ପାଠ ପଢ଼ାଇବ କିଏ?

ପାଠପଢ଼ାରେ ସମସ୍ୟା ନାହିଁ ବୋଲି ଶିକ୍ଷାଧିକାରୀ ମତ ଦେବା ହାସ୍ୟାସ୍ପଦ

କରୋନା କଟକଣା ମାନି ବିଦ୍ୟାଳୟ ଖୋଲିବାକୁ ବିଦ୍ୟାର୍ଥୀ ଓ ଅଭିଭାବକ ଦାବି କରି ଆସୁଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୯ମ ଓ ୧୦ମ ଶ୍ରେଣୀ ପାଠପଢ଼଼ା ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନିମନ୍ତେ ବିଚାର ବିମର୍ଶ ଜାରି ରହିଛି। ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ବିଦ୍ୟାଳୟ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା; କରୋନା କଟକଣା ମାନି ଯେଉଁ କେତେକ ବିଦ୍ୟାଳୟ ଖୋଲିଥିଲା ସେଠାରେ ଶିକ୍ଷକ ଓ ବିଦ୍ୟାର୍ଥୀ ଉଭୟେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଅଭିଭାବକ ସଂଘ ବିଦ୍ୟାଳୟ ଖୋଲାଯିବାକୁ ବିରୋଧ କଲାଣି। କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ କିଛି ବିଦ୍ୟାଳୟରେ କଟକଣା, ପରିଚ୍ଛନ୍ନତା ଓ ପରିମଳ କରାଯାଉଥିଲେ ବି ଏହା ସର୍ବଦା ସମ୍ଭବ ନୁହେଁ। କାରଣ ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାବେଳେ କର୍ମଚାରୀ ମଧ୍ୟ ଅଭାବ। ବାଧ୍ୟବାଧ୍ୟକତାରେ ବିଦ୍ୟାଳୟ ଖୋଲା ଯାଉଥିବାରୁ ବିଦ୍ୟାର୍ଥୀଙ୍କ ଉପସ୍ଥାନ ଆଶାନୁରୂପ ହେଉନାହିଁ।

ଶ୍ରେଣୀରେ ଶିକ୍ଷାଦାନ ହେଉଛି ଏବେକାର ସବୁଠାରୁ ବଡ଼ ସମସ୍ୟା। ସରକାରୀ କାର୍ଯ୍ୟରେ କେତେକ ପ୍ରଧାନଶିକ୍ଷକ ଏବେ ବାହାରେ ରହୁଛନ୍ତି, ପଦୋନ୍ନତି ପାଇ କେତେକ ସହକାରୀ ଶିକ୍ଷକ ବିଦ୍ୟାଳୟ ଛାଡ଼ୁଛନ୍ତି, ଡିଜିଟାଲ୍‍ ଶିକ୍ଷା ନିମନ୍ତେ କେତେକ ଶିକ୍ଷକ ତାଲିମ ନେଉଛନ୍ତି। ଅଦାଲତଙ୍କ ନିର୍ଦେଶକ୍ରମେ ଅତିଥି ଶିକ୍ଷକ ନିୟୋଜନ ବନ୍ଦ ଅଛି। ମୁଖ୍ୟତଃ ସଂସ୍କୃତ, ହିନ୍ଦୀ, କ୍ରୀଡ଼ା, ଗଣିତ ଓ ବିଜ୍ଞାନ ପଢ଼଼ାଇବାକୁ ଆବଶ୍ୟକ ଶିକ୍ଷକ/ଶିକ୍ଷୟିତ୍ରୀ ନାହାନ୍ତି। କରୋନା କଟକଣା ଯୋଗୁଁ ୨୦ ଜଣକୁ ନେଇ ଗୋଟିଏ ଶ୍ରେଣୀରେ ଶିକ୍ଷାଦାନ କରାଯିବା ଫଳରେ ପୁରୁଣା ତଥା ପ୍ରତିଷ୍ଠିତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀର ଆକାର ବୃଦ୍ଧି ପାଉଛି, ଫଳରେ ବିଷୟ ପଢ଼଼ାଇବାକୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ସଂସ୍କୃତ ପରି ଆଉ କେତେକ ବିଷୟକୁ ସମସ୍ତ ଶିକ୍ଷକ ପଢ଼଼ାଇବା ଅସମ୍ଭବ।

ଦୀର୍ଘ ୭ ବର୍ଷ ପରେ ସଂସ୍କୃତ, ହିନ୍ଦୀ ଓ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାରୀ ବିଜ୍ଞାପନ ପ୍ରକାଶ ପାଇଛି। ଏହି ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତ ହେବାକୁ ୬ ମାସରୁ ଊର୍ଦ୍ଧ୍ବ ସମୟ ଲାଗିପାରେ। କରୋନା ପ୍ରକୋପ ହ୍ରାସ ପାଇଲେ ସବୁ ଶ୍ରେଣୀ ଖୋଲିବା ପରେ ହିଁ ବି.ଏଡ୍‌. ଶିକ୍ଷକଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ। ତେବେ ତରବରିଆ ଭାବେ ସରକାର ଯଦି ଏପରି ନିଷ୍ପତ୍ତି ନିଅନ୍ତି ଅଯଥା ଅର୍ଥ ଅପଚୟ ହୋଇପାରେ। ଶିକ୍ଷା ପରିଦର୍ଶକମାନେ କେବଳ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି। ପାଠପଢ଼଼ାରେ ସମସ୍ୟା ନାହିଁ ବୋଲି ସମ୍ବାଦପତ୍ରରେ ଶିକ୍ଷାଧିକାରୀ ମତ ଦେବା ହାସ୍ୟାସ୍ପଦ। ନିକଟରେ ଖୋଲାଯାଇଥିବା ବିଦ୍ୟାଳୟଗୁଡ଼ିକର ବାସ୍ତବ ଚିତ୍ର ସଂପୂର୍ଣ୍ଣ ନକାରାତ୍ମକ। ନିୟମିତ ଶିକ୍ଷକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଅତିଥି ଶିକ୍ଷକଙ୍କୁ ନିୟୋଜିତ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ସକାରାତ୍ମକ ନିଷ୍ପତ୍ତି ନେଇ ପାରିଥାଆନ୍ତେ। ନଚେତ ଆଗ୍ରହୀ ଟି.ଜି ସଂଘର ସଦସ୍ୟମାନେ ‘ଟିଚର ଅନ କଲ୍‍’ ମାଧ୍ୟମରେ ସମାୟିକ ଭାବେ ଶିକ୍ଷାଦାନ କରିପାରନ୍ତେ। ଏ ସଂକ୍ରାନ୍ତରେ ସରକାର ଆଦେଶନାମା ପାରିତ କରିବା ଜରୁରୀ। କେତେକ ପୁରାତନ ଓ ପ୍ରତିଷ୍ଠିତ ବିଦ୍ୟାଳୟରେ ତାଲିମ ପ୍ରାପ୍ତ ମାଟ୍ରିକ୍‍ ଓ ଆଇ.ଏ. ପଦ ଥିବାରୁ ମାଟ୍ରିକ୍‍ ସି.ଟି. ପ୍ରାର୍ଥୀ ନିଯୁକ୍ତି ପାଇ କାମ କରୁଛନ୍ତି। ଏପରି ଶିକ୍ଷକ/ଶିକ୍ଷୟିତ୍ରୀମାନେ ଟି.ଜି. ପଦକୁ ପଦୋନ୍ନତି ପାଇ ସମ୍ପୃକ୍ତ ବିଦ୍ୟାଳୟ ଛାଡ଼ୁଛନ୍ତି। ଏବେ ଏହିପରି ବିଦ୍ୟାଳୟଗୁଡ଼ିକରେ ସଂଖ୍ୟାଧିକ ପଦ ଖାଲି ପଡ଼ିଛି। ମାଟ୍ରିକ୍‍ ଓ ଆଇ.ଏ. ସିଟି ପ୍ରାର୍ଥୀ ନିଯୁକ୍ତ ନହେଲେ ଏହି ପଦଗୁଡ଼ିକ ପୂରଣ ହୋଇ ପାରିବ ନାହିଁ। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହି ସମସ୍ୟା ଟାଳିବା ପାଇଁ ତୁରନ୍ତ ଖାଲିଥିବା ପଦଗୁଡ଼ିକୁ ସଂଶୋଧନ କରି ଟି.ଜି. ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକ।

ଯେଉଁ କେତେକ ପ୍ରାଥମିକକୁ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି, ସେଠାରେ କେତେକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ୯ମ ଓ ୧୦ମ ଶ୍ରେଣୀରେ ପାଠ ପଢ଼଼ାଇବା ପାଇଁ ସୁଯୋଗ ଦେବାକୁ ପ୍ରଧାନଶିକ୍ଷକମାନେ ବାଧ୍ୟ ହେଉଛନ୍ତି। ଏହି ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା, ବିଷୟଗତ ସମ୍ପର୍କ ଅଭାବ, ପିଲାମାନଙ୍କ ଅନିଚ୍ଛାଭାବ ଓ ଅଭିଭାବକଙ୍କ ଅସନ୍ତୋଷ ପ୍ରଧାନଶିକ୍ଷକଙ୍କୁ ମର୍ମାହତ କରିଛି। କେତେକ ପରିଦର୍ଶକଙ୍କ ହାକିମାତି ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି। ସ୍ମାର୍ଟ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି। ଏଥିଯୋଗୁଁ ଶ୍ରେଣୀରେ ପାଠ ପଢାଇବା ପାଇଁ ଶିକ୍ଷକଙ୍କ ଅଭାବ ଦେଖାଦେଇଛି। ତେଣୁ ବିଦ୍ୟାଳୟ ସମୟ ବାହାରେ କିମ୍ବା ଛୁଟି ଦିନଗୁଡ଼ିକରେ ପ୍ରଶିକ୍ଷଣ ଦିଆଗଲେ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହୁଅନ୍ତେ ନାହିଁ। ଏପରି ବିପରୀତ ସମୟରେ ବିଦ୍ୟାଳୟ ପରିଚାଳନା କମିଟି, ମୋ’ ସ୍କୁଲ କମିଟିର ପୁରାତନ ଛାତ୍ର ସଂଘ ଓ ପୋଷ୍ୟ ସ୍କୁଲ ଗ୍ରହୀତାମାନେ ଶିକ୍ଷାଦାନ ନିମନ୍ତେ ଆଗଭର ନ ହୋଇ ପୁଳାଏ ଧନ ଦାନ କଲେ ଜ୍ଞାନ ଆହରଣ ହୋଇ ପାରିବନି। କେତେକ ପ୍ରଧାନଶିକ୍ଷକ ନିଜର ଦୁର୍ବଳତା ଲୁଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ବୋଲକରା ସାଜିଛନ୍ତି। ଏହା ଫଳରେ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

Comments are closed.