ନ୍ୟାୟର ବେଗ : ନ୍ୟାୟାଳୟଗୁଡ଼ିକୁ ଉନ୍ନତ ଓ ଆଧୁନିକ କରିବାକୁ ହେବ

ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ଏହା ଏକ ଜଣାଶୁଣା କଥା ହୋଇଥିଲେ ହେଁ ଆମ ଦେଶରେ ନ୍ୟାୟ ପ୍ରଦାନରେ ଏତେ ବିଳମ୍ବ ହୁଏ ଯେ ଅନେକ ସମୟରେ ନ୍ୟାୟପ୍ରାର୍ଥୀ ଓ ନ୍ୟାୟାଧୀଶ, ଉଭୟଙ୍କ ଅମର୍ଯ୍ୟାଦା ହୋଇଥାଏ। ଏହା ଅବଶ୍ୟ ଆଦୌ ଅହେତୁକ ନୁହେଁ। ଗୋଟିଏ ପଟେ ଅଦାଲତ ଉପରେ ମୋକଦ୍ଦମାଗୁଡ଼ିକର ବୋଝ ଓ ଅନ୍ୟପଟେ ନ୍ୟାୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ବିଚାରପତିଙ୍କର ଅଭାବ ଏହି ସମସ୍ୟାକୁ ଦ୍ବିଗୁଣିତ କରିଚାଲିଛି। ଏ ପ୍ରସଙ୍ଗରେ ଅନେକ ସମୟରେ ବିଚାରବିମର୍ଶ ହେଉଥିଲେ ହେଁ ଏ ପର୍ଯ୍ୟନ୍ତ ଏହାର ନିରାକରଣ ସମ୍ଭବ ହୋଇନାହିଁ। ତେବେ ଏହି ସମସ୍ୟାର ସମାଧାନ ପାଇଁ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟର ସେବାନିବୃତ୍ତ ବିଚାରପତିମାନଙ୍କୁ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ଅବଧି ପାଇଁ ଅସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତି ପ୍ରଦାନର ରାସ୍ତା ପରିଷ୍କାର କରିଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅସ୍ଥାୟୀ ବିଚାରପତିଭାବେ ପୂର୍ବତନ ବିଚାରପତିମାନଙ୍କୁ ନିଯୁକ୍ତି ଦେବାର ଅର୍ଥ ନୁହେଁ ଯେ ସେମାନଙ୍କୁ ବର୍ତ୍ତମାନର ବିଚାରପତି ସ୍ଥାନରେ ରଖାଯିବ। ଏଥିପାଇଁ ଏକ ସାମ୍ବିଧାନିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି, ଯେପରିକି ବାକିଥିବା ମୋକଦ୍ଦମାଗୁଡ଼ିକର ବିଚାର ଶୀଘ୍ର ସମ୍ଭବ ହୋଇପାରିବ। ସୂଚନାଯୋଗ୍ୟ ଯେ ସମ୍ବିଧାନର ଅନୁଚ୍ଛେଦ ୨୨୪ଏରେ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଅସ୍ଥାୟୀ ନ୍ୟାୟାଧୀଶଙ୍କ ନିଯୁକ୍ତିର ବ୍ୟବସ୍ଥା ରହିଛି; କିନ୍ତୁ ଅସାଧାରଣ ସ୍ଥିତିରେ ହିଁ ଏହାର ସହାୟତା ନିଆଯାଏ। ବର୍ତ୍ତମାନର ଜଟିଳ ସ୍ଥିତିକୁ ଦେଖି ସର୍ବୋଚ୍ଚ ନ୍ୟାୟାଳୟ ହୁଏତ ଏପରି ପଦକ୍ଷେପ ନେବାକୁ ଆଗଭର ହୋଇଛନ୍ତି। ତେବେ ଏହି ‘ଅସ୍ଥାୟୀ ନ୍ୟାୟାଧୀଶ’ବୃନ୍ଦ କିଭଳି ଓ କେଉଁ ପ୍ରକାରର ମୋକଦ୍ଦମାର ଶୁଣାଣି କରିବେ ଓ ତାହା କିପରି ନ୍ୟାୟାଳୟର ବୋଝକୁ କମ୍‌ କରିବାରେ ସହାୟକ ହେବ, ତାହା ଆଗକୁ ଜଣାପଡ଼ିବ। ନ୍ୟାୟପାଳିକା ଭଳି ସମ୍ବିଧାନର ଏକ ମହତ୍ତ୍ବପୂର୍ଣ୍ଣ ଅଙ୍ଗରେ ଏପରି ଏକ କାମଚଳା ବ୍ୟବସ୍ଥା କରାଯିବା ବଦଳରେ ରିକ୍ତ ବିଚାରପତି ପଦ ପୂରଣ କରିବା ସହ ଆବଶ୍ୟକ ହେଲେ ଅଧିକ ସଂଖ୍ୟକ ବିଚାରପତି ପଦ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବା ଶ୍ରେୟସ୍କର ମନେହୁଏ।
ବର୍ତ୍ତମାନ ନ୍ୟାୟାଳୟଗୁଡ଼ିକର ଭିତ୍ତିଭୂମି ଓ ରିକ୍ତ ବିଚାରପତି ପଦକୁ ଦେଖିଲେ ସମସ୍ୟାଟି କେତେ ଗୁରୁତର, ତାହା ବୁଝିହୁଏ। ଆଜି ମଧ୍ୟ ଆମ ଦେଶରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ନ୍ୟାୟାଧୀଶଙ୍କ ଅନୁପାତ ୨୧ ପାଖାପାଖି ରହିଛି। ଆମେରିକାରେ ଏହି ଅନୁପାତ ୧୦୭ ଥିବାବେଳେ କାନାଡାରେ ୭୫। ଅନ୍ୟପକ୍ଷରେ ଦେଶର ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୩୩ ଶତାଂଶ ବିଚାରପତି ପଦ ଓ ନିମ୍ନ ଅଦାଲତଗୁଡ଼ିକରେ ୨୩ ଶତାଂଶ ପଦ ଖାଲି ରହିଛି। ସମସ୍ତ ପଦ ପୂରଣ ହେଲେ ଅନ୍ତତଃ ନ୍ୟାୟାଳୟ ଉପରୁ ମୋକଦ୍ଦମା ବୋଝ କିଛିଟା ହ୍ରାସ ପାଆନ୍ତା। ଏକ ହିସାବ ଅନୁସାରେ ଦେଶର ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୫୭ ଲକ୍ଷ ମାମଲା ବିଚାର ଅପେକ୍ଷାରେ ରହିଛି। ସେହିପରି ଦେଶର ଅନ୍ୟ ଅଦାଲତଗୁଡ଼ିକରେ ୩ କୋଟିରୁ ଊର୍ଦ୍ଧ୍ବ ମୋକଦ୍ଦମା ପଡ଼ିରହିଛି ଓ ଏହି ସଂଖ୍ୟା ପ୍ରତ୍ୟହ ବଢ଼ି ଚାଲିଛି। ଏପରି ସ୍ଥଳେ ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତି ଜରୁରୀ ହୋଇପଡ଼ିଛି। ଏକ ଅନୁଧ୍ୟାନ ଅନୁଯାୟୀ, କେବଳ ମହାମାରୀ କାଳରେ ସର୍ବୋଚ୍ଚ ନ୍ୟାୟାଳୟର ମାମଲା ସଂଖ୍ୟା ସାଢ଼େ ୩ ଶତାଂଶ ଅଧିକ ବୃଦ୍ଧି ପାଇଛି। ଉଚ୍ଚ ନ୍ୟାୟାଳୟ ଓ ନିମ୍ନ ଅଦାଲତଗୁଡ଼ିକରେ ଏ ସ୍ଥିତି ଅତୀବ ଚିନ୍ତାଜନକ। ଏହା ଅବଶ୍ୟ ଅସ୍ବାଭାବିକ ନୁହେଁ; କାରଣ ମହାମାରୀ ସମୟରେ ଅନ୍ୟ କ୍ଷେତ୍ରଗୁଡ଼ିକ ପରି ବିଚାର ବିଭାଗର କାର୍ଯ୍ୟ ମଧ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି ଓ ବହୁ କାର୍ଯ୍ୟଦିବସରେ ନ୍ୟାୟାଳୟ ବନ୍ଦ ରହିଛି। କେବଳ ଅତି ଗୁରୁତ୍ବପୂର୍ଣ୍ଣ ମୋକଦ୍ଦମାଗୁଡ଼ିକର ଦୃଶ୍ୟଶ୍ରାବ୍ୟ ଯୋଗାଯୋଗ ମାଧ୍ୟମରେ ଶୁଣାଣି ହେଉଛି। ବର୍ତ୍ତମାନ ମଧ୍ୟ ଅଦାଲତଗୁଡ଼ିକ ସ୍ବାଭାବିକ ଭାବେ କାର୍ଯ୍ୟ କରିପାରିନାହିଁ। ତେଣୁ ମାମଲାର ବୋଝ ଅଧିକ ହୋଇଚାଲିଛି।
ଏହି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବିଭିନ୍ନ ଚିଠା ଏବଂ ଆଇନ ଆୟୋଗର ସଂସ୍କାର ସମ୍ପର୍କିତ ସୁପାରିସରେ ଗୁରୁତ୍ବପୂର୍ଣ୍ଣ ପରାମର୍ଶମାନ ପ୍ରଦାନ କରାଯାଇଛି; କିନ୍ତୁ ସେଗୁଡ଼ିକୁ ଧ୍ୟାନ ଦିଆଯାଇ ନାହିଁ। ସେହି ପରାମର୍ଶଗୁଡ଼ିକର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବାର ସମୟ ଆସିଛି। ଆମର ଆଶା ଯେ ଶନିବାର ଦାୟିତ୍ବ ଗ୍ରହଣ କରିଥିବା ଭାରତର ନୂତନ ପ୍ରଧାନ ବିଚାରପତି ନୁତାଲାପତି ଭେଙ୍କଟ ରମନା ଏହା ଉପରେ ଦୃଷ୍ଟି ଦେବେ। ସେବାନିବୃତ୍ତ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡ଼େ ନିଜ କାର୍ଯ୍ୟକାଳ ମଧ୍ୟରେ ଜଣେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ ନ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। କୌଣସି ପ୍ରଧାନ ବିଚାରପତିଙ୍କ କ୍ଷେତ୍ରରେ ଏପରି ଘଟନା ପ୍ରଥମ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ବହୁ ସ୍ବୀକୃତ ବିଚାରପତି ପଦ ରିକ୍ତ ରହିଛି। କଲେଜିୟମ୍‌କୁ ନେଇ ବିବାଦୀୟ ସ୍ଥିତି ରହୁଥିବାରୁ ଠିକ୍‌ ସମୟରେ ବିଚାରପତି ନିଯୁକ୍ତି ହୋଇପାରୁନାହିଁ। ଏହାର ସମାଧାନ ଜରୁରୀ।
ଭାରତରେ ଅନ୍ୟାୟ, ଅନୀତି, ଅତ୍ୟାଚାରର ସଂଖ୍ୟା ଯେତିକି ବଢ଼ିଚାଲିଛି, ମୋକଦ୍ଦମା ସଂଖ୍ୟା ମଧ୍ୟ ସେହି ପରିମାଣରେ ବଢ଼ୁଛି। ଏହା ଆମ ସାମାଜିକ ସ୍ଖଳନର ଏକ ଗୁରୁତ୍ବପୂର୍ଣ୍ଣ ସୂଚକ। ଆଜିକାଲି ସରକାର ମଧ୍ୟ ଅନେକ ସମୟରେ ବିବାଦୀୟ ପଦକ୍ଷେପମାନ ନେଉଥିବାରୁ ତା’ ବିରୋଧରେ ଜନସାଧାରଣଙ୍କୁ ବାରମ୍ବାର ଅଦାଲତର ଦ୍ବାରସ୍ଥ ହେବାକୁ ପଡ଼ୁଛି। ନାଗରିକ ଅଧିକାର ଓ ସ୍ବାଧୀନତାର ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଶେଷ ଆଶ୍ରୟସ୍ଥଳ ହୋଇଥିବାରୁ ଏହା ଅବଶ୍ୟ ସ୍ବାଭାବିକ। ଅତଏବ ଶୀଘ୍ର ବିଚାର ଓ ନ୍ୟାୟ ପ୍ରଦାନର ବେଗକୁ ତ୍ବରାନ୍ବିତ କରିବାକୁ ହେଲେ ନ୍ୟାୟାଳୟଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉନ୍ନତ ଓ ଆଧୁନିକ କରିବାକୁ ହେବ।

Comments are closed.