ଆଉ ଏକ ମେଣ୍ଟର ଅଭ୍ୟୁଦୟ

ପରିବର୍ତ୍ତିତ ବିଶ୍ବରେ ଏକାଧିକ ସାମରିକ ମେଣ୍ଟର ଅଭ୍ୟୁଦୟ ହେବାରେ ଲାଗିଛି। ବିଶେଷକରି ଦ୍ବିତୀୟ ବିଶ୍ବଯୁଦ୍ଧରୁ ଆରମ୍ଭ ହୋଇ ନବେ ଦଶକରେ ସୋଭିଏତ ସଂଘର ପତନ ପରେ ବିଭିନ୍ନ ସାମରିକ ମେଣ୍ଟ ଦେଖିବାକୁ ମିଳିଥିଲା। ସୋଭିଏତ ସଂଘର ବିଭାଜନ ପରେ ୟୁରୋପୀୟ ଓ କେତେକ ପାଶ୍ଚାତ୍ୟ ଦେଶକୁ ନେଇ ଆମେରିକା ନେତୃତ୍ବରେ ଗଠିତ ହୋଇଥିଲା ‘ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଂଗଠନ’ (ନାଟୋ)। ଏହି ମେଣ୍ଟ ରୁଷ୍‌ର ପ୍ରାଦୁର୍ଭାବ ରୋକିବାକୁ ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ କମ୍ୟୁନିଷ୍ଟବାଦୀ ଚୀନ୍‌ର ଅଭ୍ୟୁଦୟ ଘଟିଥିଲା। ଏହାର ଶକ୍ତିକୁ ପ୍ରତିହତ କରିବା ପାଇଁ ଆମେରିକା ନେତୃତ୍ବରେ ଗଠିତ ହୋଇଛି ‘କ୍ବାଡ୍‌’। ଏହି ମେଣ୍ଟରେ ଆମେରିକା, ଅ‌େ‌ଷ୍ଟ୍ରଲିଆ, ଭାରତ ଓ ଜାପାନ ଅାଦି ୪ଟି ରାଷ୍ଟ୍ର ଅଛନ୍ତି। ଏହାକୁ ଏସିଆର ‘ନାଟୋ’ ବୋଲି କୁୁହାଯାଉଛି। ବିଶ୍ବରେ କ୍ଷମତା ସନ୍ତୁଳନ ପାଇଁ ମେଣ୍ଟ ଗଠନ ଏକାନ୍ତ ଆବଶ୍ୟକ ବୋଲି କୂଟନୀତିଜ୍ଞମାନେ ମତ ଦିଅନ୍ତି। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାବେ ଯଦି ବିଶ୍ବକୁ ଦୁଇଭାଗ କରାଯାଏ ତେବେ ରୁଷ୍‌ ଓ ଆମେରିକା ଦୁୁଇ ମହାଶକ୍ତି ଭାବେ ଉଭା ହୋଇଛନ୍ତି। ବିଶ୍ବର ଅଧିକାଂଶ ରାଷ୍ଟ୍ର କେଉଁ ନା କେଉଁ ମେଣ୍ଟରେ ସାମିଲ ଅଛନ୍ତି। ଗୋଟିଏ ହେଉଛି ରୁଷ୍‌ ସପକ୍ଷବାଦୀ ମେଣ୍ଟ ଓ ଅନ୍ୟଟି ଆମେରିକା ସପକ୍ଷବାଦୀ ମେଣ୍ଟ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେପରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରି ଆଉ କେତୋଟି ଦେଶ କୌଣସି ମେଣ୍ଟରେ ଯୋଗ ନ ଦେଇ ଗୋଷ୍ଠୀ ନିରପେକ୍ଷ ମେଣ୍ଟ ଗଠନ କରିଥିଲେ, ଯାହାର ଅସ୍ତିତ୍ବ ଆଜି ନାହିଁ କହିଲେ ଚଳେ। ଯେତେବେଳେ ସମଗ୍ର ବିଶ୍ବ ଦୁଇ ଶକ୍ତିବଳୟ ମଧ୍ୟରେ ଘେରି ରହିଥିଲା, ସେଠାରେ ନିରପେକ୍ଷ ରହିବା ଏତେ ସହଜ ନୁହେଁ। ଆମେ ନିରପେକ୍ଷ ଥିଲେ ହେଁ ଅତୀତରେ ହୋଇଥିବା ଭାରତ-ପାକ୍‌ ଯୁଦ୍ଧରେ ଆମକୁ ରୁଷ୍‌ ସାମରିକ ସହଯୋଗ କରିଥିଲା। ଯେଉଁଠି ସର୍ବତ୍ର ଯୁଦ୍ଧର ଦୁନ୍ଦୁଭି ବାଜୁଛି ସେଠାରେ କେହି ଅସ୍ତ୍ର ନ ଉଠାଇ ନିରପେକ୍ଷ ରହିବା ସେତେଟା ସମ୍ଭବ ନୁହେଁ।

ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଆମେରିକାକୁ ଧୂଳି ଚଟାଇବାପରେ ଆଫଗାନିସ୍ତାନରେ ପୁନଃ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନ ଶାସନକୁ ସମଗ୍ର ବିଶ୍ବବାସୀ ଦେଖିଛନ୍ତି। ଏମାନେ କେତେ ଯେ କ୍ରୂର ଓ ଦମନୀୟ କାଣ୍ଡ ଭିଆଇଛନ୍ତି ସମଗ୍ର ଆଫଗାନିସ୍ତାନବାସୀ ଏହାର ପ୍ରତ୍ୟକ୍ଷଦର୍ଶୀ। ଆମେରିକା ନେତୃତ୍ବାଧୀନ ‘ନାଟୋ’ ସେନା ଏହି ଆତଙ୍କବାଦୀ ସଂଗଠନର ମୂଳୋତ୍ପାଟନ କରିପାରିଲା ନାହିଁ। ଏକ ପ୍ରକାର ଅସହାୟ ହୋଇ ତାଲିବାନ ହାତରେ ଆଫଗାନିସ୍ତାନର ଭାଗ୍ୟ ଛାଡ଼ି ଦେଇ ଆମେରିକୀୟ ସେନା ପଳାୟନ କରିଛି। ଏହା ପାକିସ୍ତାନ ପାଇଁ ସବୁଠାରୁ କୂଟନୈତିକ ବଡ଼ ବିଜୟ ବୋଲି କୁହାଯାଉଛି; କାରଣ ଗତ ୨୦ ବର୍ଷ ହେଲା ଆମେରିକା ସୈନ୍ୟଙ୍କ ସୁରକ୍ଷା ବଳୟ ମଧ୍ୟରେ ଆଫଗାନିସ୍ତାନରେ ନିର୍ବାଚିତ ସରକାରଙ୍କ ଶାସନ ଚାଲିଥିଲା। ଆଫଗାନିସ୍ତାନରେ ସଶକ୍ତ ସୁୁରକ୍ଷା ବାହିନୀ ଓ ସେଠାକାର ଜନସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧରେ ପରିଚିତ ହୋଇପାରିଥିଲେ। ତେବେ ମଧ୍ୟପ୍ରାଚ୍ୟ ସଂଘର୍ଷରେ ଯେପରି ଆମେରିକା ଅଧାରୁ ପଳାୟନ କରିଥିଲା ସେହିପରି ତାଲିବାନଙ୍କ ହାତରେ ପୁନଃ ଆଫଗାନିସ୍ତାନକୁ ଟେକିଦେଇ ଚାଲିଗଲା। ଆମେରିକାକୁ କିଛି ମିଳିଲା ନାହିଁ। ଆଫଗାନିସ୍ତାନ ଦଖଲକୁ ନେଇ ମଧ୍ୟଏସିଆରେ ପତିଆରା ଜାହିର କରିବା ଥିଲା ଆମେରିକାର ମୂଳ ଉଦ୍ଦେଶ୍ୟ। ତେବେ ରୁଷ୍‌, ଚୀନ୍‌, ଇରାନ୍‌ ଓ ଭାରତ ଯୋଗୁଁ ଏହା ସମ୍ଭବ ହୋଇ ପାରିଲା ନାହିଁ। ତାଲିବାନ ପ୍ରତିନିଧିଙ୍କ ସର୍ତ୍ତ ମାନିନେବା ପାଇଁ ଆମେରିକୀୟ ପ୍ରଶାସନ ବାରମ୍ବାର ଆଫଗାନିସ୍ତାନର ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଇଛନ୍ତି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ଆଫଗାନିସ୍ତାନର ଜନସାଧାରଣଙ୍କ ଦ୍ବାରା ନିର୍ବାଚିତ ସରକାର ତାଲିବାନ ନିକଟରେ କ୍ଷମତା ଅପସାରଣ କରିବେ ବୋଲି କହିଛନ୍ତି। ଭାରତ ହିଁ ଏହାକୁ ପ୍ରଥମରୁ ପ୍ରାଧାନ୍ୟ ଦେଇ ଆସିଛି। ଆଫଗାନିସ୍ତାନରେ କ୍ଷମତା ଦଖଲକୁ ନେଇ ଆମେରିକା ନେତୃତ୍ବରେ ଚାଲିଥିବା ପାକିସ୍ତାନ, ଚୀନ୍‌, ରୁୁଷ୍‌, ଭାରତ ଓ ଇରାନ ସଭିଏଁ ସେମାନଙ୍କ ପକ୍ଷ ରଖିଥିଲେ। କେବଳ ଭାରତ ବ୍ୟତୀତ ଏଥିରେ ସାମିଲ ଥିବା ଆମେରିକା, ରୁଷ୍‌, ଚୀନ୍‌, ପାକିସ୍ତାନ ଓ ଇରାନ ତାଲିବାନକୁ ସରକାରରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ। ଭାରତ କହିଥିଲା- ଆଫଗାନିସ୍ତାନ ସରକାରଙ୍କ ସହ ଆଲୋଚନା ଜରିଆରେ ଏ ବିବାଦର ସମାଧନ ହେଉ। ଇତି ମଧ୍ୟରେ ତାଲିବାନ ପକ୍ଷରୁ ଭାରତକୁ ଛାଡ଼ି ପାକିସ୍ତାନ, ଇରାନ୍‌, ରୁଷ୍‌ ଓ ଚୀନ୍‌ ସରକାରଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଛି। ଭାରତ ଖୋଲାଖୋଲି ତାଲିବାନ ବିରୋଧରେ କୌଣସି ମନ୍ତବ୍ୟ ଦେଉ ନାହିଁ। ଦେଖିବାକୁ ଗଲେ ଭାରତକୁ ଛାଡ଼ି ଅନ୍ୟ ସମସ୍ତ ଦେଶ ପରଦା ଆଢୁଆଳରେ ତାଲିବାନକୁ ସମର୍ଥନ ଯୋଗାଉଛନ୍ତି। ଏ ପଟେ ତାଲିବାନ ପ୍ରତିନିଧିମାନେ ମଧ୍ୟ ଆମେରିକା ସରକାରକୁ ଆଉ ବିଶ୍ବାସକୁ ନେଉ ନାହାନ୍ତି।

ଏପରି ସ୍ଥିତିରେ ଆମେରିକା ନେତ୍ବରେ ତାଜାକିସ୍ତାନ, କିର୍ଗିଜିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍‌ବେକିସ୍ତାନ ପ୍ରମୁଖ ଦେଶ ଗଠନ କରିଛନ୍ତି ‘୫+୧ ମେଣ୍ଟ’। ଏହି ମେଣ୍ଟର ମୁଖ୍ୟ ସାମରିକ ସହଯୋଗୀ ହେଉଛି ଆମେରିକା। କୌଣସି ପରିସ୍ଥିତିରେ ତାଲିବାନକୁ ହିଂସା ଆଧାରରେ ଆଫଗାନିସ୍ତାନ ଦଖଲ କରିବାକୁ ଦିଆଯିବ ନାହିଁ ବୋଲି ଏହି ଦେଶମାନେ କହିଛନ୍ତି। ଉପରୋକ୍ତ ସମସ୍ତ ଦେଶ ଏକଦା ସୋଭିଏତ ସଂଘରୁ ବିଭାଜିତ ହୋଇ ପୃଥକ୍‌ପୃଥକ୍‌ ରାଷ୍ଟ୍ର ଭାବେ ପରିଚାଳିତ। ଆମେରିକାକୁ ବାଦ୍‌ ଦେଇ ଉପରୋକ୍ତ ୪ଟି ଦେଶ ଆଫଗାନିସ୍ତାନର ପଡୋଶୀ। ‘ବଡ଼ବଡ଼ ଗଲେ ଫସର ଫାଟି, ସାନ ଆସିଲେ ବେସର ବାଟି’ ପରି ଆମେରିକା, ରୁଷ୍‌, ଭାରତ, ପାକିସ୍ତାନ ଓ ଚୀନ୍‌ ପରି ଶକ୍ତିଶାଳୀ ରାଷ୍ଟ୍ର ଆଫଗାନିସ୍ତାନ ସମସ୍ୟା ସମାଧାନ କରିପାରିଲେ ନାହିଁ। ଏପରି ସ୍ଥଳେ ସେଠାରେ କ୍ଷୁଦ୍ରକ୍ଷୁଦ୍ର ୪ ଦେଶକୁ ନେଇ ଗଠିତ ‘୫+୧ ମେଣ୍ଟ’ ଆଗକୁ କେଉଁ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

Comments are closed.