ଉଦାରୀକରଣର ୩୦ ବର୍ଷ

୧୯୯୧ ଅର୍ଥ ବ୍ୟବସ୍ଥାର ଯେପରି ପୁନରାବୃତ୍ତି ନଘଟେ ସେଥିପ୍ରତି ସରକାର ସତର୍କ ରହିବା ଆବଶ୍ୟକ

ଚଳିତ ମାସ ୨୪ ତାରିଖରେ ପୂରଣ ହୋଇଛି ଅର୍ଥନୈତିକ ଉଦାରୀକରଣର ୩୦ ବର୍ଷ। ଆମ ଅର୍ଥନୀତି ଏହି ତିନି ଦଶନ୍ଧି ମଧ୍ୟରେ କି ରୂପ ନେଇଛି ତାହା ସମୀକ୍ଷା କରାଯିବା ଜରୁରୀ। ଆଜି ଆଉ ସେ ସମୟ ନାହିଁ। ଭାରତ ଏବେ ବିଲିଅନ ଛାଡ଼ି ଟ୍ରିଲିଅନ ଅର୍ଥନୀତି ପଛରେ ଧାଇଁଛି। ତେବେ ଯେଉଁ ମାନଙ୍କ ବଳିଷ୍ଠ ପଦ​‌େ​‌କ୍ଷପ ପାଇଁ ଆଜିର ଅର୍ଥନୀତି ସୁଦୃଢ ହୋଇଛି ସେମାନଙ୍କୁ ଆଜିର ସମୟରେ ମନେ ପକାଇବା ଜରୁରୀ ମନେ ହୁଏ। ୧୯୯୧ ଜୁନ୍‌ ୨୦ ସଂଧ୍ୟାରେ ତତ୍କାଳୀନ କ୍ୟାବିନେଟ ସଚିବ ନରେଶ ଚନ୍ଦ୍ରା ନବନିଯୁକ୍ତ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କୁ ତାଙ୍କ ବାସଭବନରେ ଭେଟି ୮ ପୃଷ୍ଠାର ଏକ ବିବରଣୀ ପତ୍ର ଦେଇଥିଲେ। ଏହି ବିବରଣୀ ସେତେବେଳେ ଦେଶର ଅର୍ଥନୀତି ଉପରେ ପର୍ଯ୍ୟବସିତ ଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ରାଓ ଏହି ୮ ପୃଷ୍ଠା ପଢ଼ିବା ପରେ ତାଙ୍କ ପାଦ ତଳୁ ଯେପରି ମାଟି ଖସି ଯାଇଥିବା ଅନୁଭବ କରିଥିଲେ। କ୍ୟାବିନେଟ ସଚିବଙ୍କୁ ସେ ପଚାରିଥିଲେ-ବର୍ତ୍ତମାନ ଭାରତର ଆର୍ଥିକ ସ୍ଥିତି କ’ଣ ଏତେ ଖରାପ? କ୍ୟାବିନେଟ ସଚିବ ଉତ୍ତର ଦେଇଥିଲେ ଏହାଠାରୁ ଆହୁରି ଖରାପ। ଉପରୋକ୍ତ ୮ ପୃଷ୍ଠାରେ ଉଲ୍ଲେଖ ଥିଲା, ଅଗଷ୍ଟ ୧୯୯୦ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ମାତ୍ର ୧୧ କୋଟି ଆମେରିକୀୟ ଡଲାରକୁ ଖସି ଆସିଥିଲା। ଜାନୁଆରୀ ୧୯୯୧ ସୁଦ୍ଧା ଭାରତର ବିଦେଶୀ ମୁଦ୍ରାଭଣ୍ଡାର ମାତ୍ର ୮୯ କୋଟି ଡଲାରରେ ପହଞ୍ଚି ଯାଇଥିଲା। ସାଧାରଣ ଭାଷାରେ କହିଲେ ମାତ୍ର ୨ ସପ୍ତାହ ଆମଦାନୀ ପାଇଁ ଭାରତ ନିକଟରେ ବିଦେଶୀ ମୁଦ୍ରା ଉପଲବ୍ଧ ଥିଲା। ୧୯୯୦ରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଦେଖାଦେବାରୁ ଅଶୋଧିତ ତୈଳର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥିଲା।

ଦ୍ବିତୀୟରେ ଇରାକ୍‌ କୁଏତ୍‌ ଉପରେ ଆକ୍ରମଣ କରିବାରୁ ହଜାରହଜାର ଭାରତୀୟ ଶ୍ରମିକ କୁଏତ ଛାଡ଼ି ସ୍ବଦେଶ ଫେରି ଆସିଥିଲେ । ତେଣୁ ସେମାନଙ୍କ ଦ୍ବାରା ପଠାଯାଉଥିବା ବିଦେଶୀ ମୁଦ୍ରା ହ୍ରାସ ପାଇଥିଲା। ସେତେବେଳେ ଦେଶରେ ରାଜନୈତିକ ଅସ୍ଥିରତା ଓ ମଣ୍ଡଳ କମିସନଙ୍କ ସୁପାରିସକୁ ବିରୋଧ ଭଳି ପ୍ରସଙ୍ଗ ଦେଶର ଅର୍ଥନୀତି ଉପରେ କୁପ୍ରଭାବ ପକାଇଥିଲା। ମାତ୍ର କିଛିଦିନ ହେଲା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିବା ନରସିଂହ ରାଓଙ୍କ ପାଇଁ ଥିଲା ଏହା ଅଗ୍ନି ପରୀକ୍ଷାର ସମୟ। ସମସ୍ତ ପ୍ରସଙ୍ଗକୁ ଛାଡ଼ି ଭାରତୀୟ ଅର୍ଥନୀତିକୁ କିପରି ଜୀବନ୍ୟାସ ଦେବେ ତାହା ଥିଲା ତାଙ୍କ ପାଇଁ ମୁଖ୍ୟ ଆହ୍ବାନ। ଦେଶର କେତେକ ଅର୍ଥଶାସ୍ତ୍ରୀଙ୍କ ସୁପାରିସ କ୍ରମେ ସେ ଖ୍ୟାତନାମା ଅର୍ଥନୀତିଜ୍ଞ ଡ. ମନମୋହନ ସିଂହଙ୍କୁ ଅର୍ଥ ମନ୍ତ୍ରୀଭାବେ ନିଯୁକ୍ତି ଦେଇଥିଲେ।

ଦେଶର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ ଆପଣ ଯେ କୌଣସି ପଦକ୍ଷେପ ଗ୍ରହଣ କରିବେ ସେ ତାକୁ ସ୍ବୀକୃତି ପ୍ରଦାନ କରିବେ ବୋଲି ଡ.ସିଂହଙ୍କୁ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଆଶ୍ବାସନା ଦେଇଥିଲେ। କେବଳ ଭୟ ଥିଲା ସେତେବେଳର ବିରୋଧୀ ଦଳମାନଙ୍କୁୁ ା ଅର୍ଥନୀତିର ଉଦାରୀକରଣ ପାଇଁ ଆରମ୍ଭ ନିଆଯିବାରେ ଲାଗିଲା ଗୋଟିଏ ପରେ ଗୋଟିଏ ଦୃଢ ପଦକ୍ଷେପ। ବିଶେଷ କରି ବାମପନ୍ଥୀ ଦଳ ଏହିସବୁ ନୀତିକୁ ବିରୋଧ କରିବାରେ ଲାଗିଲେ। ୨୧ ଜୁଲାଇ ୧୯୯୩ ରୁ ୧୦ ମେ’ ୧୯୯୬ ପର୍ଯ୍ୟନ୍ତ (୨ ବର୍ଷ ୨୮୯ ଦିନ) ଦେଶର ବିରୋଧୀ ଦଳର ନେତା ଥିଲେ ବିଜେପିର ଅଟଳ ବିହାରୀ ବାଜପେୟୀ। ପ୍ରଧାନମନ୍ତ୍ରୀ ନରସିଂହ ରାଓ ତତ୍କାଳୀନ ବିରୋଧୀ ଦଳ ନେତା ବାଜପେୟୀଙ୍କୁ ଗୁପ୍ତରେ ଭାରତୀୟ ଅର୍ଥନୀତିର ଏପରି ଅବସ୍ଥା ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ଦୁଇ ନେତା ସ୍ତମ୍ଭୀଭୂତ ହୋଇ ଯାଇଥିଲେ। ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗକୁ କି କି କଠୋର ପଦକ୍ଷେପ ଗ୍ରହଣ କରାଯିବ, ସେ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅବଗତ କରାଇଥିଲେ। ପରେ ଯାହାସବୁ ଘଟିଲା ତାହା ଇତିହାସ। ଭାରତୀୟ ଅର୍ଥନୀତିର ଉଦାରବାଦୀ ଚେହେରା ତତ୍କାଳୀନ ଅର୍ଥମନ୍ତ୍ରୀ ଡ. ମନମୋହନ ସିଂହ ରଚନା କଲେ, ସ୍ବୀକୃତି ଦେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି. ଭି ନରସିଂହ ରାଓ ଓ ସମର୍ଥନ କରିଥିଲେ ତତ୍କାଳୀନ ବିରୋଧୀ ଦଳ ନେତା ଅଟଳ ବିହାରୀ ବାଜପେୟୀ। ଏହି ୩ ଜଣ ଉଦାରବାଦୀ ଅର୍ଥନୀତିର ମୂଳଦୁଆ ସ୍ଥାପନ କରିଥିଲେ।

୧୯୯୧ରେ ଦେଶର ପ୍ରତି ବ୍ୟକ୍ତିଙ୍କ ଆୟ ମାସକୁ ୫୮୮ ଟଙ୍କା ଥିବାବେଳେ ୨୦୨୧ରେ ଏହା ୨୨.୫୬ ଗୁଣ ବୃଦ୍ଧି ପାଇ ୧୨,୧୪୦ରେ ପହଞ୍ଚିଛି। ସେହିପରି ଭାରତର ଅର୍ଥ ବ୍ୟବସ୍ଥା ବିଗତ ୩ ଦଶନ୍ଧି ମଧ୍ୟରେ ୩୩ ଗୁଣ ବଢିଛି। ୧୯୯୦-୯୧ରେ ଦେଶର ମୋଟ ଘରୋଇ ଉତ୍ପାଦ ୫.୮୬ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୦-୨୦୨୧ରେ ୧୯୪.୮୧ ଲକ୍ଷ କୋଟିରେ ପହଞ୍ଚିଛି। ୧୯୯୧ରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୫.୮୦ ବିଲିଅନ ଆମେରିକୀୟ ଡଲାର ଥିବାବେଳେ ୧୬ ଜୁଲାଇ ୨୦୨୧ ସୁଦ୍ଧା ୬୧୨. ୭୩ ବିଲିଅନ ଡଲାରରେ ପହଞ୍ଚିଛି। ତିନି ଦଶକ ପୂ​‌େ​‌ର୍ବ ଭାରତୀୟ ଉଦାରବାଦୀ ଅର୍ଥନୀତିର ମୂଳଦୁଆ ସ୍ଥାପନ କରିଥିବା ତତ୍କାଳୀନ ଅର୍ଥମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେକାର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।

ସେ କହିଛନ୍ତି, ୧୯୯୧ରେ ଭାରତୀୟ ଅର୍ଥ ବ୍ୟବସ୍ଥା ଯେପରି ଖରାପ ପରିସ୍ଥିତି ଦେଇ ଗତି କରିଥିଲା କରୋନା ମହାମାରୀ ଯୋଗୁଁ ଆଗକୁ ଏପରି ସମସ୍ୟା ଉପୁଜିପାରେ। ଏଥିପାଇଁ ବର୍ତ୍ତମାନର ସରକାର ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ତିନି ଦଶନ୍ଧି ପୂର୍ବେ ଭାରତର ଅର୍ଥନୀତି ତୃତୀୟ ବିଶ୍ବର ଅର୍ଥନୀତି ସହ ତୁଳନା କରାଯାଉଥିଲା ା ଏବେ ଭାରତ ପାଲଟିଛି ବିଶ୍ବର ୪ର୍ଥ ଆର୍ଥିକ ସମୃଦ୍ଧ ଦେଶ। ଏହି ୩୦ ବର୍ଷରେ ଭାରତର ଅର୍ଥନୀତିରେ ବହୁ ଉତ୍ଥାନପତନ ଦେଖିବାକୁ ମିଳିଛି। ଜିଡିପି ଓ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ଭାରତୀୟ ଅର୍ଥନୀତି ପାଇଁ ଶୁଭ ସଙ୍କେତ ା ଆଗାମୀ ଦଶନ୍ଧି ମଧ୍ୟରେ ଦେଶର ଅର୍ଥନୀତି ଏପରି ବୃଦ୍ଧିପାଇଲେ ଭାରତ ଜାପାନକୁ ପଛରେ ପକାଇ ବିଶ୍ବର ୩ୟ ସର୍ବ ବୃହତ୍‌ ଅର୍ଥନୀତିର ଦେଶ ଭାବେ ସ୍ଥାନ ପାଇପାରିବ।

Comments are closed.