ୍ତତଃ ଭୋଗ କର।’’ ରାବଣ ସମସ୍ତ ଘଟଣାକ୍ରମ ଦେଖି ଡରି ଯାଇଥିଲେ ଓ ଦଶରଥଙ୍କୁ ଛାଡ଼ି ଦେଇଥିଲେ ପରବର୍ତ୍ତୀ ଆଉ କେତେ କାଳ ଭୋଗ କରି, ରାମଙ୍କ ହାତରେ ‌େଶଷରେ ମରିବାକୁ। ତାଙ୍କ ମୃତ୍ୟୁତତ୍ତ୍ବ ବା ରହସ୍ୟ ନ ଫିଟାଇ ତାଙ୍କୁ ଶାନ୍ତିରେ ରହିବାକୁ, ରାବଣଙ୍କ ଏ ନିଷିଦ୍ଧ ଭାଗ୍ୟ ପେଟେରା ନ ଖୋଲିବାକୁ କହିଥିଲେ। ମାତ୍ର ରାବଣଙ୍କ ଜିଦ୍‌ ହେତୁ ପ୍ରକାଶ କରି ଦେଇଥିଲେ। ପୁରାଣ କାହିଁକି ଇତିହାସରେ ଏମିତି ପାଣ୍ଡରା ବାକ୍ସରୁ ପ୍ରଘଟ ତଥ୍ୟ ଇତିହାସର ମୋଡ଼ ବଦଳାଇ ଦେଇଥିବାର ଉଦାହରଣ ଭୂରି ଭୂରି। ଛାଡ଼ନ୍ତୁ ସେ ସବୁ କଥା।

ଏବେ ସେମିତି ପାଣ୍ଡରା ବାକ୍ସକୁ ଏକ ଅନ୍ତର୍ଜାତୀୟ ସମ୍ବାଦ ସଂସ୍ଥା ଖୋଲି ଦେଇଛନ୍ତି। ନିଜ ଆର୍ଥିକ ସ୍ଥିତି ଗୋପନ ରଖିବାକୁ ଓ ଟିକସ ଦେୟରୁ ରକ୍ଷା ପାଇବାକୁ ଏହି ସବୁ ଧନାଢ଼୍ୟ, ବିଶିଷ୍ଟ ବ୍ୟକ୍ତିମାନେ ବିଦେଶସ୍ଥ ସଂସ୍ଥାରେ ଟଙ୍କା ଜମା ରଖିଛନ୍ତି। ପ୍ରଘଟ ହୋଇଥିବା ଏହି ନାମ ମଧ୍ୟରେ ତିନିଶହ ଭାରତୀୟ ଅଛନ୍ତି ଓ ତା’ ମଧ୍ୟରେ ଷାଠିଏ ଜଣ ବିଶିଷ୍ଟ ବ୍ୟକ୍ତି ଓ ସଂସ୍ଥା ଥିବା ଜଣାପଡ଼ିଛି। ବିଦେଶସ୍ଥ ଏହି ସାମ୍ବାଦିକ ସଂସ୍ଥା ‘ଆଇ.ସି.ଆଇ.ଜେ’ ସୂତ୍ରରୁ ଭାରତର ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସ ପ୍ରଥମେ ଏହି ଛାତି ଧଡ଼କା ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ ପ୍ରକାଶ ପାଇଥିବା ନାମରୁ ଜଣାପଡ଼େ ଧୋବଧାଉଳିଆ, ଚିକିମିକିଆ ଏ ବ୍ୟକ୍ତିଗୁଡ଼ା କେମିତି ଟିକସ ଫାଙ୍କିରେ ସମ୍ପୃକ୍ତ। ଦେଶର ଅର୍ଥନୀତିକୁ ପଙ୍ଗୁ କରିଦେଉଛନ୍ତି। ଏଇ ନଁା ମଧ୍ୟରେ, ଭାରତୀୟଙ୍କ ଗର୍ବ ଗୌରବ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକର ବି ଏଇ ପଙ୍କରେ ଡୁବିଛନ୍ତି। ଭାରତୀୟ ଚଳନ୍ତି ପ୍ରତିଭା-ଦେବତା ଥିବା ଇଏ ବି ସେଇ ଟଙ୍କା ମୋହରେ! ସେମିତି ଭାରତର ଅନ୍ୟତମ ଧନାଢ଼୍ୟ ବ୍ୟକ୍ତିଭାବେ ଅନିଲ ଅମ୍ବାନି ଅଛନ୍ତି। ସେ ତ ବେପାରୀ ପିଲା। ଯେତେ ବଡ଼ ବେପାରୀ ହେବେ ତେତେ ବେଶି ଡକାୟତି କରିବାଟା ସାରା। ଛି, ମନ ବିଷେଇ ଉଠୁଛି ଏ ସବୁ ଘଟଣାରେ। ତେଣୁ ଏବେ ଦାବି ଧରୁଛି ଯେ ସରକାର ଏ ସବୁ ନାମ ପ୍ରଘଟ କରି ଦିଅନ୍ତୁ। ଲୋକେ ଦେଖନ୍ତୁ, ଏଗୁଡ଼ା ମହାକାଳ ଫଳ।

ଏ ପାଣ୍ଡରା ଘଟଣା ପୂର୍ବରୁ ପାନାମା ଓ ପାରାଡାଇଜ୍‌ ସୂତ୍ରରୁ ମଧ୍ୟ ଜଣାପଡ଼ିଥିଲା ଯେ ଜନତାର ଆଖି​‌େ​‌ର ଆଙ୍ଗୁଠି ଗେଞ୍ଜି ଏ ଉତ୍ତୁଙ୍ଗ ବ୍ୟକ୍ତିତ୍ବମାନେ ଚୋରି ଓ ଟିକସ ଫାଙ୍କିରେ ଲିପ୍ତ ଥିଲେ। ସେଦିନୁ ପୁଣି କେତେ ବର୍ଷ ବିତି ଯାଇଥିଲେ ବି କାଇଁ କୋଉ ଏ ଧଳା ଫିରିଫିରି ବଡ଼ବଡ଼ିଆଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି ନା ଏ ଲୋକେ ଅଧିକ ସଚେତନ ରହିଛନ୍ତି। ‘‘ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ’’। ପିତୃ ସତ୍ୟ ପାଳି ବନବାସୀ ହେଉଥିବା ରାମଙ୍କ ସହ ସୀତା ଯିବାକୁ ଜିଦ୍‌ କଲେ। ଶ୍ରୀରାମଙ୍କ ବାରଣର ଉତ୍ତର ଦେଇ ସୀତା କହିଥିଲେ, ‘‘​‌େ​‌ଯତେ ମୁନିଋଷି ଥିଲେ ଜନକ-ଜାନକୀ ସଙ୍ଗେ ନ ନେଲେ, ଭଲା ରାମାୟଣ କଲେ।’’ ଅର୍ଥାତ୍‌ ପ୍ରତି କଳ୍ପରେ ନୂତନ ସୃଷ୍ଟ ଏ ଜଗତରେ ରାମାୟଣ ଅନୁଷ୍ଠିତ ହୁଏ। ସବୁ ଥର ରାବଣ ଜନ୍ମ ହୁଅନ୍ତି, ସୀତା ଅପହୃତା ହୁଅନ୍ତି ଓ ରାମଙ୍କ ଦ୍ବାରା ରାବଣ ହତ ହୁଅନ୍ତି। ତେଣୁ ବଡ଼ଲୋକ ଭଳି ଦିଶିବା ଓ ପ୍ରକୃତ ବଡ଼ ଲୋକ ହେବା ଭିନ୍ନ କଥା ଯେମିତି, ତାଙ୍କୁ ଚିହ୍ନିବା କଷ୍ଟକର ବି ସେମିତି। ସେଇଥିପାଇଁ ତ କୁହାଯାଇଛି, ‘‘ଲୋକ ନ ଚିହ୍ନିବ ଖାଲି କଥାରୁ, ବାବୁ ନ ଚିହ୍ନିବ ଛତା ଜୋତାରୁ, ସାଧୁ ନ ଚିହ୍ନିବ ଚିତାକଟାରୁ, ଥରେ ବୁଲିଆସ କଲିକତାରୁ।’’ ଜୟ ଜଗନ୍ନାଥ।
–ଠ–

Comments are closed.