ରୁଗ୍‌ଣ ସ୍ବାସ୍ଥ୍ୟସେବା ପାଇଁ ଦାୟୀ କିଏ?

ଆତ୍ମପ୍ରଚାର ଛାଡ଼ି ଦେଶବାସୀଙ୍କ ଜୀବନକୁ ସରକାର ପ୍ରାଧାନ୍ୟ ଦେବା ଆବଶ୍ୟକ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ସେବା ଉପରେ ବୋଝ ବଢିଛି। ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା କମ୍‌, ଜୀବନ ରକ୍ଷାକାରୀ ଔଷଧର ଅଭାବ ଓ ଅମ୍ଳଜାନ ସିଲିଣ୍ଡର କମ୍‌ ଥିବା ଆଦି ସମସ୍ୟା ଦେଇ ଦେଶ ଏବେ ଗତି କରୁଛି। କେବଳ ବିତ୍ତଶାଳୀ ଅଥବା ପ୍ରଭାବଶାଳୀ ଲୋକଙ୍କ ପକ୍ଷେ ଜୀବନରକ୍ଷାକାରୀ ଯନ୍ତ୍ରର ସୁବିଧା ସୀମିତ, ସାଧାରଣ ଲୋକଙ୍କ ପାଇଁ ନାହିଁ କହିଲେ ଚଳେ। କରୋନାର ପ୍ରଥମ ଲହରରୁ ଆମେ ବୁଦ୍ଧି ଶିଖିଲେ ନାହିଁ। ସରକାର ଅଥବା ଜନତା ସେତେଟା ସତର୍କ ନହେବାରୁ ଦ୍ବିତୀୟ ଲହରର ପ୍ରକୋପ ଏବେ ପ୍ରଥମଠାରୁ ଟପି ଗଲାଣି। ଏବେ ଦେଶର ଜନସଂଖ୍ୟା ପ୍ରାୟ ୧୩୫ କୋଟି। ଗତ ଏପ୍ରିଲ ୩୦ ତାରିଖ ସୁଦ୍ଧା ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪ ଲକ୍ଷ। ମୋଟ ଜନସଂଖ୍ୟାର ଏହା ଥିଲା ୦.୦୩ ପ୍ରତିଶତ। ମାତ୍ର ଏତକ ସଂଖ୍ୟକ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିଲା ନାହିଁ। ବିଭିନ୍ନ ଡାକ୍ତରଖାନାରେ ଭିନ୍ନଭିନ୍ନ ସ୍ବାସ୍ଥ୍ୟ ଉପକରଣ ଅଭାବ ଦେଖା ଦେଇଛି। ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ମାତ୍ର ୪ ଲକ୍ଷ ସଂକ୍ରମିତଙ୍କ ବୋଝ ସହି ପାରୁ ନାହିଁ। ଦୋହଲି ଗଲାଣି ଦେଶର ସ୍ବାସ୍ଥ୍ୟସେବା।

ଏବେ ପ୍ରଶ୍ନ ଉଠୁଛି- ଦେଶରେ ସ୍ବାସ୍ଥ୍ୟ ସେବାର ଢାଞ୍ଚା କେଉଁ ଆଧାରରେ ପ୍ରସ୍ତୁତ କରାଯାଇଛି ? ସମୁଦାୟ ଜନସଂଖ୍ୟାର କେତେ ପ୍ରତିଶତଙ୍କ ପାଇଁ ଆମେ ସ୍ବାସ୍ଥ୍ୟ ସେବା ପ୍ରସ୍ତୁତ କରିପାରିଛନ୍ତି? ସରକାରୀ ରିପୋର୍ଟ ଅନୁଯାୟୀ ଗତ ମାସ ଶେଷ ସୁଦ୍ଧା ଦେଶରେ କରୋନାଜନିତ ମୃତକଙ୍କ ସଂଖ୍ୟା ଥିଲା ପ୍ରାୟ ୨ ଲକ୍ଷ। ଏମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ଗଳା ଚିପି ଅଥବା ଶ୍ବାସରୁଦ୍ଧ କରି କେହି କାହାକୁ ମାରିଦେଲେ ଆମ ଆଇନ ତାକୁ ହତ୍ୟା ଆଖ୍ୟା ଦେଇଥାଏ। ତେବେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ରୋଗୀର ଯେତେବେଳେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟେ ତାକୁ ଆମେ ହତ୍ୟା ବୋଲି ମନେକରୁ ନାହୁଁ। ଏଥିପାଇଁ ସରକାରୀ ଅଥବା ବେସରକାରୀ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଉ ନାହିଁ। କେବଳ ଚିକିତ୍ସାଧୀନ ରୋଗୀର ମୃତ୍ୟୁ କହି ମାମଲାକୁ ଶେଷ କରିଦିଆଯାଉଛି। ଯେଉଁଠି ରୋଗୀଟିଏ ଅମ୍ଳଜାନ ନପାଇ ଶ୍ବାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରି ପ୍ରାଣ ହରାଉଛି, ସେଥିପାଇଁ କିଏ ଦାୟୀ?

ଦେଶରେ ସରକାରୀ ସ୍ବାସ୍ଥ୍ୟ ସେବା ରୁଗ୍‌ଣ ଅଥବା ଏକ ପ୍ରକାର ନାହିଁ କହିଲେ ଚଳେ। କେଉଁଠି ଶଯ୍ୟା ଅଭାବ ତ ଆଉ କେ​‌େ​‌ତକ ଡାକ୍ତରଖାନା ଅଭିଜ୍ଞ ଡାକ୍ତରଙ୍କ ବିନା ଚାଲିଛି। ଭାରତରେ ଗତ ବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ କରୋନା ସଂକ୍ରମଣ ବ୍ୟାପିବା ଆରମ୍ଭ କରିଥିଲା। ଏହାର ଠିକ୍‌ ବର୍ଷକ ପରେ କରୋନାର ଦ୍ବିତୀୟ ଲହର ଦେଖା ଦେଇଥିଲା। ଏଥିପାଇଁ ଆମେ ପ୍ରସ୍ତୁତ ନଥିଲେ। ପ୍ରଥମ ଲହରରୁ ଆମ ରାଜନୈତିକ ନେତୃବୃନ୍ଦ କିଛି ଶିକ୍ଷାଲାଭ କଲେ ନାହିଁ। ଆମେ କରୋନାକୁ ହରାଇ ଦେଲେ ବୋଲି ଭାଷଣବାଜି ଚଳାଇଲେ। ଯଦି ଆମେ କରୋନାର ପ୍ରଥମ ଲହରକୁ ଗୁରୁତ୍ବ ଦେଇ ଦେଶର ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିଥା’ନ୍ତେ ଆଜି ଆମକୁ ଏପରି ଦଶା ଭୋଗିବାକୁ ପଡ଼ି ନଥାନ୍ତା। ପାକିସ୍ତାନ ଓ ଭୁଟାନ ପରି ଏସିଆର କେତେକ କ୍ଷୁଦ୍ର ଦେଶ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତକୁୁ ସାହାଯ୍ୟ କରିବେ ବୋଲି କହିଛନ୍ତି। ସେହିପରି ନେପାଳ ଓ ବାଂଲାଦେଶ ଭାରତୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଦେଶର ଏପରି ଦୁର୍ଗତି ପାଇଁ ଦାୟୀ କିଏ ? କରୋନା ପୂର୍ବରୁ ଭୁଟାନରେ ମାତ୍ର ୩୭ ଡାକ୍ତର ଓ ୩ ହଜାର ସରକାରୀ ସ୍ବାସ୍ଥ୍ୟକର୍ମୀ ଥିଲେ। ଏମାନଙ୍କ ସଂଖ୍ୟା କମ୍‌ ଥିବାରୁ ଭୁଟାନ ସରକାର ଅଧିକରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିଥିଲେ। ଫଳତଃ ସେଠାରେ ଟିକାକରଣ ଅଭିଯାନ ସଫଳ ହୋଇ ପାରିଛି।

ଭାରତରେ ଟିକାକରଣ ଅଭିଯାନ ଏକ ପ୍ରକାର ଶିଥିଳ ପଡ଼ି ଯାଇଛି। ପ୍ରାକ୍‌ ପ୍ରସ୍ତୁତି ନଥାଇ ମେ ପହିଲାରୁ ୧୮ରୁ ୪୫ ବର୍ଷ ବୟସ୍କଙ୍କୁୁ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏବେ କେତୋଟି ରାଜ୍ୟରେ ଟିକାର ଅଭାବ ଦେଖା ଦେଇଛି। ଟିକା ନଥାଇ ତରବରିଅା ଭାବେ ତାରିଖ ଘୋଷଣା କରିବାର ମାନେ ବୁଝା ପଡ଼ୁ ନାହିଁ। ଦେଶ ଏପରି ସଙ୍କଟଜନକ ସମୟ ମଧ୍ୟ ଦେଇ ଗତି କରୁଥିବାବେଳେ ରାଜନେତାଙ୍କ ବାକ୍ୟବାଣ ଥମୁ ନାହିଁ। ନିର୍ବାଚନ ଫଳାଫଳ ଉପରେ ତର୍ଜମା ଚାଲିଛି। କାହାକୁ ମନ୍ତ୍ରିପଦ ମିଳିବ ସେ ନେଇ ରୂପରେଖ ପ୍ରସ୍ତୁତି ଚାଲିଛି। ଦେଶର କୌଣସି ରାଜନୈତିକ ଦଳ ସ୍ବାସ୍ଥ୍ୟ ସେବାକୁ ନେଇ ନିର୍ବାଚନ ଲଢନ୍ତି ନାହିଁ। ସେମାନଙ୍କ ନିର୍ବାଚନ ଇସ୍ତାହାର କେବଳ ‘ହାତୀ ଦେବୁ ଘୋଡ଼ା ଦେବୁ’ ଉପରେ ଆଧାରିତ। ଭାରତ ପରି ବିଶାଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ସ୍ବାସ୍ଥ୍ୟ ସେବା ପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ କ’ଣ ରାଜନୈତିକ ଦଳଗୁଡ଼ିକର ନିର୍ବାଚନ ଇସ୍ତାହାରରେ ପ୍ରକାଶ ପାଇବା ଉଚିତ୍‌ ନୁହେଁ? ସ୍ବାଧୀନତା ପରଠାରୁ କୌଣସି ସରକାର ଦେଶର ସ୍ବାସ୍ଥ୍ୟ ସେବାକୁ ସେତେଟା ଗୁରୁତ୍ବ ଦେଇ ନାହାନ୍ତି। ଅମୁକ ସରକାର ଅମଳରେ ଏତିକିଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଆମ ସରକାର ସମୟରେ ସେତିକିଟି ଏମ୍‌ସ ଏହିପରି ଭାଷଣବାଜି କରି ସାବାସି ସାଉଁଟିବାରେ ଲାଗିଛନ୍ତି। ପରିତାପର ବିଷୟ, ସ୍ବାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ଆମର ସ୍ବାସ୍ଥ୍ୟସେବା ପ୍ରତିଟି ଭାରତୀୟଙ୍କ ନିକଟରେ ପହଞ୍ଚି ପାରି ନାହିଁ। ମଣିଷର ଜୀବନଠାରୁ ଅମୂଲ୍ୟ ସମ୍ପଦ ଆଉ କିଛି ନାହିଁ ବୋଲି ସରକାର ଜାଣି ରଖିବା ଆବଶ୍ୟକ। ଏବେଠାରୁ ଆମେ ଯଦି ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ସୁଦୃଢ ନ କରିବା ଆଗକୁ ପରିସ୍ଥିତି ଭୟଙ୍କର ରୂପ ନେଇପାରେ।

Comments are closed.