ଦୋଛକିରେ କଂଗ୍ରେସ

ଦଳର ନେତୃତ୍ବକୁ ନେଇ ଦ୍ବନ୍ଦ୍ବ ଦୂର ନହେବା ପର୍ଯ୍ୟନ୍ତ କଂଗ୍ରେସ ପୁନଃ ଜନସାଧାରଣଙ୍କ ବିଶ୍ବାସ ଜିଣିବା କଷ୍ଟକର

ସୋମବାର ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଆସନ୍ତା ମାସରେ ପ୍ରସ୍ତାବିତ ଦଳୀୟ ସଭାପତି ନିର୍ବାଚନକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ପରେ ଦେଶର ଏହି ପୁରାତନ ରାଜନୈତିକ ଦଳ ଯେଉଁ ଦୋଛକିରେ ରହିଥିଲା, ସେହି ଅବସ୍ଥାରୁ ମୁକୁଳି ପାରିନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯିବା ନିଷ୍ପତ୍ତି ଠିକ୍‌ ହୋଇଥିଲେ ହେଁ ଏହାକୁ ଦଳର କର୍ମକର୍ତ୍ତାମାନେ କିପରି ଗ୍ରହଣ କରିବେ, ତାହା ଗୁରୁତ୍ବପୂର୍ଣ୍ଣ। ଅବଶ୍ୟ ଦଳର ବରିଷ୍ଠ ନେତୃବୃନ୍ଦ ଦେଶର ଅବସ୍ଥା ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇବାକୁ ମତ ଦେଇଥିଲେ। ସୂଚନାଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ସଭାପତି ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ ଏବଂ ତା’ପରଠାରୁ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଦାୟିତ୍ବ ନିର୍ବାହ କରୁଛନ୍ତି। ଅବଶ୍ୟ ସେ ଏବେମଧ୍ୟ ରାହୁଲଙ୍କୁ ଦଳର ନେତୃତ୍ବ ସମର୍ପିବାକୁ ଚାହୁଁଛନ୍ତି; କିନ୍ତୁ ରାହୁଲ ପଦ ପ୍ରତି ନିଷ୍ପୃହତା ଦେଖାଉଥିଲେ ହେଁ ସରକାରୀ ନୀତିକୁ ସମାଲୋଚନା କରି ନିଜ ନେତୃତ୍ବକୁ ସାବ୍ୟସ୍ତ କରିଚାଲିଛନ୍ତି। ତେବେ ନେହେରୁ-ଗାନ୍ଧୀ ପରିବାର ସଦସ୍ୟଙ୍କ ବିନା ଅନ୍ୟ କେହି କଂଗ୍ରେସର ନେତୃତ୍ବ ନିଅନ୍ତୁ ବୋଲି ଦଳର କିଛି ନେତା ଚାହୁଁଥିଲେ ମଧ୍ୟ ତାହା କିପରି ସମ୍ଭବ ଓ ସେ ବ୍ୟକ୍ତିଟି କିଏ, ସେହି ପ୍ରଶ୍ନର ସର୍ବସମ୍ମତ ଉତ୍ତର ଏବେ ବି କାହା ପାଖରେ ଥିବାପରି ଜଣାପଡ଼ୁ ନାହିଁ।

କଂଗ୍ରେସର ବିପର୍ଯ୍ୟୟ ଯେତିକି ବଢ଼ିଚାଲିଛି, ସେହି ପରିମାଣରେ ଏହି ପ୍ରଶ୍ନର ଗୁରୁତ୍ବ ମଧ୍ୟ ବଢ଼ିଚାଲିଛି। ସେ ଯାହାହେଉ, କଂଗ୍ରେସ ତା’ର ଏହି ବିପର୍ଯ୍ୟୟରୁ ଶିକ୍ଷାଲାଭ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ, ତାହା ସମ୍ଭବତଃ ସୋନିଆ ଗାନ୍ଧୀ ନିଜେ ମଧ୍ୟ ଅନୁଭବ କରିପାରିଛନ୍ତି। ​କାର୍ଯ୍ୟକାରିଣୀ ବୈଠକରେ ସେ କହିଥିବା ‘ଯଦି ଦଳ ବାସ୍ତବତାର ସମ୍ମୁଖୀନ ହେବନାହିଁ, ସେ ଉଚିତ ଶିକ୍ଷା ହାସଲ କରିପାରିବ ନାହିଁ’ କଥାଟିରୁ ଏହା ସ୍ପଷ୍ଟ ଅନୁମାନ କରିହୁଏ। ନିକଟରେ ଅନୁଷ୍ଠିତ ବିଧାନସଭା ଫଳରୁ ମଧ୍ୟ କଂଗ୍ରେସ ନିଜର ବାସ୍ତବ ସ୍ଥିତିକୁ ପରଖିପାରିବ। ପଶ୍ଚିମବଙ୍ଗରେ ଏହା ମୂଳପୋଛ ହୋଇଯାଇଥିବାବେଳେ କେରଳ, ଆସାମ ଓ ପୁଦୁଚେରୀରେ ତା’ ପାଦ ତଳରୁ ମାଟି ଖସିଯାଇଛି କହିଲେ ଭୁଲ୍‌ ହେବନାହିଁ। ତାମିଲନାଡୁରେ ଶାସକ ମେଣ୍ଟର ଏକ କ୍ଷୁଦ୍ର ଅଂଶୀଦାର ଭାବେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ଛାଡ଼ିଥିବା ନେତୃବୃନ୍ଦଙ୍କୁ ନିଜ ଦଳରେ ମିଶାଇ ନିର୍ବାଚନ ଜିଣିବା ପରେ ଉଚ୍ଚ ପଦରେ ଆସୀନ କରୁଥିବା ଦେଖିବାକୁ ମିଳୁଛି। ସୋମବାର ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ହିମନ୍ତ ବିଶ୍ବଶର୍ମା ଏହିପରି ଜଣେ ନେତା, ଯିଏ ୨୦୧୫ରେ କଂଗ୍ରେସ ପରିତ୍ୟାଗ କରିଥିଲେ। କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ହୋଇଥିବା ନେତାଙ୍କ କ୍ରମରେ ଆଉ ଦୁଇଜଣ ହେଲେ ମଣିପୁରର ଏନ୍‌ ବୀରେନ ସିଂହ ଓ ଅରୁଣାଚଳ ପ୍ରଦେଶର ପେମା ଖାଣ୍ଡୁ। କୌଣସି କାରଣରୁ ହେଉ ପଛେ କଂଗ୍ରେସ ଏମାନଙ୍କ ନେତୃତ୍ବକୁ ଧରି ରଖିନପାରିବା ସ୍ଥାନୀୟ ରାଜନୀତିରେ କଂଗ୍ରେସକୁ ଦୁର୍ବଳ କରିଛି, ଏହା ନିଃସନ୍ଦେହ।

ବର୍ତ୍ତମାନ କୋଭିଡ଼-୧୯ର କରାଳ ଦ୍ବିତୀୟ ତରଙ୍ଗରେ ଦେଶ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ସରକାରଙ୍କ କାର୍ଯ୍ୟକଳାପ ଅଦାଲତ ଓ ଜନତା ଦରବାରରେ ପରୀକ୍ଷାର ସମ୍ମୁଖୀନ ହେଉଛି। ଏହି ସମୟରେ ବିରୋଧୀ ଦଳ ଭାବେ କଂଗ୍ରେସର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଅବଶ୍ୟ ସୋନିଆ ଓ ମନମୋହନ ସିଂହଙ୍କ ପରି ଦଳର ବରିଷ୍ଠ ନେତୃବୃନ୍ଦ ଏବଂ ରାହୁଲ ଗାନ୍ଧୀ ସରକାରଙ୍କ ବିଭିନ୍ନ ତ୍ରୁଟିବିଚ୍ୟୁତିକୁ ଦର୍ଶାଇ ସମାଲୋଚନା କରିବା ସହ ବେଳେବେଳେ ପରାମର୍ଶମାନ ପ୍ରଦାନ କରିଆସୁଛନ୍ତି। ଏହା ବ୍ୟତୀତ ଯୁବ କଂଗ୍ରେସ କେତେକ ରାଜ୍ୟରେ ନାଗରିକଙ୍କୁ ଏ ସଙ୍କଟ କାଳରେ ସହାୟତା ସାମଗ୍ରୀ ଯୋଗାଇ ପ୍ରଶଂସନୀୟ କାର୍ଯ୍ୟ କରିଛି। ଏସବୁ ମହାମାରୀ ସମୟରେ କଂଗ୍ରେସ ପ୍ରତି ଲୋକଙ୍କର ଆଭିମୁଖ୍ୟକୁ ସକାରାତ୍ମକ କରିବାରେ ସାହାଯ୍ୟ କରିବ ନିଶ୍ଚୟ। ତେବେ କଂଗ୍ରେସର ନେତୃତ୍ବକୁ ନେଇ ରହିଥିବା ଦ୍ବନ୍ଦ୍ବର ସମାଧାନ ନହେବା ପର୍ଯ୍ୟନ୍ତ ଜନସାଧାରଣ ମଧ୍ୟ ଦ୍ବଦ୍ବରେ ରହିବା ସ୍ବାଭାବିକ। ଏହା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଦଳର ସଭାପତି ଯିଏ ହେବ ସେ ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବ। କଂଗ୍ରେସ ନିମନ୍ତେ ସେହିପରି ଏକ ଦୃଢ଼ ଭାବମୂର୍ତ୍ତିବିଶିଷ୍ଟ ନେତୃତ୍ବ ଲୋଡ଼ା, ଯିଏ ଦଳକୁ ନୂତନ ଶକ୍ତି ଓ ଉତ୍ସାହରେ ଭରିଦେଇ ପାରିବ। ଯେଉଁସବୁ ରାଜ୍ୟରେ ଅତୀତରେ ତା’ର ଭିତ୍ତିଭୂମି ସୁଦୃଢ଼ ରହିଥିଲା, ସେଠାରେ କିଭଳି ତା’ର ପୁନରୁତ୍‌ଥାନ ହୋଇପାରିବ ସେ ନେଇ ପଦକ୍ଷେପ ନେବା ଜରୁରୀ। ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ନିଜକୁ ଅଧିକ ଶକ୍ତିଶାଳୀ କରିସାରିଥିବାବେଳେ ଭବିଷ୍ୟତରେ ଅଣ-ବିଜେପି ଅଣ-କଂଗ୍ରେସ ଦଳଗୁଡ଼ିକ ଏକାଠି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ସେପରି ହୁଏ, ତେବେ ତାହା ବିଜେପି ଅପେକ୍ଷା କଂଗ୍ରେସ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ। ସୋନିଆଙ୍କ ସ୍ବୀକାରୋକ୍ତି ଅନୁସାରେ ଯଦି କଂଗ୍ରେସ ଉଚିତ କାର୍ଯ୍ୟାନ୍ବୟନ ନ କରେ ବା ସେଥିରେ ବିଫଳ ହୁଏ, ତେବେ ଏହା ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପ୍ରାୟ ନିଶ୍ଚିତ।

Comments are closed.