ସବୁ ଦଳ ଶପଥ ନିଅନ୍ତୁ

ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାର୍ଥୀ ନ କରିବା ପାଇଁ ବିଏସ୍‌ପି ନେତ୍ରୀ ମାୟାବତୀଙ୍କ ଘୋଷଣା ସ୍ବାଗତଯୋଗ୍ୟ

ସାମ୍ବିଧାନିକ ନିର୍ଦେଶ ଓ କଟକଣା ସତ୍ତ୍ବେ ଭାରତୀୟ ରାଜନୀତିର ଅପରାଧୀକରଣ କ୍ରମଶଃ ବଢ଼ିଚାଲିଛି ସିନା, ହ୍ରାସ ପାଉନାହିଁ। ଏହାର ଏକମାତ୍ର କାରଣ ପ୍ରତ୍ୟେକ ରାଜନୈତିକ ଦଳ କୌଣସି ନା କୌଣସି କାରଣରୁ ଆପରାଧିକ ପୃଷ୍ଠଭୂମି ରହିଥିବା ଲୋକଙ୍କ ପାଇଁ କେବଳ ନିଜ ଦଳର ଦ୍ବାର ଉନ୍ମୁକ୍ତ କରୁନାହାନ୍ତି, ପ୍ରାର୍ଥୀ କରି ବିଧାନସଭା ଓ ସଂସଦ ଭିତରକୁ ପ୍ରବେଶ କରିବାର ଚାବିକାଠି ମଧ୍ୟ ଧରାଇ ଦେଉଛନ୍ତି। ତେଣୁ କେବଳ ଲୋକସଭାକୁ ଘୋଷିତ ରୂପେ ଆପରାଧିକ ମାମଲା ରହିଥିବା ୪୩ ଶତାଂଶ ବ୍ୟକ୍ତି ନିର୍ବାଚିତ ହେବା ଆଦୌ ବିସ୍ମୟକର ନୁହେଁ। ରାଜନୀତିର ଏହି ଅପରାଧୀକରଣ ପ୍ରସଙ୍ଗ ସମ୍ପ୍ରତି ପୁଣି ଚର୍ଚ୍ଚାକୁ ଆସିଛି, କାରଣ ଗତ ଶୁକ୍ରବାର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଘୋଷଣା କରିଛନ୍ତି ଯେ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ବାହୁବଳୀ ଅର୍ଥାତ୍‌ ଗୁଣ୍ଡା ଓ ମାଫିଆମାନଙ୍କୁ ପ୍ରାର୍ଥୀ କରିବ ନାହିଁ। ମାୟାବତୀଙ୍କ ଏହି ଘୋଷଣାକୁ ବର୍ତ୍ତମାନ କାରାରୁଦ୍ଧ ବାହୁବଳୀ ନେତା ମୁଖତାର୍‌ ଅନସାରୀ ଓ ତା’ ଭାଇଙ୍କ ସହ ଯୋଡ଼ି ଦେଖାଯାଉଛି। ତଥାପି ମଧ୍ୟ ସର୍ବସାଧାରଣରେ ଏପରି ଘୋଷଣା କରାଯାଇଥିବାରୁ ଏହାର ଗୁରୁତ୍ବକୁ ଉପେକ୍ଷା କରାଯାଇନପାରେ। କେବଳ ଏହି ଜଣେ ନୁହେଁ, ପ୍ରତ୍ୟେକ ଅାପରାଧିକ ପୃଷ୍ଠଭୂମିର ବ୍ୟକ୍ତି କିମ୍ବା ଏପରି ମାମଲାରେ ଦୋଷୀ/ଅଭିଯୁକ୍ତଙ୍କୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଲଢ଼ିବା ପାଇଁ ଟିକଟ ନ ଦେବା ଆବଶ୍ୟକ। ବିଡ଼ମ୍ବନାର ବିଷୟ ଯେ ସଚରାଚର ଏହା ହୁଏ ନାହିଁ। ଅତୀତରେ ଅନେକ ଦଳ ପକ୍ଷରୁ ଏପରି ଘୋଷଣା କରାଯାଇଥିବା ଦେଖାଯାଇଛି; କିନ୍ତୁ ପରବର୍ତ୍ତୀ ସମୟରେ ତାହା ଫମ୍ପା ସାବ୍ୟସ୍ତ ହୋଇଛି। ଖୋଲାଖୋଲି ନ ହେଲେ ମଧ୍ୟ ପଛ ଦ୍ବାର ଦେଇ ସେମାନଙ୍କୁ କ୍ଷମତାପନ୍ନ କରିବାପାଇଁ ରାଜନୈତିକ ଦଳଗୁଡ଼ିକ ଚେଷ୍ଟା କରନ୍ତି। ଏହାଠୁ ବି ଆହୁରି ବିପଜ୍ଜନକ କଥା ହେଲା, ଆପରାଧିକ ପୃଷ୍ଠଭୂମି ବା ମୋକଦ୍ଦମା ଥିବା କାରଣରୁ ଯାହାକୁ ଗୋଟିଏ ଦଳ ବହିଷ୍କୃତ କରିଥାଏ, ତାକୁ ଆଉ ଗୋଟିଏ ଦଳ ଖୁସିରେ କୋଳେଇ ନିଏ। ଟିକଟ ପାଇ ସେ ନିର୍ବାଚନରେ ବିଜୟୀ ହୋଇ ଆଇନ ନିର୍ମାତା ମଧ୍ୟ ହୋଇଯାଏ। ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଏହାର ବହୁ ଉଦାହରଣ ରହିଛି। ଏହି ବାହୁବଳୀ ଓ ମାଫିଆ ପୃଷ୍ଠଭୂମି ରହିଥିବା ନେତାମାନେ ତିନି ଚାରିଟି ଦଳ ବଦଳାଇ ନିର୍ବାଚନ ଲଢ଼ିଥିବା ଦେଖାଯାଇଛି। ଏହାର ଅର୍ଥ, ପ୍ରାୟ ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର ସ୍ବାଗତ ପାଇଁ ପ୍ରସ୍ତୁତ ରହିଛନ୍ତି। ଏପରି ସ୍ଥିତିରେ ମାୟାବତୀଙ୍କ ଘୋଷଣା ବେଶ୍‌ ମହତ୍ତ୍ବ ରଖେ।
ବିଏସ୍‌ପି ଅତୀତରେ ମୁଖତାର ସମେତ ବହୁ ବାହୁବଳୀଙ୍କୁ ଟିକଟ ଦେଇ ନିର୍ବାଚନରେ ଜିତାଇଥିଲା। ତେଣୁ ମାୟାବତୀ ଯଦି ବର୍ତ୍ତମାନ ଏପରି ନେତାଙ୍କୁ ଟିକଟ ନଦେବା ଘୋଷଣା କରିଛନ୍ତି, ତାହା ସ୍ବାଗତଯୋଗ୍ୟ। ଦେଖିବା କଥା ଯେ ସେ ଏଥିରେ କେତେ ସଫଳ ହେଉଛନ୍ତି ନା ଏହା ମଧ୍ୟ ତାଙ୍କର ଅନ୍ୟ ରାଜନୈତିକ ବିବୃତି ପରି ଅନ୍ତଃସାରଶୂନ୍ୟ ପାଲଟୁଛି। ପ୍ରତ୍ୟେକ ରାଜନୈତିକ ଦଳ ବୁଝିବା ଦରକାର ଯେ ଜନସାଧାରଣ ପ୍ରକୃତ ପକ୍ଷେ ବାହୁବଳୀ, ମାଫିଆ ଓ ଆପରାଧିକ ପୃଷ୍ଠଭୂମିର ଲୋକଙ୍କ ହାତରେ ନେତୃତ୍ବ ଦେବାକୁ ପସନ୍ଦ କରନ୍ତି ନାହିଁ; କିନ୍ତୁ ବାହୁବଳର ଭୟ ଓ ଅର୍ଥବଳର ଲୋଭ ଦେଖାଇ ଏମାନେ ଅନେକ ସମୟରେ ନିର୍ବାଚନରେ ବିଜୟୀ ହୋଇଯାଆନ୍ତି। ଯଦି ଲୋକଙ୍କ ନିକଟରେ ମଜଭୁତ ବିକଳ୍ପ ରହିବ, ତେବେ ହୁଏତ ଏପରି ବାହୁବଳୀ ନେତା ପରାଜିତ ହୁଅନ୍ତେ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଜନୈତିକ ଦଳଗୁଡ଼ିକ ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ମୂଳରୁ ହିଁ ଟିକଟ ଦେବେ ନାହିଁ, ତେବେ ରାଜନୀତିର ଅପରାଧୀକରଣ ଆପେଆପେ ବନ୍ଦ ହୋଇଯିବ। ରାଜନୈତିକ ଦଳଗୁଡ଼ିକରେ ଯୋଗ୍ୟ ଲୋକଙ୍କର ଅଭାବ ନାହିଁ; ତା’ ସତ୍ତ୍ବେ ଅପରାଧୀ ପ୍ରବୃତ୍ତିର ଲୋକେ ଟିକଟ ପାଇବାରେ ସଫଳ ହୁଅନ୍ତି ଓ ବିଜୟ ଲାଭ ମଧ୍ୟ କରନ୍ତି, କାହିଁକିନା ଏମାନଙ୍କ ପାଖରେ ନିର୍ବାଚନରେ ପାଣି ପରି ଖର୍ଚ୍ଚ କରିବାପାଇଁ ଅଜସ୍ର କଳାଧନ ରହିଥାଏ। ରାଜନୈତିକ ଦଳଗୁଡ଼ିକ ପାଇଁ ଗଣତାନ୍ତ୍ରିକ-ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ଭଳି ପ୍ରସଙ୍ଗ ନିର୍ବାଚନ ବିଜୟ ତୁଳନାରେ ଗୌଣ ମନେହୁଏ। ବିଡ଼ମ୍ବନା ଯେ ଅପରାଧୀଙ୍କୁ ରାଜନୀତି ଓ ଶାସନ-ପ୍ରଶାସନକୁ ପ୍ରବେଶ କରାଇ ନଦେବା ନିମନ୍ତେ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ଓ ନିର୍ବାଚନ ଆୟୋଗ ପକ୍ଷରୁ ଅନେକ ନିର୍ଦେଶ ଦିଆଯାଇଛି; କିନ୍ତୁ ତାକୁ ମଧ୍ୟ ରାଜନୈତିକ ଦଳଗୁଡ଼ିକ ଠିକ୍‌ଭାବେ ପାଳନ କରିନାହାନ୍ତି। ବାସ୍ତବତା ହେଲା, କୌଣସି ରାଜନୈତିକ ଦଳ ଆନ୍ତରିକ ଭାବେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଚାହୁଁନାହାନ୍ତି ବା ଚେଷ୍ଟା କରୁନାହାନ୍ତି। ଏଥିପାଇଁ ଯେଉଁ ଇଚ୍ଛାଶକ୍ତି ଆବଶ୍ୟକ, ତା’ର ଘୋର ଅଭାବ ରହିଛି। ଜାତୀୟ ସ୍ତରରେ ବୃହତ୍ତମ ରାଜ୍ୟ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ଦେଶର ଅନ୍ୟ ରାଜ୍ୟର ନିର୍ବାଚନ ଅପେକ୍ଷା ବେଶି ଗୁରୁତ୍ବ ରଖେ। ତେଣୁ ଏହି ନିର୍ବାଚନ ଉପରେ ଦେଶବାସୀଙ୍କର ନଜର ରହିଥାଏ। ଆଗାମୀ ନିର୍ବାଚନରେ ବିଏସ୍‌ପି ଭଳି ଅନ୍ୟ ରାଜନୈତିକ ଦଳଗୁଡ଼ିକ ଯଦି ଅପରାଧୀମାନଙ୍କୁ ନିଜର ପ୍ରାର୍ଥୀ ନ କରିବାପାଇଁ ଶପଥ ନିଅନ୍ତେ, ତା’ହେଲେ ସ୍ଥିତିରେ ନିଶ୍ଚୟ ପରିବର୍ତ୍ତନ ହୁଅନ୍ତା। ଉତ୍ତର ପ୍ରଦେଶ ଦେଶର ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଦୃଷ୍ଟାନ୍ତ ପାଲଟନ୍ତା। ତେବେ ସବୁ ରାଜନୈତିକ ଦଳ କ’ଣ ତାହା ଚାହିଁବେ ନା ସେମାନଙ୍କ ନିକଟରେ ସେହି ସତ୍‌ସାହସ ଓ ନୈତିକତା ରହିଛି?

Comments are closed.