କରୋନାର ଲେଉଟାଣି

ପୁନର୍ବାର କର୍ଫ୍ୟୁ, ଲକ୍‌ଡାଉନ, ସଟ୍‌ଡାଉନ ଭଳି ଦୁଃସ୍ଥିତି ଏଡ଼ାଇବାକୁ ହେଲେ ସମସ୍ତଙ୍କୁ ସୁରକ୍ଷା କଟକଣା ମାନିବାକୁ ହେବ

ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ କୋଭିଡ-୧୯ ବା କରୋନା ଭୂତାଣୁର ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦେଖି ବିଶେଷଜ୍ଞମାନେ କରୋନାର ଦ୍ବିତୀୟ ଲହରୀର ଆଶଙ୍କା ପ୍ରକାଶ କରିଛନ୍ତି, ଯାହାକୁ ଏଡ଼ାଇ ଦେଇହେବ ନାହିଁ। ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରତ୍ୟହ ବୃଦ୍ଧି ପାଉଥିବା ଦେଖାଯାଇଛି। ଗତ ଆଠ ଦଶ ଦିନ ଭିତରେ ଏହା ତିନିଗୁଣ ବଢ଼ିଛି। ବିଶେଷକରି ପ୍ରଥମ ଲହର ସମୟରେ ରାଜଧାନୀ ଭୁବନେଶ୍ବର ଓ କଟକରେ ଯେପରି ଅଳ୍ପଦିନ ଭିତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିଲା, ଏବେ ଏହି ଦୁଇ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣି ସେପରି ଆଶଙ୍କା କରାଗଲାଣି। ଏହି ଦୁଇ ସହରକୁ ରାଜ୍ୟ ଓ ଦେଶ ବାହାରୁ ଅଧିକ ଲୋକ ଆସୁଥିବାରୁ ସେମାନଙ୍କ ଜରିଆରେ କରୋନାର ନୂଆ ବ୍ରିଟେନ୍‌ ଷ୍ଟ୍ରେନ୍‌ ଓ କରୋନା ଭୂତାଣୁ ସଂକ୍ରମଣର ଭୟ ଅଧିକ ରହୁଥିବାରୁ ଜନସାଧାରଣ ଏଥିପ୍ରତି ସତର୍କ ହେବା ଜରୁରୀ ହୋଇପଡ଼ିଛି।

ବିଶେଷକରି ପଞ୍ଜାବରେ ନୂଆ ବ୍ରିଟେନ ଷ୍ଟ୍ରେନ୍‌ର ସଂକ୍ରମଣ ସର୍ବାଧିକ ଦେଖିବାକୁ ମିଳିଲାଣି। ମଙ୍ଗଳବାର ସେଠାକାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଜା ପରୀକ୍ଷା କରାଯାଇଥିବା ୪୦୧ ନମୁନା ଭିତରୁ ୮୧ ଶତାଂଶ ନୂଆ ଷ୍ଟ୍ରେନ୍‌ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ଼ ଓ ତାମିଲନାଡୁରେ ସଂକ୍ରମଣ ଦ୍ରୁତ ବ୍ୟାପିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଭୂତାଣୁର ବ୍ରିଟେନ୍‌ ଷ୍ଟ୍ରେନ୍‌ ଯୁବକଯୁବତୀଙ୍କୁ ଅଧିକ ପରିମାଣରେ ସଂକ୍ରମିତ କରୁଥିବା ଜଣାପଡ଼ିଛି। ଏହା ନିଶ୍ଚିତଭାବେ ଉଦ୍‌ବେଗଜନକ; କାରଣ ଅଧିକାଂଶ ସମୟରେ ଦେଖାଯାଉଛି ଯେ ଯୁବବର୍ଗ କରୋନା ପ୍ରତିଷେଧକ ଓ ପ୍ରତିରୋଧକ ମାର୍ଗଦର୍ଶିକାଗୁଡ଼ିକୁ ପାଳନ କରିବାରେ ଅବହେଳା ପ୍ରଦର୍ଶନ କରିଥା’ନ୍ତି।

ସେମାନେ ଏଥିପ୍ରତି ବିଶେଷ ସଚେତନ ରହିବାର ଆବଶ୍ୟକତା ରହିଛି। ଏବେ ବଜାରହାଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ଏତେ ଗହଳି ହେଉଛି ଯେ କରୋନା କଟକଣା ଥିବା ପରି ଆଦୌ ମନେ ହେଉନାହିଁ। ଅଧିକାଂଶ ବ୍ୟକ୍ତି ମାସ୍କ ଆଦୌ ପିନ୍ଧୁନାହାନ୍ତି କିମ୍ବା ପିନ୍ଧିଥିଲେ ମଧ୍ୟ ତାହା କେବଳ ଦେଖାଇବା ପାଇଁ, ନାକ ବା ପାଟି ଢାଙ୍କିବା ପାଇଁ ନୁହେଁ। ଶାରୀରିକ ଦୂରତା ରକ୍ଷା ଆଉ କେଉଁଠି ଦେଖିବାକୁ ମିଳୁନାହିଁ। ଏବେ କଟକ ଓ ଭୁବନେଶ୍ବରର କେତେକ ଉଚ୍ଚ ଶିକ୍ଷାନୁଷ୍ଠାନରୁ ଏକାବେଳକେ ଅନେକ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା ଖବର ଆସିଛି। ଏହି ଯୁବବର୍ଗ ଏବଂ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଯଦି ମାର୍ଗଦର୍ଶିକାର ପାଳନ କରିଥାନ୍ତେ, ତେବେ ଏତେ ପରିମାଣରେ ସଂକ୍ରମଣ ନିଶ୍ଚିତ ହୋଇନଥାନ୍ତା।

୧୫ ମାର୍ଚ୍ଚ ୨୦୨୦ରେ ଭୁବନେଶ୍ବରରୁ ଓଡ଼ିଶାର ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଥିଲା ଏବଂ ୨୨ ମାର୍ଚ୍ଚରେ ସରକାର ଲକ୍‌ଡାଉନ୍ ଘୋଷଣା କରିଥିଲେ। ତା’ ସତ୍ତ୍ବେ ଏହା ଧୀରେଧୀରେ ସାରା ରାଜ୍ୟକୁ ବ୍ୟାପିଯାଇଥିଲା। ଠିକ୍‌ ବର୍ଷକ ପରେ ପୁଣି ଏହା ବ୍ୟାପିବା ଆରମ୍ଭ କରିଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ହେବ। ମାଲକାନଗିରି ପ୍ରଶାସନ ପକ୍ଷରୁ ତ ଆଗୁଆ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଲାଗୁ କରିଦିଆଯାଇଛି। କଟକ ଓ ଭୁବନେଶ୍ବରରେ ଯଦି ସଂକ୍ରମଣ ଅଧିକ ବ୍ୟାପେ, ତେବେ ଆଗକୁ ରାତ୍ରିକାଳୀନ କର୍ଫ୍ୟୁ ଭଳି ପଦକ୍ଷେପ ନିଆଯିବା ସମ୍ଭବ। ଆମେ ଆଶା କରିବା ଯେ ଲକ୍‌ଡାଉନ୍ ସଟ୍‌ଡାଉନ୍ ଭଳି ଦୁଃସ୍ଥିତି ଆଉ ନ ଫେରୁ। ତେବେ ଏହା ଜନସାଧାରଣଙ୍କ ସଚେତନତା ଓ ସୁରକ୍ଷା ମାର୍ଗଦର୍ଶିକା ପାଳନ ଉପରେ ଅଧିକ ନିର୍ଭର କରେ। ସେମାନେ ଯଦି କୌଣସି ନିୟମକାନୁନ ନ ମାନିବେ, ତେବେ କରୋନାର ଦ୍ବିତୀୟ ଲହରକୁ ସହଜରେ ଅଟକାଇ ହେବନାହିଁ। ଏଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ରହିଛି। ସରକାର ମଧ୍ୟ କରୋନା କଟକଣା କିପରି ପାଳନ କରାଯାଇପାରିବ, ସେ ନେଇ ଦୃଷ୍ଟି ଦେବା ଦରକାର। ବିଶେଷତଃ ବାହାର ରାଜ୍ୟର ଆଗନ୍ତୁକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଓ ଆବଶ୍ୟକ ହେଲେ ପରୀକ୍ଷା କରାଯିବାର ବ୍ୟବସ୍ଥା ହେଉ।

ଇତିମଧ୍ୟରେ ସମଗ୍ର ଦେଶରେ ସ୍ବାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା, ବୟସ୍କ ବ୍ୟକ୍ତିମାନଙ୍କୁ କରୋନା ଟିକା ଦିଆଯାଇଛି। କେନ୍ଦ୍ର ସରକାର ଆଗାମୀ ୧ ଏପ୍ରିଲରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଟିକା ଦେବାକୁ ମଙ୍ଗଳବାର ଘୋଷଣା କରିଛନ୍ତି। ଏଥିପାଇଁ ଯୋଗ୍ୟ ବିବେଚିତ ସମସ୍ତଙ୍କୁ ନାମ ପଞ୍ଜୀକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶର ସମସ୍ତଙ୍କୁ ଟିକା ଦେବାକୁ ହେଲେ ଟିକାକରଣକୁ ଆହୁରି ତ୍ବରାନ୍ବିତ କରିବାକୁ ପଡ଼ିବ। ସବୁଠୁ ବଡ଼ ଚିନ୍ତାର ବିଷୟ ଯେ କୋଟିକୋଟି ଡୋଜ୍‌ ଟିକା ନଷ୍ଟ ହେଉଛି। ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ବେଶି ନଷ୍ଟ ହୋଇଥିବାବେଳେ ଜାତୀୟ ସ୍ତରରେ ଏହାର ପରିମାଣ ୬.୫ ଶତାଂଶ। କୋଟିକୋଟି ଲୋକଙ୍କ ଟିକାକରଣ କାର୍ଯ୍ୟକ୍ରମରେ ଟିକା ନଷ୍ଟ ହେବା ଅସ୍ବାଭାବିକ ନୁହେଁ, କିନ୍ତୁ ତାହା ସୀମିତ ହେବା ଉଚିତ। ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଏ ନେଇ ଚିନ୍ତା ପ୍ରକଟ କରିବା ଯଥାର୍ଥ। ଟିକା ପ୍ରସ୍ତୁତକାରୀ କମ୍ପାନୀ ଏବଂ ଟିକାକରଣ ସହ ସଂପୃକ୍ତ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେବା ଦରକାର।

Comments are closed.