ଚୀନ ବିରୋଧୀ ମେଳି

ଚୀନର ବିସ୍ତାରବାଦୀ ନୀତିକୁ ବିଫଳ କରିବାର ଉଦ୍ୟମ କେତେ ସଫଳ ହେବ, ତାହା ଭବିଷ୍ୟତ କହିବ

 କିଛି ଦିନ ତଳେ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ‘କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା’ର ଶତାବ୍ଦୀ ସମାରୋହ ବେଶ୍‌ ଧୁମ୍‌ଧାମ୍‌ରେ ମନାଇଥିଲେ। ଚୀନ୍‌ର ମିତ୍ର ଦେଶଗୁଡ଼ିକ ଏଥିପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ୨୦୧୯ ପୂର୍ବରୁ ଭାରତ ମଧ୍ୟ ଏହି ଦିବସର ଶୁଭେଚ୍ଛା ବାର୍ତ୍ତା ଚୀନ୍‌କୁ ପଠାଇ ଆସୁଥିଲା। ତେବେ ଏଥର ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଚୀନ୍‌ର ପରମ ଶତ୍ରୁ ତଥା ସେ ଦେଶରୁ ନିର୍ବାସିତ ହୋଇ ଭାରତରେ ଶରଣ ନେଇ ଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁୁଭେଚ୍ଛା ଜଣାଇଥିଲେ। ଏହା ଚୀନ୍‌କୁ ଅଧିକ କ୍ଷୁବ୍ଧ କରିଛି। ଏହି ବ୍ୟଥା ମନରୁ ନ ଲିଭୁଣୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌ର ଶତ୍ରୁ ରାଷ୍ଟ୍ର ଭିଏତ୍‌ନାମ୍‌ର ନୂତନ ପ୍ରଧାନମନ୍ତ୍ରୀ ଫାମ୍‌ ମୀନ୍‌ ଚୀନ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏହି ଅବସରରେ ଦୁଇ ନେତା ଫୋନ ଯୋଗେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭିଏତ୍‌ନାମ କମ୍ୟୁନିଷ୍ଟ ପାର୍ଟିର ବାର୍ଷିକ ଉତ୍ସବ ପାଳନ ଅବସରରେ ମୋଦୀ ସେଠାକାର ଦେଶବାସୀଙ୍କୁ ସମସ୍ତ ଭାରତୀୟଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ।

ଭିଏତ୍‌ନାମର ନୂତନ ପ୍ରଧାନମନ୍ତ୍ରୀ ଫାମ୍‌ ମୀନ୍‌ ଚୀନ୍‌  ପୂର୍ବରୁ ଦେଶର ସର୍ବୋଚ୍ଚ ସୁୁରକ୍ଷା ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କୁ ମୁଖ୍ୟତଃ ଚୀନ୍‌ ବିରୋଧୀ ଭାବେ ଗଣାଯାଏ। ଚୀନ୍‌ ଓ ଭିଏତ୍‌ନାମ ମଧ୍ୟରେ ୧୯୭୯ରେ ଯୁଦ୍ଧ ହୋଇଥିଲା। ଏହି ବିବାଦ ବନ୍ଦ ହେବା ପରିବ‌େ‌ର୍ତ୍ତ କୁହୁଳିବାରେ ଲାଗିଛି। ଏବେ ବି ଏହା ଅମୀମାଂସିତ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଭିଏତ୍‌ନାମକୁ ସମର୍ଥନ ଜଣାଉଛି। ଏପରି କି ନିଜର ସବୁଠାରୁ ସଶକ୍ତ ‘ବ୍ରହ୍ମୋସ୍‌’ ସୁପର ସୋନିକ୍‌ କ୍ଷେପଣାସ୍ତ୍ର ଭିଏତ୍‌ନାମକୁ ବିକ୍ରି କରିବାକୁ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା କୁହାଯାଉଛି। ଆସନ୍ତା ବର୍ଷ ଉଭୟ ଭାରତ ଓ ଭିଏତ୍‌ନାମ କୂଟନୈତିକ ସମ୍ପର୍କର  ୫୦ ବର୍ଷ ପାଳନ କରିବାକୁ ଯାଉଛନ୍ତି। ଏହି ଉତ୍ସବକୁ ଧୁମଧାମ୍‌ରେ ପାଳନ କରିବା ସହ ନୂଆଦିଲ୍ଲୀ ଆସିବାକୁ ଶ୍ରୀ ମୋଦୀ ଫାମ୍‌ ମୀନ୍‌ ଚୀନ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି।

ଗତବର୍ଷ ଜୁନ୍‌ ୧୫ରେ ତିବ୍ବତରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନଙ୍କ ବଳିଦାନକୁ ସହଜେ ଭୁଲିବାକୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି; କାରଣ ଏହା ପୂର୍ବରୁ  ଚୀନ୍‌ ରାଷ୍ଟ୍ରପତି ଯେତେବେଳେ ଭାରତ ଆସିଥିଲେ ମୋଦୀ ତାଙ୍କୁ ଦୋଳିରେ ଝୁଲାଇଥିଲେ। ଏହାକୁ ଭାରତର କେତେକ ବିରୋଧୀ ଦଳ ଖୁବ୍‌ ସମାଲୋଚନା କରିଥିଲେ। ଆଶା ଥିଲା, ଚୀନ୍‌ ଭାରତକୁ ବିଶ୍ବାସକୁ ନେବ ା ତେବେ ଏହାର ଜବାବ ୨୦୨୦ ଲଦାଖ ସୀମାରେ ଦେଖିବାକୁ ମିଳିଥିଲା। ଭାରତର ୨୦ରୁ ଊର୍ଦ୍ଧ୍ବ ସୈନ୍ୟ ଚୀନ୍‌ ସେନାର ଆକ୍ରମଣରେ ବୀରଗତିକୁ ପ୍ରାପ୍ତ ହୋଇଥିଲେ। ଏହା ମୋଦୀଙ୍କ ସହ ସମଗ୍ର ଦେଶବାସୀଙ୍କୁ କ୍ଷୁବ୍ଧ କରିଥିଲା। ପରବର୍ତ୍ତୀ ସମୟରେ ଉଭୟ ଦେଶ ମଧ୍ୟରେ ସାଧାରଣ ସମ୍ପର୍କ ପାଇଁ ଚୀନ୍‌ ବହୁ ଉଦ୍ୟମ କରି ବିଫଳ ହୋଇଛି।

ଭାରତ ଆଉ ଚୀନ୍‌କୁ ବିଶ୍ବାସକୁ ନୁହେଁ; ଏକ ପ୍ରକାର ଜବାବ ଦେବା ପ୍ରସ୍ତୁତିରେ ଲାଗି ରହିଛି।  ଯେଉଁ ଦେଶମାନଙ୍କ ସହ ଚୀନ୍‌ର ଶତ୍ରୁତା ଅଛି ଅଥବା ଚୀନ୍‌ ସେମାନଙ୍କୁ କରଜ ଦେଇ ଡୁବାଇବାକୁ ଚାହୁଁଛି ସେପରି ଦେଶମାନଙ୍କୁ ଭାରତ ସମର୍ଥନ ଯୋଗାଇ ଦେଉଛି। ସେ ହଂକଂ ହେଉ ଅଥବା ତାଇୱାନ; ପୂର୍ବରୁ ଯେଉଁ ପ୍ରସଙ୍ଗରେ ଭାରତ ମୁହଁ ଖୋଲୁ ନଥିଲା ଏବେ ଖୋଲାଖୋଲି କହୁଛି। ‘କ୍ବାଡ୍‌’ ସଂଗଠନରେ ଭାରତ ସାମିଲ ହେବା, ତାଇୱାନ୍‌, ଭିଏତ୍‌ନାମ ଓ ହଂକଂ ପରି ଚୀନ୍‌କୁ ଜର୍ଜରିତ କରୁଥିବା ଏକାଧିକ  ପ୍ରସଙ୍ଗ ଉପରେ ଭାରତ ଚୀନ୍‌କୁ ବିରୋଧ କରିବା ଭାରତର ଶାଣିତ କୂଟନୀତିକୁ ଦର୍ଶାଉଛି।

ଏ ପଟେ ଆମେରିକାକୁ ଘାରିଛି ପତିଆରା ହ୍ରାସର ଭୟ। ଯେଉଁ ଅନୁପାତରେ ଚୀନ୍‌ ବିଶ୍ବରେ ନିଜର ପ୍ରଭୁତ୍ବ ବିସ୍ତାର କରିଚାଲିଛି  ଆଗାମୀ ଦିନରେ ଆମେରିକା ପାଇଁ ତାହା ବଡ଼ ଆହ୍ବାନ ସୃଷ୍ଟି କରିପାରେ। ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ ଚୀନ୍‌ ବିରୋଧରେ କଡ଼ା ଅାଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି। ଆମେରିକାର ମୁଖ୍ୟ ସାମରିକ ସହଯୋଗୀ ରାଷ୍ଟ୍ରଙ୍କୁ ନେଇ ଚୀନ୍‌ର ଚେର କାଟିବା ପାଇଁ ସେ ନୂତନ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଆବଶ୍ୟକ ହେଲେ ଚୀନ୍‌ ବିରୋଧରେ ‘ନାଟୋ’ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ ବୋଲି ଆମେରିକା ଧମକ ଦେଇଛି।  ନିକଟରେ ଅନୁଷ୍ଠିତ ଜି-୭ ବୈଠକରେ ଆମେରିକା ରାଷ୍ଟ୍ରପତି ବାଇଡେନ ଚୀନ୍‌କୁ ବହିଷ୍କାର କରିବାକୁ ସମସ୍ତ ଗଣତାନ୍ତ୍ରିକ ଦେଶର ଶାସନ ମୁଖ୍ୟଙ୍କୁ ନିବେଦନ କରିଥିଲେ। ଚୀନ୍‌ର ‘ବେଲ୍ଟ ଆଣ୍ଡ ରୋଡ଼’ (ବିଆର୍‌ଆଇ) ପ୍ରକଳ୍ପ ଜବାବରେ ଆମେରିକା ନେତୃତ୍ବରେ ଜି-୭ ରାଷ୍ଟ୍ରମାନେ ‘ବିଲ୍ଡ ବେକ୍‌ ବେଟର ୱାର୍ଲ୍ଡ’ (ବି-୩ ଡବ୍ଲ୍ୟୁ) ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ଏହା ଚୀନ୍‌କୁ ଚିନ୍ତିତ କରିଛି।

କରୋନା ମହାମାରୀର ଉତ୍ପତ୍ତି ସଂକ୍ରାନ୍ତରେ  ତଦନ୍ତ ପାଇଁ ଯେବେଠାରୁ ​‌​‌ଷ୍ଟ୍ରଲିଆ ଦାବି କରିଛି ସେବେଠାରୁ ଏହି ଦେଶ ସହ ଚୀନ୍ ସମ୍ପର୍କ ଭଲ ନାହିଁ ଚୀନ୍କମ୍ପାନୀ ପକ୍ଷରୁ ଅଷ୍ଟ୍ରେଲିଆରେ ଜାରି ରହିଥିବା ଜି ନେଟ୍ୱର୍କ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି ଏପଟେ ଭାରତ ମଧ୍ୟ ଜେଡଟିଇ ହୁଆୱେଇ ନାମକ ଦୁଇ ଚୀନ୍କମ୍ପାନୀକୁ ଜି ନେଟୱର୍କ କାର୍ଯ୍ୟରୁ ବାହାର କରି ଦେଇଛି ସୀମା ଅଶାନ୍ତ ଥିବାବେଳେ ଚୀନ୍ କମ୍ପାନୀଗୁଡ଼ିକୁ ଭାରତ ସରକାର କୌଣସି କାର୍ଯ୍ୟର ଠିକା ଦେବେ ନାହିଁ ବୋଲି ଦେଶର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି  ଚୀନ୍ ଆକ୍ରମଣାତ୍ମକ ନୀତି ବିରୋଧରେ ଅଧିକାଂଶ ରାଷ୍ଟ୍ର ମେଳି କଲେଣି ଆଗକୁ ଚୀନ୍ନିଜର ଅାଭିମୁଖ୍ୟରେ ପରିବର୍ତ୍ତନ ନକଲେ ଏହି ଦେଶ ବିରୋଧରେ  ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ କଠୋର ପଦକ୍ଷେପ ନେଇ ପାରନ୍ତି

Comments are closed.