ବ୍ୟଥା ବଢ଼ାଉଛି ବୈଦ୍ୟୁତିକ ଆବର୍ଜନା

ଆଧୁନିକରୁ ଅତ୍ୟାଧୁନିକ ହୋଇ ଚାଲିଥିବା ମାନବ ସଭ୍ୟତା ସମ୍ମୁଖରେ ବୈଦ୍ୟୁତିକ ଆବର୍ଜନା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ନିରାକରଣ ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ଜୀବ ଜଗତ ପ୍ରତି ଏହା କୁପ୍ରଭାବ ପକାଇବ। ବର୍ଷ ୨୦୧୯ରେ ସମଗ୍ର ବିଶ୍ବରେ ରେକର୍ଡ ସ୍ତରର ୫ କୋଟି ୩୬ ଲକ୍ଷ ଟନ ଆବର୍ଜନା ସୃଷ୍ଟି ହୋଇଥିଲା। ଏହି ଆବର୍ଜନା ପ୍ରାୟ ସାଢେ ତିନି ଶହ କ୍ରୁଜ ଜାହାଜର ଓଜନ ସହ ସମାନ ହେବ। ଏହି ବୈଦ୍ୟୁତିକ ଆବର୍ଜନା ବିଶ୍ବର ଜଣ ପିଛା ସାଢେ ୭ କିଲୋ ଲେଖାଏଁ ହେବ। ବିଶ୍ବରେ ଦୈନିକ ବୈଦ୍ୟୁତିକ ଯନ୍ତ୍ରାଂଶର ବ୍ୟାପକ ଚାହିଦା ଦେଖା ଦେଉଛି। ସେହି ଅନୁଯାୟୀ ଆବର୍ଜନା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ସ୍ମାର୍ଟ ଫୋନର ଚାହିଦା ଅନେକାଂଶରେ ବୃଦ୍ଧି ପାଇଛି।

ବିଶ୍ବର ଜନସଂଖ୍ୟାଠାରୁ ସ୍ମାର୍ଟ ଫୋନ ସଂଖ୍ୟା ଅଧିକ ହେଲାଣି। ଭାରତ, ଚୀନ୍‌, ଇଣ୍ଡୋନେସିଆ ଓ ଆମେରିକା ଆଦି ଦେଶରେ ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। କରୋନା ସମୟରେ ଅନଲାଇନ ଶିକ୍ଷା ଓ କାର୍ଯ୍ୟାଳୟ କାମ ପାଇଁ ସ୍ମାର୍ଟଫୋନ, ଟାବଲେଟ ଓ ଲାପ୍‌ଟପର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ; ଏପରି ଅଧିକାଂଶ ବ୍ୟବହାରକାରୀ ଅଛନ୍ତି ଯେଉଁମାନେ ସର୍ବଦା ନୂଆନୂଆ ସଫ୍ଟୱୟାରକୁ ଗୁରୁତ୍ବ ଦେଉଛନ୍ତି। ଘଣ୍ଟାକ ମଧ୍ୟରେ ନୂଆନୂଆ ମୋବାଇଲ ସଫ୍ଟୱୟାର ବିକଶିତ ହେଉଛି। ତେଣୁ ନୂଆ ତଥା ବିକଶିତ ସଫ୍ଟୱୟାର ସଂଯୁକ୍ତ ଉପକରଣ କିଣିଲେ ସେଗୁଡ଼ିକ ଭଲ ଚାଲିବ ଭାବି ଅଧିକାଂଶ ବ୍ୟବହାରକାରୀ ନିଜର ପୁରୁଣା ଜିନିଷକୁ ବଦଳାଇ ଦେଉଛନ୍ତି ଅଥବା ଫିଙ୍ଗି ଦେଉଛନ୍ତି। କୌଣସି ଉପକରଣର ନୂତନ ସଂସ୍କରଣ (ମଡେଲ) ସହଜେ ଉପଲବ୍ଧ ହୋଇ ପାରୁଥିବାବେଳେ ପୁରୁଣା ଉପକରଣକୁ କ’ଣ କରାଯିବ ସେ ଦିଗରେ କେହି ଯତ୍ନବାନ ହେଉ ନାହାନ୍ତି। ଫଳରେ ପୁରୁଣା ଉପକରଣ ଅବମୂଲ୍ୟାୟନ ହେଉଥିବାବେଳେ ନୂଆ ଉପକରଣର ମୂଲ୍ୟ ବୃଦ୍ଧି ପାଉଛି। ପୁରୁଣା ବୈଦ୍ୟୁତିକ ସାମଗ୍ରୀ ଖରାପ ହେଲା ପରେ କ’ଣ ହୁୁଏ କେହି ଥରେ ଭାବିଛନ୍ତି କି ? ନୂଆ ମଡେଲ ଆସିଗଲା ପରେ ଅଧିକାଂଶ ବ୍ୟବହାରକାରୀ ପୁରୁଣା ଉପକରଣକୁ କିଛିଦିନ ପକାଇ ରଖନ୍ତି ଓ ଶେଷରେ ଏହା ପରିତ୍ୟକ୍ତ ଆବର୍ଜନା ଭାବେ ଫିଙ୍ଗା ହୋଇଥାଏ।

ଚୀନ୍‌ ଓ ଭାରତ ଏହିପରି ଦୁଇରାଷ୍ଟ୍ର ଯେଉଁଠାରେ ପ୍ରାୟ ଅଢେଇ ଶହ କୋଟି ମୋବାଇଲ ବ୍ୟବହାରକାରୀ ଅଛନ୍ତି। କେବଳ ମୋବାଇଲ ନୁହେଁ; ଲାପଟପ, କମ୍ପ୍ୟୁଟର ଓ ଟାବଲେଟକୁ ମିଶାଇଲେ ଏହି ସଂଖ୍ୟା ୩ ଶହ କୋଟିକୁ ଟପି ଯିବ। ୨୦୧୭ରେ ଭାରତରେ ଶହେ କୋଟିରୁ ଊର୍ଦ୍ଧ୍ବ ମୋବାଇଲ ବ୍ୟବହାରକାରୀ ଥିଲେ। ୨୦୧୨ ମସିହାରୁ ଚୀନ୍‌ରେ ଏତକ ମୋବାଇଲ ବ୍ୟବହାରକାରୀ ସୃଷ୍ଟି ହୋଇ ସାରିଥିଲେ। ଏହି ଦୁଇଟି ଦେଶକୁ ମିଶାଇଲେ ବିଶ୍ବରେ ଏବେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ୮ ଶହ କୋଟିକୁ ଟପି ଯିବ।

ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘ (ଆଇଟିୟୁ)ର ସୂଚନା ଅନୁଯାୟୀ, ଭାରତ, ଚୀନ୍‌, ରୁଷ୍‌, ବ୍ରାଜିଲ ପରି ୧୦ଟି ଏପରି ଦେଶ ଅଛନ୍ତି ଯେଉଁଠାରେ ଜନସଂଖ୍ୟାଠାରୁ ଅଧିକ ସଂଖ୍ୟାରେ ମୋବାଇଲ ଫୋନ ରହିଛି। ତେଣୁ ଜଣକ ପାଖରେ ଗୋଟିଏ ଫୋନ ଅଛି ଭାବିବା ଭୁଲ। ମୋବାଇଲ ଫୋନ ଏବେ ଆଭିଜାତ୍ୟର ପରମ୍ପରା ପାଲଟିଛି। ଯିଏ ଯେତେ ସଂଖ୍ୟକ ଦାମୀ ମୋବାଇଲ ବ୍ୟବହାର କରୁଛି ତାଙ୍କୁ ସାଧାରଣତଃ ଅଧିକ ବିତ୍ତଶାଳୀ ଭାବେ ବିବେଚନା କରାଯାଉଛି। ଏହିପରି ଧନୀ ବ୍ୟବହାରକାରୀମାନେ ମୋବାଇଲ ଫୋନ ଅଥବା ଆଇ-ଫୋନ ବାରମ୍ବାର ବଦଳାଇଥା’ନ୍ତି। ତେଣୁ ସିଂହ ଭାଗ ବୈଦ୍ୟୁତିକ ଆବର୍ଜନା ଏମାନଙ୍କ ଦ୍ବାରା ସୃଷ୍ଟି ହୋଇଥାଏ। ମୋବାଇଲ ଫୋନ, ଆଇ-ଫୋନ ଓ ଲାପଟପ ଭଳି ବୈଦ୍ୟୁତିକ ଉପକରଣ ଏବେକାର କାର୍ଯ୍ୟଶୈଳୀର ଜରୁରୀ ଆବଶ୍ୟକତାକୁ ସହଜେ ପୂରଣ କରିପାରୁଛି। ଏସବୁ ବିନା କାମ କରିବା ଆଜିକାର ଦୁନିଆରେ ପ୍ରାୟତଃ ଅସମ୍ଭବ। ତେବେ ଏଥିରୁ ସୃଷ୍ଟ ଆବର୍ଜନାର ଭୟାବହତାକୁ ଆମେ ଆଖି ବୁଜି ଦେଇ ପାରିବା ନାହିଁ।

ପ୍ରଶ୍ନ ଉଠେ ବୈଦ୍ୟୁତିକ ଆବର୍ଜନାର ସଦୁପଯୋଗ କରାଯିବ କିପରି ? ଏହାର ସବୁଠାରୁ ସଫଳ ଉଦାହରଣ ହେଉଛି ଟୋକିଓ ଅଲିମ୍ପିକ। ନିକଟରେ ସମ୍ପନ୍ନ ହୋଇଥିବା ଏହି ଅଲିମ୍ପିକର ବିଜୟୀ ପ୍ରତିଯୋଗୀମାନଙ୍କୁ ଯେଉଁ ପଦକ ଦିଆଯାଇଥିଲା ସେଗୁଡ଼ିକ ସ୍ମାର୍ଟଫୋନ ଓ ଲାପଟପ ଆବର୍ଜନାରେ ତିଆରି କରାଯାଇଥିଲା। ସୁନା, ରୁପା ଓ କଂସାର ଏପରି ୫ ହଜାର ପଦକ ନିର୍ମାଣ କରାଯାଇଥିଲା। ଉକ୍ତ ଅଲିମ୍ପିକର ବିଜୟୀ ଖେଳାଳି ଅଥବା ସେମାନଙ୍କ ଦଳକୁ ଏହିସବୁ ପଦକ ପ୍ରଦାନ କରାଯାଇଥିଲା। ଅଲିମ୍ପିକ ଆୟୋଜନର ଢେର ପୂର୍ବରୁ ‘ଟୋକିଓ ପଦକ ପ୍ରକଳ୍ପ’ ନିକଟରେ ଜାପାନବାସୀ ସେମାନଙ୍କ ପୁରୁଣା ବୈଦ୍ୟୁତିକ ଉପକରଣକୁ ଜମା ଦେଇଥିଲେ। କେବଳ ପଦକ ନୁହେଁ; ଅଲିମ୍ପିକ ମଶାଲ ମଧ୍ୟ ପୁରୁଣା ବୈଦ୍ୟୁତିକ ଉପକରଣକୁ ସ୍ବଚ୍ଛ କରାଯାଇ ପ୍ରସ୍ତୁତ ହୋଇଥିଲା।

୨୦୧୧ରେ ଜାପାନରେ ଦେଖାଦେଇ ଥିବା ଭୂମିକମ୍ପରେ ଅନେକ ଲୋକ ବେଘର ହୋଇଥିଲେ। ସେମାନଙ୍କ ପାଇଁ ସେଠାକାର ସରକାର ଆଲୁମିନିୟମ ଚଦରରେ ଅସ୍ଥାୟୀ ଘର ନିର୍ମାଣ କରିଥିଲେ। ସେମାନେ ସ୍ଥାୟୀ ଘରେ ରହିବା ପରେ ଉକ୍ତ ଆଲୁମିନିୟମ ଚଦରକୁ ଅଲିମ୍ପିକ ମଶାଲ ନିର୍ମାଣରେ ବ୍ୟବହାର କରାଯାଇଥିଲା। ଅଲିମ୍ପିକ ଆୟୋଜନର ୪ ବର୍ଷ ପୂର୍ବରୁ, ଅର୍ଥାତ୍‌ ୨୦୧୭ଠାରୁ ଜାପାନ ସରକାର ଏପରି ପଦକ୍ଷେପ ନେଇ ଥିଲେ। ଦେଶର ୯୦ ପ୍ରତିଶତ ସହରାଞ୍ଚଳରୁ ପ୍ରାୟ ୮୦ ଟନ ଓଜନର ଅଦରକାରୀ ମୋବାଇଲ ଫୋନ ଓ ଲାପ୍‌ଟପକୁ ପୁନର୍ଚକ୍ରଣ (ରିସାଇକ୍ଲିଂ) କରି ପଦକ ନିର୍ମାଣ କରିଥିଲେ। ବୈଦ୍ୟୁତିକ ଆବର୍ଜନାର ବିନିଯୋଗ କିପରି କରାହୁଏ ଜାପାନ ସରକାର ତାହା ବିଶ୍ବବାସୀଙ୍କୁ ଅବଗତ କରାଇ ପାରିଛନ୍ତି। ଏପରି ଆବର୍ଜନା ସମସ୍ୟାର ନିରାକରଣ ହୋଇ ପାରିଲେ ଜୀବଜଗତ ପାଇଁ ଆଗକୁ ବିପଦ ରହନ୍ତା ନାହିଁ।

Comments are closed.