ଦୂରସଞ୍ଚାରର ଗତି

ଦୂରସଞ୍ଚାର କ୍ଷେତ୍ରରେ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଏହାକୁ ଅଧିକ ଗତି ଦେବା ସହ ପ୍ରତିଯୋଗିତାପୂର୍ଣ୍ଣ କରିବାରେ ସାହାଯ୍ୟ କରିବ

ଭାରତର ବିକାଶଶୀଳ ଅର୍ଥନୀତିରେ ଦୂରସଞ୍ଚାର କ୍ଷେତ୍ରର ଏକ ପ୍ରମୁଖ ଭୂମିକା ରହିଛି। ବିଭିନ୍ନ କାରଣରୁ ସାର୍ବଜନୀନ ସ୍ତରରେ ଫୋନ୍‌ ଓ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ଏହି କ୍ଷେତ୍ରକୁ ଅଧିକ ଅଭିବୃଦ୍ଧିଶୀଳ କରିଛି; କିନ୍ତୁ ଗତ କେଇବର୍ଷ ହେଲା ଏ କ୍ଷେତ୍ରରେ ଗୋଟିଏ ଦୁଇଟି ଘରୋଇ ସଂସ୍ଥା ଯେପରି ଏକାଧିପତ୍ୟ ଚଳାଇଛନ୍ତି, ତାହା ଏହାର ବାସ୍ତବ ଅଭିବୃଦ୍ଧିର ରାସ୍ତାକୁ ରୋକିଦେଇଛି। ଏ କ୍ଷେତ୍ରରେ ପ୍ରତିଯୋଗିତା ମଧ୍ୟ ଏକ ପ୍ରକାର ସମାପ୍ତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଯୋଗିତା ଯେତେ ରହିବ, ସେତିକି ଜନସାଧାରଣ ଉପକୃତ ହେବେ; କାରଣ ଅଧିକ ଲାଭ ବା ମୁନାଫା କମାଇବା ପାଇଁ ସଂସ୍ଥାଗୁଡ଼ିକ ଚେଷ୍ଟିତ ହେବେନାହିଁ। ଅପରପକ୍ଷରେ ଯଦି ଗୋଟିଏ ଦୁଇଟି ସଂସ୍ଥା ହିଁ ଲାଭବାନ ହେବେ ଓ ଅନ୍ୟମାନଙ୍କୁ ଦୀର୍ଘ ଦିନ ଧରି କ୍ଷତି ସହିବାକୁ ପଡ଼ିବ, ତେବେ ସେପରି ସ୍ଥଳେ ଆପେଆପେ ଅଭିବୃଦ୍ଧି ଅସମତୁଲ ହୋଇଯିବ। ଭାରତର ଦୂରସଞ୍ଚାର କ୍ଷେତ୍ରରେ ସେହି ସମସ୍ୟା ହୋଇଛି। ବହୁ ବିକାଶଶୀଳ ସଂସ୍ଥା ଏ କ୍ଷେତ୍ରକୁ ଆସି କ୍ଷତି ସହିବାରୁ ଏଥିରେ ନିବେଶ ଓ ବ୍ୟବସାୟ ବନ୍ଦ କରିଦେଇଛନ୍ତି। ବହୁ କଷ୍ଟେମଷ୍ଟେ ସରକାରୀ ସଂସ୍ଥାକୁ ସରକାର ବଞ୍ଚାଇ ରଖିଛନ୍ତି। ଦୂରସଞ୍ଚାର କ୍ଷେତ୍ରକୁ ବିକଶିତ କରିବାପାଇଁ ଭାରତ ସରକାର ଅତୀତରେ ୪୯ ଶତାଂଶ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ)କୁ ମଞ୍ଜୁରୀ ଦେଇଥିଲେ; କିନ୍ତୁ ତାହା ବୋଧହୁଏ ଯଥେଷ୍ଟ ହେଲା ନାହିଁ ଓ ପ୍ରତିଯୋଗିତାରେ ବିଫଳ ହେବାପରେ ବହୁ କମ୍ପାନୀ ଚାପ ସହ୍ୟ କରିପାରିଲେ ନାହିଁ ଓ ବହୁ କମ୍ପାନୀ ଉପରେ ସରକାରଙ୍କ ବାକିଆ ଟଙ୍କା ଗଡ଼ିଚାଲିଲା। ଉପଭୋକ୍ତା ଶୁଳ୍କ ବୃଦ୍ଧି କରିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ବାକି ଟଙ୍କା ଶୁଝିପାରି ନାହାନ୍ତି। ଏପରି ସ୍ଥିତିରେ ସରକାର ଏବେ ଦୂରସଞ୍ଚାର କ୍ଷେତ୍ରରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦେବା ଗୁରୁତ୍ବପୂର୍ଣ୍ଣ। ଏହା ସେମାନଙ୍କର ଆର୍ଥିକ ଦୁର୍ଗତିକୁ ସୁଧାରିବାରେ ସହାୟତା କରିପାରିବ ବୋଲି ଆଶା କରାଯାଉଛି।

ସରକାର କେବଳ ଦୂରସଞ୍ଚାର କମ୍ପାନୀଗୁଡ଼ିକ ନିମନ୍ତେ କେବଳ ଏଫ୍‌ଡିଆଇ ସୀମା ବଢ଼ାଇ ନାହାନ୍ତି, ବରଂ ସେମାନଙ୍କୁ ବାକି ଟଙ୍କା ଶୁଝିବା ପାଇଁ ମଧ୍ୟ ଚାରି ବର୍ଷ ସମୟ ଦେଇଛନ୍ତି। ସେହିପରି ଏଜିଆର୍‌ (ସମନ୍ବୟକାରୀ ମୋଟ ରାଜସ୍ବ)ର ପରିଭାଷାକୁ ମଧ୍ୟ ବଦଳାଯାଇଛି, ଯେଉଁଥିରେ କମ୍ପାନୀକୁ ​‌େ​‌କବଳ ଦୂରସଞ୍ଚାର ସମ୍ବନ୍ଧୀୟ ଆୟ ଉପରେ ଟିକସ ଦେବାକୁ ପଡ଼ିବ। ତା’ ସହ ସମ୍ପୃକ୍ତ ଅନ୍ୟ ବ୍ୟବସାୟଗୁଡ଼ିକୁ ସେଥିରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ନୂଆ ନିୟମ ଅନୁଯାୟୀ, ସ୍ପେକ୍ଟ୍ରମ୍‌ ଖରିଦ୍‌କୁ ମଧ୍ୟ ନମନୀୟ କରାଯାଇଛି। ଭବିଷ୍ୟତ ନିଲାମରେ ମିଳିବାକୁ ଥିବା ସ୍ପେକ୍ଟ୍ରମ ଲାଗି ୧୦ ବର୍ଷ ପରେ ସ୍ପେକ୍ଟ୍ରମ ସମର୍ପଣ (ସରେଣ୍ଡର) ନିମନ୍ତେ ଅନୁମତି ଦିଆଯିବ। ଏସବୁ ନୂଆ ନିୟମ ଯେ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ ସକାରାତ୍ମକ ସ୍ଥିତି ସୃଷ୍ଟି କରିବ, ସେଥିରେ ସନ୍ଦେହ ନାହିଁ। ସେଥିପାଇଁ ସେଗୁଡ଼ିକ ଉତ୍ସାହିତ ହୋଇପଡ଼ିଛନ୍ତି, ଯାହା ସ୍ବାଭାବିକ। କେତେକ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ନିଷ୍ପତ୍ତି ‘ଡିଜିଟାଲ୍‌ ଇଣ୍ଡିଆ’ର ସ୍ବପ୍ନକୁ ପୂରଣ କରିବାରେ ସହାୟତା ଯୋଗାଇବ।

ଅତୀତରେ ସ୍ପେକ୍ଟ୍ରମ୍‌ ନିଲାମିରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ଦେଶରେ ବିରାଟ ଝଡ଼ ସୃଷ୍ଟି ହୋଇଥିଲା। ତେଣୁ ସରକାର ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବା ଆବଶ୍ୟକ। ବଜାରରେ ପ୍ରତିଯୋଗିତା ବଢ଼ାଇବା ନିମନ୍ତେ ସରକାର ଏଫ୍‌ଡିଆଇ ବ୍ୟବସ୍ଥାକୁ ଅନୁମତି ଦେବା ସହ ଘରୋଇ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ। ଫଳସ୍ବରୂପ ଏ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଲା। ଫୋନ୍‌କଲ୍‌ ଓ ଇଣ୍ଟରନେଟ୍‌ ପାଇଁ ଶୁଳ୍କ ଅବିଶ୍ବସନୀୟ ଭାବେ କମ୍‌ ହେଲା। ଏଥିରୁ ଜନସାଧାରଣ ଉପକୃତ ହେଲେ। ତେଣୁ ଘରେଘରେ ଇଣ୍ଟରନେଟ୍‌ ସଂଯୋଗ ଥିବା ମୋବାଇଲ୍‌ ଫୋନ୍‌ ଦେଖିବାକୁ ମିଳିଲା। କରୋନା ସମୟରେ ପିଲାଙ୍କ ପାଠପଢ଼ା, ଘରୁ କାର୍ଯ୍ୟାଳୟ କାମ କରିବା ଆଦି ପାଇଁ ଏହା ଅନେକ ପରିମାଣରେ ସାହାଯ୍ୟ କରିଛି। ତେବେ ଗୋଟିଏ ଦୁଇଟି କମ୍ପାନୀର ଏକଚାଟିଆ କାରବାର ଉପଭୋକ୍ତାଙ୍କ ପାଇଁ ଏକ ପ୍ରକାର ସମସ୍ୟା ପାଲଟିଛି। ପୂର୍ବ ଅବସ୍ଥାରେ ଏବେ ବଡ଼ ପରିବର୍ତ୍ତନ ଆସିଛି ଓ ଲୋକଙ୍କୁ ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ୁଛି।

ଅପରପକ୍ଷେ, ଦେଶର କୋଟିକୋଟି ଲୋକଙ୍କ ପାଇଁ ଏବେ ମଧ୍ୟ ଦୂରସଞ୍ଚାର ସୁବିଧା ଅପହଞ୍ଚ ହୋଇ ରହିଛି; ଏହାର କାରଣ ଏଥିରେ ସୃଷ୍ଟି ହୋଇଥିବା ଏକାଧିପତ୍ୟ। ବର୍ତ୍ତମାନ ଭାରତର ଦୂରସଞ୍ଚାର କ୍ଷେତ୍ର ବିଶ୍ବର ଅନ୍ୟ ଦେଶ ଅପେକ୍ଷା ସର୍ବାଧିକ ପ୍ରସାରିତ କ୍ଷେତ୍ର ହୋଇଥିବା ସତ୍ତ୍ବେ ଯେପରି ପ୍ରତିଯୋଗିତା ରହିବା କଥା ତାହା ନାହିଁ। ବିଦେଶୀ ପୁଞ୍ଜି ନିବେଶ ଅଧିକ ହେଲେ ଅଧିକ ପ୍ରତିଯୋଗୀପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇପାରେ। ଏହା ସରକାରଙ୍କ ‘ଡିଜିଟାଲ୍‌ ଇଣ୍ଡିଆ’କୁ ସାକାର କରିବା ପାଇଁ ମଧ୍ୟ ଜରୁରୀ। ଦୂରସଞ୍ଚାର ବ୍ୟବସ୍ଥା ଯଦି ଦେଶର ସବୁ ଅଞ୍ଚଳ ଓ ସମସ୍ତଙ୍କ ପାଖରେ ପହଞ୍ଚିପାରିବ, ତା’ହେଲେ ହିଁ ଏହାର ବିଶ୍ବସନୀୟତା ବଢ଼ିବ ଓ ଲୋକଙ୍କୁ ଠିକ୍‌ଭାବେ ସରକାରୀ ଯୋଜନାର ଲାଭ ମଧ୍ୟ ପହଞ୍ଚାଇବା ସମ୍ଭବ ହେବ। ବିଶ୍ବର ବିକଶିତ ଦେଶଗୁଡ଼ିକୁ ଦେଖିଲେ ଜଣାପଡ଼େ ଯେ ଏ କ୍ଷେତ୍ରରେ ଆମେ ସେମାନଙ୍କ ତୁଳନାରେ ବହୁତ ପଛରେ ପଡ଼ିଛୁ। ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଦେଶର ଦୂରସଞ୍ଚାର କ୍ଷେତ୍ରକୁ ଅଗ୍ରଗାମୀ କରିବାରେ ସାହାଯ୍ୟ କରିବ ଏବଂ ଏହାର ଲାଭ ସାଧାରଣ ଜନତାଙ୍କୁ ମଧ୍ୟ ହେବ ବୋଲି ଆମେ ଆଶା କରିବା।

Comments are closed.