ଟିକା କାହିଁ?
ଟିକାକୁ ନେଇ ଯେଉଁ ଛଦ୍ମ ଜାତୀୟତାବୋଧ ସୃଷ୍ଟି କରିବାର ଉଦ୍ୟମ କରାଯାଇଥିଲା, ତା’ର ନିରର୍ଥକତା ଏବେ ସାମ୍ନାକୁ ଆସୁଛି
ଭାରତରେ କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପି ଚାଲିଥିବା ସମୟରେ ଟିକା ଅଭାବ ନିରାଶା ସୃଷ୍ଟି କରିବା ସ୍ବାଭାବିକ। ଓଡ଼ିଶାରେ ଗତ ଏପ୍ରିଲ ୫ରେ ୧୪୦୦ରୁ ଅଧିକ କେନ୍ଦ୍ରରେ ଟିକାକରଣ ହୋଇଥିଲାବେଳେ ଏହାର ତିନି ଦିନ ପରେ କେବଳ ଟିକା ଅଭାବରୁ ପ୍ରାୟ ଅଧା କେନ୍ଦ୍ରକୁ ସରକାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟର ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ସଚିବ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଏକାଧିକ ଥର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଟିକା ଅଭାବ ବିଷୟ ଅବଗତ କରାଇଥିଲେ ହେଁ ଆବଶ୍ୟକ ପରିମାଣର ଟିକା ଯୋଗାଣ ନହେବା ଦୁର୍ଭାଗ୍ୟଜନକ।
କେବଳ ଓଡ଼ିଶା ନୁହେଁ; ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ ଭଳି ରାଜ୍ୟ ମଧ୍ୟ କେନ୍ଦ୍ର ପକ୍ଷରୁ ଟିକା ଅଭାବ ଥିବା କହିଛନ୍ତି ଓ କେତେକ ରାଜ୍ୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଲକ୍ଷ୍ୟ କରିବାର କଥା ଯେ ଉତ୍ତର ପ୍ରଦେଶକୁ ଛାଡ଼ିଦେଲେ ଚାରିଟି ଯାକ ଅଣବିଜେପି ଶାସିତ ରାଜ୍ୟ। ତେଣୁ ସ୍ବତଃ ଧାରଣା ଜନ୍ମିଛି ଯେ ଜାଣିଶୁଣି ଏପରି ପାତରଅନ୍ତର କରାଯାଉଛି। ଯଦି ସେପରି ହୋଇଥାଏ, ତେବେ ନିଶ୍ଚିତ ଭାବେ ଏକ ସାଂଘାତିକ କଥା ଏବଂ ସଂଘୀୟ ବ୍ୟବସ୍ଥାରେ ଏହା ଆଦୌ ସ୍ପୃହଣୀୟ ନୁହେଁ।
ଆଉ ଏକ ଗୁରୁତର କଥା ହେଲା ଗତ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ ମହାମାରୀରେ ଟିକାଦାନର ଲକ୍ଷ୍ୟ କରୋନା ମୃତ୍ୟୁକୁ ହ୍ରାସ କରିବା ଏବଂ ‘ସ୍ବାସ୍ଥ୍ୟ ବ୍ୟବସ୍ଥାର ସୁରକ୍ଷା କରିବା’। ଏହା ଠିକ୍ କଥା; କିନ୍ତୁ ତା’ପରେ ସେ ଯାହା କହିଲେ ତାହା ଭ୍ରୂକୁଞ୍ଚନ ସୃଷ୍ଟି କରିବା ସ୍ବାଭାବିକ। ସେ ଟିକା ନେଉଥିବା ଲୋକଙ୍କୁ ଦୁଇଭାଗରେ ବିଭକ୍ତ କରି କହିଥିଲେ ଯେ ‘‘ଟିକା ନେବାକୁ ଚାହୁଁଥିବା ଲୋକ ବନାମ ଟିକା ନେବା ଜରୁରୀ ଥିବା ଲୋକ’’। ସେ ଜରୁରୀ ଥିବା ଲୋକ ହିଁ ଟିକା ନେବା ଦରକାର ବୋଲି ପରୋକ୍ଷରେ ସୂଚାଇଥିଲେ। କହିବା ବାହୁଲ୍ୟ ଯେ ଏହା ଏକ ଦୁର୍ବଳ ନୀତିର ପରିଚାୟକ। ଭାରତ ସମଗ୍ର ବିଶ୍ବର ଟିକା ଉତ୍ପାଦନର ଶ୍ରେଷ୍ଠ ଓ ସର୍ବବୃହତ୍ କେନ୍ଦ୍ର କହି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଟିକା ଉପଲବ୍ଧ ରହିବ ବୋଲି କେନ୍ଦ୍ର ସରକାର ବାରମ୍ବାର କହିଆସିଛନ୍ତି ଏବଂ ବିଶ୍ବର ଅନ୍ୟ ଦେଶଗୁଡ଼ିକୁ ଟିକା ରପ୍ତାନି କରି ମଧ୍ୟ ବାହାବା ନେବାକୁ ଚେଷ୍ଟା କରିଛନ୍ତି। ଏହା ହୁଏତ ଭୁଲ୍ କଥା ନୁହେଁ, କିନ୍ତୁ ଏଭଳି ନୀତି ନିଷ୍ପତ୍ତି କଲାବେଳେ ଭାରତୀୟମାନେ ଅଗ୍ରପ୍ରାଧାନ୍ୟ ଲାଭ କରିବା ଉଚିତ। ଏହି ଦୃଷ୍ଟିରୁ ଟିକାର ଯଦି ପ୍ରକୃତରେ ଅଭାବ ରହିଥାଏ, ତେବେ ତାହା ଏକ ଗୁରୁତର ବିଷୟ। ଅବଶ୍ୟ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଟିକାର ଅଭାବ ନାହିଁ ବୋଲି କହିଛନ୍ତି। ଯଦି ଅଭାବ ନାହିଁ, ରାଜ୍ୟଗୁଡ଼ିକର ଚାହିଦା ଅନୁସାରେ ସରକାର ଯୋଗାଇ ଦେଇପାରୁନାହାନ୍ତି କାହିଁକି, ତାହା ଏକ ବଡ଼ ପ୍ରଶ୍ନ।
ଏହି ପରିପ୍ରେକ୍ଷୀରେ ଟିକା ନିର୍ମାତା କମ୍ପାନୀଗୁଡ଼ିକର ଭୂମିକା କ’ଣ, ତାହା ମଧ୍ୟ ଦେଖିବା କଥା। ଭାରତରେ ବର୍ତ୍ତମାନ ଦୁଇ ପ୍ରକାର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ସରକାର ଟିକାକରଣରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ସରକାରଙ୍କ ନିଜସ୍ବ ଟିକା ନିର୍ମାଣ କମ୍ପାନୀ ନଥିବାରୁ ଏ ଦୁଇଟି ଯାକ ଟିକାକୁ ଉତ୍ପାଦନକାରୀଙ୍କଠାରୁ କିଣିବାକୁ ପଡ଼ୁଛି। କୋଭାସିଲ୍ଡ ତିଆରି କରିବାରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଠିକାଦାରର କାର୍ୟ୍ୟ ତୁଲାଏ ଓ ସରକାର ତା’ଠାରୁ କିଣନ୍ତି। ଏହି କମ୍ପାନୀ ମାସକୁ ଅତି ବେଶୀରେ ୬୫ ନିୟୁତ ଡୋଜ୍ ଟିକା ତିଆରି କରିବାରେ ସକ୍ଷମ। ଏଥିରୁ ସବୁ ଟିକା ଭାରତୀୟଙ୍କ ପାଇଁ ମଧ୍ୟ ନୁହେଁ। ଅପରପକ୍ଷେ ଭାରତରେ ଯେତେ ଟିକାକରଣ ହେଉଛି, ସେଥିମଧ୍ୟରୁ ମାତ୍ର ୧୦% ହେଉଛି କୋଭାକ୍ସିନ।
କେନ୍ଦ୍ର ସରକାର ମାର୍ଚ୍ଚ ମାସରେ ଅଧିକ ୨୦ ନିୟୁତ କୋଭାକ୍ସିନ ଡୋଜ୍ ତିଆରି ପାଇଁ ଏହାର ନିର୍ମାତା ଭାରତ ବାଇଓଟେକ୍କୁ ବରାଦ ଦେଇଥିଲେ। ସମସ୍ତ ଭାରତୀୟଙ୍କୁ ଟିକାଦାନ କରିବାକୁ ହେଲେ ଯେତିକି ପରିମାଣର ଟିକା ଦରକାର, ତାହା ଉତ୍ପାଦନ କରିବାପାଇଁ ଏହି ଦୁଇଟି ଯାକ କମ୍ପାନୀ ଭାରତ ସରକାରଙ୍କଠାରୁ ଅତିରିକ୍ତ ଅର୍ଥ ସହାୟତା ଦାବି କରିଛନ୍ତି। ଏସ୍ଆଇଆଇ ପ୍ରତି ଟିକାର ଦାମ୍ ମଧ୍ୟ ବଢ଼ାଇବାକୁ କହିଲାଣି। ତେଣୁ ଟିକାକୁ ନେଇ ଯେଉଁ ଛଦ୍ମ ଜାତୀୟତାବୋଧ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା, ତା’ର ନିରର୍ଥକତା ଏବେ ସାମ୍ନାକୁ ଆସୁଛି।
ଭାରତ ସରକାରଙ୍କ ଟିକାକରଣ ନୀତି ମଧ୍ୟ ପ୍ରଶ୍ନାତୀତ ନୁହେଁ; କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସରକାର କହୁଥିଲେ ହେଁ ସେଥିପାଇଁ ଟିକାର ଅଭାବ ହେବା ପର୍ୟ୍ୟନ୍ତ କଥା ଯାଉଛି କାହିଁକି? ପୁଣି ଏ ପର୍ୟ୍ୟନ୍ତ ମଧ୍ୟ ବୟସ ସୀମା ରଖାଯାଇଛି; ଅର୍ଥାତ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରିବ ବୋଲି ସମ୍ଭବତଃ ସରକାରଙ୍କ ଭରସା ପାଉନାହିଁ। ଅପର ପକ୍ଷେ, ବିଶ୍ବର ବହୁ ରାଷ୍ଟ୍ର ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରପ୍ରାଧାନ୍ୟ ଦେଇଥିଲେ ହେଁ ବିନା ବାଧାବନ୍ଧନରେ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ କରାଉଛନ୍ତି। ସମ୍ଭବତଃ ଉପରୋକ୍ତ ନିଷ୍ପତ୍ତି ଯୋଗୁଁ ମଧ୍ୟ ଭାରତରେ ଟିକାକରଣ ମନ୍ଥର ହୋଇଛି। ଏକ ତଥ୍ୟ ଅନୁଯାୟୀ, ଏପ୍ରିଲ ୫ ସୁଦ୍ଧା ଭାରତରେ ୧ ଲକ୍ଷ ଜନସଂଖ୍ୟାରେ ୬,୩୧୦ ଡୋଜ୍ ଟିକା ଦିଆଯାଇଥିବାବେଳେ ବିଶ୍ବରେ ଏହାର ହାରାହାରି ସଂଖ୍ୟା ରହିଛି ୮,୯୦୦ ଡୋଜ୍।
ଅନ୍ୟପକ୍ଷରେ ଟିକାକରଣରେ ଇସ୍ରାଏଲ୍ ସର୍ବାଗ୍ରେ ରହି ଏପ୍ରିଲ ୫ ସୁଦ୍ଧା ୧ ଲକ୍ଷ ଜନସଂଖ୍ୟା ପିଛା ୧,୧୭,୧୬୦ ଡୋଜ୍ ପ୍ରଦାନ କରିଛି। ଏହା ପଛକୁ ରହିଛନ୍ତି ଚିଲି, ବ୍ରିଟେନ, ଆମେରିକା, ବ୍ରାଜିଲ୍, ଚୀନ ଓ ରୁଷିଆ। ଏହାପରେ ଭାରତର ସ୍ଥାନ। ଏଥିରୁ ବୁଝାପଡ଼ୁଛି ଯେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଦୋଷ ଦେଇ ନିଜେ ଖସିଯିବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ ଏ ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଯିବା ଆବଶ୍ୟକ।
Comments are closed.