ଉଭେଇଗଲା କଳାଧନ

ଭାରତରେ ମୁଖ୍ୟତଃ ଜାନୁଆରୀ ୨୦୨୦ରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଦେଶର ଆର୍ଥିକ ବ୍ୟବସ୍ଥାକୁ ଧୂଳିସାତ୍‌ କରିଦେଇଛି। ସରକାରଙ୍କ ରାଜସ୍ବ ଆୟ କମିଯାଇଛି। ବେରୋଜଗାରଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ୮୦ କୋଟି ଗରିବଙ୍କ ମୁହଁରେ ଦାନା ଦେବା କେନ୍ଦ୍ର ସରକାରଙ୍କ ପାଇଁ ଦୁରୂହ ବ୍ୟାପାର ହୋଇ ପଡ଼ିଛି। ଶତାଧିକ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ନିଯୁକ୍ତି ହରାଇ ଲୋକେ ଘରେ ବସିଛନ୍ତି। ଦୀର୍ଘ ଦେଢ ବର୍ଷରୁ ଏହି ସମସ୍ୟା ଦେଶରେ ଲାଗି ରହିଛି। ପ୍ରଶ୍ନ ଉଠୁଛି କରୋନା ମହାମାରୀ ସମୟରେ ଦେଶ ଏପରି ଆର୍ଥିକ ନିଅଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ସ୍ବିସ୍୍‌ ବ୍ୟାଙ୍କ (ସ୍ବିଜରଲ୍ୟାଣ୍ଡ ଜାତୀୟ ବ୍ୟାଙ୍କ)ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇଛି କିପରି? ଏହି ବ୍ୟାଙ୍କ ତରଫରୁ କୁହାଯାଇଛି, ବର୍ଷ ୨୦୨୦ରେ ଯେତେବେଳେ କରୋନା ଶୀର୍ଷରେ ଥିଲା ସେତେବେଳେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨୧୨ ପ୍ରତିଶତ ବୃଦ୍ଧି ପାଇ ୨୦,୭୦୦ କୋଟି ଟଙ୍କାରେ ପହଞ୍ଚିଥିଲା; ଯାହାକି ଗତ ୧୩ ବର୍ଷ ମଧ୍ୟରେ ସର୍ବାଧିକ। ୨୦୨୦ରେ ବ୍ୟାଙ୍କର ଖାତାଧାରକମାନେ ୪ ହଜାର କୋଟି, ଅନ୍ୟ ବ୍ୟାଙ୍କ ଜରିଆରେ ୩,୧୦୦ କୋଟି, ବିଭିନ୍ନ ନ୍ୟାସ (ଟ୍ରଷ୍ଟ) ଜରିଆରେ ୧୬.୫ କୋଟି ଏବଂ ବଣ୍ଡ୍‌ ମାଧ୍ୟମରେ ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକ ୧୩,୫୦୦ କୋଟି ଟଙ୍କା ଜମା କରିଛନ୍ତି।

ବର୍ଷ ୨୦୧୯ ତୁଳନାରେ ଏହା ୨୧୨ ପ୍ରତିଶତ ଅଥବା ୩.୧୨ ଗୁଣ ବୃଦ୍ଧି ପାଇଛି। ଗତ ଦୁଇ ବର୍ଷ (୨୦୧୮/୧୯) ହେଲା ସ୍ବିସ୍୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ହ୍ରାସ ପାଇ ଆସୁଥିଲା। ବର୍ଷ ୨୦୧୯ ଶେଷ ବେଳକୁ ଭାରତୀୟ ଓ ଭାରତୀୟ କମ୍ପାନୀଗୁଡ଼ିକର ଜମା ୬,୬୨୫ କୋଟି ଥିଲା। ୨୦୧୮ଠାରୁ ଏହା ୬ ପ୍ରତିଶତ କମ୍‌। ଏହା ପୂର୍ବରୁ ବର୍ଷ ୨୦୦୬ରେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ସର୍ବାଧିକ ୫୨,୫୭୫ କୋଟି ଟଙ୍କା ଥିଲା। କେବଳ ୨୦୧୧, ୨୦୧୩ ଓ ୨୦୧୭ ବର୍ଷଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବର୍ଷରେ ଜମା ହ୍ରାସ ପାଇଥିଲା।

ଏହାର ମୁଖ୍ୟ କାରଣ ଥିଲା ୨୦୧୪ ଦେଶର ସାଧାରଣ ନିର୍ବାଚନର ଘୋଷଣାନାମା। ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ କଳାଧନ ଦେଶକୁ ଫେରାଇ ଆଣିବା ବିଜେପିର ଥିଲା ମୁଖ୍ୟ ପ୍ରସଙ୍ଗ। ବିଜେପି ଏହି ପ୍ରସଙ୍ଗକୁ ଧରି ଏକ ପ୍ରକାର ନିର୍ବାଚନ ବୈତରଣୀ ପାର ହୋଇଥିଲା। କାଳେ ବିଜେପି ନେତୃତ୍ବାଧୀନ ସରକାର କଳାଧନ ଉପରେ ଦୃଢ ପଦକ୍ଷେପ ନେବେ ଏଥିପାଇଁ ୨୦୧୪ , ୨୦୧୫ ଓ ୨୦୧୬ ବର୍ଷଗୁଡ଼ିକରେ ଜମାକାରୀମାନେ ଭୟଭୀତ ହୋଇପଡ଼ିଥିଲେ। ତେଣୁ ସେହି ବର୍ଷଗୁଡ଼ିକରେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ହ୍ରାସ ପାଇଥିଲା। ତେବେ ପ୍ରଥମ ପାଳି କ୍ଷମତାର ୩ ବର୍ଷ ମଧ୍ୟରେ ଯେତେବେଳେ କେନ୍ଦ୍ର ସରକାର କଳାଧନ ଜମାକାରୀଙ୍କ ବିରୋଧରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କଲେନାହିଁ, ପୁନଃ ୨୦୧୭ରେ ସ୍ବିସ୍‌ ବ୍ୟାଙ୍କରେ କଳାଟଙ୍କା ଜମା ବୃଦ୍ଧି ପାଇଥିଲା।

ଭାରତୀୟ ବିତ୍ତ ମନ୍ତ୍ରଣାଳୟ ସ୍ବିସ୍‌ ବ୍ୟାଙ୍କର ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। କମ୍ପାନୀ-କମ୍ପାନୀଗୁଡ଼ିକ ମଧ୍ୟରେ ବ୍ୟାବସାୟିକ ନେଣଦେଣ ବୃଦ୍ଧି ପାଇବା, ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟ ଶାଖାଗୁଡ଼ିକରେ ଆର୍ଥିକ କାରବାର ଅଥବା ଜମା ରାଶି ବୃଦ୍ଧି ପାଇବା, ସ୍ବିସ୍‌ ବ୍ୟାଙ୍କ ଓ ଭାରତୀୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଅଧିକ ନେଣଦେଣ ହେବା ଓ ଭାରତରେ ଥିବା ସ୍ବିଜରଲ୍ୟାଣ୍ଡ କମ୍ପାନୀଗୁଡ଼ିକର ପୁଞ୍ଜି ବୃଦ୍ଧି ପାଇଥିବା ଯୋଗୁଁ ସ୍ବିସ୍୍‌ ବ୍ୟାଙ୍କ‌ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି।

ଗୋଟିଏ ବର୍ଷରେ ଭାରତୀୟଙ୍କ ଜମା ୩ଗୁଣ ବୃଦ୍ଧି ପାଇଥିବା ସ୍ବିସ୍‌ ବ୍ୟାଙ୍କର କର୍ତ୍ତୃପକ୍ଷ ରିପୋର୍ଟରେ ପ୍ରକାଶ କରିଥିଲେ। ଏହା ଉପରେ ଭାରତର ଅର୍ଥ ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ। ତେବେ ଏଥିରୁ କେତେ ପ୍ରତିଶତ କଳାଧନ ଜମା ହୋଇଛି, ସେ ସଂକ୍ରାନ୍ତରେ ସ୍ବିସ୍‌ ବ୍ୟାଙ୍କ କୌଣସି ସୂଚନା ଦେଇ ନାହିଁ। ଅର୍ଥ ଜମାକୁ ନେଇ ସ୍ବିଜରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଏକାଧିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଓ ସ୍ବିଜରଲ୍ୟାଣ୍ଡ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଛି। ୨୦୧୮ ପରେ ନିଜନିଜ ଦେଶର ନାଗରିକଙ୍କ ବ୍ୟାଙ୍କଖାତାର ସୂଚନା ଦେଶଦେଶ ମଧ୍ୟରେ ଆଦାନ ପ୍ରଦାନ ହୋଇପାରିବ। ନିଜ ଦେଶରେ ଟିକସ ଚୋରି କରି ବିଦେଶୀ ବ୍ୟାଙ୍କରେ ଅର୍ଥ ଜମା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଚୁକ୍ତି ସମସ୍ୟା ସୃଷ୍ଟି କରିପାରେ। ୨୦୧୯ରେ ଏହି ଚୁକ୍ତି ଅନୁଯାୟୀ ଭାରତ ଓ ସ୍ବିଜରଲ୍ୟାଣ୍ଡ ସରକାର ନିଜନିଜ ଦେଶର ନାଗରିକଙ୍କ ବ୍ୟାଙ୍କ ଖାତାର ସୂଚନା ପରସ୍ପରକୁ ହସ୍ତାନ୍ତର କରିଥିଲେ।

ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଅର୍ଥ ଜମା ରାଶି ବଢିବାକୁ କେବଳ କଳାଧନ ବୃଦ୍ଧି କୁହାଯାଇ ନପାରେ ବୋଲି ବିତ୍ତ ମନ୍ତ୍ରଣାଳୟ ସଫେଇ ଦେଇଛି। ଏହି ବିଦେଶୀ ବ୍ୟାଙ୍କରେ ସର୍ବାଧିକ ଅର୍ଥ ଜମା ରଖିଛନ୍ତି ବ୍ରିଟେନ ବାସିନ୍ଦା। ବ୍ରିଟିଶ ନାଗରିକ ୨୦୨୦ ସୁଦ୍ଧା ୩୦.୪୯ ଲକ୍ଷ କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି। ଏହା ପଛକୁ କ୍ରମାନ୍ବୟରେ ରହିଛନ୍ତି ଆମେରିକା, ୱେଷ୍ଟଇଣ୍ଡିଜ୍‌, ଫ୍ରାନ୍ସ, ହଂକଂ ଓ ଜର୍ମାନୀର ବାସିନ୍ଦା। ମହାମାରୀ ଯୋଗୁଁ ଦେଶ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବାବେଳେ ବିଦେଶୀ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି କିପରି ବୃଦ୍ଧି ପାଉଛି ସେ ସଂକ୍ରାନ୍ତରେ ସରକାର ଓ ରିଜର୍ଭ ବ୍ୟାଙ୍କ ନଜର ରଖିବା ଜରୁରୀ।

Comments are closed.