ପଞ୍ଜାବରୁ ଶିକ୍ଷା

ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଥିବା ପଞ୍ଜାବ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଦୃଷ୍ଟାନ୍ତ ପାଲଟିଛି

ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ‘କାର୍ଯ୍ୟଦକ୍ଷତା ପରିମାପ ସୂଚକାଙ୍କ ୨୦୧୯-୨୦’ରେ ଓଡ଼ିଶା ପୂର୍ବ ବର୍ଷଠାରୁ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ସନ୍ତୋଷଜନକ ନୁହେଁ। ମୁଖ୍ୟତଃ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୭୦ଟି ମାପଦଣ୍ଡକୁ ଆଧାର କରି ରାଜ୍ୟଗୁଡ଼ିକର କାର୍ଯଦକ୍ଷତାକୁ ମାପିବା ପାଇଁ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ୨୦୧୮-୧୯ ଶିକ୍ଷାବର୍ଷରେ ଓଡ଼ିଶା ୭୪୯ ଅଙ୍କ ସହ ତୃତୀୟ ଗ୍ରେଡ୍‌ ହାସଲ କରିଥିବାବେଳେ ଏଥର ୮୩୮ ଅଙ୍କ ସହ ପ୍ରଥମ ଗ୍ରେଡ୍‌କୁ ଉନ୍ନୀତ ହୋଇଛି; ତା’ ସତ୍ତ୍ବେ ଏହା ଗୋଟିଏ ବର୍ଷରେ ସାମଗ୍ରିକ ଭାବେ ୧୦ ଶତାଂଶ ଉନ୍ନତି କରିଥିବା ରାଜ୍ୟ ତାଲିକାରେ ସ୍ଥାନ ପାଇନାହିଁ। ଏଥିରୁ ବିଦ୍ୟାଳୟ ଶିକ୍ଷା ବିକାଶ କ୍ଷେତ୍ରରେ ଏହା ଅନ୍ୟ ରାଜ୍ୟଠାରୁ ପଛରେ ପଡ଼ିଛି ବୋଲି କୁହାଯାଇପାରେ। ଅନେକ ସମୟରେ ଏପରି ସୂଚକାଙ୍କ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠେ; ତଥାପି ଏହା ମୋଟାମୋଟି ଭାବେ ଅନ୍ୟ ରାଜ୍ୟ ସହ ତୁଳନୀୟ ହେଉଥିବାରୁ ଏହାର ଗୁରୁତ୍ବକୁ ଉପେକ୍ଷା କରାଯାଇନପାରେ। ଅତଏବ ଏ କ୍ଷେତ୍ରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିବା ଦରକାର ଏବଂ ସେହି ଅନୁସାରେ ପଦକ୍ଷେପମାନ ଗ୍ରହଣ କରିବା ବିଧେୟ।

ଆମ ଦେଶରେ ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ଧରି ବିଦ୍ୟାଳୟ ଶିକ୍ଷାର ଉନ୍ନୟନ ପାଇଁ ବିବିଧ ପ୍ରକାରର ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସମସ୍ତ ପିଲାଙ୍କୁ ବିଦ୍ୟାଳୟକୁ ଆଣି ଶିକ୍ଷା ଦେବା ଏବଂ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ପୁନଃ ବିଦ୍ୟାଳୟକୁ ଆଣି ନାମ ଲେଖାଇବା ଇତ୍ୟାଦିକୁ ଗୁରୁତ୍ବ ଦିଆଯାଇଆସିଛି। ୨୦୦୯ରେ ଶିକ୍ଷା ଅଧିକାର ଆଇନ ପ୍ରଣୀତ ହେବାପରେ ଏହି ସ୍ଥିତିରେ ଅନେକ ପରିମାଣରେ ଉନ୍ନତି ଆସିଛି, ସେଥିରେ ସନ୍ଦେହ ନାହିଁ। ଏହି ଆଇନରେ ସମସ୍ତଙ୍କ ପାଇଁ ଶିକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଶିଶୁଙ୍କୁ ବିଦ୍ୟାଳୟକୁ ଆଣି ଶିକ୍ଷାଦାନ କରିବା ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ବାଧ୍ୟ। ଏ କ୍ଷେତ୍ରରେ ମଧ୍ୟାହ୍ନ ଭୋଜନ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହାଫଳରେ ଗରିବ ପିଲାମାନେ ବିଦ୍ୟାଳୟମୁହାଁ ହୋଇଛନ୍ତି, ଏହା ପ୍ରମାଣିତ। ତେବେ ଏହା ସତ୍ତ୍ବେ ଆମେ ଆଶାନୁରୂପ ସଫଳତା ହାସଲ କରିପାରି ନାହୁଁ। ସାରା ଦେଶରେ କରାଯାଉଥିବା ‘ଅସର୍‌’ ସର୍ବେକ୍ଷଣ ଓ ଅନ୍ୟାନ୍ୟ ଅନୁଧ୍ୟାନ ବିବରଣୀରୁ ଜଣାପଡ଼େ ଯେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ପାଟୀଗଣିତ, ପୁସ୍ତକ ପଠନ ଓ ଶବ୍ଦ ଲିଖନ ଆଦି ମଧ୍ୟ ଆସେ ନାହିଁ। ପଞ୍ଚମ ଶ୍ରେଣୀର ପିଲା ଦ୍ବିତୀୟ ଶ୍ରେଣୀର ପାଠ ଜାଣନ୍ତି ନାହିଁ। ଏପରି ସ୍ଥିତିରେ କେନ୍ଦ୍ର ମନ୍ତ୍ରଣାଳୟ ପ୍ରସ୍ତୁତ ତାଜା ସୂଚକାଙ୍କରେ ପଞ୍ଜାବ ଦେଶରେ ଶୀର୍ଷସ୍ଥାନ ହାସଲ କରିଥିବାରୁ ଏହି ରାଜ୍ୟ ଏବେ ସ୍ବାଭାବିକଭାବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

ପଞ୍ଜାବରେ ଗତ କେଇବର୍ଷ ଧରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ କରିବାର ଲକ୍ଷ୍ୟ ସ୍ଥିର କରାଯାଇ ସେଠାକାର ଶିକ୍ଷା ବିଭାଗ ଦ୍ବାରା ପଦକ୍ଷେପମାନ ନିଆଯାଇଛି। ସେଠାକାର ଶିକ୍ଷା ସଚିବଙ୍କ ନେତୃତ୍ବରେ ହୋଇଥିବା ଏହି ଅଭିନବ ପଦକ୍ଷେପରେ ଉପଯୁକ୍ତ ଯୋଗ୍ୟତାସଂପନ୍ନ ଶିକ୍ଷକ ମନୋନୟନ, ଛାତ୍ର-ଶିକ୍ଷକଙ୍କ ଉଚିତ ଅନୁପାତ, ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ଆଦି ଗୁରୁତ୍ବ ପାଇଛି। ଆଧୁନିକ ଶିକ୍ଷା ପଦ୍ଧତିକୁ କାର୍ଯ୍ୟକାରୀ କରିବାପାଇଁ ପାରମ୍ପରିକ ମାଧ୍ୟମ ବ୍ୟତୀତ ଡିଜିଟାଲ୍‌ ମାଧ୍ୟମକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। କୋଭିଡ୍‌-୧୯ ମହାମାରୀ ପରି ଏକ ସଙ୍କଟ ସମୟରେ ମଧ୍ୟ ସେହି ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ୧୫ ଶତାଂଶ ଅଧିକ ପିଲା ନାମ ଲେଖାଇଥିବା ନୂତନ ପଦକ୍ଷେପର ସଫଳତାକୁ ଦର୍ଶାଇଥାଏ।

କରୋନା ଭୂତାଣୁର ସଂକ୍ରମଣ ଯୋଗୁଁ ସେଠାରେ ମଧ୍ୟ ଦୀର୍ଘଦିନ ଧରି ବିଦ୍ୟାଳୟ ବନ୍ଦ ରହିଥିଲା; କିନ୍ତୁ ପଞ୍ଜାବ ସରକାର ତା’ ସତ୍ତ୍ବେ ସେଠାକାର ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ସୁବିଧାସୁଯୋଗ ଅନୁସାରେ ଶିକ୍ଷାଦାନ କରିବାକୁ ଚେଷ୍ଟା କରିଥିଲେ ଏବଂ ସଫଳ ହୋଇଥିଲେ। ଗତ କିଛି ବର୍ଷ ମଧ୍ୟରେ ସେଠାକାର ଶିକ୍ଷା ବିଭାଗ ସରକାରୀ ବିଦ୍ୟାଳୟଗୁଡ଼ିକୁ ‘ସ୍ମାର୍ଟ’ କରିବାକୁ ଉଦ୍ୟମ କରିଆସିଛନ୍ତି ଏବଂ ସରକାରୀ ହିସାବ ଅନୁସାରେ ବର୍ତ୍ତମାନ ସୁଦ୍ଧା ୬୭ ଶତାଂଶ ବିଦ୍ୟାଳୟ ‘ସ୍ମାର୍ଟ ବିଦ୍ୟାଳୟ’ର ମାନ୍ୟତା ହାସଲ କରିଛନ୍ତି। ଏସବୁ ବିଦ୍ୟାଳୟ ସଂପୂର୍ଣ୍ଣ ରୂପେ ଆଧୁନିକ ପ୍ରଯୁକ୍ତିଯୁକ୍ତ, ଯେଉଁଠି ପିଲା ଶ୍ରେଣୀକକ୍ଷର ଦ୍ବାର, ଝରକା, ଚଟାଣ ଆଦି ସ୍ଥାନକୁ ମଧ୍ୟ ଶିକ୍ଷା ଉପକରଣ ଭାବେ ବ୍ୟବହାର କରିବା ଭଳି ସୁବିଧା ସୃଷ୍ଟି କରାଯାଇଛି।

ଦେଶରେ ଯେଉଁ ନୂତନ ଶିକ୍ଷାନୀତି ପ୍ରଣୀତ ହୋଇଛି, ପଞ୍ଜାବ ସେଥିପାଇଁ ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରିସାରିଥିବା ପରି ମନେହେଉଛି। ଅତଏବ ଏହି ରାଜ୍ୟରୁ ଶିକ୍ଷା ଗ୍ରହଣ କରି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ସେପରି ପଦକ୍ଷେପ ଗ୍ରହଣ କରିପାରିବେ। ଗତ କେଇବର୍ଷ ମଧ୍ୟରେ ଦିଲ୍ଲୀ ସରକାରଙ୍କ ଉଦ୍ୟମ ଯୋଗୁଁ ସେଠାକାର ବିଦ୍ୟାଳୟ ଶିକ୍ଷାର ପରିବର୍ତ୍ତିତ ରୂପ ମଧ୍ୟ ଅନେକଙ୍କ ପାଇଁ ଆଦର୍ଶ ହୋଇଛି। ଏସବୁ ବିଦେଶରେ ନୁହେଁ, ଆମ ନିଜ ଦେଶରେ ହୋଇଥିବାରୁ ଆମପାଇଁ ମଧ୍ୟ ଏହା ଗ୍ରହଣଯୋଗ୍ୟ। ଓଡ଼ିଶାରେ ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷା ପଦ୍ଧତି ଦେଖିଲେ ହତାଶ ହେବାକୁ ପଡ଼େ। ରାଜ୍ୟ ସରକାର ଏହାକୁ ଅଗ୍ରପ୍ରାଧାନ୍ୟ ଦେଇ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବା ସହ ଅଭିନବ ଓ ସୃଜନଶୀଳ ଶିକ୍ଷା ପଦ୍ଧତି ଆପଣାଇବାର ସମୟ ଆସିଛି।

Comments are closed.