ଅନାଥଙ୍କ ଥଇଥାନ

କୋଭିଡ୍‌-୧୯ରେ ଅନାଥ ହୋଇପଡ଼ିଥିବା ଶିଶୁଙ୍କୁ ଠାବକରି ସହାୟତା ଯୋଗାଇବା ପାଇଁ ସରକାର ଏକ ସ୍ବତନ୍ତ୍ର ନିରୀକ୍ଷକ ସମିତି ଗଠନ କରନ୍ତୁ

ଶିଶୁ ଦେଶର ଭବିଷ୍ୟତ; କିନ୍ତୁ ସବୁ ବିପର୍ଯ୍ୟୟ ପରି କୋଭିଡ଼-୧୯ ମହାମାରୀ ମଧ୍ୟ ଏହି ଭବିଷ୍ୟପିଢ଼ି ପାଇଁ ଏବେ ଆଣିଦେଇଛି ଅସରନ୍ତି ଦୁଃଖ। କିଏ ମାଆ କି ବାପ ଛେଉଣ୍ଡ ହୋଇଯାଇଛି ତ ଆଉ କିଏ ହଠାତ୍‌ ଉଭୟ ବାପାମାଆଙ୍କୁ ହରାଇ ସମ୍ପୂର୍ଣ୍ଣ ଅସହାୟ। ଅନେକଙ୍କର ସାହାଭରସା ମଧ୍ୟ କେହି ନାହିଁ। ଏପରି ସ୍ଥିତିରେ ଏହି ଅନାଥ ଶିଶୁଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ ଧାରଣ ନିମନ୍ତେ ସ୍ବତନ୍ତ୍ର ଦୀର୍ଘକାଳୀନ ଯୋଜନାର ଆବଶ୍ୟକତା ରହିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ପକ୍ଷରୁ ବିଭିନ୍ନ ରାଜ୍ୟ ଦ୍ବାରା ପ୍ରଦତ୍ତ ତଥ୍ୟାବଳୀକୁ ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପନ କରାଯାଇଛି। ଏହି ତଥ୍ୟ ଅନୁଯାୟୀ ୫ ଜୁନ ସୁଦ୍ଧା ଦେଶର ୨୬,୧୭୬ ଶିଶୁ ବାପା କିମ୍ବା ମାଆ ଜଣକୁ ହରାଇଥିବାବେଳେ ୩,୬୨୧ ଜଣ ବାପାମାଆ ଉଭୟଙ୍କୁ ହରାଇ ଅନାଥ ହୋଇଛନ୍ତି ଏବଂ ୨୭୪ ଜଣ ପରିତ୍ୟକ୍ତ ହୋଇପଡ଼ିଛନ୍ତି। ଏଥିମଧ୍ୟରେ ଅନାଥ ଶିଶୁପୁତ୍ରଙ୍କ ସଂଖ୍ୟା ୧୫,୬୨୯୦ ଥିବାବେଳେ ଶିଶୁକନ୍ୟାଙ୍କ ସଂଖ୍ୟା ୧୪,୪୪୭ ଜଣ। ଏନ୍‌ସିପିସିଆର୍‌ ସର୍ବୋଚ୍ଚ ନ୍ୟାୟାଳୟରେ କରିଥିବା ସତ୍ୟପାଠ ଅନୁଯାୟୀ ମହାରାଷ୍ଟ୍ରର ସର୍ବାଧିକ ୭,୦୮୪ ଶିଶୁ ନିଃସହାୟ ହୋଇପଡ଼ିଥିବାବେଳେ ଉତ୍ତରପ୍ରଦେଶର ୩,୧୭୨, ରାଜସ୍ଥାନର ୨,୪୮୨, ହରିୟାଣାର ୨,୪୩୮, ମଧ୍ୟପ୍ରଦେଶର ୨,୨୪୩, ଆନ୍ଧ୍ରପ୍ରଦେଶର ୨,୦୮୯, କେରଳର ୨୦୦୨, ବିହାରର ୧,୬୩୪ ଓ ଓଡ଼ିଶାର ୧,୦୭୩ ଜଣ ବାପା କିମ୍ବା ମାଆ ଜଣକୁ କିମ୍ବା ଉଭୟଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଏହି ଅନାଥ ଶିଶୁ-କିଶୋର (୦-୧୮ବର୍ଷ)ମାନଙ୍କର ଥଇଥାନ ପାଇଁ ଅବଶ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଇତିମଧ୍ୟରେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-୧୯ ଦ୍ବାରା ଅନାଥ ଶିଶୁଙ୍କ ନିମନ୍ତେ ସ୍ବତନ୍ତ୍ର ସହାୟତା ଯୋଜନା ପ୍ରଚଳନ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ ଏହାର କାର୍ଯ୍ୟକାରିତାରେ ବିଳମ୍ବ କେତେକ ମହଲରେ ନିରାଶା ସୃଷ୍ଟି କରିଛି। ଏହାର ତ୍ବରିତ କାର୍ଯ୍ୟାନ୍ବୟନ ଅତି ଜରୁରୀ। ଅନାଥ ପିଲାଙ୍କ ସଂପୂର୍ଣ୍ଣ ସଂଖ୍ୟା ଗଣନାକୁ ଅପେକ୍ଷା କଲେ ହେବ ନାହିଁ; ବରଂ ତଥ୍ୟ ସଂଗ୍ରହ ସହ ଏପରି ପିଲାଙ୍କର ଥଇଥାନ ଓ ଶିକ୍ଷା ଉପରେ ଅବିଳମ୍ବେ ପଦକ୍ଷେପ ନେବା ଆବଶ୍ୟକ।

ଓଡ଼ିଶା ସରକାର ଏବେ କୋଭିଡ୍‌ ମହାମାରୀ ହେତୁ ୨୩୫ ଜଣ ଶିଶୁ ସମ୍ପୂର୍ଣ୍ଣ ରୂପେ ଅନାଥ ହୋଇଥିବା କହିଛନ୍ତି। ଏମାନଙ୍କ ମଧ୍ୟରୁ ୩୮ ଜଣ ନିଜର ବାପାମାଆଙ୍କୁ ହରାଇଥିବାବେଳେ ଅନ୍ୟାନ୍ୟ କାରଣରୁ ୧୯୭ ଶିଶୁ ଅନାଥ ହୋଇଥିବା କୁହାଯାଇଛି। ତେବେ ଏନ୍‌ସିପିସିଆର୍‌ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଉପସ୍ଥାପିତ ସଂଖ୍ୟା (୧,୦୭୩)ଠାରୁ ଏହା ବହୁତ କମ୍‌। ବାସ୍ତବରେ ରାଜ୍ୟର କେତେ ଶିଶୁ ଅନାଥ ହୋଇଛନ୍ତି, ସେ ସମ୍ପର୍କରେ ଠିକ୍‌ ତଥ୍ୟ ସଂଗ୍ରହ କରାଯିବା ଜରୁରୀ; ନଚେତ୍‌ କେବଳ ଅନ୍ଧାରରେ ବାଡ଼ି ବୁଲାଇବା ସାର ହେବ। ପ୍ରତି ଜିଲାରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଅନୁସନ୍ଧାନ କରି ଠିକ୍‌ ତଥ୍ୟ ଦେବାକୁ ସରକାର ନିର୍ଦେଶ ଦିଅନ୍ତୁ। ଏହି ତଥ୍ୟ ସଂଗ୍ରହ କାର୍ଯ୍ୟ ନିରନ୍ତର ଚାଲୁ ରହିବା ଉଚିତ; କାରଣ ଏବେ ମଧ୍ୟ ମହାମାରୀର ପ୍ରକୋପ ରହିଛି। କରୋନାରେ ପିତାମାତାଙ୍କୁ ହରାଇଥିବା ଅନାଥ ଶିଶୁଙ୍କୁ ମାସିକ ଭତ୍ତା ପ୍ରଦାନ ସହ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ସେହିପରି ଅନାଥ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ୨୦୧୬ରେ ପ୍ରବର୍ତ୍ତିତ ‘ଗ୍ରୀନ୍‌ ପ୍ୟାସେଜ୍‌’ (ସବୁଜ ପଥ) ନାମକ ସ୍ବତନ୍ତ୍ର ଯୋଜନା ଜରିଆରେ ଉଚ୍ଚ ବୈଷୟିକ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା କୋଭିଡ୍‌ ଅସହାୟ ପିଲାଙ୍କର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ; ତେବେ କରୋନା ଯୋଗୁଁ ଅନାଥ ହୋଇଥିବା ପିଲାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉ। ନିଃସହାୟ ପିଲାଙ୍କୁ ଠାବ କରି ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ହେଲେ ଏକ ଦକ୍ଷ ପରିଚାଳକଙ୍କ ଦଳ ଆବଶ୍ୟକ। ସରକାର ଏଥିପାଇଁ ଏକ ସ୍ବତନ୍ତ୍ର ନିରୀକ୍ଷଣ ଓ ନିୟନ୍ତ୍ରଣ ସମିତି ଗଠନ କରନ୍ତୁ, ଯାହା ଅନାଥ ପିଲାଙ୍କୁ ଯୋଡ଼ା ଯାଉଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତଦାରଖ କରିବ। କେନ୍ଦ୍ର ସରକାରଙ୍କ ସହାୟତା ଯୋଜନାର ସୁଫଳ ଯେପରି ଏହି ପିଲାଏ ପାଇବେ, ତାହା ମଧ୍ୟ ଏହି ସମିତି ସୁନିଶ୍ଚିତ କରିବ। ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକ ପାଣ୍ଠି ଗଠନ କରାଯାଉ, ଯେଉଁଥିରେ ସାଧାରଣ ଲୋକେ ମଧ୍ୟ ସହାୟତା ରାଶି ଦେଇପାରିବେ।

କୋଭିଡ୍‌-୧୯ ଅନାଥ ପିଲାଙ୍କୁ କେହିକେହି ପୋଷ୍ୟ ଭାବେ ଗ୍ରହଣ କରିବାକୁ ମନ ବଳାଉଛନ୍ତି। ମାନବିକ ଦୃଷ୍ଟିକୋଣରୁ ଏହା ଏକ ଉତ୍ତମ ଚିନ୍ତାଧାରା, ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ପୂର୍ବରୁ ଦେଖାଯାଇଛି ଯେ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ ହେଁ ସେମାନଙ୍କ ଉପଯୁକ୍ତ ତତ୍ତ୍ବାବଧାନ ନେବାରେ ଲୋକେ ବିଫଳ ହୋଇଥା’ନ୍ତି। କେତେକ କ୍ଷେତ୍ରରେ ଶିଶୁମାନେ ନିର୍ଯାତିତ ମଧ୍ୟ ହୁଅନ୍ତି। ଏହି କାରଣରୁ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଯଥାର୍ଥ ନିର୍ଦେଶ ଦେଇଛନ୍ତି ଯେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ଗ୍ରହଣ ସଂସ୍ଥାନ କର୍ତ୍ତୃପକ୍ଷ (ସିଏଆର୍‌ଏ)ର ସଂପୃକ୍ତି ବିନା କାହାକୁ ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଅନୁମତି ଦିଆଯିବ ନାହିଁ। ଅସାଧୁ ଲୋକେ ଅନାଥ ଶିଶୁଙ୍କୁ ନେଇ ସେମାନଙ୍କ ନାଁରେ ଅର୍ଥ ସଂଗ୍ରହ ଭଳି ଅନୈତିକ କାର୍ଯ୍ୟ ମଧ୍ୟ କରିପାରନ୍ତି। ଏଥିପ୍ରତି ସରକାରୀ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ରହିବା ଆବଶ୍ୟକ।

Comments are closed.