ସରକାରୀ ପ୍ରବଞ୍ଚନା

ସବୁବେଳେ ସବୁକଥା ମନକୁ ଭେଦେନି କି ମନ ବି ଧରେନି। କଥାଟା ଯେତେ ଗରୁଆ ହୋଇଥାଉ ପଛେ ଏ କାନରେ ପଶି ସେ କାନେ ବାହାରି ଯାଏ। ଗୋଟେଗୋଟେ ପଦେପଦେ କଥା ମନରେ ଯେମିତି ପିଟି ହୋଇଯାଏ, ସେମିତି ପ୍ରତିକ୍ରିୟା ବି ସୃଷ୍ଟି ହୋଇଯାଏ। ବିବାହ ବେଦୀରେ ହାତ ଗଣ୍ଠି ପୂର୍ବରୁ ‘‘ଅତ୍ର ସାବଧାନ ଭବ’’ ବାଣୀ କୋଉ ପୁରୋହିତ କୋଉ ବର କନ୍ୟାଙ୍କୁ କହି ନ ଥାନ୍ତି ଯେ! ୟା ପରେ ଏ ବିଷମ ସଂସାରରେ ତମେ ପଶିବ, ଫସିବ, ଏଇ ସାବଧାନତା କାଳେ କାଳେ ଦିଆହୋଇ ଆସୁଛି। ମାତ୍ର କୋଉ ବର କି କୋଉ କନ୍ୟା ବିଭା ବେଦୀରୁ ଉଠି ଦଉଡ଼ନ୍ତି? ବରଂ ବରକନ୍ୟାଙ୍କର ପ୍ରଥମ ସ୍ପର୍ଶ ଏ ‘ହାତ ଗଣ୍ଠି’ ଦେହକୁ ମନକୁ କେତେ ରୋମାଞ୍ଚିତ କରେ, କନିଅଁା ଆଖିରେ, ମୁହଁରେ କେତେ ଲାଜ ବୋଳି ହୋଇଯାଏ କିଏ ନ ଜାଣେ? ଅବଶ୍ୟ ୟେ ସେ କାଳିଆ ବିବାହ ବ୍ୟବସ୍ଥାର କଥା। ଆଜିକାଲି ତ ବିବାହ ପୂର୍ବରୁ ବରକନ୍ୟା ନିଜ ଦିହ ଓ ମନକୁ କେତେ ବାଗରେ, କେତେ ବାଟରେ ପରୀକ୍ଷା କରାଇ ନେଇଥାନ୍ତି ଯେ, ଏ ବ୍ୟବସ୍ଥାରେ ଲାଜ ଲେସି ହେବା, ଘଷି ହେବା କଥା ଛାଡ଼ିଛୁଡ଼ି ଯାଇ ମୁହଁ ମନ ଓ ଦିହକୁ ବରଂ ନିଲଠିଆ କରି ଦେଇଥାଏ। ୟେ କୁଆଡ଼େ ପ୍ରଗତିଶୀଳତା, ସ୍ବାଧୀନତା। ଛାଡ଼ନ୍ତୁ ସେ କଥା। କିଛି କି ବି ଭୁଲ କହୁନୁ। କାଳର ୟେ ଖେଳ।

ସେଦିନ କିନ୍ତୁ ଏଇ କଥାଟା ରାମଦାସଙ୍କୁ ଭେଦିଗଲା। ସେ ଉଠି ସିଧା ଚାଲିଲେ। ପୁରୋହିତ କି ଅନ୍ୟମାନେ ଭାବିଲେ ବର-ପୁଅକୁ ଏକ ଲାଗିଲା ନା କ’ଣ! ମାତ୍ର ଚେତନୋଦୟର ମୁହୂର୍ତ୍ତ ୟେ ଥିଲା। ​ସେ ହେଲେ ଭାରତ ବିଖ୍ୟାତ ଛତ୍ରପତି ଶିବାଜିଙ୍କ ଗୁରୁ ସମର୍ଥ ରାମଦାସ। ଖାଲି ତାଙ୍କ କଥା କ’ଣ, ନଚିକେତାଙ୍କୁ ଦେଖୁନ। ପିତା ଯାଜ୍ଞବଳ୍‌କ୍ୟ ବିଶ୍ବଜିତ ଯଜ୍ଞ କରି ସର୍ବସ୍ବ ଦାନ କରି ଖଣ୍ଡେ ଲେଙ୍ଗୁଟି ସର୍ବସ୍ବ ହୋଇଗଲେ। ବଡ଼ ବିସ୍ମୟରେ, ଭାବୋଚ୍ଛ୍ବାସରେ ବାଳକ ନଚିକେତା ପିତାଙ୍କର ଏ ଅପୂର୍ବ ଓ ଅଦ୍ଭୁତ ଦାନଶୀଳତା ଦେଖି ତଟସ୍ଥ ହୋଇ ଯାଉଥାନ୍ତି। କଷ୍ଟାର୍ଜିତ, ପ୍ରିୟ ସମ୍ପତ୍ତି ଓ ପଦାର୍ଥମାନ ଗୋଡ଼ି ଟେକା ପରି ସଭକ୍ତି ଦେଇ ଦେଉଥାନ୍ତି, ତା’ ତାଙ୍କୁ ଆଲୋଡ଼ିତ ବି କରୁଥାଏ। ଦାନର ଏ ଅପୂର୍ବ କଳା କଥା ସେ ଭାବୁଥାନ୍ତି। ଆଜି ଯେମିତି ଓଡ଼ିଶାର ଗୌରବ ଡଃ ଅଚ୍ୟୁତ ସାମନ୍ତ ‘ଆର୍ଟ ଅଫ୍‌ ଗିଭିଙ୍ଗ’ ଦାନ ବା ଦେବାର କଳା କଥା ପ୍ରଚାର, ପ୍ରସାର ପାଇଁ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଖୋଲି ଗୁରୁମନ୍ତ୍ର ଏ ଜନତାଙ୍କୁ ଦେବାର ପ୍ରୟାସ କରୁଛନ୍ତି। ମାତ୍ର ଆମେ ସାଧାରଣ ସାଦାସିଧା ଲୋକେ ବରଂ ‘‘ଆର୍ଟ ଅଫ୍‌ ରିସିଭିଙ୍ଗ’’ ଦାନ ଗ୍ରହଣ ବା ପ୍ରାପ୍ତିର କଳାରେ ଆଗ୍ରହୀ।

ସେ ଯାହା ହେଉ ଯଜ୍ଞ ସରି ସରି ଆସୁଥାଏ, ଏକ ମାତ୍ର ପୁତ୍ର ନଚିକେତା ପିତାଙ୍କର ଏକ ଅପୂର୍ବ ସମ୍ପତ୍ତି ନିଶ୍ଚୟ। ତେଣୁ ଭାବିଲେ ଏ ସମ୍ପତ୍ତି କ’ଣ ସତରେ ପିତା ଦେଇପାରିବେ? ନୋହିଲେ ତ ଏତେ ବଡ଼ ଯଜ୍ଞ ଓ ଦାନର ପର୍ବ ବ୍ୟର୍ଥ ହୋଇଯିବ! ପଚାରିଲେ, ‘‘ପିତା ତମେ ମତେ କାହାକୁ ଦେବ?’’ ବାଚାଳ ବାଳକ ପୁତ୍ରର ଏ କଥା ଶୁଣିବା ଅବସ୍ଥାରେ ସେ ନ ଥିଲେ। ବାରମ୍ବାର ନଚିକେତାଙ୍କ ପ୍ରଶ୍ନରେ ବିରକ୍ତ ହୋଇଗଲେ, ଚିଡ଼ି ଉଠିଲେ ଯାଜ୍ଞବଳ୍‌କ୍ୟ। କହିଲେ, ‘‘ତତେ ଯମକୁ ଦେଲି, ଯମକୁ’’। ତା ପରେ ଋଷିବର ପୁଣି ଯଜ୍ଞ କର୍ମରେ ମଜ୍ଜିଗଲେ। ଋଷିପିତାଙ୍କର କେତେ ଗାଳି ବେଜିତ୍‌ ଶୁଣିଥିବା, ହଜମ କରି ଦେଇଥିବା ନଚିକେତାଙ୍କଠି ଏକଥା ଶର ଭେଦିଲା ପରି ଭେଦିଗଲା। ଋଷିପୁତ୍ର ସେ। ମନ ଓ ଦିହ ସର୍ବଦା ସାଧନମାର୍ଗୀ। ‘‘ବୀର୍ଯ୍ୟଗୁଣେ ମିରିଗ ଫୁଟୁ ଫୁଟିକା।’’ ଚାଲିଲେ ଯମାଳୟ। ଋଷିବର ଯଜ୍ଞ ଜଞ୍ଜାଳ ମୁକ୍ତ ହେବା ବେଳକୁ ଖୋଜିଲେ ପୁଅକୁ। ପୁଅ ଆଉ କୋଉ ଖଣ୍ଡମଣ୍ଡଳରେ ଅଛି ଯେ ତାକୁ ପାଇବେ? ବାରୁଦ ଠେଇ ନିଆଁ ବାଜିଗଲେ, ତାକୁ କିଏ ଆଉ ରଖେ? ଆରେ ଜାଣତରେ ହେଉ କି ଅଜାଣତରେ ହେଉ, ଢୋ ଢା ହେବା ସାରା। ଋଷି ବେଟା ଯମପୁରରେ। ସ୍ତମ୍ଭୀଭୂତ ହୋଇଗଲେ ଯମରାଜ। ଛାଡ଼ନ୍ତୁ ସେ ସବୁ କଥା। ଯମ ଓ ନଚିକେତାଙ୍କ ଏ ମୃତ୍ୟୁ ସମ୍ବନ୍ଧୀୟ ଆଲୋଚନା ‘‘କଠୋପନିଷଦ’’ ବନିଗଲା। ସେମିତି ଅନେକ ବ୍ରହ୍ମବାଣୀ ଓ ଚେତନାରେ ଏ ଅଜ୍ଞାନ ଓ ମୋହାନ୍ଧ ଜନତାଙ୍କ ପାଇଁ ଗୂହ୍ୟ ବା ଗୋପନ ବାଣୀମାନ ବିଞ୍ଚି ହୋଇ ଯାଇଛି, ବୁଣି ହୋଇଯାଇଛି। ତାକୁ କିଏ କେତେ ଘେନିଲା, ଭିନ୍ନ ଏକ ଆଲୋଚନା। ୟେ ତ ପ୍ରାରବ୍ଧ ପରିପାକରେ ପୁଣ୍ୟାତ୍ମାମାନଙ୍କ ଚିତ୍ତୋପଲବ୍ଧ ଜ୍ଞାନର ପରିଣତି। ମାତ୍ର ତେଲ ଲୁଣ ସଂସାରିଆଙ୍କ ଠି ଏକଥା ଭେଦି ସମର୍ଥ ରାମଦାସ ବା କଠୋପନିଷଦ ସୃଷ୍ଟି କରିପାରେନି। ଦେଖୁନା ଏଇ କୋଭିଡ୍‌ ଯୋଗୁଁ ସରକାର କଳକାରଖାନା କାମଧନ୍ଦା ବନ୍ଦ କରି ଦେଇଛନ୍ତି। ବେରୋଜଗାର, ଗରିବ ଲୋକେ ତ ବଞ୍ଚୁନାହାନ୍ତି, ମୃତ୍ୟୁ ଘୋଷଣାରେ କଲବଲ ଯାହା ହଉଚନ୍ତି, ତାକୁ ବୁଝିବାକୁ କିଏ ଅଛି?

ଶ୍ରୀଧର ମିଶ୍ରଙ୍କ ଝିଅ ‘ସୁଷମା’ ପାଞ୍ଚଭାଇରେ ଗୋଟିଏ ଝିଅ ସିନା, ସୁନ୍ଦରପଣିଆ ଓ ଗୁଣରେ ଜଗତଜିଣା। ଆର ଗାଁ ତ୍ରିନାଥ ତିଆଡ଼ିଙ୍କ ପୁଅ ସାରଙ୍ଗ ସହ ସୁଷମାର ବିଭାଘର ହୋଇଗଲା। ଝିଅ ବୋଝ ଉଠେଇବାକୁ ସୁଷମାକୁ ସିନା ମିଶ୍ରେ ଟେକି ଦେଲେ, ବରଟା ନା ସୁନ୍ଦର ନା ରୋଜଗାରିଆ। ଶ୍ରୀଧର ମିଶ୍ରଙ୍କ ସମୁଧୀ, ମଝିଆ ପୁଅର ଶ୍ବଶୁର ଆଇ.ଏ.ଏସ୍‌. ଅଫିସର କଲିକତାରେ। ତାଙ୍କୁ କୁହା ବୋଲା କରି ସେଠି ଗୋଟେ କମ୍ପାନୀରେ ସାରଙ୍ଗକୁ ରଖି ଦେଇଥିଲେ। କରୋନା ଯୋଗୁଁ କମ୍ପାନୀ ବନ୍ଦ, ଛଟେଇ। ସାରଙ୍ଗ ଗଲା ବର୍ଷଠୁ ଆସି ଶ୍ବଶୁର ଘରେ ରହୁଛି। ଏଇ ଗତ ସାବିତ୍ରୀରେ ସୁଷମା ପାଇଁ ସେ କୋଉ ଶାଢ଼ି ଓ ଶଙ୍ଖା କିଣି ପାରିଥିଲା କି? ଶଳା ଭାଉଜମାନେ ନୂଆ ଶାଢ଼ି ପିନ୍ଧିବେ, ସୁଷମା ମୁହଁ ଶୁଖାଇ ଥିବ। ଭାଉଜମାନଙ୍କୁ ମାଗି ନଖପଚା, ଅଳତା ଲଗେଇବ କେମିତି? ତା ମନ ବୁଝିଲାନି। ସାନ ଶଳାକୁ ସାବିତ୍ରୀ ପୂର୍ବଦିନ ଥଟ୍ଟା ମଜାରେ କହିଲା, ‘‘ଏଥର ଭଉଣୀ ପାଇଁ ସାବିତ୍ରୀକୁ ପାଟ ଶାଢ଼ିଟେ ଦେବୁ ବୋଧେ। ସେଲ୍‌ ଟିକସ ପଇସା, ତମର ଅଭାବ କ’ଣ?’’ ଛିଞ୍ଚାଡ଼ିଲା ଭଳି, ଅଟ୍ଟହାସ୍ୟ ଗଳାରେ ସାନ ଶଳା କହିଲେ, ‘‘ନିକମା କୁଆଡୁ ବୁଝିବ ଝାଳବୁହାର କଥା! ପାଟ କ’ଣ କସ୍ତା ଖଣ୍ଡେ ମାଇପକୁ ଦେବାକୁ ବଳ ନାହିଁ, ଅନ୍ୟକୁ କୁହାଯାଉଛି। ସରମ ସରିଗଲେ ଲୋକ ଏମିତି ହୁଏ।’’ ଏତକ କହି ଶଳା ଚାଲିଗଲା।

ସତରେ କଥାଟା ତା’ ଠେଇ ଗଳିଗଲା ପରି ଲାଗିଲା। ସରକାରଙ୍କ ତାଲାବନ୍ଦୀ ଏ ଗରିବ ଗୁରୁବାଙ୍କ ପାଇଁ। ଶାଢ଼ି ପଟା, ମାଂସ ବିରିଆନି ସବୁ କିନ୍ତୁ ବେଶ୍‌ ବିକ୍ରି ଚାଲିଛି। ବଡ଼ଶଳା ବି ଗଣ୍ଠିଲିଏ ଜିନିଷ କିଣି ଫେରିଲେ। ସବୁ ପଛ କବାଟିଆ ବେପାର। ଏ ଦେଶଟା ସତେ ଯେମିତି ପଛ କବାଟିଆ ହୋଇଯାଇଛି! ଛାତି ଭିତରଟା ତା’ର ଗୋଳି ଘାଣ୍ଟି ହୋଇଗଲା। ଭିତର ପିଣ୍ଡାରେ କାନ୍ଥକୁ ଆଉଜି ତା’ ସୁନ୍ଦରୀ ସୁଷମା ବସିଛି। ମୁହଁ ତା’ର ଶୁଖି ଯାଇଛି। ଅଯୋଗ୍ୟ ଏ ବରଟା ପାଇଁ ସେ ହୀନିମାନୀ ହୋଇଯାଇଛି। ସାରଙ୍ଗ ସତରେ ଆଜି ନିଜକୁ ବେରଙ୍ଗ ଅନୁଭବ କଲା। ତାକୁ ଗାଁମୁଣ୍ଡ ରେଳଧାରଣା ସତେ ଯେମିତି ଡାକିଲା। ତା’ ପରେ ସବୁ ଶେଷ। ସାବିତ୍ରୀ ପାଇଁ ଭାଇମାନେ କେହି ତା’ ପାଇଁ ନୂଆ ଶାଢ଼ି ଆଣି ନ ଥିଲେ। ବୋଧେ ଜାଣିଥିଲେ, ସୁଷମାର ‘ସାବିତ୍ରୀ’ ପୂଜା ସୌଭାଗ୍ୟ ସରିଯାଇଛି ବୋଲି। ସେଇ ରାତିରେ ତ କିଛି ଜଣାପଡ଼ିଲାନି, ସକାଳୁ ରେଳଧାରଣା‌ରେ ସାରଙ୍ଗର ଖଣ୍ଡବିଖଣ୍ଡିତ ଦିହ, ସାରା ଗଁା ସାବିତ୍ରୀ ଉତ୍ସବକୁ ସତେ ଯେମିତି ଖଣ୍ଡ ବିଖଣ୍ଡିତ କରି ଦେଇଛି। କି କୋଭିଡ କଟକଣା ମ! ଗାଁର ସବୁ ସ୍ତ୍ରୀମାନଙ୍କ ଆଖି ଖାଲି ଲୁହ ଜୁଡ଼ୁବୁଡ଼ୁ। ସାରା ଗଁାଟାର ମାଇପିମାନେ କେହି ବି ସାବିତ୍ରୀରେ ନୂଆ ଶାଢ଼ି ପିନ୍ଧିଲେ ନାହିଁ। କେମିତି ବି ପିନ୍ଧନ୍ତେ! ସୁନ୍ଦରୀ ସୁଷମା, କାହାର ନଣନ୍ଦ ତ କାହାର ଭଉଣୀ ତ କାହାର ଝିଅ କି କାହାର ‘ତୁଳସୀ’।

ଇୟେ ଆମ ଭାରତବର୍ଷ। ଆମ ‘‘ବସୁଧୈବ କୁଟୁମ୍ବକମ୍‌’’ର ଭାବ, ଭାଷା। କାଇଁ ଗହଳି, କାଇଁ ଉଲ୍ଲାସ। ଗାଁଟା ସାରା ଶୂନ୍‌ଶାନ। ଖାଁ ଖାଁ। ‘ସାବିତ୍ରୀ’ ଶ୍ରାବଣୀ ଲୁହରେ ସେ ଗଁାରୁ ଭାସିଯାଇଛି। ଦୁଃଖ ପଚପଚ ଗାଁରୁ ଏ ପାଣି ଶୁଖିନି, ରଜ ପହଞ୍ଚିଛି। ଆଜି ପହିଲି ରଜ ନା! ଦେଖୁନା ସୁଷମା ଗାଁକୁ, ବିନା ପୁଲିସ୍‌, ବିନା କଟକଣାରେ ସେ ଗାଁ କେମିତି ନିସ୍ତେଜିଆ ହୋଇଯାଇଛି! ତେବେ ‘ରଜ’ ତ ଧରିତ୍ରୀ ମା’ର ପୂଜା ନା! ଦିନରାତି ଅବିରତ ଖୋଳି ତାଡ଼ି ଏ ଧରିତ୍ରୀ ମା’ଠୁ ସ୍ବାର୍ଥ ଆଦାୟ ଏ ସନ୍ତାନ ବର୍ଗ କରି ଚାଲିଛନ୍ତି। ଏ ଦେଶ, ଏ ସଂସ୍କୃତିରେ ଏଇ ଚାରିଦିନ ଧରିତ୍ରୀ ମା’କୁ ଛୁଟି। ମା’ମାନେ କାନରେ କୁହାକୁହି ହେଉଛନ୍ତି, ‘‘ଧରିତ୍ରୀ ମା’ ପରା ଆଜି ରଜସ୍ବଳା’’। ପାଞ୍ଜିରେ ଏ ଦେଶର ତତ୍କାଳୀନ ବଡ଼ପଣ୍ଡାମାନେ ହୁଲିଆ ଜାରି କରିଦେଲେ, ‘‘ବୃଷାନ୍ତେ ମିଥୁନସ୍ୟାଦୌ ତନ୍ମଧ୍ୟେଽପିଦିନତ୍ରୟଂ, ରଜସ୍ବଳାସ୍ୟାତ୍‌ ପୃଥିବୀ କୃଷିକର୍ମ ବିଗର୍ହିତଂ’’। ଚାଷୀ ଭାଇମାନଙ୍କୁ, ସଭିଙ୍କୁ କୌଣସି କୃଷି କର୍ମ ନ କରିବାର ନିର୍ଦ୍ଦେଶ ରହିଲା। କିଏ ଜଗୁଛି, କିଏ ଦେଖୁଛି ଏ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା କି ନାହିଁ? ମାତ୍ର ସଭିଏଁ ଆପେ ଆପେ ଏକୁ ପାଳୁଛନ୍ତି।

ଧରିତ୍ରୀ ମା’ର ପ୍ରତିବିମ୍ବ, ପ୍ରତିଧ୍ବନି ଏଇ ମା’ମାନେ, ଭଉଣୀମାନେ ଆଜି ବି ବିଶ୍ରାମ ପାଇ ଯାଇଛନ୍ତି। ରୋଷ କର୍ମ, କଟାକଟି, ବଟାବଟି ବନ୍ଦ। ଗାଁ ଗାଁ ବୁଲି ଦୋଳି କରିବାରେ ମସ୍‌ଗୁଲ। ‘ବୁଲାନା’କୁ ରଜ ପୂର୍ବରୁ ଖୋଜା। ଦଳ ଦଳ ଝିଅ ବୋହୂଙ୍କର ବୁଲାନା ଘର ଆଗରେ ମେଳି। କିଏ କହେ ‘‘ବୁଲାନା’, ଆମ ପାଇଁ ଦଉଡ଼ି ଦୋଳି କରିଦେବ’’ ତ କିଏ ବାଉଁଶ ଦୋଳି ପାଇଁ ଅଳି କରେ। ‘ବୁଲାନା’ର କି ଆନନ୍ଦ ସେଥିରେ। ଇଏ ବି ହାତରୁ ଖାଇ ଘୋଡ଼ା ଆଗେ ଡେଇଁବା ଭଳି କାମଟାଏ। ବୁଲାର ସଂସାର କାଇଁ? ସିଏ ଜଣେ ଏ ସଂସାରରେ। ମାତ୍ର ସେ ଭାବେ ଗଁାଟା ଯାକ ତା’ର। ତା’ କଥା କହିଲେ ପୋଥି ହେବ। ଗତ ବର୍ଷ ପକ୍ଷାଘାତରେ ତା’ର ବାଁ ଅଙ୍ଗ ଚଳୁନି ପ୍ରାୟ। ଏଥର ସେମିତି ସେଇ ହାତରେ ସେ ଦୋଳି ବାନ୍ଧୁଛି ଆଉ କହୁଛି,– ‘‘ମା’ମାନେ କି ଖଟୁଛ ତମେ ଏ ସଂସାର ପାଇଁ, ଆମ ସଭିଙ୍କ ପାଇଁ। ଏଇ ଚାରିଦିନ ବୁଲ। ଖୁସି କର। ଦୋଳି ବନ୍ଧା ହୋଇଛି, ଝୁଲ ସେଥିରେ। ଝୁଲିଲା ବେଳେ ବି ବନସ୍ତ ଗଜର ପିଙ୍କାର ଶୁଣ ଓ ଭାଇମୁଣ୍ଡର ସୁନା ମକୁଟ ସ୍ବପ୍ନରେ, କଳ୍ପନାରେ ସାଇଁ ସାଇଁ ତମ ସହ ତମ ଦୋଳି ବି ହେଉଥାଉ।’’ ସେ ବି ଗାଉଥାଏ ତାଙ୍କ ସହ ‘‘ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ। ରଜ ଦୋଳି କଟକଟ, ମୋ ଭାଇ ମୁଣ୍ଡରେ ସୁନା ମକୁଟ ଲୋ ଦିଶୁଥାଏ ଝଟଝଟ’’, ଇତ୍ୟାଦି। ମାତ୍ର ବୁଲା ସେଇ ସାବିତ୍ରୀ ଦିନଠୁ କାନ୍ଦୁଛି ଯେ କାନ୍ଦୁଛି। ଦୋଳି ପାଇଁ ବାଉଁଶଗୁଡ଼ା, ଦଉଡ଼ି ସବୁ ସେମିତି ପଡ଼ି ରହିଛି ତା’ ଦୁଆରେ। ସେ ଏ ବର୍ଷ ଦୋଳି କରିବନି, କି କେହି ବି ଆସି ନାହାନ୍ତି ତାକୁ ଦୋଳି ବାନ୍ଧି ଦେବାକୁ କହିବାକୁ। ୟେ କ’ଣ ଏ ସରକାରୀ କଟକଣା ଯୋଗୁଁ? ନା। ସ୍ବାର୍ଥ କ୍ଷମତାରେ ବାଇ ଏ ନେତାଙ୍କୁ ଗଢ଼ା ସରକାରର ନିର୍ଦେଶରେ କୁ ଅଛି ଭାବ ନା ଆନ୍ତରିକତା? କହୁନା କାହାକୁ, ଦି’ ଗୁଣା ଟଙ୍କା ଦେଇ ତମ ପାଇଁ ଗାତ ଖୋଳି ଦେବ। ଲକ୍ଷେ ଟଙ୍କାକୁ ଏ ଲୋକେ ମୁହଁ ମୋଡ଼ି ଦେବେ, ‘‘ଆମ ଧରିତ୍ରୀ ମା’ ରଜସ୍ବଳା, କିଏ ଲୋ ସେ ପାପ କରିବ?’’

‘‘ସରକାର, ତମ ହୁକୁମରେ ନା ଅଛି ପ୍ରାଣ ନା ଭାବ। ଖାଲି ପ୍ରଚାରରେ ଆତ୍ମ ପ୍ରବଞ୍ଚନାରେ କି ମନ କିଣି ହେବ? ଗାନ୍ଧୀ କୁ କ୍ଷମତାରେ ଥିଲେ? ତାଙ୍କ ଡାକରାରେ ଦେଶ ବାଇଆ ହୋଇ ଯାଉଥିଲା। ସେ କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ହେଲେ? ଫିରିଙ୍ଗି ଶାସନକୁ ଉପାଡ଼ି ଫିଙ୍ଗି ଦେଲେ ନା ନାହିଁ ମ? କରୋନା ଆଳରେ, ମଣିଷକୁ ବେସାହାରା, ତା’ ମୃତ୍ୟୁରେ ଶବକୁ ହୀନିମାନିଆ କରିବା ବନ୍ଦ କର। ଆରେ କହୁଛ, ରୋଗୀ ନୁହଁ, ରୋଗକୁ ଘୃଣା କର। ମାତ୍ର ତମେ ଏବେ କରୁଛ କ’ଣ? ରୋଗୀ ପାଟିରେ ଶେଷ ମୁହୂର୍ତ୍ତରେ ପାଣି ଟୋପେ ଦିଆଇ ଦେଉନ, ରୋଗ ଦୂରର ଭାବ ନୁହଁ, ଆତଙ୍କ ତମେ ସୃଷ୍ଟି କରୁଛ। ଆଉ ସେଇ ଆତଙ୍କରୁ ହିଁ ଫାଇଦା ଉଠଉଛ। ଆମ ଗାଁକୁ ଆସି ଦେଖ ରଜ ପାଳୁଛୁ ମାତ୍ର ସେ ଆନନ୍ଦ କାଇଁ? ୟେ କ’ଣ କରୋନା ହୁଲିଆ?? ନା, ପ୍ରାଣର ପ୍ରାଣ ପ୍ରତି ଥିବା ଦରଦ। ତା’ ନାହିଁ ତ, ଛି ପଶୁପଣ ଖାଲି। ଯାହା ଆଜି ତମେ ଆମେ ସମସ୍ତେ ଭୋଗୁଛେ।’’ ବୁଲାନା ଏକଥା ଖାଲି ମନକୁ ମନ ଗପି ଚାଲିଛି।

Comments are closed.