ଆଉ ଏକ ମାଇଲ୍‌ଖୁଣ୍ଟ

ଦୀର୍ଘ ୩୦ ବର୍ଷର ଗବେଷଣା ଓ ପରୀକ୍ଷଣ ପରେ ବିଶ୍ବର ପ୍ରଥମ ମେଲେରିଆ ପ୍ରତିଷେଧକ ଟିକାକୁ ସ୍ବୀକୃତି ମିଳିବା ଚିକିତ୍ସା ବିଜ୍ଞାନର ଏକ ବିରାଟ ଉପଲବ୍ଧି

ସଫଳ ଆଧୁନିକ ଚିକିତ୍ସା ସେବା କ୍ଷେତ୍ରରେ ବିଜ୍ଞାନର ଏକ ପ୍ରମୁଖ ଭୂମିକା ରହିଛି, ତାହା ସର୍ବଜନସ୍ବୀକୃତ। ଗତ ବୁଧବାର ଚିକିତ୍ସା ବିଜ୍ଞାନ ଆଉ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କରି ମାନବ ସମାଜ ପାଇଁ ଆଶାର ଆଲୋକ ଦେଖାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିଶ୍ବର ପ୍ରଥମ ମେଲେରିଆ ପ୍ରତିଷେଧକ ଟିକାକୁ ଅନୁମୋଦନ କରିଛି। ବ୍ରିଟିଶ୍‌ ଔଷଧ ନିର୍ମାତା କମ୍ପାନୀ ଗ୍ଲାକ୍ସୋସ୍ମିଥ୍‌କ୍ଲିନ୍‌ (ଜିଏସ୍‌କେ) ‘ଆର୍‌ଟିଏସ୍‌,ଏସ୍‌’ (ବ୍ରାଣ୍ଡ୍‌ ନାଁ ମସ୍‌କ୍ବିରିକ୍ସ) ନାମକ ଏହି ଟିକାକୁ ପ୍ରାୟ ୩୦ ବର୍ଷର ଗବେଷଣା ଦ୍ବାରା ବିକଶିତ ଓ ତିଆରି କରିବାରେ ସଫଳ ହୋଇଛି। ୨୦୧୯ରୁ ଏ ପର୍ଯ୍ୟନ୍ତ ଘାନା, କେନିଆ ଓ ମାଲାୱିର ୮ ଲକ୍ଷରୁ ଊର୍ଦ୍ଧ୍ବ ପିଲାଙ୍କ ଉପରେ ପରୀକ୍ଷା କରାଯାଇଛି। ବର୍ଷବର୍ଷ ଧରି ଚାଲିଥିବା ଏହି ପରୀକ୍ଷଣର ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଟିକାକରଣ ଦ୍ବାରା ଅତି ଗୁରୁତର ମେଲେରିଆ ଜ୍ବର ୩୦ ଶତାଂଶ ପର୍ଯ୍ୟନ୍ତ ହ୍ରାସ ପାଉଛି ଏବଂ ମେଲେରିଆରେ ମୃତ୍ୟୁ ଆଶଙ୍କା ଆଦୌ ରହୁନାହିଁ। ଦଶନ୍ଧି ଦଶନ୍ଧି ଧରି ମେଲେରିଆ ଟିକା ଉଦ୍ଭାବନ ଓ ବିକାଶ କ୍ଷେତ୍ରରେ ବିଫଳତାର ସ୍ବାଦ ଚାଖିଆସିଥିବା ଗବେଷକ ଓ ସମଗ୍ର ମାନବଜାତି ପାଇଁ ଏତିକି ସଫଳତା ମଧ୍ୟ କମ୍‌ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏହି ଟିକାର ଦାମ୍‌ ବହୁତ ଅଧିକ ହୋଇ ନ ଥିବାରୁ ଏହା ବିଶ୍ବର ମେଲେରିଆପ୍ରବଣ ଦେଶ ଓ ଅଞ୍ଚଳଗୁଡ଼ିକର ଲୋକଙ୍କ ପାଇଁ ସଞ୍ଜୀବନୀ ପରି କାର୍ଯ୍ୟ କରିବ କହିଲେ ଅତ୍ୟୁକ୍ତି ହେବନାହିଁ।

ମେଲେରିଆ ବିଶେଷତଃ ଅଳ୍ପ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଅଧିକ ଦେଖାଯାଉଥିବାରୁ ଅଳ୍ପ ଦାମ୍‌ରେ ଏହି ଟିକାର ଉପଲବ୍ଧତା ବେଶ୍‌ ମହତ୍ତ୍ବ ରଖେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରୋସ ଆଧାନୋମ୍‌ ଯଥାର୍ଥରେ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି, କାରଣ ଏହା କେବଳ ମେଲେରିଆ ନିରାକରଣ ପାଇଁ ନୁହେଁ ବରଂ ଶିଶୁ ସ୍ବାସ୍ଥ୍ୟ ଓ ବିଜ୍ଞାନ ନିମନ୍ତେ ମଧ୍ୟ ଏକ ବିରାଟ ଉପଲବ୍ଧି। ସୂଚନାଯୋଗ୍ୟ, ଏହି ମେଲେରିଆ ଟିକାକରଣ କାର୍ଯ୍ୟକ୍ରମ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସମନ୍ବୟ ଏବଂ ପାଥ୍‌, ୟୁନିସେଫ୍‌ ଓ ଜିଏସ୍‌କେର ମିଳିତ ଉଦ୍ୟମରେ ଚାଲିଥିଲା ଏବଂ ଜିଏସ୍‌କେ କମ୍ପାନୀ ଏଥିପାଇଁ ପ୍ରାୟ ୧୦ ନିୟୁତ ମେଲେରିଆ ଟିକା ଦାନ କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦୧୯ରେ ବିଶ୍ବ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକଙ୍କୁ ମେଲେରିଆ ହେବାର ଆଶଙ୍କା ରହିଥିଲା। ସେଥିମଧ୍ୟରୁ ଉପସାହାରୀୟ ଆଫ୍ରିକାରେ ଅଧିକ ମେଲେରିଆ ରୋଗୀ ଓ ମୃତକ ଥିବା ଜଣାପଡ଼ିଥିଲା। ପରିସଂଖ୍ୟାନ ଅନୁସାରେ, ସେହି ବର୍ଷ ବିଶ୍ବରେ ୨୨୯ ନିୟୁତ ଲୋକ ମେଲେରିଆରେ ପୀଡ଼ିତ ହୋଇଥିଲାବେଳେ ୪ ଲକ୍ଷ ୯ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଏଥିମଧ୍ୟରୁ ୯୪ ଶତାଂଶ ରୋଗୀ ଓ ମୃତକ ଆଫ୍ରିକା ମହାଦେଶର। ମୃତକଙ୍କ ମଧ୍ୟରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁଙ୍କ ସଂଖ୍ୟା ଦୁଇ-ତୃତୀୟାଂଶ। ଏହା ନିଶ୍ଚିତଭାବେ ଚିନ୍ତାଜନକ।

ପୂର୍ବରୁ ଡାକ୍ତରୀ ବିଜ୍ଞାନ ମିଳିମିଳା ଓ ପୋଲିଓର ପ୍ରତିଷେଧକ ଟିକା ଉଦ୍ଭାବନ କରି ମାନବ ସମାଜର ଅଶେଷ ମଙ୍ଗଳ ସାଧନ କରିଥିଲା। ଏବେ ମେଲେରିଆ ପରଜୀବୀ ବିରୁଦ୍ଧ ଟିକା ତିଆରି କରି ଏହା ଏକ ଅସାଧ୍ୟ କାର୍ଯ୍ୟକୁ ସାଧନ କରିଛି କହିଲେ ଅତିଶୟୋକ୍ତି ହେବ ନାହିଁ; କାରଣ ମେଲେରିଆ ପରଜୀବୀର ୫୦୦୦ରୁ ଅଧିକ ଜିନ୍‌ ରହିଥିବାବେଳେ ଏହା ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ବିଭିନ୍ନ ଉପାୟରେ ଅଚଳ କରିଦେବାର କ୍ଷମତା ରଖିଥାଏ। ତା’ ତୁଳନାରେ କରୋନା ଭୂତାଣୁର ମାରାତ୍ମକ ଗୁଣ କମ୍‌ ବୋଲି କହିହେବ, କାରଣ ଏହାର କେବଳ ୧୨ଟି ଜିନ୍‌ ରହିଛି ଏବଂ ଟିକା ବୈଜ୍ଞାନିକଙ୍କ ପାଇଁ ଏହାକୁ ମଣ କରିବା ଅପେକ୍ଷାକୃତ ସହଜସାଧ୍ୟ ବୋଲି କୁହାଯାଉଛି। ମେଲେରିଆ ଅନେକ ଥର ମଣିଷକୁ ଆକ୍ରାନ୍ତ କରି ତା’ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ ଏବଂ ଅନ୍ୟ ରୋଗଗୁଡ଼ିକୁ ଆମନ୍ତ୍ରଣ କରିଥାଏ। ତେଣୁ ଏହା ମନୁଷ୍ୟ ପାଇଁ ଅଧିକ ଘାତକ ପାଲଟେ। କୀଟନାଶକ-ଉପଚାରଯୁକ୍ତ ମଶାରି ଓ ଅନ୍ୟାନ୍ୟ ପ୍ରତିରୋଧକ ବ୍ୟବସ୍ଥା ଆପଣାଇବା ଦ୍ବାରା ଗତ ଦୁଇ ଦଶନ୍ଧି ମଧ୍ୟରେ ମେଲେରିଆ ମୃତ୍ୟୁ ହାରକୁ ଅଧା କରିଦିଆଯାଇ ପାରିଛି ସତ; କିନ୍ତୁ ବର୍ତ୍ତମାନ ମଧ୍ୟ ଏଥିରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ଆମ ଦେଶର ଆଦିବାସୀ ଅଞ୍ଚଳଗୁଡ଼ିକ ମେଲେରିଆପ୍ରବଣ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ସେଠାରେ ଏବେମଧ୍ୟ ବହୁ ଲୋକଙ୍କର ଏଥିରେ ମୃତ୍ୟୁ ଘଟୁଛି। ତେଣୁ ଏହି ମେଲେରିଆ ଟିକା ବହୁ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିବ, ସେଥିରେ ଦ୍ବିରୁକ୍ତି ନାହିଁ। ତେ​‌େ​‌ବ ଏହାକୁ ଶତ ପ୍ରତିଶତ ପ୍ରଭାବଶାଳୀ କରିବା ପାଇଁ ବୈଜ୍ଞାନିକଙ୍କୁ ଆହୁରି କିଛି ସମୟ ଲାଗିପାରେ। ଆମର ଆଶା ଯେ ସେଥିରେ ସେମାନଙ୍କୁ ଶୀଘ୍ର ସଫଳତା ମିଳିବ। ମେଲେରିଆପ୍ରବଣ ଦେଶଗୁଡ଼ିକରେ ବର୍ତ୍ତମାନର ଟିକା ମଧ୍ୟ ଯଦି ଲୋକଙ୍କ ପାଖରେ ପହଞ୍ଚିବ, ତେବେ ମୃତ୍ୟୁହାର ନିଶ୍ଚିତ ହ୍ରାସ ପାଇବ ତାହା ନିଃସନ୍ଦେହ।

Comments
Loading...