ବଜ୍ର ବିପଦ

ଭାରତରେ ବଜ୍ରାଘାତରେ ୨୦୦୪ ମସିହା ପରଠାରୁ ପ୍ରତିବର୍ଷ ହାରାହାରି ୨୦୦୦ ଲୋକଙ୍କ ମୃତ୍ୟୁ ଘଟିବା ଏହାର ଭୟାବହତାକୁ ଦର୍ଶାଉଛି

ବଜ୍ରପାତ ଏକ ପ୍ରାକୃତିକ ଘଟନା, କିନ୍ତୁ ମଣିଷ ପାଇଁ ବଜ୍ରାଘାତ ଏକ ବଡ଼ ବିପତ୍ତି ପାଲଟିଲାଣି; କାରଣ ପ୍ରତିବର୍ଷ ଏଥିରେ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ସୋମବାର ପାଣିପାଗ ତଥ୍ୟର କ୍ରମାଗତ ବିଶ୍ଳେଷଣ କରୁଥିବା ଏକ ଘରୋଇ ସଂସ୍ଥା ‘ଆର୍ଥ ନେଟ୍‌ୱାର୍କ’ ଏକ ବିବରଣୀ ପ୍ରକାଶ କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ ୨୦୧୯ ତୁଳନାରେ ଭାରତରେ ୨୦୨୦ରେ ପ୍ରାୟ ୨୩% ବଜ୍ରପାତ ସଂଖ୍ୟା ବୃଦ୍ଧି ପାଇଛି। ଏହି ସଂସ୍ଥାର ବ୍ୟବସ୍ଥା ଭାରତରେ ବର୍ଷକ ମଧ୍ୟରେ ପ୍ରାୟ ୩ କୋଟି ୯୦ ଲକ୍ଷରୁ ଅଧିକ ବଜ୍ରପାତ ଚିହ୍ନଟ କରିଥିଲା। ସେଥିମଧ୍ୟରୁ ୧ କୋଟି ୩୦ ଲକ୍ଷ ବଜ୍ରପାତ ‘ମେଘରୁ ମାଟି’ ପର୍ଯ୍ୟନ୍ତ ପ୍ରଲମ୍ବିତ ହୋଇଥିବାରୁ ସେଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ପରିଗଣିତ ହୋଇଛି। ଏଥିରେ ଧନଜୀବନ ହାନି ହେବାର ଆଶଙ୍କା ସର୍ବାଧିକ। ନିକଟରେ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଗୋଟିଏ ଦିନରେ ବଜ୍ରାଘାତରେ ୭୦ ଜଣଙ୍କ ଜୀବନହାନି ଘଟିବା ଏହାର ଭୟାବହତାକୁ ଦର୍ଶାଇଥାଏ। ଓଡ଼ିଶାରେ ମଧ୍ୟ ଗୋଟିଏ ଦିନରେ ଦଶରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି।

ବର୍ଷାଋତୁର ଅବ୍ୟବହିତ ପୂର୍ବରୁ ଏବଂ ସମଗ୍ର ବର୍ଷାଋତୁରେ ଘଡ଼ଘଡ଼ି ସହ ଯେଉଁ ବଜ୍ରପାତ ହୁଏ, ତାହା ଆମ ଦେଶରେ ବେଶି ବିପର୍ଯ୍ୟୟ ସୃଷ୍ଟିକାରୀ ସାବ୍ୟସ୍ତ ହେଉଛି। ଏପରିକି ବଜ୍ରାଘାତରେ ଯେତେ ଲୋକଙ୍କ ମୃତ୍ୟୁ ଘଟୁଛି, ତାହା ଅନ୍ୟ ସବୁ ପ୍ରାକୃତିକ ବିପର୍ଯ୍ୟୟଠୁ ଅଧିକ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଗତ ଜୁନ୍‌ ମାସରେ ଦେଇଥିବା ସୂଚନା ଅନୁସାରେ ୨୦୦୪ ମସିହା ପରଠାରୁ ପ୍ରତିବର୍ଷ ଦେଶରେ ହାରାହାରି ୨୦୦୦ରୁ ଲୋକଙ୍କ ମୃତ୍ୟୁ ଘଟୁଛି। ଗତବର୍ଷର ତଥ୍ୟକୁ ଯଦି ଦେଖିବା ବଜ୍ରାଘାତରେ ବିହାରରେ ସର୍ବାଧିକ ୪୦୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଏବଂ ଆମ ରାଜ୍ୟରେ ୧୫୬ ଜଣ ପ୍ରାଣ ହରାଇଛନ୍ତି। ଓଡ଼ିଶାରେ ହାରାହାରି ହିସାବରେ ପ୍ରତିବର୍ଷ ୩୬୦ ଜଣଙ୍କର ବଜ୍ରାଘାତ ଯୋଗୁଁ ଜୀବନ ଯାଉଛି। କେବଳ ମନୁଷ୍ୟ ନୁହନ୍ତି; ବଜ୍ରାଘାତରେ ପ୍ରତିବର୍ଷ ବହୁସଂଖ୍ୟକ ଗୃହପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ହେଉଛି।

ଏବେ ବଜ୍ରପାତକୁ ଜଳବାୟୁ ପରିବର୍ତ୍ତନ ସଙ୍କଟ ସହିତ ଯୋଡ଼ାଯାଉଛି, କାରଣ ଗତ କିଛି ବର୍ଷ ଭିତରେ ଧରିତ୍ରୀର ଆର୍ଦ୍ରତା ଓ ଉତ୍ତାପ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। କ୍ରମବର୍ଦ୍ଧିଷ୍ଣୁ ଆର୍ଦ୍ରତା ଅଧିକ ଘଡ଼ଘଡ଼ି ଓ ବରଫକଣାର ସଂଘର୍ଷର କାରଣ ହେଉଛି ଏବଂ ସେଥିରୁ ହିଁ ଅଧିକ ବଜ୍ରପାତର ଉତ୍ପତ୍ତି ଘଟୁଛି। ଅତଏବ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରିତ ନ ହେଲେ ଏହି ସମସ୍ୟା ଆଗାମୀ ଦିନରେ ଅଧିକ ବିପଜ୍ଜନକ ପାଲଟିବା ନିଶ୍ଚିତ। ବର୍ଷାଋତୁରେ ଗ୍ରାମାଞ୍ଚଳର ଲୋକେ ଚାଷବାସ ପାଇଁ କିମ୍ବା ଅନ୍ୟ କାମରେ ବାହାରକୁ ଯାଇଥିବାବେଳେ ବର୍ଷାପବନ ଓ ଘଡ଼ଘଡ଼ି ହେଲେ ସେଥିରୁ ବର୍ତ୍ତିବା ନିମନ୍ତେ ଗଛମୂଳରେ ଆଶ୍ରୟ ନେବା ସାଧାରଣ କଥା; କିନ୍ତୁ ତାହା ହିଁ ଅନେକଙ୍କ ପାଇଁ କାଳ ପାଲଟେ ଓ ସେହି ସମୟରେ ବଜ୍ରପାତ ହେଲେ ତା’ର ଆଘାତରେ ସେମାନଙ୍କ ମୃତ୍ୟୁ ହୋଇଥାଏ। ତେବେ ଏବେ ବୃହତ୍‌ ଅଟ୍ଟାଳିକା ଆଦିରେ ମଧ୍ୟ ବଜ୍ରପାତ ହେଉଥିବା ଦେଖାଯାଉଛି। ଗତ ୧୨ ଜୁଲାଇରେ ରାଜସ୍ଥାନ ଜୟପୁରରେ ଅବସ୍ଥିତ ବିଖ୍ୟାତ ପର୍ଯ୍ୟଟନ ସ୍ଥଳ ଆମେର୍‌ ଦୁର୍ଗରେ ବଜ୍ରପାତ ହେବାରୁ ୧୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହା ନିଶ୍ଚିତଭାବେ ଏକ ସତର୍କ ଘଣ୍ଟି। ଏଥିରୁ ଜଣାପଡ଼ୁଛି ଯେ ବଡ଼ବଡ଼ ପ୍ରାସାଦ, ଅଟ୍ଟାଳିକା, ଦୁର୍ଗ ଆଦି ମଧ୍ୟ ବଜ୍ରପାତପ୍ରବଣ।

ବର୍ତ୍ତମାନର ଚିନ୍ତା ହେଲା, ବଜ୍ରାଘାତରୁ ରକ୍ଷା ପାଇବା ପାଇଁ କି କି ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ପ୍ରଥମତଃ, ଲୋକେ ବଜ୍ରପାତ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ ଏବଂ ସେହି ଅନୁସାରେ ପଦକ୍ଷେପ ନେବାକୁ ହେବ; ଅର୍ଥାତ୍‌ ବଜ୍ରପାତ ପୂର୍ବରୁ ସୂଚନା ପାଇବା ମାତ୍ରେ ନିରାପଦ ଜାଗାରେ ଆଶ୍ରୟ ନେବାକୁ ହେବ। ଗଛତଳେ ବା ବିଜୁଳି ପରିବାହିତ ଜାଗାରେ ରହିବା ଅନୁଚିତ। ଭଲ କଥା ଯେ ଆମ ରାଜ୍ୟରେ ଭାରତୀୟ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନ ସହାୟତାରେ ଲୋକଙ୍କ ମୋବାଇଲ୍‌ ଫୋନ୍‌କୁ ବଜ୍ରପାତ ହେବାର ଅଧ ଘଣ୍ଟା ପୂର୍ବରୁ ସେଥିନେଇ ସତର୍କତା ବାର୍ତ୍ତା ପଠାଯାଉଛି। ସମସ୍ତ ମୋବାଇଲ୍‌ ଫୋନ୍‌ ଉପଭୋକ୍ତାଙ୍କ ନିକଟକୁ ଏହା ପଠାଇବାର ବ୍ୟବସ୍ଥା ହେବା ଉଚିତ। ୨୦୧୯ ଅପେକ୍ଷା ୨୦୨୦ରେ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି। ଏହା ହୁଏତ ଏପରି ସତର୍କତାର ଫଳ ହୋଇଥାଇପାରେ। ଓଡ଼ିଶା ଭାରତର ସର୍ବାଧିକ ବଜ୍ରପାତପ୍ରବଣ ରାଜ୍ୟ ଓ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷରୁ ଅଧିକ ବଜ୍ରପାତ ହୋଇଥାଏ। ତେଣୁ ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏ ସମ୍ପର୍କରେ ସଚେତନତା ଲୋଡ଼ା। ଦ୍ବିତୀୟତଃ, ବଡ଼ବଡ଼ କୋଠା, ପ୍ରାସାଦ, ଅଟ୍ଟାଳିକା ଆଦିରେ ବଜ୍ରପାତ ନିରୋଧୀ ବ୍ୟବସ୍ଥା (ଲାଇଟ୍‌ନିଂ ଆରେଷ୍ଟର୍‌ ସିଷ୍ଟମ୍‌ ବା ଏଲ୍‌ଏଏସ୍‌) ଲଗାଯିବା ଅପରିହାର୍ଯ୍ୟ। ନିକଟରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସ୍‌ଡମା ପରିଚାଳନା ନିର୍ଦେଶକ ଏକ ଟୁଇଟ୍‌ରେ ଏ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ସରକାରୀ କୋଠାରେ ଏହି ବ୍ୟବସ୍ଥା ଅଗ୍ରାଧିକାରୀ ଭିତ୍ତିରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ସର୍ବପ୍ରଥମେ ବୃହତ୍‌ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା ପ୍ରତିଷ୍ଠା କରାଯିବା ଆବଶ୍ୟକ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।

Comments are closed.