ଗଣତନ୍ତ୍ରର ସ୍ବାର୍ଥରକ୍ଷା ହେଉ

ସଂସଦ ବାରମ୍ବାର ମୁଲତବୀ ହେବା ବିରୋଧୀ ଦଳଙ୍କ ପାଇଁ ବିପରୀତ ଫଳ ପ୍ରଦାନକାରୀ ହୋଇପାରେ, ଏହା ମନେରଖିବା ଉଚିତ

ମହାମାରୀର କଠିନ ସମୟରେ ଦେଶ ଗତି କରୁଥିବାବେଳେ ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ବର୍ଷାକାଳୀନ ଅଧିବେଶନ ଅନେକ ଆଶା ନେଇ ଆସିଥିଲେ ହେଁ ତାହା ଫଳବତୀ ହୋଇପାରି ନାହିଁ। ସଂସଦ ହେଉଛି ଗଣତାନ୍ତ୍ରିକ ଶାସନର ସେହି ମଞ୍ଚ, ଯେଉଁଠି ସରକାର ନୀତି ନିର୍ମାଣ କରିବା ସହ ବିରୋଧୀ ଦଳ ଓ ସାଂସଦମାନଙ୍କ ଜରିଆରେ ସାଧାରଣ ଜନତାଙ୍କ ସମସ୍ୟା ସମ୍ବନ୍ଧରେ ଅବଗତ ହୁଅନ୍ତି ଏବଂ ନିଜ ପ୍ରଣୀତ ନୀତି ବା ଆଇନଗୁଡ଼ିକର କାର୍ଯ୍ୟକାରିତାକୁ ମଧ୍ୟ ସବଳତା-ଦୁର୍ବଳତା ଜାଣିବାର ସୁଯୋଗ ପାଆନ୍ତି। ଦେଶସ୍ବାର୍ଥ ସମ୍ବଳିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସରକାରଙ୍କୁ କଠିନରୁ କଠିନତମ ପ୍ରଶ୍ନ ପଚାରିବାକୁ ସୁଯୋଗ ପାଆନ୍ତି, ଆବଶ୍ୟକ ପରାମର୍ଶ ଦିଅନ୍ତି ଓ ସରକାରଙ୍କ ଉତ୍ତରଦାୟିତ୍ବକୁ ମନେ ପକାଇ ଦେଇଥାନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଯେ ବିରୋଧୀ ଦଳଙ୍କ ପାଟିତୁଣ୍ଡ ଏବଂ ସରକାରୀ ପକ୍ଷର ଅହଂ ଓ ଅସ୍ବୀକାରର ଭାବନା ମଧ୍ୟରେ ସଂସଦର ଉଭୟ ଗୃହ ବାରମ୍ବାର ମୁଲତବୀ ହୋଇଚାଲିଛି ଏବଂ କୌଣସି ଫଳଦାୟୀ ଆଲୋଚନା ଏ ପର୍ଯ୍ୟନ୍ତ ସମ୍ଭବ ହେଉନାହିଁ। ସର୍ବଦା ଆପଣାର ଆଧିପତ୍ୟ ଦେଖାଇବାକୁ ଚାହୁଁଥିବା ଏକ ସଂଖ୍ୟାଗରିଷ୍ଠ ସରକାର ନିକଟରେ ବର୍ତ୍ତମାନର ବିରୋଧୀ ଦଳ ଦୁର୍ବଳ ମନେହେବା ସ୍ବାଭାବିକ; କିନ୍ତୁ ସରକାରଙ୍କୁ ବିରୋଧୀ ଦଳର ଜନସ୍ବାର୍ଥ ସମ୍ବଳିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାରେ କୁଣ୍ଠିତ ହେବାକୁ ଉଚିତ ବୋଲି କୁହାଯାଇ ନ ପାରେ। ଇତିମଧ୍ୟରେ ସଂସଦର ଉଭୟ ଗୃହରେ ଇସ୍ରାଏଲୀ ଗୁପ୍ତଚର ସଫ୍ଟୱେୟାର୍‌ (ସ୍ପାଏୱେୟାର୍‌) ପେଗାସସ୍‌ ପ୍ରସଙ୍ଗ ହେଉ କିମ୍ବା କୃଷକ ଆନ୍ଦୋଳନ ହେଉ, ସରକାର ବିରୋଧୀଙ୍କ ଅଭିଯୋଗକୁ ବି ଗ୍ରହଣ କରୁନାହାନ୍ତି ଏବଂ ସେ ସମ୍ପର୍କରେ ଆଲୋଚନା ପାଇଁ ରାଜି ହେବାଭଳି ପଦକ୍ଷେପ ନେଉନାହାନ୍ତି। ବିରୋଧୀଙ୍କ ପାଖରେ ଆଉ ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି, ତନ୍ମଧ୍ୟରେ ଦେଶର ଅର୍ଥନୈତିକ ଅବନତି, ଶିଶୁଙ୍କ ଟିକାକରଣ, ସମ୍ଭାବ୍ୟ କୋଭିଡ଼-୧୯ର ତୃତୀୟ ତରଙ୍ଗ, ସଦ୍ୟ ଘଟିଯାଇଥିବା ଆସାମ-ମିଜୋରାମ ଆନ୍ତଃରାଜ୍ୟ ହିଂସା ଇତ୍ୟାଦି ପ୍ରମୁଖ।

ସରକାରଙ୍କ ପାଇଁ ପେଗାସସ୍‌ ନିଶ୍ଚୟ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି, କାରଣ ଏଭଳି ଗୁରୁତର ଅଭିଯୋଗର ଉତ୍ସ ଏବଂ ବ୍ୟାପକତା କେବଳ ଭାରତରେ ନାହିଁ, ବିଶ୍ବର ବହୁ ଦେଶରେ ରହିଛି। ବିରୋଧୀ ଦଳଙ୍କ କହିବା କଥା ହେଲା ଦେଶର ଗଣମାଧ୍ୟମ, ବିଚାର ବିଭାଗ, ସାମାଜିକ ସଂଗଠନ, ଏପରିକି ସରକାରଙ୍କ ସହ ସଂପୃକ୍ତ ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଉପରେ ବିଦେଶୀ ସ୍ପାଏୱେୟାର୍‌ ଜରିଆରେ ହୋଇଥିବା ଗୁପ୍ତଚରଗିରିରେ ସରକାରଙ୍କ ସଂପୃକ୍ତି ଅଛି ନା ନାହିଁ, ତାହା ଦେଶବାସୀଙ୍କୁ ଜଣାନ୍ତୁ। ଯଦି ସରକାର ନିଜେ କରିନାହାନ୍ତି, ତେବେ ପେଗାସସ୍‌କୁ ଆଉ କିଏ ବ୍ୟବହାର କରିଛି, ତା’ର ତଦନ୍ତ କରାଯାଉ। ଏଭଳି ଦାବି ଅଯୌକ୍ତିକ ମନେହେଉ ନାହିଁ; କାରଣ ଏହି ପ୍ରସଙ୍ଗ ସହ ଦେଶର ନିରାପତ୍ତା ଓ ସମ୍ବିଧାନପ୍ରଦତ୍ତ ବ୍ୟକ୍ତି ସ୍ବାଧୀନତାର ସୁରକ୍ଷା ଜଡ଼ିତ। ଆଉମଧ୍ୟ ଖୋଦ୍‌ ଇସ୍ରାଏଲ୍‌ ସରକାର ଓ ଫ୍ରାନ୍ସ ସରକାର ଇତିମଧ୍ୟରେ ପେଗାସସ୍‌ ସହ ସମ୍ପୃକ୍ତ ଅଭିଯୋଗଗୁଡ଼ିକର ତଦନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ଏକ ଅସାଧାରଣ ଘଟନା କ୍ରମରେ ବିରୋଧୀ ତୃଣମୂଳ କଂଗ୍ରେସ ଦଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଦୁଇଜଣିଆ ଆୟୋଗ ଗଢ଼ି ପେଗାସସ୍‌ ଅଭିଯୋଗର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଏହାର ସଫଳତା ନେଇ ପ୍ରଶ୍ନ କରାଯାଇପାରେ; କିନ୍ତୁ ଏପରି ପଦକ୍ଷେପକୁ ଅଯଥାର୍ଥ ବା ଅଯୌକ୍ତିକ ବୋଲି କହିହେବ ନାହିଁ; କାରଣ ଗଣମାଧ୍ୟମ ଅନୁସନ୍ଧାନ କରିଥିବା ପେଗାସସ୍‌ ଗୁଇନ୍ଦାଗିରିର ଫୋନ୍‌ନମ୍ବର ତାଲିକାରେ ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ରଣନୀତିକାର ସାଜିଥିବା ପ୍ରଶାନ୍ତ କିଶୋର ଏବଂ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କ ନମ୍ବର ରହିଥିବା ଦୃଷ୍ଟିକୁ ଆସିଥିଲା। ଅତଏବ ରାଜ୍ୟ ଭିତରେ ମଧ୍ୟ ଏହି ଗୁଇନ୍ଦାଗିରି ହୋଇଥିବାରୁ ପଶ୍ଚିମବଙ୍ଗ ସରକାର ଏହାର ତଦନ୍ତ ନିର୍ଦେଶ ଦେବା ଆଇନତଃ ବୈଧ ବୋଲି ବିଶେଷଜ୍ଞଙ୍କ ମତ। ସେ ଯାହାହେଉ, ସରକାର ଭାରତୀୟଙ୍କ ଫୋନ୍‌ରେ ପେଗାସସ୍‌ ପରି ଭୟଙ୍କର ସ୍ପାଏୱେୟାର୍‌ ସଂକ୍ରମଣ ପଛରେ କାହାର ହାତ ଅଛି, ତା’ର ତଦନ୍ତ ହେବା ଜରୁରୀ।

ଅନ୍ୟପକ୍ଷରେ ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଜାତୀୟ ରାଜଧାନୀ ଦିଲ୍ଲୀରେ ବିରୋଧୀ ଦଳଙ୍କ ଭିତରେ ଆଲୋଚନା ନେତୃବର୍ଗଙ୍କୁ ଉତ୍ସାହିତ କରିଛି ଏବଂ ସେମାନେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଅଣ୍ଟା ଭିଡ଼ୁଥିବା ସୂଚନା ମିଳୁଛି। ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ଭିତରେ ନୂତନ ଆଶା ସଞ୍ଚାର କରିବାକୁ ଉଦ୍ୟମ କରୁଛନ୍ତି। ସରକାରଙ୍କ ଉତ୍ତରଦାୟିତ୍ବକୁ ନିଶ୍ଚିତ କରିବାପାଇଁ ବିରୋଧୀ ଦଳର ସକ୍ରିୟତା ସ୍ବାଗତଯୋଗ୍ୟ ନିଶ୍ଚୟ। ତେବେ କେବଳ ସଂସଦ ବାହାରେ ବିରୋଧ କଲେ ହେବ ନାହିଁ, ସଂସଦ ଭିତରେ ମଧ୍ୟ ସରକାରଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ହେବ ଏବଂ ତାହା କରିବାକୁ ହେଲେ ସଂସଦୀୟ କାର୍ଯ୍ୟ ଚାଲୁ ରହିବା ଜରୁରୀ। ବାରମ୍ବାର ସଂସଦର ମୁଲତବୀ ବିରୋଧୀ ଦଳଙ୍କ ପାଇଁ ବିପରୀତ ଫଳ ପ୍ରଦାନକାରୀ ହୋଇପାରେ, ଏହା ସେମାନେ ମନେରଖିବା ଉଚିତ। ଗଣ ଓ ଗଣତନ୍ତ୍ରର ସ୍ବାର୍ଥ ଦୃଷ୍ଟିରୁ ସଂସଦକୁ ଚଳାଇ ରଖିବା ସରକାର ଓ ବିରୋଧୀ ଦଳ ଉଭୟଙ୍କ ଦାୟିତ୍ବ।

Comments are closed.