ନକଲି ଔଷଧର ଦେଶ!

ବ୍ୟାପକ ନକଲି ଓ ନିମ୍ନମାନର ଔଷଧ କାରବାର ନିମନ୍ତେ କେବଳ ଏହାର ନିର୍ମାତା ନୁହନ୍ତି, ସରକାରୀ ବ୍ୟବସ୍ଥା ମଧ୍ୟ ସମଧିକ ଦାୟୀ

ଗତ ଦୁଇ ଦିନ ଭିତରେ ରାଜ୍ୟର କଟକ, ବରଗଡ଼, ରାଉରକେଲା ଓ ବାରିପଦା ସମେତ ଅନ୍ୟାନ୍ୟ ସ୍ଥାନରୁ ଲକ୍ଷଲକ୍ଷ ଟଙ୍କାର ନକଲି ଔଷଧ ଜବତ ହେବା ଅତି ଉଦ୍ବେଗଜନକ। କୋଭିଡ୍ ମହାମାରୀ ଭଳି ଅଭୂତପୂର୍ବ ସଙ୍କଟ ସମୟରେ ଅମ୍ଳଜାନଠାରୁ ଆରମ୍ଭ କରି କୋଭିଡ୍ ପାଇଁ ଦିଆଯାଉଥିବା ଔଷଧର କେବଳ କଳାବଜାର ହେଉନାହିଁ, ନକଲି ଔଷଧ ମଧ୍ୟ ନିର୍ଭୟରେ ବିକ୍ରି କରାଯାଉଛି, ଏହି ଘଟନା ତା’ର ଏକ ପ୍ରମାଣ। ଅବଶ୍ୟ ଏହା ଆଦୌ ନୂଆକଥା ନୁହେଁ। ପୂର୍ବରୁ ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ନକଲି ଔଷଧ ଜବତ ହୋଇସାରିଛି; ତେବେ ଏହାର ଦୋଷୀମାନେ ଆଦୌ ଧରାପଡ଼ି ନାହାନ୍ତି ବା ଧରାପଡ଼ିଥିଲେ ହେଁ ଦଣ୍ଡିତ ହୋଇନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନକଲି ଔଷଧ ଓ ଭେଷଜ ସାମଗ୍ରୀର କଳାବଜାରୀ ଆଦିକୁ ରୋକିବା ପାଇଁ ଭେଷଜ ନିରୀକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ ନିୟମିତ ଭାବେ ଧରପଗଡ଼ ହେଉନଥିବାରୁ ନକଲି କାରବାର କରୁଥିବା ବ୍ୟବସାୟୀମାନେ ଆରାମରେ ନିଜର କଳାସାମ୍ରାଜ୍ୟକୁ ଚଳାଇ ରଖିବାରେ ସଫଳ ହେଉଛନ୍ତି। ସୂଚନା ଅନୁଯାୟୀ ଏଥର ମଧ୍ୟ ଅନ୍ୟ ରାଜ୍ୟରୁ ଗୁଇନ୍ଦା ସୂଚନା ପାଇବାପରେ ହିଁ ନିର୍ଦିଷ୍ଟ ଦୋକାନରେ ଚଢ଼ଉ କରାଯାଇଥିଲା। ଏଥିରୁ ଭେଷଜ ନିୟନ୍ତ୍ରକ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।

କୋଭିଡ୍ ଔଷଧ ଭାବେ ନକଲି ଫାଭିପିରାଭିର୍ ଓ ରେମ୍ଡିସିଭିର୍ ଆଦି ବିକ୍ରି କରୁଥିବା ଦଶ ଜଣରୁ ଅଧିକ ବ୍ୟକ୍ତିଙ୍କୁ ପୂର୍ବରୁ ଦିଲ୍ଲୀ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ଗିରଫ କରାଯାଇ ସାରିଛି। ଏହା ଜଣାଥିବା ସତ୍ତ୍ବେ ରାଜ୍ୟରେ ନିୟମିତ ଧରପଗଡ଼ ନ ହେବା ବିଡ଼ମ୍ବନାର ବିଷୟ। ଆଉ କେଉଁକେଉଁ ସ୍ଥାନକୁ ଏହି ନକଲି କୋଭିଡ୍ ଔଷଧ ପଠାଯାଇଛି, ତା’ର ତୁରନ୍ତ ଅନୁସନ୍ଧାନ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଏହି ଅସାଧୁ ଲୋକଙ୍କ ଲୋଭ କାରଣରୁ କେତେ ଯେ ଜୀବନ ଯାଇଥିବ, ତାହା ଅକଳନୀୟ। ଲୋକଙ୍କ ମୃତ୍ୟୁ ପାଇଁ କେବଳ ସେହି ନକଲି ଔଷଧ ନିର୍ମାତା ବା ଅସାଧୁ ବ୍ୟବସାୟୀ ନୁହନ୍ତି, ସରକାରୀ ବ୍ୟବସ୍ଥା ମଧ୍ୟ ସମଧିକ ପରିମାଣରେ ଦାୟୀ।

ଭାରତ ବିଶ୍ବର ସର୍ବାଧିକ ଏବଂ ଶସ୍ତା ଔଷଧ ନିର୍ମାତା ଦେଶ ଭାବେ ଯେତିକି ସୁଖ୍ୟାତି ଅର୍ଜିଛି, ଗତ କିଛି ବର୍ଷ ମଧ୍ୟରେ ଏହା ଚୀନଠାରୁ ମଧ୍ୟ ଅଧିକ ନକଲି ଓ ନିମ୍ନମାନର ଔଷଧ ନିର୍ମାତା ଦେଶ ଭାବେ କୁଖ୍ୟାତି ଅର୍ଜନ କଲାଣି। ଭାରତର ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ଔଷଧ ତିଆରି ପାଇଁ ଯେଉଁ କଞ୍ଚାମାଲ୍ ବ୍ୟବହାର କରନ୍ତି, ତା’ର ପ୍ରାୟ ୭୦ ଶତାଂଶ ଚୀନରୁ ଆମଦାନୀ ହୋଇଥାଏ। ଅବଶ୍ୟ ଗତ ଦୁଇବର୍ଷ ଭିତରେ ଏହା ସାମାନ୍ୟ ହ୍ରାସ ପାଇଛି; କିନ୍ତୁ ଏ କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ବଢ଼ାଇବା ଜରୁରୀ। ତେବେ ସବୁଠୁ ବଡ଼ ଚିନ୍ତାର କଥା ହେଲା ଦେଶରେ ଯେଉଁ ‘ଜେନେରିକ୍’ ବା ମୌଳିକ ଉପାଦାନବିଶିଷ୍ଟ ଔଷଧ ତିଆରି ହୋଇଥାଏ, ସେଥିମଧ୍ୟରୁ ଅନେକ ମାନ ଦୃଷ୍ଟିରୁ ନ୍ୟୂନ ବୋଲି ବାରମ୍ବାର ପ୍ରମାଣିତ ହୋଇଆସିଛି। ଭାରତ ସରକାର ଯେତେବେଳେ ଅଳ୍ପଦାମରେ ଜେନେରିକ୍ ଔଷଧ ବିକ୍ରି ପାଇଁ ‘ଜନଔଷଧି’ ଯୋଜନା ପ୍ରଚଳନ କଲେ, ସେତେବେଳେ ଚାରି ମାସ ଭିତରେ ପ୍ରାୟ ୧୧ ପ୍ରକାରର ଔଷଧ ନିମ୍ନମାନର ବୋଲି ପରୀକ୍ଷାରେ ଜଣାପଡ଼ିଥିଲା; ତେଣୁ ସେଗୁଡ଼ିକୁ ଫେରାଇ ଦିଆଯାଇଥିଲା।

୨୦୧୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତା’ର ଏକ ବିବରଣୀରେ ପ୍ରକାଶ କରିଥିଲା ଯେ ଭାରତ ସମେତ ପୃଥିବୀର ଅଳ୍ପ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ୧୦.୫ ଶତାଂଶ ଔଷଧ ନକଲି ଓ ନ୍ୟୂନ ମାନର। ସେହିପରି ୨୦୧୮ରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଂଗଠନ ଭାରତୀୟ ବଜାରରେ ବିକ୍ରି ହେଉଥିବା ଜେନେରିକ୍ ଔଷଧଗୁଡ଼ିକର ୪.୫ ଶତାଂଶ ନିମ୍ନ ମାନର ବୋଲି କହିଥିଲା। ଏ କ୍ଷେତ୍ରରେ ଏକ ବଡ଼ ସମସ୍ୟା ହେଲା ଦେଶରେ ପ୍ରାୟ ୧୨ ହଜାରରୁ ଅଧିକ ଔଷଧ ନିର୍ମାତା କମ୍ପାନୀଙ୍କ ଭିତରୁ ଏକ ଚତୁର୍ଥାଂଶ ହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଦର୍ଶ ନିର୍ମାଣ ପଦ୍ଧତିକୁ ଅନୁସରଣ କରି ଔଷଧର ମାନକୁ ବଜାୟ ରଖିଥାନ୍ତି। ଅନ୍ୟମାନଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ।

ଭାରତରେ ପୂର୍ବରୁ ନକଲି ଓ ନିମ୍ନ ଗୁଣବତ୍ତା ଔଷଧ ତିଆରିକୁ ରୋକିବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ‘ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ ୧୯୪୦’ ପ୍ରଣୀତ ହୋଇଥିଲା, କିନ୍ତୁ ଏ ନେଇ ୨୦୦୩ ମାସେଲ୍କର ସମିତି କହିଥିଲେ ଯେ ଅନେକ ରାଜ୍ୟରେ ଏହାର କାର୍ଯ୍ୟକାରିତା ଅସନ୍ତୋଷଜନକ। ଏଥିପାଇଁ ସମିତି ଆଇନରେ ଥିବା ବିଭିନ୍ନ ଅସଂଗତି ଏବଂ ନିୟନ୍ତ୍ରକ ଅଧିକାରୀମାନଙ୍କ ଅସମର୍ଥତାକୁ ଦାୟୀ କରିଥିଲେ। ଏହାପରେ ୨୦୦୮ରେ ‘ଔଷଧ ଓ ପ୍ରସାଧନ ସାମଗ୍ରୀ ସଂଶୋଧନ ଆଇନ’ ପ୍ରଣୀତ ହେଲା। ଆଶା କରାଯାଉଥିଲା ଯେ ଏହା କାର୍ଯ୍ୟକାରୀ ହେଲେ ନକଲି ଔଷଧ ଓ ଅସାଧୁ ବ୍ୟବସାୟୀ ଓ ଦୋକାନୀଙ୍କ ଉପରେ ଅଙ୍କୁଶ ଲାଗିପାରିବ; କିନ୍ତୁ ବର୍ତ୍ତମାନ ସମଗ୍ର ଭାରତରେ ଯେପରି ବ୍ୟାପକ ଭାବେ ଏହା ଦେଖାଯାଉଛି, ସେଥିରୁ ଏ ଆଇନର ବିଫଳତା ଅନୁମେୟ। ଏହା ସତ୍ୟ ଯେ ବର୍ତ୍ତମାନର ଆଇନର ମଧ୍ୟ ଠିକ୍ଭାବେ ଯଦି କାର୍ଯ୍ୟାନ୍ବୟନ ହୁଅନ୍ତା, ତା’ହେଲେ ଏ ସମସ୍ୟା ଅନେକ ପରିମାଣରେ ଦୂର ହୋଇପାରନ୍ତା। ସରକାର ଓ ସଂପୃକ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

Comments are closed.