ଦୟନୀୟ ମାନବବାଦ

‘‘ମଣିଷଗୁଡ଼ା କ’ଣ ହେଲିଣି ମ! ‘ଖିର ଉତୁରିଲେ ଚୁଲିରେ ପଶେ, ମଣିଷ ଉତୁରିଲେ ଗାତରେ ପଶେ’। ଉତୁରୁଥିବା ଖିର ତ ଚୁଲିରେ ପଶିବା ଏକ ବାଧ୍ୟ ପରିଣତି। ମାତ୍ର ଉତୁରା ମଣିଷ ଆହୁରି ହୀନାବସ୍ଥା ଭୋଗ କରେ। ଜୁଇରେ ଶବ ସତ୍କାର ସମ୍ମାନ ବି ତାକୁ ମିଳିନଥାଏ। ପୋଡ଼ା ଯାଇଥାଏ କି ମାଟିରେ ମିଶେ, କି କୁକୁର ବିଲୁଆ ଓ ଶାଗୁଣାଙ୍କ ଖାଦ୍ୟ ହୋଇଥାଏ। କେଡ଼େ କେଡ଼େ ପରାକ୍ରମଶାଳୀଙ୍କ ଏ ଅବସ୍ଥା ନ ହୋଇଛି? ରାବଣ, କଂସ, ହିରଣ୍ୟକଶିପୁ ଓ କୌରବ ଶହେଭାଇଙ୍କ କଥା ଦେଖୁନା! କୋଡ଼ିଏ ହାତ, ଦଶ ମୁଣ୍ଡର ମଣିଷଟାଏ। ଢେର ପଣ୍ଡିତ ବି। ବିଶ୍ରବା ଋଷିଙ୍କ ପୁଅ। ପାଣ୍ଡିତ୍ୟପୂର୍ଣ୍ଣ ଶିବତାଣ୍ଡବ ସ୍ତୋତ୍ରର ରଚୟିତା। ସବୁ ଫୁଲରୁ ନିର୍ଯାସ ବା ଅର୍କକାଢ଼ି ଔଷଧ ତିଆରି କରିବାର ବିଚିତ୍ର ଆୟୁର୍ବେଦ ଚିକିତ୍ସାର, ଏବେ ବି ଦିଗ୍‌ଦର୍ଶକ ହୋଇଥିବା ‘ଅର୍କ ଦୀପିକା’ ପୁସ୍ତକର ରଚୟିତା ବି ସେ। ଶିବଙ୍କର ପରମ ଭକ୍ତ। ଶ୍ରୀଲଙ୍କାରୁ ପ୍ରତିଦିନ ସେ ହିମାଳୟସ୍ଥ ଶିବ ମନ୍ଦିର ଦର୍ଶନ ପାଇଁ ସ୍ବର୍ଗରୁ ସ୍ବୀୟ ପ୍ରଭାବରେ ଆଣିଥିବା ପୁଷ୍ପକ ବିମାନରେ ଯାଉଥିଲେ। ସେ ବିମାନର ଚାଳକ (ପାଇଲଟ) ନ ଥିଲେ କି ଅଧା ବାଟରେ ତା ତେଲ ସରି ଯାଉନଥିଲା। ଦୁର୍ଘଟଣାର ପ୍ରଶ୍ନ କାଇଁ?

ୟେ ଥିଲା ଭାରତୀୟ ବୈଜ୍ଞାନିକ କଳା କୌଶଳର ଏକ ନିଦର୍ଶନ। କାଇଁ ସେମିତି ବ୍ୟୋମଯାନ ଏ ବିଜ୍ଞାନୀ ପଣ୍ଡିତ କୋଉ କଲେଣି? ଏ ବିମାନରେ ବସିବା ପୂର୍ବରୁ ଜୀବନବୀମା ନବୀକରଣ କଥା ଲୋକେ ଭାବୁଛନ୍ତି। ତଥାପି ମଧ୍ୟ ରାବଣଙ୍କ ଦୟନୀୟ ମୃତ୍ୟୁ ହେଲା ନା ନାଇଁ ମ? ଶିବଙ୍କର ଏଡ଼େ ଭକ୍ତ, ସେ କୁ ତାଙ୍କୁ ରଖି ପାରିଲେ? ଓଲଟି ରାବଣଙ୍କ ଔଦ୍ଧତ୍ୟରେ ବିଷଣ୍ଣ ହୋଇ, ତାଙ୍କ ଆଶୀର୍ବାଦ ଓ ଦାନର ଅପବ୍ୟବହାର, ବିଶ୍ବାସଘାତକତା ଓ କୃତଘ୍ନତା ହେତୁ ତାଙ୍କୁ ମାରିବାକୁ ଶ୍ରୀ ହନୁମାନ ରୂପ ପରିଗ୍ରହ କଲେ। ତୁଳସୀ ଦାସ ତ ଲେଖିଲେ ‘‘ଶଙ୍କର ସୁବନ କେଶରୀନନ୍ଦନ, ତେଜ ପ୍ରତାପ ମହାଜଗ ବନ୍ଦନ….’’ରାବଣ, କୌରବ ଓ ବଳି ବିଷୟରେ ଆଉ ବି କୁହାଯାଇଛି, ‘‘ଅତିଦର୍ପେ ହତା ଲଙ୍କା ଅତିମାନେ ଚ କୌରବାଃ ଅତିଦାନେ ବଳିର୍ବଧଃ ସର୍ବମତ୍ୟନ୍ତଂ ଗର୍ହିତମ୍’’। ଔଦ୍ଧତ୍ୟ, ହିଂସାର ପରିଣତି ସବୁକାଳେ ଉତୁରା ଖିର ଅବସ୍ଥାର ଉଦାହରଣ ଏ ଆର୍ଯ୍ୟ ସଂସ୍କୃତି ଓ ସଂସ୍କାରରେ ଖୁନ୍ଦି ହୋଇ ରହିଛି। ଆଜିର ଗରିଲା ଯୁଦ୍ଧ, ଛାୟା ଯୁଦ୍ଧ, ବିଶ୍ବାସଘାତକତା ଓ ନିଷ୍ଠୁର ଦାଉଁଆ ପଣିଆର ଏକ ଉଦାହରଣ। ଏଥି ଜଣେ ଶତ୍ରୁର ଦୁର୍ବଳତା ଖୋଜେ, ଦୁର୍ବଳ ମୁହୂର୍ତ୍ତକୁ ଅପେକ୍ଷା କରିଥାଏ। ‘‘ନଇଁ ପଡ଼ିଥିବା ବେଳେ, ବିଧାଏ ମାରିବ ବଳେ’’। ଏ ଗୁଡ଼ାଙ୍କୁ କାପୁରୁଷ, ଦାଉଆଁ କୁହାଯାଏ। ସେଇଥି ପାଇଁ ଯୁଦ୍ଧ ​କ୍ଷେତ୍ରରେ ଯଦି ଶତ୍ରୁପକ୍ଷର କେହି ନିରସ୍ତ୍ର ହୋଇଗଲା, ତେବେ ତାକୁ ଅସ୍ତ୍ର ନ ମିଳିବା ଯାଏ, ତା’ ଉପରକୁ ଅସ୍ତ୍ର ବର୍ଷଣ କାପୁରୁଷତା ଓ ଯୁଦ୍ଧ ନିୟମ ବହିର୍ଭୂତ ଥିଲା। ଅଭିଶାପରେ ରଥଚକ ଦବିଯିବାର ସୁଯୋଗରେ ଅର୍ଜୁନ ଶର ପ୍ରହାର ନ କରିଥିଲେ କର୍ଣ୍ଣଙ୍କୁ ମାରିବା ସମ୍ଭବ ହୋଇ ନଥାନ୍ତା। ଦାଗ ତାଙ୍କଠେଇଁ ସିନା ଲାଗିଲା, ମାତ୍ର ‘‘ଆପେ ବଞ୍ଚିଲେ ବାପର ନାଁ’’ ଧ୍ବନିକୁ ଆପେଣେଇଲେ। ଭୀଷ୍ମ ପିତାମହଙ୍କ ଅବସ୍ଥା ବି ସେଇଆ। ଶିଖଣ୍ଡୀକୁ ତାଙ୍କ ସମ୍ମୁଖକୁ ପଠାଇ, ତାଙ୍କୁ ତାଙ୍କ ପ୍ରତିଜ୍ଞା ଅନୁଯାୟୀ ନିରସ୍ତ୍ର କରାଗଲା ଓ ତା’ରି ସୁଯୋଗ ଏ ଅର୍ଜୁନ ନେଲେ। ଏକୁୁ ପୁରାଣର କାଳ୍ପନିକ କଥା କହି ତମେ ଉଡ଼େଇ ଦଉଚ। ଆରେ, ତମ ଇତିହାସକୁ ଦେଖୁନା! ପ୍ରବଳ ପରାକ୍ରମଶାଳୀ, ରୁଷ ସାମ୍ରାଜ୍ୟର ପ୍ରତାପୀ ସମ୍ରାଟ ଓ ପୃଥିବୀର ସବୁଠାରୁ ଧନୀ ସମ୍ରାଟ ଜାର୍‌ଙ୍କ ମୃତ୍ୟୁ କେଡ଼େ ଦୟନୀୟ ଦେଖୁନା!

ଡେଲକାର୍ନେଜୀ ତାଙ୍କ ‘ଲିଟିଲ ନୋନ୍‌ ଫ୍ୟାକ୍ଟସ୍ ଏବାଉଟ୍‌ ୱେଲ ନୋନ୍‌ ପିପୁଲ’ ବହିରେ ଲେଖିଲେ, ‘‘He ruled one sixth of the world and died in six fit cellar’’ ତାଙ୍କୁ ତାଙ୍କର ଏକମାତ୍ର ରୁଗ୍ଣ ଶିଶୁପୁତ୍ର ଓ ସ୍ତ୍ରୀ ଜାରିନାଙ୍କୁ ବିଦ୍ରୋହୀ ସିପାହିମାନେ ଯେପରି ଅଶ୍ଳୀଳ ଆଚରଣ କରି ପଶୁପରି ବନ୍ଧୁକ ମୁନରେ ମାରିଲେ, ଇତିହାସରେ ଏ କରୁଣତା ଓ ଦୟନୀୟତାର ପଟାନ୍ତର ନାହିଁ। ଡେଲକା‌େର୍ନଜୀ ଲେଖିଛନ୍ତି ଯେ, ‘‘Tszar was very fond of reading Shakespeare and he must have read, ‘They who stand high, have many winds to shake them, if they fall, they dash themselves into pieces’. ଆଉ ଜଣେ ସେମିତି ଫ୍ରାନ୍ସର ସମ୍ରାଟ ଷୋଡ଼ଶ ଲୁଇଙ୍କ କଥା ବି କେଡ଼େ ଦାରୁଣ! ତାଙ୍କ ପ୍ରଜାଗୁଡ଼ା ଦିନେ ବିପ୍ଳବ କରି ତାଙ୍କୁ ବଳି ବୋଦା ପରି ଗିଲୋଟିନ ଯନ୍ତ୍ରରେ ହତ୍ୟା କରିବେ, ଏକଥା କିଏ ଆଶଙ୍କା କରିଥିଲା? ପୃଥିବୀ ଇତିହାସରେ ଜନତାର ୟେ ରାଜଶକ୍ତି ବିରୁଦ୍ଧରେ ପ୍ରଥମ ବିଦ୍ରୋହ ଓ ଜଣେ ସମ୍ରାଟଙ୍କୁ ନିର୍ମମ ହତ୍ୟାର ଏକ ଅପୂର୍ବ ଘଟଣା। ଏସବୁ କଥା ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ଯାଇ ଇଂରାଜୀ ଏମ୍‌.ଏ. ପଢ଼ୁଥିବା ପଣ୍ଡିତ ଅନାଦି ମିଶ୍ରଙ୍କ ନାତି ଟୁକୁନା ଏତେବେଳ ଯାଏ ଶୁଣୁଥିଲା। କହିଲା, ‘‘ଜେଜେ ତମ ବେଳ କାଳ ଗଲାଣି। ଜୀବନ ସାରା ପ୍ରବଚନ ଦେଇ ଦେଇ ଲୋକଙ୍କୁ ଏମିତିଗୁଡ଼େ ‘‘ପେସିମିଷ୍ଟିକ୍‌’’ ନାସ୍ତିବାଚକ କଥା କହି ଜୀବନ କାଟିଦେଲ। ଆମ ଗଁା ସରପଞ୍ଚ ପରା ରଜକ ଜାତିର। ତାଙ୍କୁ ଛୁଇଁଲେ ତମ ପଇତା ମାରା ହେଲା କହି ତମେ ଦିନ ଦ୍ବିପ୍ରହରେ ବି ଗାଧଉଥିଲ। ତମେ ଭାଗବତ ଗପି ଗପି ତମ ଚାଳଘରେ ସିନା କଣା ଫିଟିଛି, କୋଉ ଛାତ ପଡ଼ିଛି? ଆଉ ଗୋବିନ୍ଦ ସେଠୀ ସରପଞ୍ଚକୁ ଦେଖୁନା। ତା’ର ଦି’ମହଲା କୋଠା, ଏବେ କାର୍‌ଟେ କିଣିଛି। ଏମ୍‌.ପି.ଙ୍କ ପ୍ରତିନିଧି। କାଇଁ ତମେ ତ ଏଡ଼େ ପଣ୍ଡିତ, ତମ ନାଁ କ’ଣ ତାଙ୍କୁ ଦିଶିଲାନି? ଗୋଟେ ଦରପାଠୁଆ, ଦସ୍ତଖତ ସର୍ବସ୍ବ ଲୋକଙ୍କୁ ତାଙ୍କ ପ୍ରତିନିଧି କଲେ। ତାକୁ ତମ ବାହ୍ମୁଣ ଦଳ ତ ଏବେ ବିଭାବ୍ରତ ଘରକୁ ନିମନ୍ତ୍ରଣ କରୁଛ। ତା’ଠାରୁ ଉପହାର ମିଳୁଛି। ଗାଁ ପୋଖରୀ ସଂସ୍କାର ଓ ମାଛଚାଷ ପାଇଁ ସରକାରରୁ ପାଞ୍ଚଲକ୍ଷ ଟଙ୍କା ଆସିଥିଲା।

ଆଠେଣା ପଇସା କୁ ଖର୍ଚ୍ଚ ହେଲା? ବଡ଼ ପାଟିଆ ହରି ମିଶ୍ର ସେଦିନ ତାକୁ ଏକଥା ଟିକେ ଚଢ଼ାଗଳାରେ କହିଦେଲେ, ‘‘ନୀଚେ ପାଇଲେ ଅଧିକାର ଋଷିଙ୍କୁ ବୁହାଇଲେ ଭାର।’’ ଏଇଥିରେ ଗୋବିନ୍ଦ ସେଠୀ କହିଲେ, ‘‘ହଇରେ ଗୋସେଇଁ ମୋ ସଙ୍ଗେ ନିର୍ବାଚନ ଲଢ଼ି ପରା ଚିତ୍‌ପଟାଙ୍ଗ ମାରିଥିଲୁ, ଫେଣେ ଲାଗୁଛୁ। ହଉ ଦେଖିବୁ ରହ। କିଏ ନୀଚ ଉଚ୍ଚ ସେ ଜ୍ଞାନ ପାଇଯିବୁ।’’ ଥାନାରେ ଗୋଟେ ଏତେଲା ହରିଜନ ଆଇନରେ ହାଙ୍କିଦେଲା। ଦାରୋଗା ବାବୁଟା ଟିକିଏ ଉଦାର ଭାବର ଲୋକ। ହରି ମିଶ୍ରଙ୍କୁ ଥାନାକୁ ଡକାଇ ଗୋବିନ୍ଦା ସହ ସାଲିସ୍‌ ନକଲେ ତାଙ୍କୁ ଜାମିନ୍‌ କୋଉ ହାକିମ ବି ଏ ଦଫାରେ ଦେଇ ପାରିବେନି। ହାତକଡ଼ା, ଜିଅଲ ସାରା ବୋଲି ବୁଝାଇ ଦେବାରୁ ତାଙ୍କଠୁ ଝାଳ ଅଧଗରା ବୋହିଗଲା। ଗୋବିନ୍ଦା ଯାହା ହେଲେ ବି ଦାରୋଗାଙ୍କୁ ଟିକିଏ ଡରେ। ହରି ମିଶ୍ରେ ଶେଷକୁ ତା’ ହାତ ଧରି କ୍ଷମା ମାଗିଲେ। ଗୋବିନ୍ଦା ବାପ ସପନା ସେଠୀ ଅଶୀ ବର୍ଷର ବୁଢ଼ା। ଏ କଥା ଶୁଣି କହିଲା, ‘‘ହଇରେ କେଡ଼େ କଥା କଲୁ? ହରି ଗୋସାଇଁଙ୍କ ନାଁରେ ଥାନାକୁ ଗଲୁ? ତାଙ୍କୁ ବନ୍ଧେଇଲୁ। ଜାଣିଛୁ, ଗୋସେଇଁ ଲୁହ ଓ କୋପରେ ଆମ ବଉଁଶ ବୁଡ଼ିଯିବ। ବାପ ସପନା ଏତକ ନ କହିଥିଲେ ସେ ହରି ମାଷ୍ଟ୍ରଙ୍କୁ ତା’ ଗୋଡ଼ ଧରେଇ ଥାନ୍ତା। ଏମିତି କେତେ କଥା। କ’ଣ ତା’ର ହୋଇଯାଇଛି?’’ ହରି ମିଶ୍ରେ କହିଲେ, ‘‘ଆରେ ମୂର୍ଖ ଆଉ କ’ଣ ଘଟିଲେ ତମେ ସବୁ ବୁଝନ୍ତ?

ଗୋବିନ୍ଦ ସେଠୀ ଯୋଉ ଅନ୍ୟାୟ କରୁଛି ତା’ ଫଳ ପାଇବା ବେଳ କ’ଣ ଗଲାଣି? ​ଧୈର୍ଯ୍ୟ ଧ’, ଅପେକ୍ଷା କର, ଗୋବିନ୍ଦ ପୁଅ ଘୋଡ଼ା ମଦୁଆ କେମିତି କାହିଁକି ହୋଇଛି? ମଦ ପିଇ ବାପକୁ ମାରି ତା’ ଦାନ୍ତ ଭାଙ୍ଗିଦେଲା। ଦଉଡ଼ିଲା ରକ୍ତ ସଲବଲ ହୋଇ, ଶରଣ ପଶିଲା ଦାରୋଗା ବାବୁଠେଇ। ହରି ମିଶ୍ରଙ୍କୁ ଥାନାକୁ ଡାକି ଭୁଲ ମଗେଇବାର ଦି’ଦିନ ବି ହୋଇନି। ଆରେ ମୁଁ ବି ତ ଇଂରାଜୀ ପଢ଼ିଛି। ବି.ଏ. ପରେ ସଂସ୍କୃତ ପଢ଼ିଲି। ମୋ ନନା କହିଲେ, ‘‘ବ୍ରାହ୍ମଣ ଘର ପିଲା, ଇଂରାଜୀ ଢ଼େର ପଢ଼ିଲୁ। ଏବେ କୁଳକୁ ରକ୍ଷା କର’’। ସେଥିକୁ ଇଂରାଜୀ ପଢ଼ିଲି, ସଂସ୍କୃତ ଭାଷା ସମକକ୍ଷ ଏ ଭାଷା କୁଆଡ଼ୁ ହେବ? ଛାଡ଼ ସେ କଥା। ବିଶ୍ବର ବିଶିଷ୍ଟ ସାହିତ୍ୟିକ ଟଲଷ୍ଟୟଙ୍କ ଲେଖା ପଢ଼ୁନୁ! “God sees the truth but waits”. ସବୁ ବିଜ୍ଞେ, ସବୁ ପଣ୍ଡିତେ ଏ ସନାତନ ସଂସ୍କୃତି ଓ ମତବାଦ ସହ ଏକମତ। ଆରେ ତମେ ସବୁ ଅଧୈର୍ଯିଆ। ଅନ୍ତର୍ଦୃଷ୍ଟି ବି ନାହିଁ। ‘ଫାଷ୍ଟଫୁଡ୍‌’ ନଁାରେ ବିଷ ଖାଇ ଏ ଦିହ ଓ ମନକୁ ତମେ ବିଷାକ୍ତ ଖାଲି ନୁହଁ, ଅରଣା, ମାରେଣା ଓ ଅବାଟିଆ କରିଦେଲଣି। ମଣିଷପଣିଆ କାଇଁ ଏଇଲେ? ଇତର ପଶୁଙ୍କ ଠାରୁ ତମେ କୋଉ ଉନ୍ନତ? ତୁ ସେଦିନ ପରା କହୁଥିଲୁ ଅମୁକ ଦେଶରେ ଭୂମିକମ୍ପ ହେଲା ଯେ ତାଙ୍କ ଶତ୍ରୁ ରାଷ୍ଟ୍ର ବି ତାଙ୍କୁ କୋଟି କୋଟି ଟଙ୍କାର ସାହାଯ୍ୟ ପଠାଇଲେ। ଏସବୁ ଉଦାରତା ଦେଖେଇବାର ଗୋଟେ ଚାତୁରି, ଚାଲ୍‌। ଆରେ, ଜୀବନ ସାରା ପହଁରା ଦକ୍ଷ ଘନିଆ ସେଦିନ ନଈରେ ବୁଡ଼ି ଯାଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରି ସାବାସ୍‌ ପାଇଥିଲା, ମାତ୍ର ଦୁର୍ଭାଗ୍ୟକୁ ତା’ ଦି’ଦିନ ପରେ ଏକ ଷୋହଳ ବର୍ଷର ବାଳିକା ନଈରେ ଖସି ପଡ଼ିଲା। ଲୋକେ ସବୁ ହୋ ହୋ କରୁଥାନ୍ତି, ଘନିଆ ବି ସେଠି ଠିଆ ହୋଇଥାଏ। ମାତ୍ର ପାଣିକୁ ଡେଇଁବ କେମିତି? ଆରେ ଗୋଟେ କିମ୍ଭୀର ପଲାସି ଆସୁଛି। ଝିଅଟି କି ବିକଳ ​‌େ​‌ହଉଥାଏ। କାଇଁ ଘନିଆର ସେ ସାହସ, ଅନ୍ୟକୁ ଉଦ୍ଧାର କରିବାର ଭାବ?

ଆରେ ନିଜ ଜୀବନକୁ ବିପନ୍ନ କରି ସାହାଯ୍ୟ କରିବା, ଦାନ ଦେବା ହିଁ ପ୍ରକୃତ ସାହାଯ୍ୟ ଓ ଦାନ। ବନ୍ୟା ବାତ୍ୟାରେ ଲୋକେ ମଲେ, ଭୂକମ୍ପରେ ଶହଶହ ସଲିଳ ସମାଧି ଲଭିଲେ। ରାଜକୋଷ ଖୋଲି ଦେଉଛ। ସେବାର କେତେପ୍ରକାର ଫଟୋଲୋ ବୋପା! ମାତ୍ର ଯେଉଁଠି ଜନତାର ଦୁର୍ବଳତାର ସୁଯୋଗ ନେଇ ନରସଂହାର ଏଇ ନରରୂପୀ ରାକ୍ଷସମାନେ ଚଳାଇଥାନ୍ତି, ସେଥିକୁ ଏକ ଦାଢ଼ୁଆ ହାତ ଓ ପହଁରା ବାହୁ କେମିତି ପକ୍ଷାଘାତ ହୋଇଯାଉଛି? ଏବେ ଦେଖୁନ, ତମ ତାଲିବାନ କି କାଲିବାନ କଥା। ଆରେ ଦଳେ କ୍ଷମତା ହାସଲ ପାଇଁ ସାଧାରଣ ଜନତାଙ୍କୁ, ମହିଳାମାନଙ୍କୁ କେମିତି ହତ୍ୟା କରି ଆଫଗାନିସ୍ତାନରେ ରକ୍ତର ନଦୀ ବୁହାଇ ଦେଉଛନ୍ତି? ଦିନେ ଆମେରିକା ତାଙ୍କ ପିଠିରେ ପଡ଼ିଥିଲା। ଆଉ କ’ଣ ହେଲା ଯେ, କାନ୍ଧ ଖସେଇନେଲା? ଏ ରକ୍ତାକ୍ତ ଆଚରଣରେ ସର୍ବନିମ୍ନ ମାନବିକ ଅଧିକାର ଧ୍ବଂସ ପାଇ ଯାଇଥିଲେ ବି ବିଶ୍ବର ସମଗ୍ର ଦେଶ ନୀରବ କିଆଁ? ଅନ୍ତର୍ଜାତୀୟ କ୍ଷେତ୍ରରେ ଏହା ବିରୁଦ୍ଧରେ ସେମିତି ସ୍ବର ଏ ଯାଏ ଉଠୁନି କିଆଁ? ଦେଶ ସମୁଦାୟ ଏକାଠି ହେଲେ, କୁ ତାଲିବାନ କି କାଲିବାନ ଏମିତି ପୈଶାଚିକ କାଣ୍ଡ ଘଟାନ୍ତେ? ଦେଖୁନ ନିରୀହ ଜନତାର କି ବିକଳ ଅବସ୍ଥା? ରାଷ୍ଟ୍ରପତି ଘନି ତ ପୂର୍ବଜଙ୍କ ଭଳି ଜଘନ୍ୟ ଫାଶୀ ଦଣ୍ଡରୁ ମୁକୁଳିବାକୁ ଆଫଗାନବାସୀଙ୍କୁ ଛେଉଣ୍ଡ କରି ପ୍ରାଣ ରକ୍ଷା ପାଇଁ ପଳେଇଲେ। ଇଏ ହେଲା ତମ ସଭ୍ୟତା, ତମ ଗଣତନ୍ତ୍ରର ହିସାବ କାନୁନ୍‌। ନିଜ ଜୀବନକୁ ବିପନ୍ନ କରି ଶିବି ତ ନିଜ ଦିହକୁ ଖଣ୍ଡ ଖଣ୍ଡ କରି କାଟି, ଛଞ୍ଚାଣକୁ ଦେଇଥିଲେ ଶରଣାଗତ କପୋତକୁ ରକ୍ଷା ପାଇଁ। ଆମ ଦେଶ​‌େ​‌ର ଆତ୍ମ ବିସର୍ଜନ କରାଯାଏ। ବାଳି ରାମଙ୍କର କୁ କ୍ଷତି କରିଥିଲା? ମାତ୍ର ଭ୍ରାତୃବଧୂଙ୍କୁ ଅପହରଣ ଓ ତା’ର ଅନ୍ୟାୟ କାର୍ଯ୍ୟ ପାଇଁ ରାମ ତାକୁ ବଧ କରିଥିଲେ। ମାତ୍ର ଆଜିର ସାହାଯ୍ୟ ସହାନୁଭୂତି ତଳେ ଆମ ସ୍ବାର୍ଥ ସବୁ ଲୁଚି ରହିଚି। ଦେଖୁନା, ଚୀନ କେମିତି ତରବରିଆ ଭାବେ ତାଲିବାନକୁ ସମର୍ଥନ ଦେଇଦେଲା। କୁ ତା’ର ହିସାବ। କ’ଣ ମିଳିବ କହିଲୁ ତମ ଗାଲୁଆଙ୍କ ସଙ୍ଗେ ଯୁକ୍ତି କରି। ଏକଥା ସାରା ଯେ ଦୁଧ ଉତୁରିଲେ ଚୁଲିକି, ଟିକିଏ ଅପେକ୍ଷା କର। ‘‘ଯଦା ଯଦା ହି ଧର୍ମସ୍ୟ’’ କଥା ଟିକେ ହେଜ। ଏ ସଭ୍ୟତା ‘ଫାଷ୍ଟଫୁଡ’ (ତୁରନ୍ତ ଖାଦ୍ୟ)ର ନୁହଁ। ଲାଷ୍ଟିଙ୍ଗ ଫୁଡ୍‌ (ଚିର ସେବା) ଦେଉଥିବା ଖାଦ୍ୟ ପଦ୍ଧତିର।

Comments are closed.