ଆନ୍ତଃରାଜ୍ୟ ଶତ୍ରୁତା ବର୍ଜନୀୟ

ଉତ୍ତର-ପୂର୍ବ ଭାରତରେ ଆସାମକୁ ଲାଗି ରହିଥିବା ରାଜ୍ୟଗୁଡ଼ିକର ସୀମା ସର୍ବଦା ବଡ଼ ବିବାଦଗୁଡ଼ିକୁ ଜନ୍ମ ଦେଇଛି। ଏଥି ମଧ୍ୟରୁ ୨୬ ଜୁଲାଇରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ଆସାମ-ମିଜୋରାମ ସୀମା ଅନ୍ୟତମ। ଏହି ହିଂସାକାଣ୍ଡରେ ୬ ଜଣ ସୁରକ୍ଷା କର୍ମୀଙ୍କ ସହ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଡ଼ମ୍ବନାର କଥା ଯେ ଯେଉଁ ସୁରକ୍ଷା କର୍ମୀଙ୍କ ଉପରେ ଏହି ବିବାଦ ଓ ସଂଘର୍ଷକୁ ରୋକିବାର ଦାୟିତ୍ବ ରହିଥିଲା, ସେମାନେ ହିଁ ପରସ୍ପରକୁ ଆକ୍ରମଣ କଲେ ଓ ପ୍ରାଣଘାତୀ ପାଲଟିଗଲେ। ଆହୁରି ଦୁର୍ଭାଗ୍ୟର କଥା ଯେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହିଂସାର ଭିଡିଓ ସାମାଜିକ ଗଣମାଧ୍ୟମ ଟୁଇଟରରେ ପ୍ରସାରିତ କରିବା ସହ ଅଶୋଭନୀୟ ବାର୍ତ୍ତାବିନିମୟ କରୁଥିବା ଦେଖାଗଲା। ଆସାମ ସରକାର ଆଉପାଦେ ଆଗେଇ ନିକଟରେ ଆଶ୍ଚର୍ଯ୍ୟଜନକ ଭାବେ ଉପଦେଶାବଳୀ ଜାରି କରି ଆସାମର ନାଗରିକଙ୍କୁ ମିଜୋରାମ ଯିବାକୁ ବାରଣ କରିଛନ୍ତି। ଏହାଦ୍ବାରା ‘ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା’ ବିପଦାପନ୍ନ ହୋଇପାରେ ବୋଲି କୁହାଯାଇଛି। ଯେଉଁମାନେ ମିଜୋରାମ ପୂର୍ବରୁ ଯାଇଛନ୍ତି, ସେମାନେ ‘ସର୍ବାଧିକ ସତର୍କତା’ ଅବଲମ୍ବନ କରିବାକୁ ଏଥିରେ ଦର୍ଶାଯାଇଛି।

ରବିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ତାଙ୍କ ସରକାର ଏ ବିଷୟକୁ ନେଇ ଖୁବ୍‌ଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ। ଆହୁରି ମଧ୍ୟ ମିଜୋରାମ ପକ୍ଷରୁ ତାଙ୍କ ନାମରେ ଏତଲା ଦିଆଯାଇ ଥିବାରୁ ସେ କହିଛନ୍ତି ଯେ ଯଦି ତାଙ୍କ ପାଖକୁ ନୋଟିସ୍‌ ଆସେ, ତେବେ ସେ ଥାନାକୁ ପଦଯାତ୍ରାରେ ଯିବେ। ତାଙ୍କ ମତିଗତିରୁ ଜଣାପଡ଼ୁଛି ଯେ ସେ ମିଜୋରାମ ସହ ଲଢ଼େଇ କରିବା ନିମନ୍ତେ ବଦ୍ଧପରିକର। ଅନ୍ୟପକ୍ଷରେ ରବିବାର ମିଜୋରାମ ସରକାର ତାଙ୍କ ବିରୋଧରେ ହୋଇଥିବା ଏତଲାକୁ ପ୍ରତ୍ୟାହାର କରିନିଆଯିବ ବୋଲି କହିଛନ୍ତି। ଆନ୍ତଃରାଜ୍ୟ ସମ୍ବନ୍ଧର ତିକ୍ତତା ଯେପରି ଶତ୍ରୁତାରେ ପରିଣତ ହୋଇଛି, ତାହା ଅବାଞ୍ଛନୀୟ ଏବଂ ନିନ୍ଦନୀୟ। ବିବାଦର ସମାଧାନ ନିମନ୍ତେ ଚେଷ୍ଟା କରିବା ବଦଳରେ ଆସାମ ସରକାର ପଡ଼ୋଶୀ ରାଜ୍ୟକୁ ଉତ୍ତେଜିତ କଲାଭଳି ଉପଦେଶାବଳୀ ଜାରି କରିବା ଆଦୌ ଠିକ୍‌ ହୋଇନାହିଁ ଏବଂ ଏହାକୁ ପ୍ରତ୍ୟାହାର କରିନିଆଯିବା ଆବଶ୍ୟକ। ଭାରତ ଭିତରେ ଥିବା ଗୋଟିଏ ରାଜ୍ୟର ସରକାର ପଡ଼ୋଶୀ ରାଜ୍ୟକୁ ଏପରି ଶତ୍ରୁ ଭଳି ଆଚରଣ କରିବା କେତେ ଠିକ୍‌? ପୁଣି ଶ୍ରୀ ଶର୍ମା ମିଜୋରାମକୁ ଲାଗି ରହିଥିବା ଆସାମର ସୀମାବର୍ତ୍ତୀ କ୍ଷେତ୍ରରେ ୪୦୦୦ ସୁରକ୍ଷା କର୍ମୀଙ୍କୁ ମୁତୟନ କରି ତା’ର ସୁରକ୍ଷା କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏସବୁ ନିଆଁରେ ଘିଅ ଢାଳିବା ପରି ହୋଇଛି। ପ୍ରତିକ୍ରିୟା ସ୍ବରୂପ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଦଳର ଜଣେ ନେତା ତଥା ସାଂସଦ ଚେତାବନୀ ଦେଇଛନ୍ତି ଯେ ଆସାମ ପୁଲିସ ଯଦି ତାଙ୍କ ରାଜ୍ୟ ଭିତରେ ପଶେ, ତେବେ ଆଉ ଏକ ହିଂସାତ୍ମକ ସଂଘର୍ଷ ସୃଷ୍ଟି ହେବ।

ଐତିହାସିକ ପୃଷ୍ଠଭୂମିକୁ ନିରୀକ୍ଷଣ କଲେ ଜଣାପଡ଼େ ଯେ ଆସାମ-ମିଜୋରାମ ସୀମା ବିବାଦ ଏବେର ନୁହେଁ, ବରଂ ଶତାଧିକ ବର୍ଷର। ମିଜୋରାମର ଦାବି ଅନୁସାରେ ଆସାମ-ମିଜୋରାମ ଭିତରେ ସୀମା ନିର୍ଦ୍ଧାରଣ ୧୮୭୫ ମସିହାରେ ନିର୍ଣ୍ଣିତ ନିୟମାବଳୀ ଅନୁଯାୟୀ ହେବା ଆବଶ୍ୟକ। ଅନ୍ୟପକ୍ଷରେ ଆସାମ କହୁଛି ଯେ ଏହା ୧୯୩୩ ମସିହାରେ ନିର୍ଣ୍ଣୟ କରାଯାଇଥିବା ନିୟମାବଳୀ ଅନୁସାରେ ହେବ। ମିଜୋରାମର କଥା ଅନୁସାରେ ଯଦି ନିର୍ଦ୍ଧାରିତ ହୁଏ, ଆସାମକୁ ଦକ୍ଷିଣରେ ରହିଥିବା କେତେକ ଅଞ୍ଚଳ ହରାଇବାକୁ ପଡ଼ିବ ଏବଂ ଆସାମର କଥା ଅନୁସାରେ ଏହା ସ୍ଥିର ହେଲେ ମିଜୋରାମକୁ ସେସବୁ ଅଞ୍ଚଳରୁ ନିଜର ଅଧିକାର ଛାଡ଼ିବାକୁ ହେବ, ଯାହାକୁ ଆସାମ ନିଜର ବୋଲି ଦାବି କରିଆସୁଛି। କେବଳ ଏତିକି ନୁହେଁ, ବାସ୍ତବ ସମସ୍ୟା ମଧ୍ୟ ଏହି ବିବାଦର ଏକ ଗୁରୁତ୍ବପୂର୍ଣ୍ଣ କାରଣ। ଯେଉଁଠାରୁ ସମତଳ ଅଞ୍ଚଳ ଶେଷ ହୋଇ ପାହାଡ଼ିଆ ଅଞ୍ଚଳ ଆରମ୍ଭ ହୁଏ, ମିଜୋରାମର ସୀମା ମଧ୍ୟ ସେଇଠୁ ଆରମ୍ଭ; ଅର୍ଥାତ୍‌ ଆସାମରେ ହିଁ ଅଧିକାଂଶ ସମତଳ ଭୂମି ରହିଛି ଓ ମିଜୋରାମରେ ପାହାଡ଼ିଆ ଅଞ୍ଚଳ ଅଧିକ। ତେଣୁ ମିଜୋରାମରେ ଚାଷଜମି ବହୁତ କମ୍‌। ମିଜୋମାନେ ସମତଳ ଅଞ୍ଚଳରେ ତାଙ୍କର ଅଧିକାର ପାଇବା ପାଇଁ ଦାବି କରିଆସୁଛନ୍ତି। ତେଣୁ ଏହି ଦୁଇଟି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ‘ନୋ ମେନ୍‌ସ ଲାଣ୍ଡ୍‌’ ଭାବେ ଚୁକ୍ତି ହୋଇଥିଲେ ହେଁ ସେସବୁ ଅଞ୍ଚଳରେ ସଂଘର୍ଷ ଲାଗି ରହିଥାଏ ଏବଂ ସୀମାବର୍ତ୍ତୀ ଗଁାର ଲୋକଙ୍କୁ ଭୟାତୁର ପରିବେଶ ଭିତରେ ରହିବାକୁ ପଡ଼େ। ନିକଟରେ ହୋଇଥିବା ହିଂସାକାଣ୍ଡ ପରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ କାହାକୁ ଏକ ଇଞ୍ଚ ଜାଗା ମଧ୍ୟ ଦେବେ ନାହିଁ; ଅର୍ଥାତ୍‌ ନିକଟ ଭବିଷ୍ୟତରେ ଏହି ବିବାଦର ଅନ୍ତ ହେବାପରି ଜଣାପଡ଼ୁ ନାହିଁ।

ଅପରପକ୍ଷେ, ଏପରି ବିବାଦ ବଢ଼ିବାର କାରଣ ରାଜନୈତିକ ନେତୃତ୍ବଙ୍କ ଅପରିପକ୍ବତା କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ଉଭୟ ରାଜ୍ୟରେ ବିଜେପି ଓ ତା’ର ସହଯୋଗୀ ଦଳ କ୍ଷମତାରେ ରହିଛନ୍ତି। ଜୋରାମଥାଙ୍ଗା ହେଉଛନ୍ତି ‘ମିଜୋ ନେସନାଲ୍‌ ଫ୍ରଣ୍ଟ୍‌’ର ଅଧ୍ୟକ୍ଷ, ଯାହା ବର୍ତ୍ତମାନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ)ର ଏକ ସହଯୋଗୀ ଦଳ। ଏହା ସତ୍ତ୍ବେ ରାଜନୈତିକ ମତଭେଦ ଯୋଗୁଁ ସମସ୍ୟାର ସମାଧାନ ହେବା ବଦଳରେ ସ୍ଥିତି ଅଧିକ ଜଟିଳ ହେଉଛି। ଏପରି ଆନ୍ତଃରାଜ୍ୟ ବିବାଦ ଦେଶର ଏକତା ଓ ସଂଘୀୟ ମୈତ୍ରୀକୁ ସଙ୍କଟରେ ପକାଉଥିବାରୁ ଏହା ସର୍ବଥା ବର୍ଜନୀୟ।

Comments are closed.