ଅଲିମ୍ପିକ୍ସ ଆଶା

ଅତୀତର ନୈରାଶ୍ୟଜନକ ପ୍ରଦର୍ଶନର ପୁନରାବୃତ୍ତି ନହୋଇ ଟୋକିଓରେ ଭାରତର ପଦକ ସଂଖ୍ୟା ଦୁଇଅଙ୍କ ଛୁଇଁବ ବୋଲି ଆଶା ରହିଛି

ଆଜି(ଶୁକ୍ରବାର)ଠାରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହେଉଛି ବିଶ୍ବର ବୃହତ୍ତମ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସ। କୋଭିଡ଼-୧୯ ବିଶ୍ବ ମହାମାରୀ ଯୋଗୁଁ ଗତବର୍ଷ ଏହା ଆୟୋଜିତ ହୋଇପାରି ନଥିଲାବେଳେ ଚଳିତବର୍ଷ ମଧ୍ୟ ମହାମାରୀର ପ୍ରକୋପ ଲାଗିରହିଛି। ଏହାରି ଭିତରେ ଜାପାନ ଏହି କ୍ରୀଡ଼ା ମହାକୁମ୍ଭକୁ ଆୟୋଜନ କରୁଛି। ଚିନ୍ତାର ବିଷୟ ଯେ କେବଳ ଟୋକିଓ ମହାନଗରରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଇନାହିଁ, ଅଲିମ୍ପିକ୍ସ ସହ ସଂପୃକ୍ତ ୭୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ମଧ୍ୟ ଇତିମଧ୍ୟରେ ସଂକ୍ରମିତ ହୋଇଛନ୍ତି। ଯଦି ଏହି ସଂଖ୍ୟା ବଢ଼େ, ତେବେ ଶେଷ ପର୍ଯ୍ୟନ୍ତ ଏହି କ୍ରୀଡ଼ା ଚାଲିପାରିବ ନା ନାହିଁ, ତାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଲାଣି।

ବୁଧବାର ଟୋକିଓ ଅଲିମ୍ପିକ୍ସର ମୁଖ୍ୟ ତୋଶିରୋ ମୁଟୋ କ୍ରୀଡ଼ା ପ୍ରତିଯୋଗିତା ବାତିଲ୍‌ ହେବାର ଆଶଙ୍କାକୁ ସଂପୂର୍ଣ୍ଣ ଖାରଜ କରିନାହାନ୍ତି। ତେବେ ବର୍ତ୍ତମାନ ସ୍ଥିତିକୁ ଆସି ଜାପାନ ବା ବିଶ୍ବର କୌଣସି ଦେଶ ନିଶ୍ଚିତ ଚାହିଁବ ନାହିଁ ଯେ ଏହି ଗୁରୁତ୍ବପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତାଟି ଅଧାରୁ ବନ୍ଦ ହୋଇଯାଉ। ଆହୁରି ମଧ୍ୟ ଭାରତ ପାଇଁ ଚଳିତ ଅଲିମ୍ପିକ୍ସ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ, କାରଣ ଏଥର ଦେଶରୁ ଅନ୍ୟ ଅଲିମ୍ପିକ୍ସ ଅପେକ୍ଷା ସର୍ବାଧିକ ୧୨୭ ଜଣ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଛନ୍ତି। ୧୮ପ୍ରକାରର ଖେଳରେ ଏହି କ୍ରୀଡ଼ାବିତ୍‌ମାନେ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିବେ।

ଏଥର ଟୋକିଓ ଟିକଟ ପାଇଥିବା କ୍ରୀଡ଼ାବିତ୍‌ମାନଙ୍କ ଦକ୍ଷତା ଉପରେ ଦେଶବାସୀଙ୍କ ସଂପୂର୍ଣ୍ଣ ଭରସା ଥିବାରୁ ସେମାନଙ୍କଠାରୁ ଅଧିକ ପଦକ ଆଶା ରହିଛି। ଅତୀତରେ ଭାରତ ୨୪ଟି ଅଲିମ୍ପିକ୍ସ କ୍ରୀଡ଼ାରେ ଯୋଗଦେଇ ମାତ୍ର ୨୮ଟି ପଦକ ହିଁ ହାସଲ କରିପାରିଛି। ଏଥିରୁ ଏହି କ୍ରୀଡ଼ାରେ ପ୍ରତିଯୋଗିତା କେତେ କଠିନ, ତାହା ସହଜେ ଅନୁମେୟ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଆମର କ୍ରୀଡ଼ାବିତ୍‌ମାନେ ସର୍ବଶ୍ରେଷ୍ଠ ସଫଳତା ପାଇ ୬ଟି ପଦକ ଜିତିପାରିଥିଲେ।

ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ତାଲିକା ଦୁଇ ଅଙ୍କ ଛୁଇଁ ଆଗକୁ ବଢ଼ିବ ବୋଲି ଆଶା ରହିଛି। ବିଶ୍ବର ପ୍ରମୁଖ ତଥ୍ୟ ଓ ପ୍ରଯୁକ୍ତି ସଂସ୍ଥା ଗ୍ରେସ୍‌ନୋଟ୍‌ ଭାରତ ୧୯ଟି ପଦକ ଜିତିବ ବୋଲି ଭବିଷ୍ୟବାଣୀ କରିଛି, ଯେଉଁଥିରୁ ୪ଟି ସ୍ବର୍ଣ୍ଣପଦକ। ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ବନ୍ଧୁକ ଚାଳନାରେ ଇଲାଭେନିଲ୍‌ ଭାଲାରିଭାନ, ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି, ଦିବ୍ୟାଂଶ ସିଂହ ପନୱାର, ଯଶସ୍ବିନୀ ସିଂହ; କୁସ୍ତିରେ ବିନେଶ ଫୋଗତ୍‌, ବଜରଙ୍ଗ ପୁନିଆ; ଭାରୋତ୍ତୋଳନରେ ମୀରାବାଇ ସାଇକୋମ୍‌ ଚାନୁ; ମୁଷ୍ଟିଯୁଦ୍ଧରେ ଏମ୍‌ସି ମେରି କମ୍‌ ଓ ଅମିତ୍‌ ପାଙ୍ଘାଲ୍‌; ତୀରନ୍ଦାଜୀରେ ଦୀପିକା କୁମାରୀ; ବ୍ୟାଡ଼ମିଣ୍ଟନରେ ପି ଭି ସିନ୍ଧୁ; ଜାଭେଲିନ୍‌ ଥ୍ରୋ’ରେ ନୀରଜ ଚୋପ୍ରା; ଡିସ୍‌କସ୍‌ ଥ୍ରୋ’ରେ କମଲପ୍ରୀତ୍‌ କୌର୍‌, ଶଟ୍‌ପୁଟ୍‌ରେ ତେଜିନ୍ଦରପାଲ୍‌ ସିଂହ ଓ ଲମ୍ବକୁଦରେ ଶ୍ରୀଶଙ୍କର ଏମ୍‌ ପଦକ ଜିଣିବାର ଆଶା ସର୍ବାଧିକ ବୋଲି ଆକଳନ କରାଯାଇଛି।

ଆମେ ଓଡ଼ିଶାବାସୀ ତ ଆଶା କରିବା ଯେ ଭାରତର ପ୍ରମୁଖ ଧାବିକା ଦୂତି ଚାନ୍ଦ ମଧ୍ୟ ପଦକ ଜିତି ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରନ୍ତୁ। ଟୋକିଓ ଯାଇଥିବା ଅନ୍ୟ ଓଡ଼ିଆ ଖେଳାଳିମାନେ ହେଲେ ମହିଳା ହକିର ଦୀପ୍‌ଗ୍ରେସ୍‌ ଏକ୍କା ଓ ନମିତା ଟପ୍ପୋ ଏବଂ ପୁରୁଷ ହକିର ବୀରେନ୍ଦ୍ର ଲାକ୍ରା ଓ ଅମିତ୍‌ ରୋହିଦାସ।

ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଦେଶର କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସର୍ବାଧିକ (୪୦%) ରହିଛନ୍ତି ହରିୟାଣା ଓ ପଞ୍ଜାବରୁ, ଯାହା ସେଠାକାର କ୍ରୀଡ଼ା ସଂସ୍କୃତିର ଉଜ୍ବଳ ସ୍ବାକ୍ଷର ବହନ କରିଥାଏ। ତାମିଲନାଡୁ (୧୧), କେରଳ (୮), ମହାରାଷ୍ଟ୍ର (୬) ପରି ରାଜ୍ୟ ମଧ୍ୟ ଏ କ୍ଷେତ୍ରରେ ଉନ୍ନତି କରିଛନ୍ତି। ଏଥର ହରିୟାଣାରୁ ସାତ ଜଣ କୁସ୍ତିଯୋଦ୍ଧା ଓ ଚାରିଜଣ ମୁଷ୍ଟିଯୋଦ୍ଧା; କେରଳରୁ ଛଅ ଜଣ ଦୌଡ଼କୁଦରେ ଅଂଶଗ୍ରହଣ କରୁଛନ୍ତି, ଯାହା ସେହି ରାଜ୍ୟର ସ୍ବାତନ୍ତ୍ର୍ୟକୁ ଦର୍ଶାଉଛି।

ସେହିପରି ତ୍ରିପୁରା ଓ ପଶ୍ଚିମବଙ୍ଗ ଜିମ୍ନାଷ୍ଟିକ୍ସ, ତାମିଲନାଡୁ ବ୍ୟାଡ଼ମିଣ୍ଟନ, ଓଡ଼ିଶା ହକି ପାଇଁ ପ୍ରସିଦ୍ଧି ଅର୍ଜନ କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତରେ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ଭିତ୍ତିଭୂମି ଏ ପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇ ନଥିବା ସତ୍ତ୍ବେ ବହୁ କ୍ରୀଡ଼ାବିତ୍‌ ସ୍ବଚେଷ୍ଟା ଓ ସୌଭାଗ୍ୟ ବଳରେ ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଏପରି ଅନେକ ଖେଳାଳି ରହିଛନ୍ତି, ଯେଉଁମାନେ ଅତି ଦରିଦ୍ର ଓ ନିମ୍ନବିତ୍ତ ପରିବାରରୁ ଆସିଛନ୍ତି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ ଲକ୍ଷ୍ୟ କରାଯାଏ ଯେ ଆର୍ଥିକ ଅସ୍ବଚ୍ଛଳତା ଓ ପ୍ରତିକୂଳ ପରିସ୍ଥିତିକୁ ଆଡ଼େଇ ନିଜର ପ୍ରତିଭା ବଳରେ ଯେଉଁମାନେ ଶିଖର ଛୁଇଁଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ମହିଳା। ଏହି ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁବିଧାସୁଯୋଗ ଦେଲେ ସେମାନେ ନିଶ୍ଚିତ ପଦକ ଜିଣିପାରିବେ।

ଆମର ଶାସକବୃନ୍ଦଙ୍କର କେବଳ ଅଲିମ୍ପିକ୍ସ ଆସିଲେ ହିଁ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ବା କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ କଥା ମନେପଡ଼େ; ତେଣୁ ସର୍ବଦା ଏଠି ଯଥା ପୂର୍ବଂ ତଥା ପରଂ ସ୍ଥିତି। ଯେ ପର୍ଯ୍ୟନ୍ତ କ୍ରୀଡ଼ାକୁ ସମୁଚିତ ଗୁରୁତ୍ବ ଦିଆଯାଇ ନାହିଁ ଏବଂ ଆନ୍ତର୍ଜାତିକ କ୍ରୀଡ଼ାବିତ୍‌ ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ କରାଯାଇନାହିଁ, ସେ ପର୍ଯ୍ୟନ୍ତ ବୈଶ୍ବିକ ପ୍ରତିଯୋଗିତାରେ ଅଧିକ ସଫଳତା ଆଶା କରିବା ବୃଥା। ଆମ ରାଜ୍ୟ ଓ ଦେଶରେ ପ୍ରତିଭା କମ୍‌ ନାହାନ୍ତି, ଏହା ଓଡ଼ିଶାର ଦୂତି ବା ତାମିଲନାଡୁର ଧାବିକା ରେବତୀଙ୍କ ଭଳି କ୍ରୀଡ଼ାବିତ୍‌ ବହୁବାର ପ୍ରମାଣ କରିସାରିଛନ୍ତି। କେବଳ ଅଭାବ ରହିଛି ଏପରି ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇଦେବା ପାଇଁ ଆନ୍ତରିକ ଉଦ୍ୟମର। କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନିଅନ୍ତୁ।

Comments are closed.