କର୍ମଘେନି ଫଳ

ପରିଣତି, କାର୍ଯ୍ୟ ଅନୁଗତ, କାର୍ଯ୍ୟ ମନ ଅନୁଗତ। ମନ ଓ ମନର କିସମ ହିଁ ପରିଣତି ବା ଫଳ ପାଇଁ ସମ୍ପୂର୍ଣ୍ଣ ଦାୟୀ। ତେଣୁ ପରିଣତି ବା ଫଳ କେବେ ବି ଅପ୍ରତ୍ୟାଶିତ ବା ଅକଳନୀୟ କର୍ତ୍ତା ପାଇଁ ନୁହଁ। ତେବେ ଘୋର ମୋହ ଆଚ୍ଛନ୍ନ ମନ ଏ ପରିଣତିର ତାତି ବା ହିମ ପ୍ରତି ଅନବହିତ ହୋଇଯାଏ। ଆତ୍ମ ସମୀକ୍ଷା ସକ୍ଷମ ଜଣେ ସଦାସର୍ବଦା ନିଜ କାର୍ଯ୍ୟର ପରିଣତି ବିଷୟରେ ଅବହିତ ଥାଏ। ସେ ତା’ ପ୍ରକାଶ କରିପାରେ ବା ନ ପାରେ। ଅନ୍ୟର ମନ ପଢ଼ି ପାରୁଥିବା ବା କଳି ପାରୁଥିବା ଜଣେ ବିଜ୍ଞ ବା ସିଦ୍ଧାତ୍ମା ତେଣୁ ତା’ର ପରିଣତି ବିଷୟରେ ବହୁ ଆଗରୁ ସୂଚନା ଦେଇଥା’ନ୍ତି। ତା’ ବି ବହୁ କ୍ଷେତ୍ରରେ ଗ୍ରହଣୀୟ ହୋଇ ନ ଥାଏ। ଯେମିତି ‘‘ସୀତା ହରଣ, ରାବଣ ମରଣ’’ର ଭବିଷ୍ୟତ ବାଣୀ ଛପନଗଣ୍ଡା ଯୁଗକୁ ବର ପାଇଥିବା ରାବଣ ବିଷୟରେ କହି, ତାଙ୍କ କାନ୍ଥ ବାଡ଼ରେ ଲେଖି ବି କିଛି ଫଳ ହେଲାନି। ପ୍ରିୟ ଭାଇ ବିଭୀଷଣ ସୀତାଙ୍କୁ ଫେରାଇ ଦେବାକୁ ରାବଣଙ୍କୁ କେତେ ଅନୁନୟ ବିନୟ କରି କହି ଶେଷକୁ ତଡ଼ା ଖାଇଲେ ସିନା, କି ଫଳ ହେଲା! ସୀତା ଚୋରି ନୋହିଥିଲେ କୁ ରାମାୟଣ ଯୁଦ୍ଧ ହୋଇଥାନ୍ତା? ସେମିତି ଭାଇ ଭାଗ ପୂରା ନ ଦେଲେ ବି ପାଞ୍ଚଟା ପଡ଼ା (ଗାଁ) ପାଣ୍ଡବ ପାଞ୍ଚ ଭାଇଙ୍କି ଦୁ‌େର୍ଯ୍ୟାଧନ ଦେଇଥିଲେ କୁ ମହାଭାରତ ହୋଇଥାନ୍ତା? ଶ୍ରୀକୃଷ୍ଣ କେତେ ବୁଝେଇଲେ! ବରଂ ଗର୍ବରେ ଫାଟି ପଡ଼ୁଥିବା ଦୁ‌େର୍ଯ୍ୟାଧନ କହିଲେ, ‘‘ବିନାଯୁଦ୍ଧେ ନ ଦେବି ମଁୁ ସୂଚ୍ୟଗ୍ର ମେଦିନୀ।’’ କ’ଣ ହେଲା ପରିଣତି? ଗର୍ବ ଅହଙ୍କାର କୁଆଡ଼େ ଗଲା? ଛି, ଏମିତି ଅନ୍ଧ ପୁଣି ଲୋକେ ହୁଅନ୍ତି! ଅସୁର ରାଜା ବଳିଙ୍କୁ ଦେଖୁନା! ଦାନ ଦେବା ତାଙ୍କ ପାଇଁ ପ୍ରେମ କରୁଣାର ଏକ ଭାବ ନୋହି ବଡ଼ ପଣିଆର, ସର୍ବତ୍ୟାଗୀ ଅହଂର ଗୋଟେ ଧୂମ କୁଣ୍ଡଳୀ ସୃଷ୍ଟିର କାରଣ ହେଲା। ‘ଦାନ’ ଭଳି ଶ୍ରେୟ ପ୍ରାପ୍ତିର ଏ ଅମୋଘ ଅସ୍ତ୍ରକୁ ପ୍ରୟୋଗ କରି ଏହାର ଦୁରୁପଯୋଗକୁ ପ୍ରଭୁ କେମିତି ସହନ୍ତେ? ବଳିଙ୍କୁ ଥଟ୍ଟା କରିବାକୁ ଟିମ୍ପା ବ୍ରାହ୍ମଣ ‘ବାମନ’ରୂପ ଧରି ତାଙ୍କ ଦାନ ଅହଂର ଉତ୍ତର ଦେବାକୁ ଗଲେ। ଗୁରୁ ଶୁକ୍ରାଚାର୍ଯ୍ୟ ବାରମ୍ବାର ଏ ବ୍ରାହ୍ମଣ ବା ବାମନକୁ ଦାନ ଦେବାର ସତ୍ୟ ନ କରିବାକୁ କହିଲେ। ଗୁରୁ ଭାବେ ନିର୍ଦେଶ ଶେଷକୁ ଦେଲେ। ସେ କୁ ଶୁଣିଲେ? ଗୁରୁଙ୍କୁ ତାଚ୍ଛଲ୍ୟ କଲେ, ‘‘ହେଃ, ବାମନଟେ କ’ଣ ଏମିତି ମାଗିବ ଯେ ବଳିରାଜା ଦେଇ ପାରିବନି?’’ ବାମନ ତାଙ୍କୁ ପାତାଳକୁ ଚାପି ଦେଲେ। ଦେଉଥା’ ଏବେ ଦାନ, ଦେଉଥା’।

ଚାଣକ୍ୟ ଏ ବିଶ୍ବବିଖ୍ୟାତ ବୀର ବା ବ୍ୟକ୍ତିତ୍ବଙ୍କ ଅଜ୍ଞାନତା ଓ ମୋହାନ୍ଧତା ବିଷୟରେ ଲେଖିଛନ୍ତି, ‘‘ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତି ଦାନେ ବଳିର୍ବଦ୍ଧଃ ସର୍ବମତ୍ୟନ୍ତଂ ଗର୍ହିତମ୍‌।’’ ମଣିଷ କଥା ବି ସେଇଆ। ଗତ ଥର ବି କଟରକଟର ହୋଇ ବେଙ୍ଗବେଙ୍ଗୁଲୀ କହିଥିଲେ, ‘‘ମଣିଷ ବଡ଼ାଇ ପାଣିର ଗାର, ଜର୍ମାନ କେଶରୀ ଦାଣ୍ଡ ଫକିର। ଟାଇଟାନିକ ଥିଲା କେଡ଼େ ବୋଇତ, ବରଫ ଧକାରେ ଗଲା ବୁଡ଼ି ତ।’’ ହିଟଲର, ମୁସୋଲିନ, ଦ୍ବିତୀୟ ନିକୋଲାସଙ୍କ କଥା ତ ପୁରାଣର ନୁହଁ। କାଲିର କଥା। ତେଣୁ ‘କଥା’ ହେଉ କି ‘ଅକଥା ହେଉ’, ୟାର ମୂଳ ‘ମନ’ ଯେବେ ନିରୋଳା ରହିଲା ତେବେ ପରୱା କିଆଁ? ଏବେ କିନ୍ତୁ ଗୋଳିଆ ଅସନା ମନକୁ ମୁଣ୍ଡେଇ ଚାଲିଛି ଜୀବ, ଆଉ ଧରାପଡ଼ିଗଲେ, ନିଃଶଙ୍କ ଶପଥ ଓ ହଲପରେ ଏମାନେ ସିଦ୍ଧହସ୍ତ। ‘ବଚନ’କୁ ଶବ୍ଦ ବ୍ରହ୍ମ କୁହାଯାଏ। ସତରେ ତା’ ବି ସେୟା। ସେଇ ବଚନ, ଶପଥ, ପ୍ରତିଜ୍ଞା ତ ସଜ୍ଜନ ଓ ଦୁର୍ଜନର ଅଲିଭା ପରିଚିତି ଏ ବିଶ୍ବରେ ସୃଷ୍ଟି କରିଆସିଛି। ‘ଶପଥ ପାଳନ ନ କଲେ ନର୍କ ଗତି’। ୟେ ଥିଲା ଏ ଦେଶ ସଂସ୍କୃତିର କଥା। ଦଶରଥ ପ୍ରତିଜ୍ଞା ବା ଶପଥ କରିଥିବା କଥାରୁ ଓହରିଗଲେ। କହିଲେ ‘‘ନର୍କ ଗତି ହେଉ ପଛେ, ରାମକୁ ବନବାସ ପଠାଇ ପାରିବି ନାହିଁ’’ କହି ଶାଶୂଘର ଯିବା ଅମଙ୍ଗ ଝିଅପରି ରାମକଥା ବାହୁନି ଭୋ ଭୋ କାନ୍ଦିଲେ। ରାମ କିନ୍ତୁ ପିତା ଶପଥ ଭଙ୍ଗ ବା ଦ୍ରୋହୀ ହେବା ଚାହୁଁ ନ ଥିଲେ। କୋଉ ସୁପୁତ୍ର ପିତାର ଏ ଅଧୋଗତି ଚାହାନ୍ତା? ଆଜିକାଲି କଥା ଛାଡ଼। ବୁଢ଼ା ବାପ ମା’ ତ ଏବେ ବୋଝ, ତାଙ୍କ ପାଇଁ ଜରାନିବାସ ଖୋଜା ‘ସୁପୁତ୍ର’ର ଏଇଲେ କର୍ତ୍ତବ୍ୟ।

ମନେପଡ଼େ ଗୋଟେ ଆଖ୍ୟାୟିକା। ବିଭା ହେବା ପରେ ଦେଖିଲା ଏ ଗିରସ୍ତ ବିଚରା ଯେ, ଭାରିଯାଟା ବଦମାସ୍‌। ତା’ ବୃଦ୍ଧା ବାପାଙ୍କୁ ଜମା ସହୁନି। ହତାଦର, ଅସମ୍ମାନ ଓ ଅବହେଳା କହିଲେ ନ ସରେ। କେତେ ଆକଟିଲା, କହିଲା, ହାତ ଧଇଲା, ଫଳ ଯୋଉଆକୁ ସେଇଆ। ଆରେ ଗୀତା ତ କହିଲେ, ‘‘ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି’’। ମତେ ତୁ ଯେତିକି ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।’’ ନିଜେ ଲୁଚେଇ ଛପେଇ ବାପକୁ ଭଲମନ୍ଦ ଦିଏ। ଗାଁ ଲୋକେ ବାହାରିଲେ ତୀର୍ଥ କରିବାକୁ। ଏ ସୁଯୋଗ ସେ କରଛଡ଼ା କଲାନି। ତେବେ ବାପ କଥା ଭାବି ମନ ମରିଗଲା। ଭାବିଲା, ମୋ ଆଗରେ ତ ମୋ ବାପକୁ ଇଏ ଏମିତି କରୁଛି। ମୁଁ ଛ’ ମାସ କି ବର୍ଷେ ତୀର୍ଥରେ ଗଲେ ସେ ତ ମୋ ବାପକୁ ପୂରା ମାରିଦେଇଥିବ! ମନକୁ ଖଳ ବୁଦ୍ଧିଟେ ଆସିଲା। କହିଲା, ହଇୟୋ ଶୁଣିଲଣି। ମୁଁ କାଲି ତୀର୍ଥ ଯିବି ଗାଁ ବାଲାଙ୍କ ସହ। ମାତ୍ର ଏ ବୁଢ଼ାକୁ ତମେ ଏକୁଟିଆ କୁ ସମ୍ଭାଳି ପାରିବ? ତାକୁ ତ ଆଉ ମାରିଦେଇ ପାରିବନି। ଗୋଟେ କାମ କର। ଏ କଥା କଲେ ସେ ଆପେ ଆପେ କଲିଜା ଶୁଖି ମରିଯିବ। ସ୍ତ୍ରୀ ଆଗ୍ରହରେ ପଚାରିଲା, କହିଲ କହିଲ କ’ଣ ସେ କଥା। ସେ ଲେଖିଦେଲା, ‘‘ମାଘେ ଦହି, ପୁଷେ ଖଇ, ଚଇତେ ନିମ ଚକୁଳି ଖାଇ, ଆଷାଢ଼େ ତାଳ, ତେବେ ଯାଇ ପୂରିବ ବୁଢ଼ାର କାଳ।’’ ଏଗୁଡ଼ା ତ ଶସ୍ତା ସହଜିଆ କଥା। ସ୍ତ୍ରୀ କହିଲା ତମ ଦିହ ଛୁଉଁଛି ତମ କଥା ମାନିବି। ସ୍ବାମୀ ମନ ଖୁସି ହୋଇଗଲା। ତେବେ ମନରେ ଟିକିଏ ଶଙ୍କା ଥାଏ। ମାଇପିଙ୍କୁ କୁ ବିଶ୍ବାସ! ତୀର୍ଥରୁ ଫେରିଲା ପରେ ବାରଣ୍ଡାରେ ଜଣେ କଳା ମଚମଚିଆ ବାଳର ଦରବୁଢ଼ାଟେ ବସିଛି। ୟେ ତା’ ବୁଢ଼ା ବାପ ବୋଲି ଚିହ୍ନିବାକୁ ବି ଟିକିଏ ସମୟ ଲାଗିଲା। ତା’ ହେଲେ ତା’ ସ୍ତ୍ରୀ ତା’ କଥା ପୂରା ମାନିଛି। ଆଉତକ କଥା ଅପ୍ରାସଙ୍ଗିକ। ପ୍ରସଙ୍ଗ ହେଲା ଆଜିର କଥା ଓ ଭାବ ମଧ୍ୟରେ ଥିବା ଭୟଙ୍କର ପ୍ରଭେଦ। ଏ ସମାଜଟା ଜନତାଟା ସତରେ କ’ଣ ହଲପିଆ ହୋଇଗଲେ? ହଲପ, ଶପଥ ବା ପ୍ରତିଜ୍ଞା, ଜଣକୁ ମାର୍ଗଗାମୀ ହେବାର, ରଖିବାର ଏକ ସର୍ତ୍ତ ଥିଲା। ଏଥିରୁ ଖସିବ ଯିଏ ସିଏ ତ ନର୍କଗାମୀ, ଚରମ ମିଥ୍ୟାଚାରୀ ଓ ଅବିଶ୍ବାସୀ। ତେବେ ବିପଦବେଳେ ପଡ଼ି ରକ୍ଷା ପାଇବାକୁ ଦୋଷୀ, ଅପରାଧୀଗୁଡ଼ା ବାରମ୍ବାର ହଲପ ଓ ଶପଥ କରନ୍ତି। ସେ କେତେ ଦଣ୍ଡ ପାଇବେ କେଜାଣି? ବିଚାରାଳୟରେ ଗୀତା ବା ଧର୍ମଗ୍ରନ୍ଥ ଛୁଆଁଇ ସାକ୍ଷୀଙ୍କୁ ଶପଥ କରାଯାଉଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଆମ ନିର୍ବାଚିତ ପ୍ରତିନିଧିମାନେ କିଏ ଯେ ଦେଶ ଜାତି ନାଁରେ ଶପଥ ନ କରୁଛି? ମାତ୍ର ହେଉଛି କ’ଣ? ଏ ସତ୍ୟରକ୍ଷା ପାଇଁ ରାମକୁ ବନ ଯିବାକୁ ପଡ଼ୁଛି। ମାତ୍ର ଏ ସତ୍ୟ ଭଙ୍ଗରେ ନର୍କ ନୁହେଁ ତ ଐଶ୍ବର୍ଯ୍ୟ ଭୋଗ ଏ ଜଗତରେ ଚାଲିଛି। ଏ ସବୁଗୁଡ଼ା ହଲପିଆ।

ବେପାରପତ୍ର ଭାଇମାନଙ୍କ ପୃଷ୍ଠାରେ ଆଜି ଦିନରେ ଗଣତନ୍ତ୍ରୀୟ ରାଜା (ମନ୍ତ୍ରୀ, ଏମେଲେ)ମାନଙ୍କ ହୋହଲ୍ଲା, ‘ଗୁରୁଜୀ’ ବୋଲାଇ ଆଜକୁ ଦଶବର୍ଷ ହେବ ଅତ୍ୟାଚାର ଓ ଧର୍ମାନ୍ତରୀକରଣ ଚଲାଉଥିବା ମାନସ ଗୁରୁଙ୍କ କାରନାମା ଓ ଗିରଫଦାରି ସହ ସନ୍ଦେହ ଘେରରେ ମରିଥିବା ଜଣେ ଜଙ୍ଗଲ କର୍ମକର୍ତ୍ତାଙ୍କ ବିଷୟରେ ପୁଲିସର ଖାଲି ବୟାନ (ଷ୍ଟେଟମେଣ୍ଟ) ନେବାରେ ପୃଷ୍ଠା ଭରିଛି। କୋଉ କଥା କହିବ। ଆରେ ‘ଗୁରୁଜୀ’ ତ ନୁହେଁ ଏ ପରମଗୁରୁ ତାଙ୍କ କାରନାମା ଆଜିକି ୧୫/୨୦ ବର୍ଷ ହେବ ଚଳାଇ ଆସୁଥିବାବେଳେ ଏ ପୁଲିସ, ଏ ଗୁଇନ୍ଦା, ଏ ପ୍ରଶାସନ ଓ ଏ ବେପାରପତ୍ରମାନଙ୍କ ଆଖିରେ କ’ଣ ମଡ଼ା ଯାଇଥିଲା? ବିଧାନସଭା ବୈଠକ ଚାଲିଛି। ୟେ ଗୋଟେ ସଲାମଞ୍ଚ। ଲୋକେ ଦେଖିବେ ତାଙ୍କ ନେତାମାନେ କେଡ଼େ ନିପାରିବାର ବା ପାରିବାର। ରାମଦେବ ବାବା ଏବେ ଜଣେ ଯୁବକ ସହ କୁସ୍ତି କରି ତାକୁ ଚିତ୍‌ କରିଦେଇ ନିଜର ଶୌର୍ଯ୍ୟ, ବୀର୍ଯ୍ୟ ଓ ବ୍ରହ୍ମଚର୍ଯ୍ୟର ପରିଚିତି ଦେଲା ଭଳି ଏମାନେ ସବୁ ଗଣତନ୍ତ୍ରର ଏ ଦେଶରେ ନାଚକୁଦ କରିବେ। ପରମଗୁରୁ ମାନସ ଏଡ଼େ ବଡ଼ ସଙ୍ଗଠନ ଚଳାଇବାର ଆର୍ଥିକ ସମ୍ବଳ ପାଇଲେ କୋଉଠୁ? ହିନ୍ଦୁ ସଂସ୍କାର ସଂସ୍କୃତିର ଘୋର ଅବମାନନା କରି ସେ ଲୋକଙ୍କୁ ଧର୍ମାନ୍ତର କରାଉଥିଲେ। ଖ୍ରୀଷ୍ଟିଆନ ଧର୍ମସଂସ୍ଥା (ମିଶନ) ପକ୍ଷରୁ କୋଟି କୋଟି ଟଙ୍କା ଏଥି ପାଇଁ ବୁଣାଯାଇଥାଏ। ଆଉ ପରମଗୁରୁ ମାନସ ଜଣେ ଭଲ ବିହନବୁଣା ଚାଷୀ। ସରକାର କୁହନ୍ତୁ, ପରମଗୁରୁଙ୍କ ଏ କାରଧାନି ବିଷୟରେ ତାଙ୍କ ଗୁଇନ୍ଦା, ଧ’ କହିଲେ ବାନ୍ଧି ପକାଉଥିବା ତାଙ୍କ ପୁଲିସବାଲା ଓ ତୈଳମର୍ଦନ କଳା ବିଶେଷଜ୍ଞ ଏ ଉଚ୍ଚ ପ୍ରଶାସନିକ ଅଧିକାରୀ ଥିଲେ କୋଉଠି? ଏଙ୍କୁ କ’ଣ କୁମ୍ଭକର୍ଣ୍ଣଙ୍କ ନିଦ ଶୋଇବାର ଅନୁମତି ମିଳିଛି? ନା’ ଏଗୁଡ଼ା କେହି ଜମା ଶୁଅନ୍ତିନି। ଅଭ୍ୟାସଗତ ଆମ ହଲପୀ ନେତା ଓ ପ୍ରଶାସନ ପାଖେ ସୁନାପୁଅ ହେବାକୁ ହେଲେ ଚେଇଁଶୁଆ କଳା ସିଦ୍ଧି କରିବାକୁ ହେବ। ତେଣୁ ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ? ସେ ଗୁରୁ କି ମହାଗୁରୁ ହୁଅନ୍ତୁ।

ଏ ରାଇଜଟା ସାରା, ଏ ନେତା ଓ ପ୍ରଜାଗଣ ସତରେ କ’ଣ ଚରମ ଓ ପରମ ଭାଣ୍ଡାମିରେ ବୁଡ଼ି ଯାଇଛନ୍ତି? ପ୍ରଶ୍ନ ହେଉଛି, ମଣିମା ଗଣ ବା ଜଣ, ତେମେ ଆପଣ ଏତେ ଦିନ ଯାଏ ଥେଲ କୋଉଠି? ତମ ଚୋରଗଲାପର ବୁଦ୍ଧି ପାଇଁ ତମ ସ୍ତ୍ରୀ ପିଲା ହାନି ସହନ୍ତୁ। ପଡ଼ୋଶୀ ଘର ବା ରାଇଜବାସୀ କାହିଁକି ତାକୁ ମୁଣ୍ଡେଇବେ? ତେବେ ଏ ପ୍ରଜାଙ୍କ ‘‘ମୁଁ ଧାଉଁଥିଲି ତୋହରି ପାଇଁ ନା, ତୋର ଦୟା ଟିକିଏ ନାହିଁ’’ ଅବସ୍ଥା ବେଙ୍ଗବେଙ୍ଗୁଲୀକୁ ଜଣା।

Comments are closed.