ନିମ୍ନଗାମୀ ମଧ୍ୟମ ବର୍ଗ

ଦରବୃଦ୍ଧି, ବେତନ କାଟ, ବେରୋଜଗାର ଓ ଭବିଷ୍ୟତ ଅନିଶ୍ଚିତ ଥିଲେ ହେଁ ମଧ୍ୟମ ବର୍ଗ ମୌନତା ଅବଲମ୍ବନ କରିବା ଚିନ୍ତାର ବିଷୟ

ଭାରତ ହେଉଛି ବିଶ୍ବର ସର୍ବାଧିକ ମଧ୍ୟମ ବର୍ଗ ଜନସାଧାରଣଙ୍କ ଦେଶ। ସର୍ବାଧିକ ଗରିବ ମଧ୍ୟ ଏଠାରେ ବାସ କରିଥା’ନ୍ତି-ଏ କଥାକୁ ଅସ୍ବୀକାର କରିହେବ ନାହିଁ। କରୋନା ମହାମାରୀ ଅବଧି ମଧ୍ୟରେ ବିଶ୍ବରେ ଯେତେ ସଂଖ୍ୟକ ଗରିବ ସୃଷ୍ଟି ହୋଇଛନ୍ତି ସେଥିରୁ ୬୦ ପ୍ରତିଶତ କେବଳ ଭାରତର ବୋଲି ଆମେରିକାର ଏକ ଗବେଷଣା ସଂସ୍ଥା ମତ ଦେଇଛି। ଏହି ସମୟ ମଧ୍ୟରେ ଦେଶରେ ମଧ୍ୟମ ବର୍ଗ ସଂଖ୍ୟା ୩.୨ କୋଟି ହ୍ରାସ ପାଇଛି। ସେହିପରି ଗରିବଙ୍କ ସଂଖାରେ ସାଢେ ସାତ କୋଟି ବୃଦ୍ଧି ପାଇଛି। ଯେଉଁମାନେ ମଧ୍ୟମ ବର୍ଗ ଥିଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ହୋଇଛନ୍ତି। ଫଳରେ ମଧ୍ୟମ ବର୍ଗଙ୍କ ସଂଖ୍ୟା ହ୍ରାସ ପାଇଛି ଓ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମହାମାରୀ ପୂର୍ବରୁ ଦେଶରେ ମଧ୍ୟମବର୍ଗ ସଂଖ୍ୟା ପ୍ରାୟ ୧୦ କୋଟି ଥିଲା। ଅଜିମ୍‌ ପ୍ରେମଜୀ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର ଗ୍ରାମାଞ୍ଚଳରେ ଗରିବ ହାର ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଞ୍ଚିଛି।

ଏହା ବ୍ୟତୀତ ସହରାଞ୍ଚଳରେ ଗରିବ ହାର ବୃଦ୍ଧି ପାଇ ପ୍ରାୟ ୨୦ ପ୍ରତିଶତରେ ପହଞ୍ଚିଛି। ଭବିଷ୍ୟତରେ ଦେଶର ଦେଖା ଦେବାକୁ ଥିବା ସଙ୍କଟ କି’ରୂପ ନେବ ତାହା ଏଥିରୁ ସ୍ପଷ୍ଟ। ଗରିବଙ୍କ ସଂଖ୍ୟା ବୃଦ୍ଧିର ପ୍ରଭାବ ଦେଶର ଜନସଂଖ୍ୟାର ଏକ ବୃହତ୍‌ ଭାଗ ଉପରେ ପଡୁଛି। ରୋଜଗାର ହରାଇବା, ଆୟ ହ୍ରାସ ପାଇବା, ଜମା କମିଯିବା ଓ ସ୍ବାସ୍ଥ୍ୟ ଆଦି ସମସ୍ୟା ଯୋଗୁଁ ଦେଶର ଅନେକ ସ୍ଥାନରେ ଆତ୍ମହତ୍ୟା ପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସାଧାରଣତଃ ସାଢେ ସାତଶହ ରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଦୈନିକ ଆୟ ଗୋଷ୍ଠୀଙ୍କୁ ଆମେ ମଧ୍ୟମ ବର୍ଗ ବୋଲି କହିଥାଉ। ମହାମାରୀ ସମୟରେ ବିଶ୍ବର ବିକାଶଶୀଳ ଦେଶଗୁଡ଼ିକର ଦୁଇ-ତୃତୀୟାଂଶ ଜନସାଧାରଣଙ୍କ ଆୟ ଓ ସଞ୍ଚୟ ଉଭୟ ହ୍ରାସ ପାଇଛି। ୯୦ ଦଶକ ପରେ ପ୍ରଥମ ଥର ପାଇଁ ଏପରି ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି। ୨୦୧୧ରେ ବିଶ୍ବରେ ୧୩ ପ୍ରତିଶତ ମଧ୍ୟମ ବର୍ଗ ଥିଲେ। ୨୦୧୯ରେ ଏହା ବୃଦ୍ଧି ପାଇ ୧୯ ପ୍ରତିଶତରେ ପହଞ୍ଚି ଥିଲା। ଭାରତ କ୍ଷେତ୍ରରେ ଦେଖିବାକୁ ଗଲେ ମହାମାରୀ ସମୟରେ ଦେଶରେ ମଧ୍ୟମ ବର୍ଗ ସଂଖ୍ୟା ୩.୨ କୋଟି ହ୍ରାସ ପାଇବା ଚିନ୍ତାର ବିଷୟ। ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଏହା ଆହ୍ବାନ ପାଲଟିଛି। କାରଣ ବଜାରର ଦିଗ ନିର୍ଣ୍ଣୟ କରିବାରେ ମଧ୍ୟମ ବର୍ଗର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ବର୍ଗ ହେଉଛି ଦେଶର ସବୁଠାରୁ ବଡ଼ ଉପଭୋକ୍ତା।

ଚଳିତ ବର୍ଷ କୃଷି ଓ ବିଜୁଳିକୁ ଛାଡ଼ିଦେଲେ ବେପାର, ନିର୍ମାଣ, ଖନନ ଓ ବେସରକାରୀ କ୍ଷେତ୍ର ଉପରେ ମହାମାରୀ ଯଥେଷ୍ଟ ପ୍ରଭାବ ପକାଇଛି। ଦେଶରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ କୋଟି କର୍ମଜୀବୀଙ୍କ ମଧ୍ୟରୁ ଅଧିକାଂଶ ଉପରୋକ୍ତ କ୍ଷେତ୍ରରେ କାର୍ଯ୍ୟ କରିଥା’ନ୍ତି। ଆୟର ସ୍ରୋତ ବନ୍ଦ ହୋଇଯିବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି। ‘​‌େ​‌ସଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକନୋମି’ ( ସିଏମଆଇଇ)ର ରିପୋର୍ଟ ଅନୁଯାୟୀ, ଏବେ ଦେଶର ବେରାଜଗାରୀ ଦର ୧୧ ପ୍ରତିଶତ ରହିଛି। ଭାରତ ପରି ବିଶ୍ବର ଅଧିକାଂଶ ଦେଶର ଆର୍ଥିକ ବ୍ୟବସ୍ଥାକୁ ଏହି ମହାମାରୀ ଧରାଶାୟୀ କରିଛି। ତେବେ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର କ୍ଷେତ୍ରରେ କମ୍‌ ଖର୍ଚ୍ଚ କରାଯାଇଥିବାରୁ ଭାରତର ଅର୍ଥ ବ୍ୟବସ୍ଥା ଉପରେ ଏହା ଅଧିକ ପ୍ରଭାବ ପକାଇଛି। ଏବେ ଦେଶରେ ମଧ୍ୟମ ଆୟ ବର୍ଗ ନିମ୍ନଗାମୀ ହେବାରେ ଲାଗିଛନ୍ତି, ନିମ୍ନ ଆୟ ବର୍ଗ ବିସ୍ତାର ଲାଭ କରିଛି ଓ ବିତ୍ତଶାଳୀ ବର୍ଗଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।

ସର୍ବାଧିକ କୋଟିପତି ଥିବା ତାଲିକାରେ ଆମେରିକା, ଜର୍ମାନୀ, ଚୀନ୍‌, ରୁଷ୍‌ ଓ ଫ୍ରାନ୍ସ ପରେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ମହମାରୀ ଦେଶରେ ଥିବା ଧନୀ ବର୍ଗଙ୍କ ଉପରେ ସେପରି କୌଣସି ବିଶେଷ ପ୍ରଭାବ ପକାଇ ନଥିବା ବୁଝା ପଡ଼ୁଛି। ଏପରି ଅସମାନତାର ଜଡ଼ ଆମ ଆର୍ଥିକ ନୀତିରେ ହିଁ ଅଛି। କୋଭିଡ-୧୯ ପୂର୍ବରୁ ଦେଶରେ ମହିଳାଙ୍କ ବେରୋଜଗାରୀ ହାର ୧୫ ପ୍ରତିଶତ ଥିଲା। ଏବେ ଏହା ବୃଦ୍ଧି ପାଇ ୧୮ ପ୍ରତିଶତରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଯେଉଁ ମହିଳାମାନେ ଚାକିରି ହରାଇ ନାହାନ୍ତି ସେମାନଙ୍କ ବେତନ ହ୍ରାସ ପାଇଛି। ଦେଶରେ ମଧ୍ୟମ ବର୍ଗ ମହିଳା ସାଧାରଣତଃ ସେମାନଙ୍କ ପରିବାର ପାଇଁ ଆର୍ଥିକ ଯୋଗଦାନ କରିଥା’ନ୍ତି। ଏହି କାରଣରୁ ମହିଳାଙ୍କ ଆୟ କମି ଥିବାରୁ ସେମାନଙ୍କ ପରିବାରର ଆମଦାନୀ ମଧ୍ୟ ହ୍ରାସ ପାଇଛି। ଏସବୁ ସତ୍ତ୍ବେ ମଧ୍ୟମ ବର୍ଗ ପକ୍ଷରୁ କେବେ କେଉଁଠି ବିକ୍ଷୋଭ-ଧାରଣା ହୋଇ ନାହିଁ। ସବୁ ସହି ଯାଇ ମୌନ ଧାରଣ କରିବା ଏହି ବର୍ଗର ନୀତି ପାଲଟିଛି। କାଳେ ସରକାର ଅସନ୍ତୁଷ୍ଟ ହେବେ ଅଥବା ଯେତକ ବେତନ ମିଳୁଛି ସେତକ ମିଳିବ ନାହିଁ-ଏହି ଆଶଙ୍କା ଏହି ବର୍ଗକୁ ମୌନ ରହିବା ପାଇଁ ବାଧ୍ୟ କରିଛି। ପ୍ରଶ୍ନ ଉଠୁଛି-ଏପରି କ’ଣ ହୋଇଛି ଯେ ମଧ୍ୟମ ବର୍ଗ ‘ମୌନ’ ନୀତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି?

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସମ୍ବଳର ଅଭାବ, ବେରୋଜଗାର, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଅଭାବ, ମନଇଚ୍ଛା ବେତନ କାଟ ଏବଂ ଭବିଷ୍ୟତ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ସତ୍ତ୍ବେ ମଧ୍ୟମ ବର୍ଗ ମୌନ ରହିବାକୁ ସାହସ ଜୁଟାଇ ପାରୁଛି। ନିର୍ଦ୍ଧନତାକୁ ଅସମାନତା ସହ ଯୋଡ଼ି ଦେଖିବାର ସମୟ ଆସିଛି। ଯେବେ ବି ଗରିବ ବଢିଛନ୍ତି ସମାଜରେ ଅସମାନତା ଦେଖା ଦେଇଛି। ଏହା ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶରେ ବାଧା ଉପୁଜାଇଛି। ସମାଜର ବୁଦ୍ଧିଜୀବୀ ବର୍ଗ ଏହି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

Comments are closed.